ଜେରୁଜେଲମ,୨୬।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଇସ୍ରାଏଲ ଏକ ବଡ଼ ଦାବି କରିଛି। ଜଣେ ଇସ୍ରାଏଲୀ ସାମରିକ ଅଧିକାରୀଙ୍କ ଅନୁଯାୟୀ, ଇରାନର IRGC ନୌସେନାର ମୁଖ୍ୟ ଆଲିରେଜା ତାଙ୍ଗସିରି ନିହତ ହୋଇଛନ୍ତି। ବନ୍ଦର ଆବାସରେ କରାଯାଇଥିବା ଏକ ଆକ୍ରମଣରେ ସେ ପ୍ରାଣ ହରାଇଥିବା ଜଣାପଡ଼ିଛି। ଆଲିରେଜା ତାଙ୍ଗସିରି ହର୍ମୁଜ ଷ୍ଟ୍ରେଟ୍କୁ ଅବରୋଧ କରିବା ପାଇଁ ପ୍ରୟାସ ପାଇଁ ଦାୟୀ ଥିଲେ। ଇରାନ କଥିତ ଇସ୍ରାଏଲୀ ସାମରିକ ଆକ୍ରମଣ କିମ୍ବା ଆଲିରେଜା ତାଙ୍ଗସିରିଙ୍କ ମୃତ୍ୟୁ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଜାରି କରିନାହିଁ।
ଏହା ଉଲ୍ଲେଖନୀୟ ଯେ, ଅଗଷ୍ଟ ୨୦୧୮ରୁ IRGC ନୌସେନାର ନେତୃତ୍ୱ ନେଇଥିବା ତାଙ୍ଗସିରି ଗତ କିଛି ସପ୍ତାହ ହେବ ହର୍ମୁଜ ଷ୍ଟ୍ରେଟ୍ ନିକଟରେ ଇରାନର କାର୍ଯ୍ୟକଳାପ ସମ୍ପର୍କରେ ଆକ୍ରମଣାତ୍ମକ ମନୋଭାବ ଗ୍ରହଣ କରିଥିଲେ। ଗତ ସପ୍ତାହରେ ତାଙ୍ଗସିରି ଉପସାଗର ରାଷ୍ଟ୍ରଗୁଡ଼ିକରେ ଅବସ୍ଥିତ ଆମେରିକୀୟ ଘାଟି ବିରୋଧରେ ପ୍ରତିଶୋଧମୂଳକ ଆକ୍ରମଣ ଧମକ ଦେଇଥିଲେ। ଏହା ବ୍ୟତୀତ ସେ ସାଧାରଣ ନାଗରିକ ଏବଂ କର୍ମଚାରୀମାନଙ୍କୁ ସେହି ସ୍ଥାନଗୁଡ଼ିକରୁ ଦୂରେଇ ରହିବାକୁ ପରାମର୍ଶ ଦେଇ ଏକ ଚେତାବନୀ ଜାରି କରିଥିଲେ।
Dharitri – Odisha’s No.1 Odia Daily

