ବିଜ୍ଞ ମଣିଷର ଅଜ୍ଞତା

ବୈକୁଣ୍ଠନାଥ ମିଶ୍ର

 

ପ୍ରାଚୀନ କାଳରେ ଯେତେବେଳେ ଆମ ଦେଶରେ ରାଜତନ୍ତ୍ର ପ୍ରଚଳିତ ଥିଲା, ସେହି ସମୟରେ ରାଜା ଜମିଦାରଙ୍କ ଅତ୍ୟାଚାରରେ ସାଧାରଣ ପ୍ରଜା କେବଳ ନିର୍ଯାତିତ, ନିଷ୍ପେଷିତ ହେଉ ନ ଥିଲେ; ବରଂ ଶାସନ ଦାୟିତ୍ୱରେ ଥିବା ଅହଂକାରୀ ବ୍ୟକ୍ତିଙ୍କର ମିଥ୍ୟା ପ୍ରବଞ୍ଚନାର ଶିକାର ହେଉଥିଲେ। ଅନେକ ସେମାନଙ୍କର ଠକାମି ବୁଝିପାରୁଥିଲେ ମଧ୍ୟ ସେମାନଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ସାହସ କରିପାରୁ ନ ଥିଲେ। ତାଙ୍କୁ ବିରୋଧ କରିବା ଅର୍ଥ ପୈତୃକ ପ୍ରାଣକୁ ମହାସଙ୍କଟ ମଧ୍ୟକୁ ଠେଲିଦେବା। ଛାମୁଙ୍କ ତୁଣ୍ଡରୁ ଯାହା ବାହାରୁଥିଲା, ତାହା ବେଦରେ ଗାର। ପ୍ରତିବାଦ କରିବାର କ୍ଷମତା ନ ଥିଲା। ଲୋକଙ୍କର ସରଳତା ଓ ନିର୍ବୋଧତାର ସୁଯୋଗ ନେଇ ସେମାନଙ୍କୁ ନାନା ଭାବରେ ଶୋଷଣ କରାଯାଉଥିଲା। ଧନଧାନ୍ୟର ମାଲିକ ସେହିମାନେ। ଏଣେ ଖାଦ୍ୟାଭାବରେ ପ୍ରଜା ଅତ୍ୟନ୍ତ ଦୁଃଖକଷ୍ଟରେ ଜୀବନ ଅତିବାହିତ କରୁଥିଲା। ଭୋକ ଦାଉରୁ ରକ୍ଷା ପାଇବା ପାଇଁ ଜମିଦାରଙ୍କ ଦ୍ୱାରସ୍ଥ ହେଉଥିଲା। ଜମିଦାର ସୌଜନ୍ୟ ଦେଖାଇ ଋଣ ଆକାରରେ ଅର୍ଥ କିମ୍ବା ଖାଦ୍ୟଶସ୍ୟ ଦେଉଥିଲେ। ଉକ୍ତ ଋଣ ଦିନ କେତେଟାରେ ବହୁଗୁଣିତ ହୋଇ ପ୍ରଜାକୁ ସର୍ବସ୍ବାନ୍ତ କରିଦେଉଥିଲା। ଜମିଦାରଙ୍କର ହିସାବ ସମସ୍ତ ଗାଣିତିକ ସୂତ୍ରର ଊର୍ଦ୍ଧ୍ୱରେ। ‘ମୁଁ ଦେଲି ୧୦୦, ତୁ ନେଲୁ ୧୦୦। ସମୁଦାୟ ହେଲା ୨୦୦ ଓ ୨୦୦ଟଙ୍କା ଉପରେ ସୁଧ କଷାଯାଇ ଏପରି ଏକ ପରିମାଣ ଧାର୍ଯ୍ୟ କରାଯାଉଥିଲା ; ଯାହା ଗରିବ ପ୍ରଜାପକ୍ଷେ ଅପରିଶୋଧନୀୟ। ଫଳରେ ତା’ର ସମସ୍ତ ସମ୍ପତ୍ତି ଜମିଦାରଙ୍କର ହସ୍ତଗତ ହେଉଥିଲା ଓ ଗରିବ ପ୍ରଜାଟି ସାରା ଜୀବନ ଜମିଦାର ଘରେ ବେଠି ଖଟି ଜୀବନ ଜିଉଥିଲା। ସ୍ଥଳ ବିଶେଷରେ ଏ ଚତୁରତାକୁ ନିରୀହ ପ୍ରଜାଟି ବୁଝିପାରୁଥିଲେ ମଧ୍ୟ ଭୟରେ ନୀରବ ରହିବାକୁ ଶ୍ରେୟ ମଣୁଥିଲା।
ଦେଶ ସ୍ବାଧୀନ ହେଲା। ରାଜତନ୍ତ୍ରର ବିଲୟ ଘଟି ଲୋକତନ୍ତ୍ରର ପ୍ରତିଷ୍ଠା ହେଲା। ସମସ୍ତଙ୍କ ପାଇଁ ଶିକ୍ଷାର ସୁଯୋଗ ସୃଷ୍ଟି ହେଲା। ଦେଶରେ ଉଚ୍ଚଶିକ୍ଷିତଙ୍କ ସଂଖ୍ୟାା ବଢ଼ିଲା। ସମତାଳରେ ଆର୍ଥିକ ମାନଦଣ୍ଡର ଯଥେଷ୍ଟ ବିକାଶ ଘଟିଲା। ମଣିଷ ନିଜ ବୁଦ୍ଧିବଳରେ ଅସମ୍ଭବକୁ ସମ୍ଭବ କଲା। ବୁଦ୍ଧିବଳରେ ଉନ୍ନତିର ସୋପାନ ପରେ ସୋପାନ ଅତିକ୍ରମ କରି ଆଜି ଡିଜିଟାଲ ଜଗତରେ ପଦାର୍ପଣ କରିଛି । ମଣିଷ ହୋଇଛି ଧନୀ, ମାନୀ ଓ ଜ୍ଞାନୀ। ଅପନ୍ତରାମୟ ଗ୍ରାମ୍ୟ ସଭ୍ୟତାକୁ ପରିହାର କରି ସହରୀ ସଭ୍ୟତାକୁ ଆପଣାଇ ନେଇଛି। ଏକ ପକ୍ଷେ ବୁଦ୍ଧିମତ୍ତାର ଚରମସୀମା ସ୍ପର୍ଶ କରିଥିବା ବେଳେ ଅନ୍ୟପକ୍ଷେ ନିର୍ବୋଧତାର ବଶବର୍ତ୍ତୀ ହୋଇ ଧନହୀନ ଓ ସର୍ବସ୍ବାନ୍ତ ଭାବେ ଦୁର୍ଦ୍ଦିନର କଷଣ ମଧ୍ୟକୁ ଠେଲି ହୋଇଯାଉଛି। ପ୍ରାକ୍‌ ସ୍ବାଧୀନତା ଯୁଗରେ ଅଜ୍ଞ ମଣିଷ ଜମିଦାରି ଚତୁରତାରେ ସର୍ବସ୍ବାନ୍ତ ହେବା ଯେତେ ଦୁଃଖଦାୟକ ନୁହେଁ; ସ୍ବାଧୀନୋତ୍ତର ବିଜ୍ଞ ମଣିଷ ତା’ଠାରୁ ଅବିଜ୍ଞତର ମଣିଷ ଦ୍ୱାରା ଠକାମିର ଶିକାର ହୋଇ ସାରା ଜୀବନର ସଞ୍ଚତ୍ତ ଅର୍ଥକୁ ପର ହାତରେ ଟେକିଦେବା ତଦୂଦ୍ଧର୍‌ବ ବିସ୍ମୟକର।
ନିକଟରେ ଆମ ରାଜ୍ୟରେ ଘଟିଥିବା କେତୋଟି ଘଟଣାର ଅବତରଣା ବିଜ୍ଞ ମଣିଷର ଅବିଜ୍ଞ କାର୍ଯ୍ୟକଳାପ ଓ ତଜ୍ଜନିତ ପରିଣାମ ସ୍ବରୂପ ଦୁର୍ଦ୍ଦିନକୁ ଆମନ୍ତ୍ରଣ କରିବାର ଚିତ୍ର ସ୍ପଷ୍ଟ ହୁଏ । କଟକର ଜଣେ ଅବସରପ୍ରାପ୍ତ ଡାକ୍ତରଙ୍କ ବ୍ୟାଙ୍କ ଜମାଖାତାରୁ ଠକମାନେ ୭୮ଲକ୍ଷ ଟଙ୍କା ଠକି ନେଇଥିବାର ଏକ ଚାଞ୍ଚଲ୍ୟକର ଖବର ସବୁ ଗଣମାଧ୍ୟମର ଶିରୋନାମା ପାଲଟିଥିଲା। ଡାକ୍ତରଙ୍କ ଶିକ୍ଷାଦୀକ୍ଷା, ପ୍ରଜ୍ଞା ଓ ପଦମର୍ଯ୍ୟାଦା ନିଶ୍ଚିତଭାବେ ଉନ୍ନତ। ମାତ୍ର ଅସାବଧାନତା ଓ ଦୂରଦୃଷ୍ଟି ଅଭାବରୁ ସାରା ଜୀବନର ସଞ୍ଚତ୍ତ ଅର୍ଥ ଆଜି ପରହସ୍ତଗତ। ସେହିପରି ଆଉ ଜଣେ ଆୟୁର୍ବେଦ ଡାକ୍ତର ୫୨ଲକ୍ଷ ଟଙ୍କାର ଠକାମିର ଶିକାର ହୋଇଛନ୍ତି। ସାଇବର ଠକମାନେ ଏକ ଜାଲ୍‌ ବୀମା କମ୍ପାନୀ ଜରିଆରେ ଡାକ୍ତରଙ୍କଠାରୁ ଉପରୋକ୍ତ ରାଶିର ଅର୍ଥ ଠକି ନେଇଛନ୍ତି। ଉକ୍ତ କମ୍ପାନୀରେ ଟଙ୍କା ଜମାକଲେ ଜମାଅର୍ଥ ଅଳ୍ପଦିନରେ ଦୁଇଗୁଣ ହେବାର ଲୋଭ ଡାକ୍ତର ଜଣକ ସମ୍ବରଣ କରିପାରିଲେ ନାହିଁ। ୨୦୧୫ ମସିହାରୁ ଟଙ୍କା ଜମାକରି ଟଙ୍କା ଉଠାଣ ସମୟ ବେଳକୁ କମ୍ପାନୀ ନିରୁଦ୍ଦିଷ୍ଟ। ଯେଉଁମାନେ ଉକ୍ତ ସଂସ୍ଥାରେ ଟଙ୍କା ଜମାକରି ପର୍ଯ୍ୟାପ୍ତ ଫାଇଦା ଉଠାଇବାକୁ ପ୍ରବର୍ତ୍ତାଉଥିଲେ ସେମାନେ ମଧ୍ୟ ଅପହଞ୍ଚ।
ରିଜର୍ଭ ବ୍ୟାଙ୍କ ବିଜ୍ଞାପନ ମାଧ୍ୟମରେ ବାରମ୍ବାର ଲୋକଙ୍କୁ ସାବଧାନ କରୁଛନ୍ତି ଯେ, ବ୍ୟାଙ୍କ ଆକାଉଣ୍ଟ, ଏଟିଏମ୍‌ କାର୍ଡର ତଥ୍ୟ କିମ୍ବା ଅନ୍ୟ ଆର୍ଥିକ ବିବରଣୀ କାହାକୁ ନ ଜଣାଇବା ପାଇଁ । ତଥାପି ଲୋଭର ବଶବର୍ତ୍ତୀ ହୋଇ ପ୍ରଜ୍ଞାଶୀଳ ବ୍ୟକ୍ତିବିଶେଷ ଠକଙ୍କ ଚକ୍ରବୂ୍ୟହ ମଧ୍ୟକୁ ଠେଲି ହୋଇଯାଉଛନ୍ତି। ସମସ୍ତ ସତର୍କ ସୂଚନା ସତ୍ତ୍ୱେ ଅମାନିଆ ଭାବେ ଠକଙ୍କ କଥାରେ ପରିଚାଳିତ ହୋଇ ଟଙ୍କା ହରାଇଲେ ବ୍ୟାଙ୍କ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ ବୋଲି ଯେତେ କହିଲେ ମଧ୍ୟ ଅବସ୍ଥା ଯଥା ପୂବଂ ତଥା ପରମ୍‌। ଠକଙ୍କ କଥାରେ ପରିଚାଳିତ ହୋଇ ଅର୍ଥ ନିବେଶ କଲାବେଳେ ଏହି ଲୋକମାନେ ଯଥେଷ୍ଟ ଗୋପନୀୟତା ରକ୍ଷା କରିଥାନ୍ତି। ପ୍ରଚୁର ଅର୍ଥପ୍ରାପ୍ତିର ଆଶା ଏମାନଙ୍କୁ ଅନ୍ୟଠାରୁ ଗୋପନ ରଖିବାକୁ ବାଧ୍ୟ କରିଥାଏ। କିନ୍ତୁ ଯେତେବେଳେ ଠକାମିର ଶିକାର ହୋଇଛନ୍ତି ବୋଲି ଅନୁଭବ କରନ୍ତି ସେତେବେଳେ ପ୍ରକାଶ୍ୟରେ ବିଳାପ କରନ୍ତି। ଚିଟ୍‌ଫଣ୍ଡ ଜମାକାରୀମାନେ ଏତାଦୃଶ୍ୟ ଅବସ୍ଥାର ସମ୍ମୁଖୀନ ହୋଇ ଦୁର୍ଦ୍ଦଶା ଭୋଗୁଥିବାବେଳେ ମନେକରାଯାଉଥିଲା ଯେ ଏଣିକି ହୁଏତ ସମସ୍ତେ ସାବଧାନ ହେଇଯିବେ। କିନ୍ତୁ ସାବଧାନତାର କୌଣସି ଲକ୍ଷଣ ଆମଠାରେ ଦେଖାଯାଉନାହିଁ। ଅପରନ୍ତୁ ବ୍ୟାଙ୍କରୁ ଏତେ ପରିମାଣର ଅର୍ଥ ଉଠାଣ ହୋଇଥିଲେ ମଧ୍ୟ ପ୍ରଥମ ଡାକ୍ତରଙ୍କ କ୍ଷେତ୍ରରେ ବ୍ୟାଙ୍କ ପକ୍ଷରୁ କୌଣସି ବାର୍ତ୍ତା ପଠା ନ ଯିବା ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଅସଂପୃକ୍ତି ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ବେଳେବେଳେ ଆମ ମୋବାଇଲ୍‌ ଫୋନକୁ ଅଜଣା ବ୍ୟକ୍ତିଠାରୁ କଲ୍‌ ଆସେ; ଯେଉଁଥିରେ ବ୍ୟାଙ୍କ କାରବାର ଓ ଏଟିଏମ୍‌ କାର୍ଡରେ ତ୍ରୁଟି ଥିବା ଦର୍ଶାଇ ବ୍ୟାଙ୍କ ଆକାଉଣ୍ଟ ଓ ଏଟିଏମ୍‌ ନମ୍ବର ମଗାଯାଏ। ଆମେ ଯଦି ସତ୍ୟାସତ୍ୟ ପରୀକ୍ଷା ନ କରି ସମସ୍ତ ତଥ୍ୟ ପ୍ରଦାନକରୁ ତେବେ ମୁହୂର୍ତ୍ତକ ମଧ୍ୟରେ ଜମା ଖାତା ଶୂନ୍ୟ ହୋଇଯାଏ। ପୁଣି କେତେବେଳେ ସୂଚନା ମିଳେ ଯେ, ଆପଣଙ୍କ ବୀମା ପଲିସି ଅଚଳ ହେବାକୁ ଯାଉଛି, ଆପଣ ପ୍ରଦତ୍ତ ଆକାଉଣ୍ଟ ନମ୍ବରରେ ଏତେ ଟଙ୍କା ତୁରନ୍ତ ଦାଖଲ କରନ୍ତୁ, ଆପଣଙ୍କ ପଲିସି ନିୟମିତ ହୋଇଯିବ। ଆମେ ବିଶ୍ୱାସକରି ସମସ୍ତ ଗୋପନତଥ୍ୟ ପ୍ରକାଶ କରିବା ମାତ୍ରକେ ଜମାଖାତା ଚାହୁଁ ଚାହୁଁ ଶୂନ୍ୟ ହୋଇଯିବ। ଯାଜପୁର ଜିଲା କାଳିଆପାଣି ଅଞ୍ଚଳର ଜଣେ ଶିକ୍ଷୟିତ୍ରୀଙ୍କ କ୍ଷେତ୍ରରେ ଏପରି ଘଟିଛି। ତାଙ୍କ ଜମାଖାତାରୁ ୩ ଲକ୍ଷ ୧୩ ହଜାର ଟଙ୍କା ଉଠାଣ ହୋଇଛି। ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କ ହୃତ୍‌ ଟଙ୍କା ଫେରିପାଇବାର କୌଣସି ନିଶ୍ଚିତତା ଦେଖାଯାଉ ନାହିଁ। ଏତଦ୍‌ବ୍ୟତୀତ ଗହଣା ଦୋକାନୀ ପେଟ୍ରୋଲ ପମ୍ପ କର୍ମଚାରୀଙ୍କଠାରୁ ଲୁଟ୍‌ କରିବା ଏକ ନିତିଦିନର ବ୍ୟାପାର । ପ୍ରାତଃ ଭ୍ରମଣ ସମୟରେ ମହିଳାଙ୍କଠାରୁ ହାର ଛିଣ୍ଡାଇବା ମଧ୍ୟ ପ୍ରାୟତଃ ଶ୍ରୁତିଗୋଚର ହେଉଛି।
ଡିଜିଟାଲ ନେଣଦେଣ ବୃଦ୍ଧିର ସମତାଳରେ ସାଇବର ଠକଙ୍କ ସାମ୍ରାଜ୍ୟ ବୃଦ୍ଧି ପାଇବାରେ ଲାଗିଛି। ନିକଟରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇ.ଟି. ରାଷ୍ଟ୍ରମନ୍ତ୍ରୀ ସଂଜୟ ଧାତ୍ରେ ଇଣ୍ଡିଆନ କମ୍ପ୍ୟୁଟର ଇମରଜେନ୍ସି ରେସ୍‌ପନ୍ସ ଟିମ୍‌ (ସି.ଇ.ଆର୍‌.ଟି) ସୂଚନା ଆଧାରରେ ରାଜ୍ୟ ସଭାରେ ଉପସ୍ଥାପନ କରିଥିବା ତଥ୍ୟ ଅନୁଯାୟୀ ଦେଶରେ ୨୦୧୮ରେ ୧,୫୯,୭୬୧ଟି, ୨୦୧୯ରେ ୨,୪୭,୫୧୪ଟି ଓ ୨୦୨୦ରେ ୨,୯୦,୪୪୫ଟି ଡିଜିଟାଲ ବ୍ୟାଙ୍କିଙ୍ଗ୍‌ ସମ୍ବନ୍ଧୀୟ ଠକେଇ ହୋଇଛି। ଏସବୁ ଠକାମିର ଅପାଠୁଆ ସ୍ବଳ୍ପ ଶିକ୍ଷିତଙ୍କ ଅପେକ୍ଷା ପ୍ରାୟ ୮୦ଭାଗ ପାଠୁଆ ଓ ଉଚ୍ଚଶିକ୍ଷିତ ବ୍ୟକ୍ତି ଠକାମିର ଶିକାର ହୋଇଥିବା ଜଣାଯାଏ। ଉଭୟ ଠକ ଓ ଠକାମିରେ ଶିକାର ବ୍ୟକ୍ତି ଉଚ୍ଚଶିକ୍ଷିତ। ମୂର୍ଖଙ୍କ ଠକାମି ଶହେରେ ସୀମିତ ବେଳେ ଶିକ୍ଷିତଙ୍କ ଠକାମି ଲକ୍ଷ ଓ କୋଟି।
ଏ ଠକାମି ବ୍ୟତୀତ ଅନେକ ସମୟରେ ମିଥ୍ୟାଗୁଜବର ବଶବର୍ତ୍ତୀ ହୋଇ ଭଣ୍ଡ ବାବାମାନଙ୍କ ମନ ଭୁଲାଣିଆ କଥାରେ ଆମେ ଏତେ ମାତ୍ରାରେ ଭ୍ରମିତ ହୋଇଯାଉ ଯେ ଅନୁତାପ କରିବା ପାଇଁ ମଧ୍ୟ ଆମ ପାଖରେ ସୁଯୋଗ ନ ଥାଏ। ଏ ସମ୍ବନ୍ଧରେ ଗଣମାଧ୍ୟମରେ ପ୍ରସାରିତ ଏକ ବିସ୍ମୟକର ଘଟଣାର ଅବତାରଣା ଅତ୍ୟନ୍ତ ପ୍ରାସଙ୍ଗିକ ମନେହୁଏ। ଗତ ଦୁଇମାସ ତଳେ ଆନ୍ଧ୍ରପ୍ରଦେଶରେ ଘଟିଥିବା ଉକ୍ତ ଘଟଣାଟି ଯେତିକି ବିସ୍ମୟକର ସେତିକି ଲଜ୍ଜାକର। ସ୍ବାମୀ ସ୍ତ୍ରୀ ଉଭୟ ଉଚ୍ଚଶିକ୍ଷିତ ଓ ଦୁଇଟି ଭିନ୍ନଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷ ପଦରେ ଅଧିଷ୍ଠିତ। ଜଣେ ଗୁଣିଆ ବା ତଥାକଥିତ ବାବା କଥାକୁ ବିଶ୍ୱାସକରି ନିଜର ଦୁଇ ଉଚ୍ଚ ଶିକ୍ଷିତ ଝିଅଙ୍କୁ ପରୀକ୍ଷାମୂଳକ ଭାବେ ହତ୍ୟାକଲେ। ତାଙ୍କ ମଧ୍ୟରେ ଏକ ବିଶ୍ୱାସ ଦୃଢୀଭୂତ ହୋଇଥିଲା ଯେ ଚବିଶଘଣ୍ଟା ମଧ୍ୟରେ ସତ୍ୟଯୁଗ ପ୍ରବେଶ କରିବ ଓ କଳିଯୁଗର ଅବସାନ ଘଟିବ। ତାଙ୍କ ଦୁଇକନ୍ୟା ଚବିଶଘଣ୍ଟା ମଧ୍ୟରେ ପୁନର୍ଜୀବନ ଲାଭକରି ପୂର୍ବାପେକ୍ଷା ଅଧିକ ଜ୍ଞାନୀଗୁଣୀ ହୋଇ ଜୀବନରେ ଉଚ୍ଚ ପ୍ରତିଷ୍ଠା ଲାଭ କରିବେ। ସତ୍ୟର ପ୍ରଭାବରେ ନୂଆ ଜୀବନ ସହ ତାଙ୍କ ପରିବାରର ସଭିଙ୍କ ଜୀବନ ହୋଇ ଉଠିବ ଅତ୍ୟନ୍ତ ସୁଖ ସମୃଦ୍ଧିମୟ। କିନ୍ତୁ ସେପରି କିଛି ହେଲା ନାହିଁ; ବରଂ ପୋଲିସ୍‌ ଦ୍ୱାରା ଗିରଫ ହୋଇ କାରାଗାର ପ୍ରକୋଷ୍ଠରେ ସତ୍ୟଯୁଗର ଆଗମନକୁ ଅପେକ୍ଷା କରିଛନ୍ତି।
ଏତେ ଉଚ୍ଚଶିକ୍ଷିତ; ଅଥଚ କାର୍ଯ୍ୟକଳାପ ଶତଶତ ମୂର୍ଖଙ୍କଠାରୁ ବଳେ। ମଣିଷ ଲୋଭ ମୋହର ମାୟାରେ ପଡି ମିଥ୍ୟା ଉପରେ ପ୍ରଗାଢ଼ ଆସ୍ଥା ସ୍ଥାପନର ବିଷମୟ ପରିଣତି ଭୋଗକରୁଥିଲେ ମଧ୍ୟ ସେଥିରୁ ବିରତ ହୋଇପାରୁନାହିଁ। ସାଧାରଣ ଅଜ୍ଞାନଟିଏ କ’ଣ କରିଦେଲା ତାହା ଯେତିକି ଧର୍ତ୍ତବ୍ୟ ନୁହେଁ, ଜ୍ଞାନର ଅହଙ୍କାରରେ ବୁଡ଼ିଥିବା କତିପୟ ଶିକ୍ଷିତ ମଣିଷଙ୍କ ଅବିଚାରିତ କାର୍ଯ୍ୟକଳାପ ବେଶ୍‌ ଚିନ୍ତାଜନକ। ଆଉ କେତେହେଲେ ଆମେ ଚେତିବା? କୌଣସି ଲୋଭନୀୟ ବିନାଶକାରୀ ଅପପ୍ରଚାରରେ ଭ୍ରମିତ ନ ହୋଇ କର୍ମକୁ ସମ୍ବଳକରି ଆଗେଇ ଚାଲିବା ହେଉଛି ବୁଦ୍ଧିମତ୍ତାର କାମ।
ସିଦ୍ଧଳ, ଜଗତ୍‌ସିଂହପୁର
ମୋ- ୯୯୩୭୪୫୦୫୪୦


Enter your email to get our daily news in your inbox.

All Right Reserved By Dharitri.Com

ମଣିଷର ବଡ଼ ଶତ୍ରୁ

ଉପେନ୍ଦ୍ର ବିଶ୍ୱାଳ ସ୍ବର୍ଗ ଓ ନର୍କର ପାର୍ଥକ୍ୟ ଜାଣିବାକୁ ଇଚ୍ଛା କରି ଜନୈକ ଯୁବକ ଆସି ପହଞ୍ଚତ୍ଲେ ଜଣେ ସାଧୁଙ୍କ ଆଶ୍ରମରେ। ସାଧୁଙ୍କୁ ପ୍ରଣାମ କରି...

ସମ୍ପାଦକୀୟ/ ବ୍ୟାଙ୍କ ପ୍ରତିଦ୍ୱନ୍ଦ୍ୱିତା

ଭାରତୀୟ ଅର୍ଥନୀତି ବର୍ତ୍ତମାନ ଏକ ଖରାପ ସ୍ଥିତି ଦେଇ ଗତି କରୁଛି। ନିକଟରେ ସରକାରଙ୍କ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ଏପ୍ରିଲ-ଜୁନ୍‌ ତ୍ରୈମାସରେ ସମୁଦାୟ...

ସ୍ବାଭିମାନର ପ୍ରଶ୍ନ

ଅଧ୍ୟାପକ ଶରତ କୁମାର ଦାସ ସାମ୍ପ୍ରତିକ ପରିସ୍ଥିତିରେ ସମଗ୍ର ଦେଶରେ ସୀମାକୁ ନେଇ ବିବାଦ ଉପୁଜିଥିବା ବେଳେ ଆମ ରାଜ୍ୟ ଓଡ଼ିଶା ଏଥିରୁ ମଧ୍ୟ ମୁକ୍ତ...

ଗ୍ରାମ୍ୟ ଶିଳ୍ପାୟନ ମାଧ୍ୟମରେ ନିଯୁକ୍ତି ସୃଷ୍ଟି

ଅମରେନ୍ଦ୍ର ଦାସ କରୋନାରେ ସମଗ୍ର ବିଶ୍ୱ ବ୍ୟାପକ ଭାବରେ ପ୍ରଭାବିତ ହେଉଥିବା ସମୟରେ ଏହା ଅନେକ ନୂତନ ସମ୍ଭାବନାର ଆଶା ସଞ୍ଚାର କରିଛି। ଏହି ସୁଯୋଗକୁ...

ଏଇ ଭାରତରେ

ହରିୟାଣାର ପଞ୍ଚକୁଲା ଆଣ୍ଟି ହ୍ୟୁମ୍ୟାନ୍‌ ଟ୍ରାଫିକିଂ ୟୁନିଟ୍‌ର ଆସିଷ୍ଟାଣ୍ଟ ସବ୍‌ଇନ୍ସପେକ୍ଟର (ଏଏସ୍‌ଆଇ) ରାଜୀବ କୁମାର ୫ ବର୍ଷରେ ୫୦୦ ଶିଶୁଙ୍କୁ ଉଦ୍ଧାର କରି ସେମାନଙ୍କ ପରିବାରକୁ...

ଗୁଜବ ପ୍ରତି ସାବଧାନ

ବୈକୁଣ୍ଠନାଥ ମିଶ୍ର ଏହା ଏକ ସାଧାରଣ ଅନୁଭୂତି ଯେ ଅନେକ ଭିତ୍ତିହୀନ ଅପପ୍ରଚାର ହଠାତ୍‌ ଜନମାନସରେ ଜାଗ୍ରତ ହୋଇ ତଡିତ୍‌ ବେଗରେ ସମାଜରେ ଖେଳିଯାଇ ସମ୍ପୂର୍ଣ୍ଣ...

ମହାଜାଗତିକ ଆହ୍ବାନ

ଜାତୀୟ ବିଜ୍ଞାନ ଦିବସ ଉପଲକ୍ଷେ ପ୍ରଫେସର ଡ. ଅଜୟ କୁମାର ପାତ୍ର ଯାହାର ଭୂଗୋଳ ଯେତେ ସୁନ୍ଦର, ତାହାର ଇତିହାସ ସେତେ କଳଙ୍କିତ। ପୃଥିବୀ ଓ...

ଦୁର୍ବଳ ହୋଇପଡ଼ିଲେ

୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ଭଳି ଅର୍ଥନୈତିକ ଅସ୍ତ୍ର ପ୍ରୟୋଗ କରାଯିବା ପରେ ସେତେବେଳେ ଦେଶବାସୀଙ୍କୁ ବାର୍ତ୍ତା ଦିଆଯାଇଥିଲା ଯେ ଭାରତୀୟ ଅର୍ଥନୀତି ଦୀର୍ଘମିଆଦୀ ସଫଳତା...

Advertisement
Archives

Model This Week