ମୂଲ୍ୟସ୍ଫୀତିର ଆଘାତ ଅସହ୍ୟ

କିଶୋର ଜେନା

 

କରୋନାର ଧକ୍କା ସମ୍ଭାଳି ଉଠୁ ଉଠୁ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ସାରା ବିଶ୍ୱକୁ ଏକ ନୂଆ ସଙ୍କଟ ମଧ୍ୟକୁ ଠେଲିଦେଇଛି। ଏଭଳି ଅବସ୍ଥାରେ ଦେଶରେ ଆଲୋଚ୍ୟ ବିଷୟ ହେଉଛି ଦ୍ରବ୍ୟ ମୂଲ୍ୟର ଊର୍ଦ୍ଧ୍ୱଗତି କିମ୍ବା ମୂଲ୍ୟସ୍ଫୀତି ବା ମୁଦ୍ରାସ୍ଫୀତି ଓ ବେକାରି। ସମ୍ପ୍ରତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି, ମୁଦ୍ରାସ୍ଫୀତି ତାଙ୍କ ସରକାରଙ୍କ ପାଖରେ ମୁଖ୍ୟ ସମସ୍ୟା ନୁହେଁ। ସେ ସତ କଥା କହିଛନ୍ତି, ବେକାରି ଓ ଅର୍ଥନୀତିର ଅଭିବୃଦ୍ଧି ସରକାରଙ୍କ ପାଖରେ ମୁଖ୍ୟ ଚିନ୍ତାର ବିଷୟ। ଏତେଦିନ ପରେ ସରକାର ସ୍ବୀକାର କଲେ ଯେ, ବେକାରି ଓ ଜିଡିପି ସରକାରଙ୍କ ପାଇଁ ସମସ୍ୟାର ବିଷୟ। ତେବେ ଜନସାଧାରଣଙ୍କ ମଧ୍ୟରେ ଆଲୋଚନାର ବିଷୟ ହେଉଛି ଜିନିଷପତ୍ରର ଅହେତୁକ ଦରବୃଦ୍ଧି ଏବଂ ଏହାର ଊର୍ଦ୍ଧ୍ୱଗତି, ମୁଦ୍ରାସ୍ଫୀତି ବା ମୂଲ୍ୟସ୍ଫୀତି। ଏହି ଦୁଇ ଅବସ୍ଥାର ଚୂଡ଼ାନ୍ତ ପରିଣତି ଏକ ହେଲେ ମଧ୍ୟ ଦୁଇଟି ଧାରଣା ମଧ୍ୟରେ କିଛି ପାର୍ଥକ୍ୟ ରହିଛି। ଅର୍ଥନୀତିର ଭାଷାରେ ମୁଦ୍ରାସ୍ଫୀତି କହିଲେ ଦେଶର ବଜାରରେ ପଣ୍ୟର ସରବରାହ ଅପରିବର୍ତ୍ତିତ ରହିଲେ ମଧ୍ୟ ମୁଦ୍ରା ବା ଅର୍ଥ ସରବରାହ ବୃଦ୍ଧିକୁ ବୁଝାଏ। ଏଭଳି ଅବସ୍ଥାରେ ଅନେକ ବେଶି ଟଙ୍କା ସୀମିତ ପଣ୍ୟର ପଛରେ ଯାଏ। ଫଳରେ ପଣ୍ୟର ଚାହିଦା ଓ ମୂଲ୍ୟ ସ୍ତର ବଢ଼ିଯାଏ। ସୁତରାଂ ମୁଦ୍ରାସ୍ଫୀତିର କାରଣରୁ ସବୁ ଧରଣର ପଣ୍ୟ ଓ ସେବାମୂଲ୍ୟର କ୍ରମାଗତ ବୃଦ୍ଧି ଘଟିଥାଏ। ଅତିରିକ୍ତ ଯୋଗାଣ ହେଲେ ସ୍ବାଭାବିକ ଭାବେ ଅର୍ଥର ମୂଲ୍ୟ ବା କ୍ରୟ କ୍ଷମତା କମିଯାଏ। ଏଭଳି ପରିସ୍ଥିତିରେ କୁହାଯାଏ, ମୁଦ୍ରାସ୍ଫୀତିରେ କେବଳ ଟଙ୍କା ଛଡ଼ା ସବୁକିଛିର ଦାମ୍‌ ବଢ଼ିଯାଏ। ସାଧାରଣ ଅର୍ଥରେ ମୁଦ୍ରାସ୍ଫୀତି ସହ ମୂଲ୍ୟସ୍ଫୀତିର ଏହା ଏକ ସହଜବୋଧ୍ୟ ସମ୍ପର୍କ। କିନ୍ତୁ ମୁଦ୍ରାସ୍ଫୀତି ଓ ମୂଲ୍ୟସ୍ଫୀତିକୁ ସବୁ ସମୟରେ ଏକ ଓ ଅଭିନ୍ନ କରି ଦେଖିବା ଠିକ୍‌ ନୁହେଁ। କାରଣ ମୁଦ୍ରାସ୍ଫୀତି ନ ଥିଲେ ମଧ୍ୟ କୌଣସି ବିଶେଷ ଦ୍ରବ୍ୟର ମୂଲ୍ୟସ୍ଫୀତି ଘଟିପାରେ। ବର୍ତ୍ତମାନର ମୁଦ୍ରାସ୍ଫୀତି ସରକାରଙ୍କ ପାଖରେ ମୂଳ ବିବେଚନାର ବିଷୟ ନୁହେଁ। କିନ୍ତୁ ମୂଲ୍ୟସ୍ଫୀତି ପ୍ରତି ସରକାରଙ୍କ ଚିନ୍ତା ଭାବନା ଅଛି ନା ନାହିଁ, ବିଚାର କରିବାକୁ ହେବ।
ଅର୍ଥମନ୍ତ୍ରୀ କହିଲେ, ମୁଦ୍ରାସ୍ଫୀତି ତାଙ୍କ ସରକାର ପାଇଁ ଚିନ୍ତାର ବିଷୟ ନୁହେଁ। ତେବେ ମୂଲ୍ୟସ୍ଫୀତି ସମ୍ପର୍କରେ ସେ ନୀରବ। ଗତ ଜୁଲାଇ ମାସରେ ଖୁଚୁରା ମୂଲ୍ୟବୃଦ୍ଧିର ହାର ଥିଲା ୬.୭୧ ପ୍ରତିଶତ ଯାହା ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଘୋଷଣାର ଅନେକ ଉପରେ। ଅଗଷ୍ଟରେ ଏହି ଖୁଚୁରା ମୁଦ୍ରାସ୍ଫୀତି ୭ ପ୍ରତିଶତ ଉପରେ। ଏହି ଖୁଚୁରା ମୁଦ୍ରାସ୍ଫୀତି ଏପ୍ରିଲ-ଜୁନ୍‌ରେ ୭ ପ୍ରତିଶତ ଉପରେ ଥିଲା। ଖୁଚୁରା ମୂଲ୍ୟସ୍ଫୀତି ଯଦି କେନ୍ଦ୍ର ସରକାରଙ୍କ ପାଇଁ ବିଚାର୍ଯ୍ୟ ବିଷୟ ନ ହୁଏ, ତେବେ ସାଧାରଣ ମଣିଷର ଆୟ ଦିଗକୁ ଦେଖିବାକୁ ହେବ। ସେ କ୍ଷେତ୍ରରେ ସରକାର କୌଣସି ପ୍ରକାର ପଦକ୍ଷେପ ନେବାକୁ ସକ୍ଷମ ହୋଇଛନ୍ତି କି? ବହୁ ଜିନିଷପତ୍ରର ଦାମ୍‌ ଆଜି ସାଧାରଣ ଜନତାଙ୍କ ହାତ ବାହାରେ। ବଜାରରେ କ୍ରେତା ନାହିଁ, ଚାହିଦାର ଅଭାବ। ପ୍ରକୃତରେ ଲୋକଙ୍କ ହାତରେ କ୍ରୟ କ୍ଷମତା ନାହିଁ। ଦାମ୍‌ ବଢ଼ିଛି ଯାବତୀୟ ଖାଦ୍ୟ ସାମଗ୍ରୀର। ନୀତି ଆୟୋଗର କର୍ତ୍ତା ରାଜୀବ କୁମାର କହିଲେ, ଦେଶର ଅର୍ଥନୈତିକ ଅଭିବୃଦ୍ଧି ଧିମେଇ ଯାଇ ନାହିଁ, ମୂଲ୍ୟବୃଦ୍ଧି ସହନସୀମା ମଧ୍ୟରେ ଅଛି। ଅଦ୍ଭୁତ କଥା। ମୂଲ୍ୟସ୍ଫୀତି ଯେଭଳି ଭାବେ ବଢ଼ୁଛି, ତାହା ଭାରତବର୍ଷକୁ ଅବସ୍ଫୀତି ଦିଗକୁ ନେଇଯାଉଛି। ଏହା ସାଙ୍ଗକୁ ଯୁବସମାଜ ମଧ୍ୟରେ ବେକାରି ବୃଦ୍ଧି ରେକର୍ଡ ସ୍ତରରେ । ଅଗଷ୍ଟରେ ବେକାରି ହାର ୮.୩ ପ୍ରତିଶତ ବୋଲି ସିଏମ୍‌ଆଇଇର ଏବକାର ରିପୋର୍ଟରେ ପ୍ରକାଶ ପାଇଛି । ସହରରେ ବେକାରି ହାର ୯.୫ ପ୍ରତିଶତ, ୧୫ରୁ ୨୪ ବର୍ଷ ବୟସ୍କଙ୍କ ମଧ୍ୟରେ ବେକାରି ହାର ୩୪ ପ୍ରତିଶତ। ବେକାରି ସାଙ୍ଗକୁ ମୂଲ୍ୟସ୍ଫୀତି ଦେଶରେ ଏକ ଗୁରୁତର ସାମାଜିକ ସଙ୍କଟ ସୃଷ୍ଟି କରିଛି। ଆର୍ଥିକ ସଂସ୍କାର ନାମରେ ରାଷ୍ଟ୍ରାୟତ୍ତ କ୍ଷେତ୍ରକୁ ଦୁର୍ବଳ, ଏପରିକି ବିଲୋପ କରିଦେବାର ବ୍ୟବସ୍ଥା ହେଉଛି।
ଅର୍ଥନୀତିର ତତ୍ତ୍ୱରେ ଅଛି ମୂଲ୍ୟବୃଦ୍ଧି ସହ ବେକାରିତ୍ତ୍ୱର ବିପରୀତମୁଖୀ ସମ୍ପର୍କର କଥା। ଦେଶର ଅର୍ଥନୀତି ଯେତେବେଳେ ଉଜ୍ଜ୍ୱଳ, ସେତେବେଳେ ଭୋଗ୍ୟ ପଣ୍ୟର ପ୍ରଚୁର ଚାହିଦା ବଢ଼ିବ। ଫଳରେ ଉପତ୍ାଦନ ବୃଦ୍ଧି ପାଇବ। ଶ୍ରମିକଙ୍କ ଚାହିଦା ଓ ମଜୁରି ବଢ଼ିବ। ଏହା ସହ ଜିନିଷପତ୍ରର ଦାମ୍‌ ମଧ୍ୟ ବଢ଼ିବ। ବେକାରି କମିବ। ବର୍ତ୍ତମାନ କ’ଣ ଦେଶରେ ସେହି ଅବସ୍ଥା ଚାଲିଛି! ଏହା ତ ନୁହେଁ। ଏବେ ଅର୍ଥନୀତିର ଚମକ ନାହିଁ। ସୀତାରାମନ କ’ଣ ଏହା ଜାଣିନାହାନ୍ତି। ମୂଲ୍ୟସ୍ଫୀତି ନିୟନ୍ତ୍ରଣ ନ କଲେ ଦେଶର କ’ଣ ‘ଶ୍ରୀବୃଦ୍ଧି’ ଘଟିବ!
ଆଉ କେନ୍ଦ୍ର ସରକାର କ’ଣ ସତରେ ଗରିବ କଲ୍ୟାଣରେ ଟଙ୍କା ବ୍ୟୟ କରୁଥିବା କାରଣରୁ ଏହି ମୂଲ୍ୟସ୍ଫୀତି? ଅସଲରେ ଯେଉଁ ନୀତି ଅର୍ଥମନ୍ତ୍ରୀ ନେଇଛନ୍ତି ସେ ଗରିବ କଲ୍ୟାଣ ପ୍ରକଳ୍ପ ହେଉ ବା ଅନ୍ୟ କିଛି ତାହା ପାଇଁ ଆବଶ୍ୟକ ଅର୍ଥ ତାଙ୍କୁ ହିଁ ଯୋଗାଇବାକୁ ହେଉଛି। ଗତ ବଜେଟରେ କର୍ପୋରେଟ୍‌ କର ହାର ୩୦ ପ୍ରତିଶତରୁ ୨୨-୨୫ ପ୍ରତିଶତକୁ କମାଇ ଦିଆଯାଇଛି। ଆଉ ନୂଆ କୌଣସି ଉଦ୍ୟୋଗ ହେଲେ ୧୫ ପ୍ରତିଶତରୁ କମ୍‌ କର ଦେବାକୁ ହେବ। ଅଥଚ ବ୍ୟକ୍ତିଗତ ଆୟକର ୩୦ ପ୍ରତିଶତ ଏବଂ ଏହା ସହ ୪ ପ୍ରତିଶତ ସର୍‌ଚାର୍ଜ। ସମ୍ପତ୍ତି କର ଆଉ ନାହିଁ। କି ସୁନ୍ଦର ବ୍ୟବସ୍ଥା! ଏପରିକି ଉତ୍ତରାଧିକାର କର ମଧ୍ୟ ନାହିଁ। ସରକାରଙ୍କ ରାଜସ୍ବର ମୂଳ ଉତ୍ସ ଜିଏସ୍‌ଟି ଓ ଜାଳେଣି ଉପରେ ବି କର। ତା’ହେଲେ ସାଧାରଣ ଜନତାକୁ ନତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ଉପରେ ଜିଏସ୍‌ଟି ଦେବାକୁ ପଡ଼ୁଛି ଓ ଜାଳେଣି ପାଇଁ କର ଦେବାକୁ ପଡ଼ୁଛି। ଅଥଚ ଧନିକ ବର୍ଗ ଓ କର୍ପୋରେଟ୍‌ମାନଙ୍କୁ କର ଛାଡ଼ କରାଯାଉଛି। ଗରିବ କଲ୍ୟାଣ ପ୍ରକଳ୍ପରେ ନଗଦ ହସ୍ତାନ୍ତର ହୋଇଛି ୨ ଲକ୍ଷ ୨୫ ହଜାର କୋଟି ଟଙ୍କା। ଆଉ କେବଳ ଜାଳେଣି କ୍ଷେତ୍ରରୁ ଏହାଠାରୁ ଯଥେଷ୍ଟ ଅଧିକ କର ଆଦାୟ ହେଉଛି। କେନ୍ଦ୍ରୀୟ ରାଜସ୍ବରେ ପେଟ୍ରୋଲିୟମ କ୍ଷେତ୍ରର କର ବାବଦରେ ଯେଉଁ ଅର୍ଥ ଜମା ହେଉଛି, ତାହା ଅଭାବନୀୟ। ୨୦୧୪-୧୫ରେ ଆୟ ହୋଇଥିଲା ଏହି କ୍ଷେତ୍ରରୁ ୧୭୨,୦୬୫ କୋଟି ଟଙ୍କା, ୨୦୧୭-୧୮ ରେ ଏହା ହୋଇଥିଲା ୩,୩୬,୧୭୫ କୋଟି ଟଙ୍କା। ୨୦୨୦-୨୧ ରେ ତାହା ହୋଇଛି ୪,୫୫,୦୬୯ କୋଟି ଟଙ୍କା। ଏହି ଯେଉଁ ଜାଳେଣି ଉପରେ କର ବସାଯାଉଛି, ତାହାର ଦାୟ ଦେଶର ୯୫ ପ୍ରତିଶତ ଲୋକଙ୍କୁ ଦେବାକୁ ପଡ଼େ। ଏହା ହିଁ ବିସ୍ମୟ!
ଆଶ୍ଚର୍ଯ୍ୟଜନକ ଭାବେ କେନ୍ଦ୍ର ସରକାର ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଉପରେ ମୁଦ୍ରାସ୍ଫୀତି ଓ ମୂଲ୍ୟସ୍ଫୀତିକୁ ନିୟନ୍ତ୍ରଣ କରିବାର ଭାର ଛାଡ଼ି ଦେଇଛନ୍ତି। କେନ୍ଦ୍ରୀୟ ବ୍ୟାଙ୍କ ବା ରିଜର୍ଭ ବ୍ୟାଙ୍କ କେବଳ ଅର୍ଥର କ୍ରୟ କ୍ଷମତାକୁ ନିୟନ୍ତ୍ରଣ କରିପାରେ, କିନ୍ତୁ ଜୀବନଯାତ୍ରାର ବ୍ୟୟ ବୃଦ୍ଧିକୁ ରୋକିବାରେ ଅକ୍ଷମ। ଜୀବନଯାତ୍ରାର ବ୍ୟୟ ବଢ଼େ ଅନ୍ୟ ଜିନିଷର ସହ, ବିଶେଷକରି ଆୟ ତୁଳନାରେ କୌଣସି ନିର୍ଦ୍ଦିଷ୍ଟ ପଣ୍ୟର ତୁଳନାତ୍ମକ ମୂଲ୍ୟବୃଦ୍ଧି କାରଣରୁ। ତେବେ ଗୋଟିଏ ପରିବାରର ଜୀବନଯାତ୍ରାର କୌଣସି ନିର୍ଦ୍ଦିଷ୍ଟ ଉପାଦାନର ଯଦି ଦାମ୍‌ ବଢ଼ିଯାଏ, ତେବେ ଜୀବନଯାତ୍ରାର ବ୍ୟୟ ବୃଦ୍ଧିପାଏ। ତାକୁ ଅର୍ଥମନ୍ତ୍ରୀ ମୁଦ୍ରାସ୍ଫୀତି ବା ମୂଲ୍ୟସ୍ଫୀତି ବୋଲି ମାନିବାକୁ ରାଜି ନୁହନ୍ତି।
ତେବେ ଏଠାରେ ଉଲ୍ଲେଖ କରାଯାଇପାରେ, ସୁଧର ହାର ଦ୍ୱାରା ନିୟନ୍ତ୍ରଣ କରାଯାଏ ଚାହିଦାଜାତ ମୂଲ୍ୟସ୍ଫୀତିକୁ। କିନ୍ତୁ ଯେଉଁ ମୂଲ୍ୟସ୍ଫୀତି ବ୍ୟୟବୃଦ୍ଧିଜନିତ, ତାକୁ ସୁଧର ହାର ବୃଦ୍ଧି ନିୟନ୍ତ୍ରଣ କରିବାକୁ ଅକ୍ଷମ। ବର୍ତ୍ତମାନ ପରିସ୍ଥିତିରେ ଆମର ଅର୍ଥନୀତିରେ ଯେଉଁ ମୂଲ୍ୟବୃଦ୍ଧି ଦେଖାଦେଇଛି, ତାହା ବ୍ୟୟବୃଦ୍ଧିଜନିତ। ଏହାବ୍ୟତୀତ ଜିଏସ୍‌ଟି ବୃଦ୍ଧି ମଧ୍ୟ ସବୁ ଜିିନିଷର ଦାମ୍‌ ବଢ଼ାଇଛି।
ମୋ: ୯୪୩୭୩୮୪୮୬୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

ସିନ୍ଥେଟିକ ବୁଦ୍ଧିମତ୍ତା

ସଭ୍ୟତାକୁ ଗତିଶୀଳ କରିଥିବା ସବୁଠାରୁ ବଡ଼ ଉଦ୍ଭାବନ ହେଉଛି ଚକ। ଇତିହାସବିତ୍‌ଙ୍କ ମତରେ ଆଜି ଆମେ ଯେଉଁ ଦ୍ରୁତଗତି ସମାଜରେ ବାସ କରୁଛୁ, ତାହାର ମୂଳରେ ରହିଛି…

ବାଲ୍ୟକାଳ ବାହୁଡ଼ି ନ ଆସୁ

ସୁପ୍ରସିଦ୍ଧ ଗଜଲ ଗାୟକ ଜଗଜ୍ଜିତ ସିଂହଙ୍କର ସେଇ କାଳଜୟୀ ଗଜଲଟିର ଅନୁବାଦ ଯଦି ଆମ ଭାଷାରେ କରାଯାଏ, ତେବେ ତାହାର ଶବ୍ଦରୂପ ବୋଧହୁଏ ଏମିତି କିଛି ହେବ-…

ଅନଶନ ସହଜ ନୁହେଁ

ଏନ୍‌ଇଇଟି ପରୀକ୍ଷାରେ ଅନିୟମିତତା ଓ ଶିକ୍ଷା ବ୍ୟବସ୍ଥାରେ ଅସଙ୍ଗତି ଦେଖାଦେଇଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ନୂଆଦିଲ୍ଲୀର ଯନ୍ତ୍ରରମନ୍ତରରେ ୨୧ ଦିନ ଆମରଣ ଅନଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri