କେନ୍ଦୁଝର,୪।୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନ ବିଭାଗ ଆଜି ପାଟଣା ରେଞ୍ଜର କର୍ମଚାରୀ ଏବଂ ମୋବାଇଲ୍ ଟିମ୍ ମିଳିତ ଭାବେ ଚଢ଼ାଉ କରିଥିଲେ । ନୂଆପଡ଼ା ଗ୍ରାମର ଚକ୍ରଧର ମହାନ୍ତଙ୍କ ପତ୍ନୀ ଜୟମଣି ମହାନ୍ତଙ୍କ ବାସଭବନରେ ଚଢାଉ କରି ବ୍ୟାପକ ବେଆଇନ ଶାଳ କାଠ ଜବତ କରିଛି ।
ବନଜାତ ଦ୍ରବ୍ୟର ଅବୈଧ ସଂରକ୍ଷଣ ସମ୍ପର୍କରେ ନିର୍ଭରଯୋଗ୍ୟ ସୂଚନା ପାଇ ବନ ବିଭାଗ ଟିମ୍ ଏହି ଚଢ଼ାଉ କରିଥିଲା ବୋଲି ଡି ଏଫ୍ ଓ ଧନରାଜ୍ ଏଚ ଡି ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି। ଚଢାଉ ବେଳେ ଘର ପରିସରରୁ ବେଆଇନ ଭାବରେ ଗଚ୍ଛିତ ଥିବା ବିଭିନ୍ନ ସାଇଜର ୬୦ ଟି ସାଇଜ ଶାଳ କାଠ ଚିହ୍ନଟ କରାଯାଇଥିଲା। ଜବତ କାଠର ପରିମାଣ (ମୋଟ ଆୟତନ) 0.62022 କ୍ୟୁବିକ ମିଟର ଯାହାର ମୂଲ୍ୟ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରା ଯାଇଛି।
ଜବତ ପରେ କାଠକୁ ନିଜ ହେପାଜତକୁ ବନ ବିଭାଗ ନେଇଛି । ଓଡ଼ିଶା ବନ ଆଇନ ଏବଂ ପ୍ରଯୁଜ୍ୟ ବନ ଆଇନର ପ୍ରାସଙ୍ଗିକ ବ୍ୟବସ୍ଥା ଅନୁଯାୟୀ ବିଭାଗ ଏକ ବନ ଅପରାଧ ମାମଲା ପଞ୍ଜିକୃତ କରି ଅଧିକ ତଦନ୍ତ କରୁଛି । କାଠ କେଉଁଠୁ ଆସିଲା, କେଉଁ ଗାଡ଼ିରେ ଆସିଲା ଏବଂ ଏହି କାରବାର ରେ ଆଉ କାହାର ସମ୍ପୃକ୍ତି ଅଛି ତାହାର ତଦନ୍ତ ବନ ବିଭାଗ କରିଛି ।

