ମାଙ୍କଡ଼ଚିତ୍‌ ନେତା, ହତବାକ ଜନତା

ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ସମଗ୍ର ବିଶ୍ୱରେ ନିଜର ସ୍ୱାତନ୍ତ୍ର୍ୟ ସ୍ଥାପନ କରିଛି। ରାମ ରାଜ୍ୟର ପରିକଳ୍ପନା ତଥା ସାମ୍ୟବାଦର ପ୍ରତିଷ୍ଠା ପାଇଁ ରାଜତନ୍ତ୍ରର ବିଲୋପ ଘଟିଥିଲା। ତା’ ବଦଳରେ ପ୍ରଜାଙ୍କ ଦ୍ୱାରା, ପ୍ରଜାଙ୍କ ପାଇଁ ଓ ପ୍ରଜାମାନଙ୍କର ଶାସନ ବ୍ୟବସ୍ଥାର ପ୍ରଚଳନ କରାଯାଇଥିଲା। ଏହି ବ୍ୟବସ୍ଥାକୁ ସବୁଠାରୁ ଉତ୍ତମ ବ୍ୟବସ୍ଥା କହିଲେ ଅତ୍ୟୁକ୍ତି ହେବନାହିଁ। ଗଣ ଅର୍ଥାତ୍‌ ଜନତା ହିଁ ଏହି ବ୍ୟବସ୍ଥାର ମେରୁଦଣ୍ଡ।
ଗଣତନ୍ତ୍ର ସବୁଠାରୁ ଶ୍ରେଷ୍ଠ ବ୍ୟବସ୍ଥା। କାରଣ ଏଥିରେ ଗଣ ବା ଜନତା ମୁଖ୍ୟ। ପ୍ରତି ପାଞ୍ଚ ବର୍ଷରେ ଗଣ ପ୍ରତିନିଧି ମନୋନୟନ କରିବାର ସୁଯୋଗ ପାଇଥାଏ। କେବଳ ସେତିକି କହିଲେ ହେବନାହିଁ, ସେ ନିଜେ ମଧ୍ୟ ନିର୍ବାଚନରେ ଭାଗ ନେଇଥାଏ। ମୋଟାମୋଟି ଭାବରେ କହିବାକୁ ଗଲେ ଗଣ ଭୋଟ ଦିଏ, ଭୋଟରେ ଛିଡା ହୁଏ ଓ ମନକୁ ନ ପାଇଲେ ପାଞ୍ଚ ବର୍ଷ ପରେ ଶାସକକୁ ଶାସିତରେ ପରିଣତ ମଧ୍ୟ କରିପାରେ। ସବୁ ତ ଶୁଣିବାକୁ ଭଲ ଲାଗୁଛି, ହେଲେ କ’ଣ ଅସୁବିଧା ରହିଲା ଯେ ଚାଷୀ ଆତ୍ମହତ୍ୟା, ବେକାରି ସମସ୍ୟା, ନାରୀ ନିର୍ଯାତନା ଓ ଅନାହାର ମୃତ୍ୟୁ ପରି ଖବର ଖବରକାଗଜର ପୃଷ୍ଠା ମଣ୍ଡନ କରୁଛି ? ପ୍ରକୃତ କଥା ଲୁଚି ରହିଛି ସାତତାଳ ପଙ୍କ ଭିତରେ, ଯାହାକୁ ଦେଖିବାକୁ ତଥା ଅନୁଭବ କରିବାକୁ ପ୍ରକୃତ ଶିକ୍ଷାର ଆବଶ୍ୟକତା ରହିଛି। ସେହି ଶିକ୍ଷା ହେଉଛି ବ୍ୟବହାରିକ ଶିକ୍ଷା। ଏହାର ଅଭାବ ମନୁଷ୍ୟକୁ ଧ୍ୱଂସ ଦିଗକୁ ଟାଣି ନେଉଛି। ଉଦାହରଣ ଦ୍ୱାରା କଥାଟା ଟିକେ ସ୍ପଷ୍ଟ ହୋଇପାରିବ। ମେଣ୍ଢା ପଲ ଭିତରେ ଗଧିଆ ପଶି ମେଣ୍ଢାକୁ ଖାଇଲେ ଦୋଷୀ କିଏ ? ଅଧିକାଂଶଙ୍କ ଉତ୍ତର ନିଶ୍ଚିତ ଗଧିଆ। କହିବାର ମାନେ ସମସ୍ତେ ଭାବନ୍ତି ଗଧିଆ ହିଂସ୍ର ଜୀବ, ତେଣୁ ସେ ଦୋଷୀ। କିନ୍ତୁ ଗଧିଆର ସଂଖ୍ୟା ଏକ ଥିଲାବେଳେ ମେଣ୍ଢାର ସଂଖ୍ୟା ଅନେକ। ସବୁ ମେଣ୍ଢା ମିଶି ଏକାଠି ଆକ୍ରମଣ କରିଥିଲେ ହୁଏତ ଗଧିଆର ମୃତ୍ୟୁ ହୋଇଥାନ୍ତା ଅଥବା ପ୍ରାଣ ବିକଳରେ ଗଧିଆ ପଳାୟନ କରିଥାନ୍ତା। ଏମିତି ତ କିଛି ହେଲାନାହିଁ। କାରଣ ଆପେ ବଞ୍ଚିଲେ ତ ବାପର ନାଁ ନ୍ୟାୟରେ ଅନ୍ୟ ମେଣ୍ଢାମାନେ ଚୁପ ରହି ଭାବିଲେ, ଗଧିଆ ତ ତାକୁ ଖାଉଛି ଆମର କ’ଣ ଅସୁବିଧା। କିନ୍ତୁ ବୁଝିପାରିଲେନି ଗଧିଆର ପରବର୍ତ୍ତୀ ଶିକାର ସେଇମାନେ ହେବେ ବୋଲି। ଅଧୁନା ଗଣତନ୍ତ୍ରର ଅବସ୍ଥା ମଧ୍ୟ ଅବିକଳ ମେଣ୍ଢା ଓ ଗଧିଆ ପରି କହିଲେ ଅତ୍ୟୁକ୍ତି ହେବ ନାହିଁ।
ପ୍ରତି ପାଞ୍ଚ ବର୍ଷରେ ଗଣପର୍ବ ଆରମ୍ଭ ହୋଇଥାଏ। ପାଇକଛା ମାରି ବିଭିନ୍ନ ଦଳର ନେତାମାନେ ନିଜର ଚିହ୍ନକୁ ଧରି ବୀରଦର୍ପରେ ପ୍ରଚାର କରନ୍ତି। ଏଇ ସମୟରେ ମନେପଡେ ଚାଷୀ ଆତ୍ମହତ୍ୟା, ବେକାରି ସମସ୍ୟା, ନାରୀ ନିର୍ଯାତନା ଓ ଅନାହାର ମୃତ୍ୟୁ ପରି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସାଙ୍ଗକୁ ଉନ୍ନତିର ଦୃଢ ପ୍ରତିଶ୍ରୁତି। ଟିଭି ପରଦାରେ ଭାସିଉଠେ ଅମୁକ ନେତାଙ୍କ ସମୁକ ଗାଁରେ ଛୋଟ ପିଲାର ସିଙ୍ଘାଣି ପୋଛୁଥିବାର ଦୃଶ୍ୟ, କୌଣସି ଗାଁଦାଣ୍ଡକୁ ମୁହଁରେ ପଟି ବାନ୍ଧି ଝାଡୁ କରୁଥିବାର ଦୃଶ୍ୟ ପରି ଅନେକ କଥା। ନିରୀହ ଜନତା ପେଟପାଟଣାର ଜୀବନ ଯନ୍ତ୍ରଣାରେ ଛନ୍ଦି ହୋଇ ଏସବୁ ଦେଖି କିଛି ବୁଝିପାରେ ନାହିଁ କିମ୍ବା ବୁଝିବାକୁ ଚେଷ୍ଟା ମଧ୍ୟ କରେ ନାହିଁ। କାହିଁକି ବା ବୁଝିବ ସେ? ସ୍ବାଧୀନତା ପ୍ରାପ୍ତି ପରଠାରୁ ସବୁ ନିର୍ବାଚନରେ ମିଳୁଥିବା ପ୍ରତିଶ୍ରୁତି ସବୁ ପାଣିର ଗାର ସଦୃଶ ତାକୁ ପ୍ରତୀତ ହୋଇଛି। ଅବଶ୍ୟ କିଛି ଘର ଛାତ ପଡିଛି, ଘରକୁ ପାଣି ଆସିଛି , ବିଜୁଳିର ସଂଯୋଗ ହୋଇଛି କିଛି ଲାଞ୍ଚ ସହାୟତାରେ। ଗଣ ବୁଝିଛି ଭୋଟ ବେଳେ ନିଜେ ନେଇଥିବା ନୋଟ୍‌ର ଏହି ଲାଞ୍ଚ ହେଉଛି କଳନ୍ତର ସୁଧ। ପାଞ୍ଚ ବର୍ଷ ପରେ ସେ କାହାକୁ ବଦଳେଇବ। ସବୁ ତ ଗୋଟିଏ ଲାଉର ମଞ୍ଜି। ନେତା ପରେ ତାଙ୍କ ପୁଅ, ବୋହୂ ବା ସମ୍ପର୍କୀୟଙ୍କୁ ନେତା ହେବାର ସୁଯୋଗ ମିଳିଥାଏ, ଠିକ୍‌ ରାଜତନ୍ତ୍ର ପରି। ଏଠି ଯୋଜନାର ନାମ ସିନା ବିକାଶ ବୋଲି କୁହାଯାଏ, କିନ୍ତୁ ଫଳ ଓଲଟା। ଏଇ ଦେଖୁନାହାନ୍ତି ସମାଜ ଆଡକୁ ଜଳ ସଙ୍କଟ ମାଡି ଆସୁଛି ଏକ ମହାମାରୀ ପରି। ତାକୁ ରୋକିବାକୁ ଅନେକ ବିଜ୍ଞାପନ ଓ ଅନେକ ଯୋଜନା। କିନ୍ତୁ ସେଇ ଯୋଜନା ଭିତରୁ ଗୋଟିଏ ଯୋଜନା ହେଉଛି ବସୁଧା ଯୋଜନା। ଯେଉଁଥିରେ ସବୁଆଡେ ଜଳ ଯୋଗାଣ ହେଉଛି। ଅଧିକାଂଶ ଜାଗାରେ ଟ୍ୟାପ ଭାଙ୍ଗି ପାଣି ବୋହିଗଲେ ମଧ୍ୟ କାହାର ନିଘା ନାହିଁ ସେ ଦିଗକୁ। କେବଳ ସେତିକି ନୁହେଁ ଲୋକେ ସେଥିରୁ ମଟର ଲଗାଇ ନିଜ ବଗିଚାରେ ମଧ୍ୟ ଜଳସେଚନ ବ୍ୟବସ୍ଥା କରୁଛନ୍ତି। ଏହିପାଇଁ ଦାୟୀ ଯିଏ ବା ହେଉ ଜଳ ସଙ୍କଟ ତ ନିଶ୍ଚିତ ମାଡି ଆସିବ ଏଥିରେ ସନ୍ଦେହ ନାହିଁ। ଗଣତନ୍ତ୍ର ବ୍ୟବସ୍ଥାରେ ନିର୍ବାଚିତ ନେତାଙ୍କ ମହତ ଲକ୍ଷ୍ୟ କ’ଣ ସମାଜ ପ୍ରତି ସଙ୍କଟ। ଏମିତି ଅନେକ ସମସ୍ୟା ଅଛି, ବର୍ଣ୍ଣନାରେ ହୁଏତ ମୂଳ କଥାରୁ ବିଚ୍ୟୁତି ହୋଇଗଲାଣି।
ଗଣତନ୍ତ୍ର ବ୍ୟବସ୍ଥାରେ ସାଧାରଣ ଜନତା ନିଜେ ସଚେତନ ହୋଇପାରିଲେ କିଛି ପରିବର୍ତ୍ତନ ହୋଇପାରିବ ବୋଲି ଆଶା । କିନ୍ତୁ ବର୍ତ୍ତମାନ ପରିପ୍ରେକ୍ଷୀରେ କିଛି ପରିବର୍ତ୍ତନ ଏକ ପ୍ରଶ୍ନବାଚୀ କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ଅଧୁନା ଭୋଟ ଓ ନୋଟର ଶାସନ ବ୍ୟବସ୍ଥା ଚାଲିଛି। ଶିକ୍ଷିତ ବ୍ୟକ୍ତିବିଶେଷ ଭୋଟକୁ ବର୍ଜନ କରିବା ସ୍ଥଳେ କିଛି ନୋଟାକୁ ନିଜର ଅସ୍ତ୍ର ବୋଲି ଭାବୁଛନ୍ତି। ଏହା ଦ୍ୱାରା ଗଣତନ୍ତ୍ର ବଞ୍ଚିବ ବା ରାଜତନ୍ତ୍ର ସୃଷ୍ଟି ହେବ, ତାହା କହିବା ବାହୁଲ୍ୟ। ମାଙ୍କଡ ବିଲେଇ ପିଠା ଭାଗ ଚାଲିଛି। ତରାଜୁର ଯେଉଁ ପାଖ ଅଧିକ ହେଉଛି ସେଥିରୁ ମାଙ୍କଡ କିଛି ଖାଇଦେଇ ସମାନ କରୁ କରୁ ତରାଜୁର ଦୁଇ ପାଖ ଖାଲି ହୋଇଯାଉଛି। ବିଚରା ବିଲେଇ ଓଠ ଛାଟୁଛି। ଠିକ୍‌ ସେମିତି ଅବସ୍ଥା ନେତା ଓ ଜନତାଙ୍କର। ନେତାଙ୍କର ସମ୍ପତ୍ତି ବୃଦ୍ଧି ହୋଇ ଭିଜିଲାନ୍ସ ଦ୍ୱାରା ଧରା ହେବାର ଖବର ସଙ୍ଗେ ଚାଷୀ ଆତ୍ମହତ୍ୟା, ବେକାରି ସମସ୍ୟା ଓ ଅନାହାର ମୃତ୍ୟୁ ପରି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ମଧ୍ୟ ଗଣମାଧ୍ୟମରେ ପ୍ରକାଶ ପାଉଛି। ନେତା ମଧ୍ୟ କମ୍‌ ନୁହନ୍ତି। ତରାଜୁ ନ ଧରି ପାରିଲେ ମାଙ୍କଡଚିତ ମାରି ଦଳ ପରିବର୍ତ୍ତନ କରି ଦେଉଛନ୍ତି। ବିଚରା ସାଧାରଣ ଜନତା କିଛି ବୁଝି ନ ପାରି ଖାଲି ଓଠ ଚାଟୁଛି। କ’ଣ କଲେ ଗଣତନ୍ତ୍ରର ପ୍ରକୃତ ସ୍ଥାପନା ହୋଇପାରିବ, ତାହା ବର୍ତ୍ତମାନ ଚିନ୍ତାର ବିଷୟ। ଖାଲି ଜନତା ସଚେତନ ହେଲେ ପରିବର୍ତ୍ତନ ଅସମ୍ଭବ। ନେତା ହେବା ପାଇଁ ମଧ୍ୟ ମାନଦଣ୍ଡ ସ୍ଥିରୀକୃତ ହେବାର ଆବଶ୍ୟକତା ଅଛି, ଠିକ୍‌ ଯେମିତି ଚାକିରି ପାଇବା ପାଇଁ ପ୍ରବେଶିକା ପରୀକ୍ଷା ସହିତ ସାକ୍ଷାତକାର କରିବାର ଆବଶ୍ୟକତା ରହିଛି। ଏହି ସାକ୍ଷାତକାର ପାଇଁ ଜନତାମାନଙ୍କୁ ପ୍ରଶ୍ନକର୍ତ୍ତା ଭାବେ ନିୟୋଜିତ କଲେ, ହୁଏତ କିଛି ପରିବର୍ତ୍ତନ ହୋଇପାରିବ ବୋଲି ମୁଁ ଭାବୁଛି। ନଚେତ୍‌ କିଛି ହେବନି। ଗଣତନ୍ତ୍ର ନାଁରେ ରାଜତନ୍ତ୍ର ପରି ସ୍ବେଚ୍ଛାଚାରୀ ଶାସନ ଚାଲିବ। ଏପରି ଅବସ୍ଥାକୁ ମାଙ୍କଡଚିତ ନେତା, ହତବାକ ଜନତା କହିଲେ ଅତ୍ୟୁକ୍ତି ହେବ ନାହିଁ।

  • ଡ. ମାନସ ରଞ୍ଜନ ରଥ
    (ଅଧ୍ୟାପକ) ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଲାଞ୍ଜିଗଡ଼, କଳାହାଣ୍ଡି
    ମୋ:୯୦୪୦୧୦୦୨୭୯

Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?