
ନୂଆଦିଲ୍ଲୀ,୧୮।୧:ଚାମ୍ପିଆନ୍ସ ଟ୍ରଫି ୨୦୨୫ ଫେବ୍ରୁଆରୀ ୧୯ରୁ ପାକିସ୍ତାନ ଓ ଦୁବାଇରେ ଖେଳାଯିବ । ତେବେ ଏହି ମେଗା ଟୁର୍ଣ୍ଣାମେଣ୍ଟ ପାଇଁ ଆଜି ୧୫ ଜଣିଆ ଟିମ ଘୋଷଣ କରିଛି ଭାରତ । ମୁମ୍ବାଇରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏବଂ ଅଧିନାୟକ ରୋହିତ ଶର୍ମା ଚାମ୍ପିଅନ୍ସ ଟ୍ରଫି ପାଇଁ ଦଳ ଘୋଷଣା କରିଛନ୍ତି । ଏତିସହିତ ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ପାଇଁ ମଧ୍ୟ ଆଜି ଦଳ ଚୟନ କରାଯାଇଛି । ପୂର୍ବରୁ ଯାହା ଅନୁମାନ କରାଯାଉଥିଲା ତାହା ହୋଇଛି । ଅର୍ଥାତ ଭାରତ ରୋହିତ ଶର୍ମାଙ୍କ ନେତୃତ୍ୱରେ ହିଁ ଚାମ୍ପିଅନ୍ସ ଟ୍ରଫି ଖେଳିବ ।
ଭାରତୀୟ ଦଳରେ ରୋହିତ ଶର୍ମା ଅଧିନାୟକ ଦାୟିତ୍ୱ ତୁଲାଉଥିବା ବେଳେ ଶୁଭମନ ଗିଲ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି । ସେହିପରି ଦଳରେ ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ୱାସିଂଟନ ସୁନ୍ଦର, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି, ଅର୍ଶଦୀପ ସିଂ, ଯଶସୱୀ ଜୟସୱାଲ, ଋଷଭ ପନ୍ତ ଓ ରବୀନ୍ଦ୍ର ଜାଡେଜା ରହିଛନ୍ତି ।
ସୂଚନାଥାଉ କି,ଫେବ୍ରୁଆରୀ ୧୯ରୁ ଆରମ୍ଭ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ଏଥର ହାଇବ୍ରିଡ ମଡେଲରେ ଖେଳାଯିବ । ପାକିସ୍ତାନ ଓ ଦୁବାଇରେ ଚାମ୍ପିଅନ୍ସ ଟ୍ରଫି ଖେଳାଯିବ । ଏହି ମେଗା ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ କରାଚୀରେ ଖେଳାଯିବ । କିନ୍ତୁ ଟିମ ଇଣ୍ଡିଆ ତା’ର ପ୍ରଥମ ମ୍ୟାଚ ଫେବ୍ରୁଆରୀ ୨୦ରେ ଦୁବାଇରେ ବାଂଲାଦେଶ ବିପକ୍ଷରେ ଖେଳିବ ।