ଭୋଟଦେବା ଓ ନିର୍ବାଚନ ଅଲଗା କଥା

ସହଦେବ ସାହୁ

 

ଆମ ଦେଶର ରାଜନୈତିକ ଦଳଗୁଡ଼ିକ ଭୋଟରମାନଙ୍କୁ ବୋକା ବନେଇ ଦେଲେଣି, ଗୋଡ଼ତଳେ ଚୋରାବାଲି ଆମକୁ ପାଣିରେ ବୁଡ଼େଇଦେଲାଣି, ତଥାପି ଆମେ (ଭୋଟରମାନେ) କହୁଛୁ ଆମ ଗଣତନ୍ତ୍ର ଏକ ସଫଳ ଓ ବଳିଷ୍ଠ ଡିମୋକ୍ରାସି। ପୋଲିଂ (ଭୋଟଦେବା) ଇଲେକ୍ଟିଂ (ପ୍ରାର୍ଥୀ ବାଛିବା) ନୁହେଁ, ଭୋଟ ଦେଉଛୁ, ପ୍ରତିନିଧି ବାଛୁନୁ। ରାଜନୈତିକ ଦଳ ପ୍ରତିନିଧି ବାଛି ସାରିଛି, ଦଳର ଛବି ଉପରେ ମୋହର ମାର- ତାହାହିଁ ହେବ ତୁମର ଭୋଟିଂ। ପୋଲିଂ ଷ୍ଟେସନ ବା ପୋଲିଂ ବୁଥ୍‌ ଶବ୍ଦଗୁଡ଼ିକ ଭୋଟ ଗ୍ରହଣକୁ ବୁଝାଏ, ତାହା ଇଲେକ୍ସନ୍‌ ବା ନିର୍ବାଚନ ନୁହେଁ, ପ୍ରାର୍ଥୀମାନଙ୍କ ଭିତରେ କିଏ ମୋ ପସନ୍ଦ ତା ବଛାବଛି କରିବା ତ ନିର୍ବାଚନର ଅର୍ଥ, ଇଲେକ୍ଟିଂ କ୍ରିୟାର ବିଶେଷ୍ୟ ଇଲେକ୍ସନ୍‌। ଏବେ ଆମେ ବାଲଟ ପେପରରେ ଥିବା ବିଭିନ୍ନ ଦଳର ଛବି ଭିତରୁ ଗୋଟିଏ ଦଳର ଛବିରେ ମୋହର ମାରୁଛୁ, ସେ କାଗଜଟି ଭୋଟବାକ୍ସରେ ପକାଉଛୁ ଏ ତ ପ୍ରାର୍ଥୀଙ୍କ ଭିତରୁ ଜଣକୁ ବାଛିବା ନୁହେଁ। ନିର୍ବାଚନ ପ୍ରଚାର ସମୟରେ ଦଳଗୁଡ଼ିକ ବି କହୁଛନ୍ତି ତୁମେ ଦୁଇଟା ଭୋଟ ଦିଅ, ଗୋଟିଏ ଏମ୍‌ପି ପାଇଁ, ଆଉ ଗୋଟିଏ ଏମ୍‌ଏଲ୍‌ଏ ପାଇଁ। ବିଜେଡି କହୁଛି ଯୋଡ଼ି ଶଙ୍ଖରେ, ଭାଜପା କହୁଛି ଯୋଡ଼ି ପଦ୍ମଫୁଲରେ, ଆଉ କଂଗ୍ରେସ କହୁଛି ଦୁଇଥର ହାତରେ ଭୋଟଦିଅ (ମୋହର ମାର)। ଦଳର ମୁଖ୍ୟମାନେ ପ୍ରାର୍ଥୀଙ୍କ ନାଁ କହୁନାହାନ୍ତି, ତାଙ୍କ ଯୋଗ୍ୟତା ବା ଗ୍ରହଣୀୟତା ଉପରେ କିଛି କହୁନାହାନ୍ତି, କେବଳ ଦଳର ସଂକେତରେ ଭୋଟ ଦିଅ ବୋଲି କହୁଛନ୍ତି। ପ୍ରାର୍ଥୀ ତା’ ନିର୍ବାଚନମଣ୍ଡଳୀରେ ଭୋଟରମାନଙ୍କ ସ୍ବାର୍ଥ କି ପ୍ରକାରରେ ହାସଲ କରିବ କହୁନାହିଁ, ସାରା ରାଜ୍ୟ କଥା କହୁଛି। ନିର୍ବାଚନ ଜନାଦେଶ ପ୍ରତିଫଳିତ କରୁନାହିଁ, ଦଳାଦେଶ (ଦଳର ଘୋଷଣା)ର ପ୍ରତିଫଳନ କରୁଛି: କୌଣସି ପ୍ରାର୍ଥୀ ପସନ୍ଦ ନ ହେଲେ ‘ନୋଟା’ ଉପରେ ମୋହର ମାର ବୋଲି କେହି କହୁନାହିଁ। ପ୍ରତ୍ୟେକ ଦଳ ରାଜ୍ୟର ରାଜକୋଷକୁ ଦଳର ପାଣ୍ଠି ମଣୁଛି। କେତେ ଟଙ୍କା, କେତେ ଜିନିଷ ଓ କେତେ ମୂଲ୍ୟର ମାଗଣା ଦେଲେ ଅଭାବୀ ଲୋକଙ୍କ ଭୋଟ କିଣିହେବ ତା’ ଭାବୁଛି।
ଦେଶର ଆୟତନ ଓ ଲୋକସଂଖ୍ୟା ଦୃଷ୍ଟିରୁ ଗଣଙ୍କ ତନ୍ତ୍ର ସମ୍ଭବ ନୁହେଁ ବୋଲି ପ୍ରତ୍ୟକ୍ଷ ଗଣତନ୍ତ୍ର ସ୍ଥାନରେ ପ୍ରତିନିଧିମୂଳକ ଶାସନକୁ ଗଣତାନ୍ତ୍ରିକ (ଡିମୋକ୍ରାଟିକ୍‌) ଧରିନିଆଯାଉଛି ଏବଂ ରାଷ୍ଟ୍ରର ସର୍ବୋଚ୍ଚ କର୍ତ୍ତା ନିର୍ବାଚିତ ହେଉଥିବାରୁ ଆମ ଦେଶର ଶାସନ ବ୍ୟବସ୍ଥାକୁ ରିପବ୍ଲିକ୍‌ କୁହାଯାଉଛି। ତେଣୁ ଆମ ସମ୍ବିଧାନର ମୁଖବନ୍ଧ (ପ୍ରିଆମ୍ବ୍ଲ)ରେ ଡିମୋକ୍ରାଟିକ୍‌ ରିପବ୍ଲିକ୍‌ ଉଲ୍ଲେଖ ଅଛି। କିନ୍ତୁ ସାମ୍ବିଧାନିକ ସଭା ଡକା ନ ଯାଇ ଆମ ଶାସନର ରୂପରେଖ ବଦଳାଇଦେଲେ ରାଜନୈତିକ ଦଳଗୁଡ଼ିକ- ୧୯୮୫ର ୫୨ତମ ସମ୍ବିଧାନ ସଂଶୋଧନ ଆଇନ ଆଣି ‘ଗଣ’କୁ ଗୌଣ କରି ‘ଦଳ’କୁ ପ୍ରାଧାନ୍ୟ ଦେଲେ, ଲୋକପ୍ରତିନିଧି ଆଇନ (ରିପ୍ରେଜେଣ୍ଟେଶନ୍‌ ଅଫ୍‌ ପିପୁଲ୍‌ସ ଆକ୍ଟ)କୁ ୧୯୮୭ରେ ସଂଶୋଧନ କରି ସେକ୍ସନ ‘୨୯ଏ’ ଯୋଡ଼ି ରାଜନୈତିକ ଦଳଗୁଡ଼ିକୁ ସ୍ବୀକୃତି ଦେଲେ, ନିର୍ବାଚନ କମିଶନ ସେମାନଙ୍କୁ ତାଲିକାଭୁକ୍ତ (ରେଜିଷ୍ଟ୍ରି) କଲେ ଏବଂ ଦଳ କରୁଥିବା ଖର୍ଚ୍ଚକୁ ପ୍ରାର୍ଥୀର ନିର୍ବାଚନୀ ଖର୍ଚ୍ଚ-ସୀମା ବାହାରେ ରଖିଲେ ଯେପରି ଘରେ ଘରେ ପଇସା ପଠାଇ ମତ କିଣି ହେବ। ପ୍ରାର୍ଥୀ ଆସେମ୍ବ୍ଲି ବା ସଂସଦରେ ଶପଥ ନେଲା ପରେ ଲେଜିସ୍ଲେଚର ପାର୍ଟିର ମେମ୍ବର ରୂପେ ଗଣାଯିବେ ଓ ଦଳର ଅନୁଶାସନ ମାନିବେ। ଆଗରୁ ପ୍ରାର୍ଥୀ ହେବା ପାଇଁ ଯୋଗ୍ୟତା ଉଲ୍ଲେଖ ଥିଲା, ୨୦୦୩ର ୯୧ତମ ସମ୍ବିଧାନ ସଂଶୋଧନ ଆଇନ ବଳରେ ବିଜୟୀ ପ୍ରାର୍ଥୀର ଅଯୋଗ୍ୟତା ଯୋଡ଼ାଗଲା, ଦଳପତିଙ୍କ ଛାଟ (ହ୍ବିପ୍‌) ନ ମାନିଲେ ପଦସ୍ଥ ପ୍ରତିନିଧି ଦଳରୁ ବହିଷ୍କାର ହୋଇପାରିବେ ଏବଂ ଏ ଶାସ୍ତିକୁ ବାଚସ୍ପତିଙ୍କ ସ୍ବୀକୃତି ମିଳିଲେ ପଦ ହରାଇବେ, ଅର୍ଥାତ୍‌ ଏମ୍‌ଏଲ୍‌ଏ/ଏମ୍‌ପି ହୋଇ ରହିପାରିବେ ନାହିଁ; ଅର୍ଥାତ୍‌ ଦଳର ମନୋନୟନ ଏକ ଆଡ୍‌ମିଟ୍‌ କାର୍ଡ, ଲୋକଙ୍କ ଭୋଟ ଏକ ପ୍ରାରମ୍ଭିକ ପରୀକ୍ଷା, ପରୀକ୍ଷାରେ ପାସ୍‌ କଲେ (ବିଜୟୀ ହେଲେ) ଏମ୍‌ଏଲ୍‌ଏ ବା ଏମ୍‌ପି ଭାବେ ଶପଥ ନେବେ, ଶପଥ ନେଲା କ୍ଷଣି ସେ ଲେଜିସ୍ଲେଚର ପାର୍ଟିର ମେମ୍ବର ଭାବେ ଗଣାଯିବେ ଏବଂ ଦଳର ଅନୁଶାସନ ତାଙ୍କ ପ୍ରତି ଲାଗୁ ହେବ। ଦଳ ଛାଡ଼ିଲେ ବା ଦଳର ଅନୁଶାସନ ନ ମାନିଲେ ଦଳ ତାଙ୍କୁ ବହିଷ୍କାର କରିପାରିବ, କିନ୍ତୁ ବିଧାୟକ ବା ସାଂସଦ ପଦ ରହିବ, ଠିକ୍‌ ଯେମିତି ଓଏଏସ୍‌ ବା ଆଇଏଏସ୍‌ ରହନ୍ତି ‘ଅଫିସର୍‌ ୱିଦାଉଟ୍‌ ଡ୍ୟୁଟି’ା ଦଳପତିଙ୍କ ହ୍ବିପ୍‌ (ଛାଟ) ନ ମାନିଲେ ତାଙ୍କୁ ଦଳରୁ ବହିଷ୍କାର କରିବା ସହ ପଦ ପାଇଁ ଅଯୋଗ୍ୟ ଘୋଷଣା କରିବାକୁ ବାଚସ୍ପତିଙ୍କୁ ସୁପାରିସ କରିପାରିବେ ଏବଂ ବାଚସ୍ପତି ଦଳପତିଙ୍କ ସୁପାରିସକୁ ଗ୍ରହଣ କରିନେଲେ ସମ୍ପୃକ୍ତ ବ୍ୟକ୍ତି ଏମ୍‌ଏଲ୍‌ଏ/ଏମ୍‌ପି ପଦ ଓ ତତ୍‌ସଂଲଗ୍ନ ସବୁ ପଦ ହରାଇବେ। ଅର୍ଥାତ୍‌ ଲୋକଙ୍କ ଭୋଟ ନିରର୍ଥକ।
ଏବେ ବୁଝିହେଉଛି କାହିଁକି (୧) ଲୋକଟିଏ ଦଳର ପ୍ରାର୍ଥୀ ହୋଇ ନ ପାରିଲେ କାନ୍ଦି ପକାଉଛି ଓ କାହିଁକି କୋଟିପତିମାନେ ଦଳପତିଙ୍କ ଅନୁଗ୍ରହ ପ୍ରାର୍ଥୀ ହେଉଛନ୍ତି ଏବଂ ଦଳପତି ସଙ୍ଗିନ୍‌ ଅପରାଧରେ ଜଡ଼ିତ ଲୋକଙ୍କୁ ବି ପ୍ରାର୍ଥୀ କରୁଛନ୍ତି ଓ (୨) ପ୍ରତିନିଧିମାନେ ଲୋକଙ୍କ ଇଚ୍ଛା ପ୍ରତି ଉଦାସୀନ ଓ ଦଳର ନୀତି ପ୍ରତି ମୂକ ସମର୍ଥକ ହେଉଛନ୍ତି ଏବଂ (୩) ନିର୍ବାଚନ ଦଳମତ ପ୍ରକାଶ କରୁଛି, ଜନାଦେଶ ନୁହେଁ। ଆମ ପ୍ରଦେଶରେ ଲୋକେ ବିଶେଷତଃ ମହିଳାମାନେ ଖୋଲା ବଜାରରେ ମଦ ବିକ୍ରି ବନ୍ଦ ହେଉ ଚାହୁଁଥିଲେ ବି ମଦବେପାରୀମାନଙ୍କ ଲବି ଯୋଗୁ ଶାସକ ଦଳ ତିଳେମାତ୍ର କଟକଣା ଜାରି କରୁନାହିଁ ଏବଂ ଆମ ଦେଶରେ ଭିଡ଼ହିଂସାକୁ କଡ଼ାକଡ଼ି ରୋକାଯାଉ ବୋଲି ଲୋକେ ଚାହୁଁଥିଲେ ବି ସେ ପ୍ରକାରର ଅପରାଧ ଉପରେ ଦୃଷ୍ଟାନ୍ତମୂଳକ ଦଣ୍ଡ ଜାରି ହେଉନାହିଁ। (ଯେପରି ଆମେରିକାରେ ଲୋକେ ଖୋଲା ବଜାରରେ ବନ୍ଧୁକ କିଣିବାର ଅଧିକାରକୁ ଉଚ୍ଛେଦ କରାଯାଉ ଚାହୁଁଥିଲେ ବି ମାର୍କିନ୍‌ ରାଜନୈତିକ ଦଳଗୁଡ଼ିକ ସେପରି ଆଇନ କରୁନାହାନ୍ତି।) ନିର୍ବାଚନୀ ଖର୍ଚ୍ଚ ଯୋଗାଉଥିବା ବ୍ୟବସାୟୀମାନଙ୍କ ଲବି ଦଳପତିକୁ ହାତରେ ରଖି ସରକାରଙ୍କ ନୀତି ନିର୍ଦ୍ଧାରଣ କରୁଛି, ଜନମତ ନୁହେଁ। ଦଳ ଯାହା ଚାହୁଁଛି, ସେମିତି ଆଇନ କରିନେଉଛି। ବିରୋଧୀ ଦଳ ଭାବେ ଥିଲାବେଳେ ଯେଉଁସବୁ କଥା ଆଦର୍ଶସ୍ତରୀୟ ବୋଲି କହିହେଉଛନ୍ତି, ଥରେ ଶାସନକୁ ଆସିଗଲେ ସ୍ବଚ୍ଛତା ହରାଉଛନ୍ତି: ଧୀରେ ଧୀରେ ଜଙ୍ଗଲୀ ଶାସନ ଚାଲୁ କରିଦେଉଛନ୍ତି, ଆଇନକୁ ତା’ ବାଟରେ ଯିବାକୁ ଛାଡ଼ୁନାହାନ୍ତି, ଅର୍ଥାତ୍‌ ରେଗୁଲେଟରି ଅଥରିଟି ବା ଅଫିସରଙ୍କୁ ସେମାନଙ୍କ ଡ୍ୟୁଟି କରିବା ଉପରେ ଚାପ ପକାଇ ବା ବଦଳି କରି ଆଇନକୁ ଦଳର ମେମ୍ବରମାନଙ୍କ ସ୍ବାର୍ଥରେ କଢ଼େଇ ନେଉଛନ୍ତି।
ରାଜନୈତିକ ଦଳଗୁଡ଼ିକ ଦେଶରେ ଆଦର୍ଶ ଗଣତନ୍ତ୍ର ଚାହୁଁନାହାନ୍ତି ଭଳି ମନେହୁଏ। ପ୍ରକୃତରେ ଲୋକଙ୍କ ପ୍ରତିନିଧି ଭଳି କାମ ନ କରୁଥିଲେ ବି ଦଳର ମନୋନୀତ ପ୍ରାର୍ଥୀ ଆଇନ ପ୍ରଣୟନ ସଂସ୍ଥା (ଆସେମ୍ବ୍ଲି ବା ସଂସଦ)ର ମେମ୍ବର ହୋଇ ରାଜ୍ୟ ବା ଦେଶ କିପରି ଚାଲିବ ତାହାର ଆଇନ ତିଆରି କରିବେ ବୋଲି ବଛାଯିବା କଥା। ଅତୀତର ଘଟଣାବଳୀ ଯାହା ଜଣାଏ, ଦଳର ପ୍ରତିନିଧିମାନେ ଏକ୍‌ଜିକ୍ୟୁଟିଭ୍‌ ବା ପ୍ରଶାସନ କାମ କରିବାକୁ ବା ସେଥିରେ ହାତ ପୂରେଇବାକୁ ଇଚ୍ଛା କରନ୍ତି। ସେମାନେ ଆଇନ ବିରୋଧରେ କାମ କରିବା ସହ ନିଜେ ତିଆରି କରିଥିବା ଆଇନ ବି ମାନନ୍ତି ନାହିଁ। ଏଭଳି ଲୋକେ ଯେପରି ଆଉ ଥରେ ପ୍ରାର୍ଥୀ ନ ହୁଅନ୍ତି, ଅର୍ଥାତ୍‌ ଲ-ବ୍ରେକର୍‌ମାନେ ଯେପରି ଲ’ ମେକର୍‌ ନ ହୁଅନ୍ତି; ତାହା ଦଳଗୁଡ଼ିକ ଲକ୍ଷ୍ୟ ରଖିବାକୁ ସୁପ୍ରିମ୍‌କୋର୍ଟ ୨୦୧୮ରେ ଓ ୨୦୨୦ରେ ଦୁଇଥର ରାୟ ଦେଇଛନ୍ତି ଯେ ଦଳଗୁଡ଼ିକ କାହିଁକି ଆଇନଭଙ୍ଗକାରୀଙ୍କୁ ପ୍ରାର୍ଥୀ କରୁଛନ୍ତି ଓ ସ୍ବଚ୍ଛ ଲୋକଙ୍କୁ ମନୋନୀତ କରୁନାହାନ୍ତି ତାହା ଜଣାଇବେ ଏବଂ ପ୍ରାର୍ଥୀର ଆପରାଧିକ ଚରିତ୍ର ସମ୍ବାଦପତ୍ରରେ ଓ ଟିଭିରେ ବିଜ୍ଞାପନ ଜରିଆରେ ଜଣାଇବେ। ଦଳଗୁଡ଼ିକ ତାହା କରୁନାହାନ୍ତି ଏବଂ କାରଣ ଦର୍ଶାଉଛନ୍ତି ଯେ ଆଉ ଭଲ ପ୍ରାର୍ଥୀ ମିଳୁନାହାନ୍ତି। ଜଣାଶୁଣା ଦାଗୀର ମୁହଁ ଭୋଟରମାନଙ୍କ ଉପରେ ଚାପ ବା ଡର ଆଣେ, ତେଣୁ ସେମାନଙ୍କ ୱିନେବିଲିଟି (ଜିତିବାର ସମ୍ଭାବନା) ବେଶି। ନିରପରାଧ ପ୍ରତିନିଧିଙ୍କ ସଂଖ୍ୟା କମ୍‌ ହୋଇଆସିଲାଣି, ସେମାନେ ଶାସକ ଦଳରେ ପଛବେଞ୍ଚତ୍ଆ ହୋଇ ରହୁଛନ୍ତି। ଦିନେ କ’ଣ ଆମ ଗଣତନ୍ତ୍ର ଦ୍ୱାରକାର ଶେଷକାଳ ଭଳି ପରସ୍ପର ଗୋଷ୍ଠୀ କଳିରେ ବଳିପଡିଯିବ!
-sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମୁମ୍ବାଇର ବାଲ୍‌ ଗୋପାଲ ମିତ୍ର ମଣ୍ଡଳ ଦ୍ୱାରା ଏବେ ନିଆରା ଢଙ୍ଗରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି। ସିଦ୍ଧିବିନାୟକ ସୋସାଇଟି ଦ୍ୱାରା ପରିଚାଳିତ ଏହି ମଣ୍ଡଳରେ ପ୍ରଥମରୁ…

ଯୋଗାଯୋଗର ଭାଷା ଜାଣିବା ଜରୁରୀ

ମୋର ୨ଜଣ ପୁତୁରା କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛନ୍ତି। ମୁଁ ସେମାନଙ୍କୁ ପାଠ ପଢ଼ାଇବା ବେଳେ ସେମାନେ କୁହନ୍ତି, ଦାଦା ସରଳ ଭାଷାରେ ବିଷୟଗୁଡିକ ବୁଝାଇଦିଅ, ଯେମିତି ବିଦ୍ୟାଳୟରେ…

ଡିଜିଟାଲ କାରବାରରେ ସନ୍ଦେହ

କୌଶଳକରି ଅନ୍‌ଲାଇନ ଅର୍ଥ ହସ୍ତାନ୍ତର ବ୍ୟବସ୍ଥା ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ଉପରେ କେନ୍ଦ୍ର ସରକାର ଚାପ ଦେଇଛନ୍ତି । ଅର୍ଥାତ୍‌ ପ୍ରଚଳନହେବା ପରଠାରୁ ନଗଦ ଟଙ୍କା…

ଫୁଟ୍‌ପାଥରୁ ବି ବିଦା

ଭାରତୀୟ ଅର୍ଥନୀତି ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ପରେ ଏପରି ତଳକୁ ଖସିଯାଇଛି ଯେ, ତାହା ଆଜିଯାଏ ସଳଖି ଠିଆ ହୋଇପାରୁନାହିଁ। ସେତେବେଳେ ସୂକ୍ଷ୍ମ, କ୍ଷୁଦ୍ର ଓ…

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?