
ମାନିଲା, ୧୧ା୫: ଫିଲିପାଇନ୍ସକୁ ପୁଣି ଫେରିଛି ମାର୍କୋସ୍ ଶାସନ। ଏକଚ୍ଛତ୍ରବାଦୀ ଶାସକ ସ୍ବର୍ଗତଃ ଫର୍ଡିନାଣ୍ଡ ଇମାନ୍ବେଲ ଇଡ୍ରାଲିନ୍ ମାର୍କୋସ୍ଙ୍କ ପୁଅ ଫଡିର୍ନାଣ୍ଡ ମାର୍କୋସ୍ ଜୁନିୟର ଦେଶର ନୂଆ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। କଡ଼ା ଟକ୍କର ଦେଇଥିବା ଲେନି ରୋବ୍ରୋଡୋଙ୍କୁ ସେ ପରାଜିତ କରିଛନ୍ତି। ସେହିପରି ବିଦାୟୀ ରାଷ୍ଟ୍ରପତି ରୋଡ୍ରିଗୋ ଡୁଟେର୍ଟେଙ୍କ ଝିଅ ସାରା ଡୁଟେର୍ଟେ ଉପରାଷ୍ଟ୍ରପତି ଭାବେ ନିର୍ବାଚନରେ ବିଜୟୀ ହୋଇଛନ୍ତି। ୬୪ ବର୍ଷୀୟ ମାର୍କୋସ୍ ଜୁନିୟର ପାଟ୍ରିଡୋ ଫେଡେରାଲ ଫିଲିପିନାସ୍ (ପିଏଫ୍ପି) ଦଳ ଟିକେଟରେ ବିପୁଳ ବିଜୟ ହାସଲ ପରେ ଦେଶରେ ଡିକ୍ଟେରଟରଶିପ୍ ଶାସନ ବଜାୟ ଜାରି ରହିବା ଆଶଙ୍କା ଦେଖାଦେଇଛି। ତେବେ ସେ ତାଙ୍କ ବାପାଙ୍କଠାରୁ ଭିନ୍ନ ଆଭିମୁଖ୍ୟ ଆପଣାଇପାରନ୍ତି ବୋଲି କୁହାଯାଉଛି।
ବର୍ଷ ଧରି ଶାସନରେ ଥିବା ଫର୍ଡିନାଣ୍ଡ ଇମାନ୍ବେଲ ଇଡ୍ରାଲିନ୍ ମାର୍କୋସ୍ଙ୍କୁ ୧୯୮୬ରେ ‘ପିପୁଲ ପାଓ୍ବାର’ କ୍ରାନ୍ତି ପରେ ପଦରୁ ହଟିବାକୁ ପଡ଼ିଥିଲା। ତାଙ୍କ ବିରୋଧରେ ବହୁ ସଂଖ୍ୟାରେ ମାନବାଧିକାର ଉଲ୍ଲଂଘନ ସହ ପ୍ରାୟ ୧୦ ବିଲିୟନ ଡଲାର ଅର୍ଥ ଲୁଟ୍ ଅଭିଯୋଗ ରହିଥିଲା। ଏହା ପରେ ସେ ପରିବାର ସହ ହଓ୍ବାଇକୁ ପଳାୟନ କରିଥିଲେ। ଏହାର ୩୬ ବର୍ଷ ପରେ ରାଷ୍ଟ୍ରପତି ନିର୍ବାଚନରେ ତାଙ୍କ ପୁଅ ଜୁନିୟର ମାର୍କୋସ ପ୍ରାୟ ୧୧ କୋଟି ଜନସଂଖ୍ୟା ବିଶିଷ୍ଟ ଏସୀୟ ରାଷ୍ଟ୍ର ଫିଲିପାଇନ୍ସରେ ୩ କୋଟିରୁ ଊର୍ଦ୍ଧ୍ୱ ଭୋଟ ହାତେଇ ବଡ଼ ଧରଣର ବିଜୟ ହାସଲ କରିଛନ୍ତି। ୧୯୮୯ରେ ମାର୍କୋସ୍ ଜୁନିୟରଙ୍କ ବାପାଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ମାର୍କୋସ୍ ଜୁନିୟରଙ୍କ ମା’ ଇମେଲଦା ମାର୍କୋସ୍ କ୍ଷମତା ହାସଲ ପାଇଁ ୨ ଥର ଉଦ୍ୟମ କରି ବିଫଳ ହୋଇଥିଲେ। ବାପାଙ୍କ କର୍ତ୍ତୃତ୍ୱ ପାଇଁ ମାର୍କୋସ୍ ଜୁନିୟର କ୍ଷମା ମାଗିବାକୁ ପୂର୍ବରୁ ମନା କରିଥିଲେ। ତେବେ ମାର୍କୋସ୍ ଜୁନିୟରଙ୍କ ବିଜୟ ଆମେରିକା ପାଇଁ ସମସ୍ୟା ସୃଷ୍ଟି କରିପାରେ। ଏହି ଦେଶରେ ଚାଇନାର ପ୍ରଭାବ ହ୍ରାସ ପାଇଁ ଆମେରିକା ଉଦ୍ୟମ କରିଆସୁଥିବାବେଳେ ବେଜିଂ ପ୍ରତି ମାର୍କୋସ୍ ଅଧିକ ଢଳିବା ଓ୍ବାଶିଂଟନ୍ ପାଇଁ ଚିନ୍ତାର କାରଣ ହୋଇପାରେ। ମାର୍କୋସ ଜୁନିୟର ବିଦେଶ ନୀତି ସମ୍ପର୍କରେ ବିଶେଷ କରି କହି ନ ଥିଲେ ହେଁ ଚାଇନା ସହ ସେ ଭଲ ସମ୍ପର୍କ ଚାହୁଁଥିବା ଏକ ସାକ୍ଷାତ୍କାରରେ ପ୍ରକାଶ କରିଥିଲେ।
ଲାକାସ୍ ସିଏମ୍ଡି ଟିକେଟରେ ଉପରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ୪୩ ବର୍ଷୀୟା ସାରା ଡୁଟେର୍ଟେ ଡାଭାଓ ସହରର ମେୟର ଥିଲେ। ସେ ଜଣେ ଆଇନଜୀବୀ ଏବଂ ଫିଲିପାଇନ୍ ଆର୍ମିରେ ରିଜର୍ଭ ଅଫିସର ମଧ୍ୟ ରହିଛନ୍ତି। ରାଜନୈତିକ କ୍ୟାରିୟରରେ ସେ ନିଜ ଦକ୍ଷତାରେ ସଫଳତା ହାସଲ କରିଛନ୍ତି। ସେ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହୁଅନ୍ତୁ ବୋଲି ଡୁଟେର୍ଟେଙ୍କ ଦଳ ଚାହୁଁଥିଲା। କିନ୍ତୁ ୩ ସନ୍ତାନଙ୍କ ମା’ ସାରା ଉପରାଷ୍ଟ୍ରପତି ପଦରେ ନିର୍ବାଚନ ଲଢ଼ିବାକୁ ବାଛିଥିଲେ।