ଖସିପଡ଼ିବାର ଦୁଃଖ

ଡ. ଭାରତ ଭୂଷଣ ରଥ

ଆମ ଦେଶ ଧୀରେ ଧୀରେ ବିକାଶର ଶିଖର ସ୍ପର୍ଶ କରିବାକୁ ଯାଉଥିଲା। ଠିକ୍‌ ଏତିକିବେଳେ କରୋନା ମହାମାରୀରେ ଦେଶ ବହୁତ ପଛକୁ ଫେରିଯିବାକୁ ବାଧ୍ୟ ହୋଇଛି। ସତରେ ଶିଖର ଛୁଁ ଛୁଁ ଖସିପଡ଼ିବାର ଦୁଃଖ ବଡ଼ ଦାରୁଣ। ଆଜକୁ ପ୍ରାୟ ପାଞ୍ଚଶହ ବର୍ଷ ତଳେ ଭାରତ ବିଶ୍ୱର ଏକ ସମୃଦ୍ଧିଶାଳୀ ଦେଶ ଭାବରେ ସମ୍ମାନିତ ଥିଲା। ଭାରତର ନିଜସ୍ବ ଜ୍ଞାନକୌଶଳ ତଥା ବୈଜ୍ଞାନିକ ପଦ୍ଧତି ବିଶ୍ୱକୁ ବିଜ୍ଞାନ, ବାଣିଜ୍ୟ, ସାହିତ୍ୟ ଏବଂ କଳା କ୍ଷେତ୍ରରେ ଅନେକ କିଛି ଶିକ୍ଷା ଦେଇଛି। ଭାରତର ଗୁରୁକୁଳୀୟ ଶିକ୍ଷା ପଦ୍ଧତି ଥିଲା ବିଶ୍ୱର ପ୍ରାଚୀନ ଶିକ୍ଷା ବ୍ୟବସ୍ଥାର ଏକ ବଳିଷ୍ଠ ନମୁନା। ବୈଦିକ ଶିକ୍ଷା ଥିଲା ଏହି ଦେଶର ମେରୁଦଣ୍ଡ। ନୈତିକତା ଥିଲା ଭାରତର ଆଦର୍ଶ। ଏହି ଦେଶର ଶିଳ୍ପୀମାନେ ନିଜର ତୀକ୍ଷ୍ମ ବୁଦ୍ଧି ଏବଂ ପ୍ରତ୍ୟୁତ୍ପନ୍ନମତିତାର ପରିଚୟ ଦେଇ କୋଣାର୍କ, ମହାବଳୀପୁର, କାଞ୍ଚିପୁର ତଥା ଖଜୁରାହ ଇତ୍ୟାଦିରେ ଗଢ଼ିତୋଳିଥିଲେ ଅବିଶ୍ୱସନୀୟ ଶିଳ୍ପକଳା। ଚରକ, ଶୁଶ୍ରୁତ, ପତଞ୍ଜଳି ପ୍ରଭୃତିଙ୍କର ଅମୃତସ୍ପର୍ଶ ଆଧୁନିକ ମେଡିକାଲ ସାଇନ୍ସର ବିକାଶ ପାଇଁ ଇନ୍ଧନ ଯୋଗାଇଛି। କୌଟିଲ୍ୟ, ମନୁ ତଥା ଯାଜ୍ଞବଳ୍କ୍ୟ ପ୍ରଭୃତି ମହାମନୀଷୀଙ୍କର ଧୀଶକ୍ତି ଏବଂ ସମାଜଜ୍ଞାନ ଭାରତର ସମ୍ବିଧାନ, ରାଜନୀତି ଏବଂ କୂଟନୀତି ପ୍ରଭୃତିର ଦିଗ୍‌ଦର୍ଶକ ସାଜିଛନ୍ତି। ଋଗ୍‌ବେଦର ବିଜ୍ଞାନ, ଅଥର୍ବବେଦର ତନ୍ତ୍ରବିଦ୍ୟା ତଥା ସାମ୍‌ବେଦର ଗାନ୍ଧର୍ବକଳା ବିଶ୍ୱରେ ସମ୍ମାନିତ।
ଏମିତି ଅନେକ କିଛି ଜ୍ଞାନରାଶିର ଭଣ୍ଡାରରେ ପରିପୂର୍ଣ୍ଣ ଏହି ଭାରତ ଏକ ସ୍ବତନ୍ତ୍ର ବିକଶିତ ଦେଶର ସମ୍ମାନ ପାଇଥିଲା। ତେବେ ଏହାର ଉନ୍ନତିରେ ଅସହିଷ୍ଣୁ ଅନେକ ବୈଦେଶିକ ଶକ୍ତି ଭାରତକୁ ବାରମ୍ବାର ଆକ୍ରମଣ କଲେ। ଶାନ୍ତିପ୍ରିୟ ଭାରତର ଜନତା ବୈଦେଶିକଙ୍କ କୂଟନୀତିର ଶରବ୍ୟ ହେଲେ ଏବଂ ଧୀରେ ଧୀରେ ନିଜେ ପରାଧୀନ ହୋଇଗଲେ। ତନ୍ମଧ୍ୟରେ ମୋଗଲ ଏବଂ ଇଂରେଜମାନଙ୍କର ଶାସନର କଳା ଦିବସଗୁଡିକ ଭାରତର ଅଧଃପତନର ପ୍ରମୁଖ ଅଂଶ ହେଲା। ଦେଶର ଅନେକ ଦେଶୀୟ ମହାରାଜା, ରାଜା, ଥାଟରାଜା ଏବଂ ପାଟରାଜାମାନେ ମଧ୍ୟ ମନମୁଖି ଶାସନ କରି ନାଗରିକଙ୍କୁ ଶୋଷଣ କଲେ। ତଦ୍ଦ୍ବାରା ଦେଶରେ ବୃଦ୍ଧିପାଇଲା ଗୁପ୍ତଚର କାର୍ଯ୍ୟକଳାପ। ଅଣ୍ଟି ଛୁରି ତଣ୍ଟି କାଟେ ଭଳି ନିଜେ ନିଜର ଶତ୍ରୁ ହୋଇଗଲେ ଭାରତୀୟ ଜନତା।
ସମୟର ପ୍ରବାହ କ୍ରମେ ମହାପୁରୁଷମାନଙ୍କର ପ୍ରାଣବଳି ଏବଂ ତ୍ୟାଗର ଫଳସ୍ବରୂପ ଏ ଦେଶ ସ୍ବାଧୀନ ହେଲା। କିନ୍ତୁ ତତ୍ପରେ ଦେଶ ହୋଇଗଲା ଲଗାମଛଡ଼ା। ଶାସନର ଅଭାବ ଫଳରେ ଅନେକ ସ୍ଥାନରେ ଏକଚ୍ଛତ୍ରବାଦର ପ୍ରଭାବ ବିସ୍ତାର କଲା। ଦିନକୁଦିନ ବୃଦ୍ଧି ପାଇଲା ଭ୍ରଷ୍ଟାଚାର, ଶୋଷଣ, ହତ୍ୟା, ଚୋରି,ଡକାୟତି ଏବଂ ରାହାଜାନିର ପ୍ରଭାବ। ଏଥିପାଇଁ କେତେକାଂଶରେ ଦାୟୀ ହେଉଛି ଲୋକଙ୍କର ନୀଚ ପ୍ରବୃତ୍ତି ଏବଂ ଅନ୍ୟ କେତେକାଂଶରେ ଦାୟୀ ସମାଜର ଦାରିଦ୍ର୍ୟ। ଏହାରି ଭିତରେ ବିଗତ ପ୍ରାୟ କୋଡିଏ ବର୍ଷ ଧରି ଦେଶରେ ଦୃଷ୍ଟିଗୋଚର ହେଉଥିଲା ଶିକ୍ଷା, ସ୍ବାସ୍ଥ୍ୟ ଏବଂ ବିଜ୍ଞାନ ପ୍ରଭୃତିରେ ବିକାଶର ଚିତ୍ର। ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ରାସ୍ତାଘାଟ, ଘରବାଡ଼ି ତଥା କଳକାରଖାନାର ଅଭିବୃଦ୍ଧି ଦେଶର ଭୌତିକ ବିକାଶର ନମୁନା ପାଲଟିଥିଲା। ଭାରତର ନାଗରିକ ବିଶ୍ୱଭ୍ରାତୃତ୍ୱଭାବରେ ବାନ୍ଧି ହୋଇ ବିଦେଶକୁ ଯାଇ ଶିକ୍ଷା, ସ୍ବାସ୍ଥ୍ୟ, କ୍ରୀଡ଼ା ଏବଂ ରୋଜଗାରର ଉତ୍ସ ଖୋଜି କୃତକାର୍ଯ୍ୟ ହେଲେ। ଦେଶ ତଥା ରାଜ୍ୟମାନଙ୍କ ଭିତରେ ସୃଷ୍ଟି ହେଲା ସହଭାବ। ଗମନାଗମନର ବିକାଶ ସହିତ ଶିକ୍ଷା ଏବଂ କର୍ମନିଯୁକ୍ତି କ୍ଷେତ୍ରରେ ସମସ୍ତ ରାଜ୍ୟ ଏକତାବଦ୍ଧ ହୋଇ କାର୍ଯ୍ୟ କଲେ। ମରହଟ୍ଟା, କଳିଙ୍ଗ, ପାଣ୍ଡ୍ୟ, ଉତ୍ତର, ବଙ୍ଗ, ଦକ୍ଷିଣ ପ୍ରଭୃତି ଯେଉଁ ପ୍ରାନ୍ତୀୟ ଭେଦ ଥିଲା ତାହା ଧୀରେ ଧୀରେ ସମ୍ପୂର୍ଣ୍ଣ ଦୂର ହୋଇଛି। ଜାତି,ଧର୍ମ,ବର୍ଣ୍ଣ,ଲିଙ୍ଗର ଭେଦଭାବ ଯୁବସମାଜରେ ବିଶେଷ ପରିଲକ୍ଷିତ ହେଉ ନାହିଁ। ବର୍ତ୍ତମାନର ନିନ୍ଦନୀୟ ରାଜନୈତିକ ବାତାବରଣ ପ୍ରତି ସଚେତନ ହୋଇ ଦେଶର ଜନତା ଏକତ୍ରିତ ହେଲେ ଏବଂ ଆତ୍ମବିକାଶ ସହିତ ଦେଶ ବିକାଶର ସ୍ରୋତରେ ସାମିଲ ହେଲେ। ମୋଟାମୋଟି ଭାବେ ଭାରତ ପୁନଃ ବସୁଧୈବ କୁଟୁମ୍ବକମ୍‌ ଭାବନାର ସ୍ରୋତରେ ଗତି କରୁଥିଲା। ଉପରୋକ୍ତ ସମସ୍ତ ତଥ୍ୟ ପ୍ରମାଣ ଦିଏ ଭାରତର ଆର୍ଥିକ ସ୍ଥିତିରେ ସୁଧାର ଆସି ଦେଶ ଏକ ବିକାଶଶୀଳ ରାଷ୍ଟ୍ରର ଶିଖର ସ୍ପର୍ଶ କରିବାପାଇଁ ପ୍ରସ୍ତୁତ ହେଉଥିଲା। ତେବେ ଠିକ୍‌ ଏତିକିବେଳକୁ କରୋନା ମହାମାରୀ ଉନ୍ନତିର ଶିଖର ସ୍ପର୍ଶ ଦିଗରେ ଅଗ୍ରଗତି ଥିବା ଭାରତର ମେରୁଦଣ୍ଡରେ ଏକ ଶକ୍ତ ପ୍ରହାର ଦେଇଛି ନିଶ୍ଚୟ। ବିଶ୍ୱୈକୀକରଣ ପ୍ରକ୍ରିୟାରେ ସାମିଲ ହୋଇଥିବା ଭାରତର ପ୍ରାୟ ପ୍ରତ୍ୟେକ ନାଗରିକ ଶିକ୍ଷା, ସ୍ବାସ୍ଥ୍ୟ ଏବଂ ସାମାଜିକ ଉନ୍ନତିରେ ଯେତିକି ପଛେଇ ଯାଇଛନ୍ତି ତା’ଠାରୁ ବିଶେଷ ପ୍ରଭାବିତ ହୋଇଛନ୍ତି ନିଜ ନିଜ କର୍ମକ୍ଷେତ୍ରରେ। ଅନେକ ରୋଜଗାର ହରାଇଛନ୍ତି। ଅନେକ ନୂତନ କର୍ମନିଯୁକ୍ତି ଅପେକ୍ଷାରେ। ସଦ୍ୟ ପାଠପଢ଼ା ସାରିଥିବା ଯୁବକଯୁବତୀମାନେ କେବଳ ନୀରବଦ୍ରଷ୍ଟା। ଶିଳ୍ପ ଏବଂ ବାଣିଜ୍ୟ କ୍ଷେତ୍ର ବିଶେଷଭାବରେ ପ୍ରଭାବିତ।
ଏପରି ସ୍ଥିତିରେ କେନ୍ଦ୍ର ଏବଂ ରାଜ୍ୟ ସରକାରମାନେ ସ୍ଥିତିକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ଶତତ ପ୍ରଚେଷ୍ଟାରତ। କରୋନାର କରାଳତାରେ ଏ ମାଟି ତା’ର ଅନେକ ସନ୍ତାନସନ୍ତତିଙ୍କୁ ସବୁଦିନ ପାଇଁ ହରାଇ ସାରିଛି। ତେଣୁ ଏହି ସମୟ ହେଉଛି ଜାଗରୁକତାର ସମୟ। ସମ୍ଭ୍ରାନ୍ତ, ମଧ୍ୟବିତ୍ତ ଏବଂ ଗରିବ ସମସ୍ତ ଜନତା ନିଜ ନିଜ ଭିତରେ ସହଭାବ ରଖିବାର ସମୟ। କୃଷି ଏବଂ କୌଳିକ ବିଦ୍ୟାକୁ ସମ୍ମାନ ଦେବାର ସମୟ। ପରିବାରରେ ସଦସ୍ୟ ଏବଂ ପିଲାମାନେ; ମା’ ବାପା ତଥା ଘରର ମୁରବିଙ୍କର ଅବସ୍ଥାକୁ ବୁଝିବାର ସମୟ। କର୍ମଚାରୀଙ୍କ ଦୁଃଖକୁ ମାଲିକମାନେ ନିଜ ଦୁଃଖ ବୋଲି ଧରିନେବାର ସମୟ। ଏହି ବେଳାରେ ହୃଦୟର କଠୋରତାକୁ ଗ୍ରହଣ ନ କରି କୋମଳତାକୁ ସମ୍ମାନ ଦେଲେ ଭାରତ ଧୀରେ ଧୀରେ ପୁନଃ ଅଗ୍ରସର ହୋଇପାରିବ। ଭାରତ ପୁନଃ ଉନ୍ନତିର ଶିଖର ସ୍ପର୍ଶ କରିବା ପାଇଁ ସଂକଳ୍ପବଦ୍ଧ ହେଉ ଏହା ଭାରତବାସୀଙ୍କ ଲକ୍ଷ୍ୟ।
ଅଧ୍ୟାପକ, ସଂସ୍କୃତ ସାହିତ୍ୟ
କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ତିରୁପତି ଆନ୍ଧ୍ରପ୍ରଦେଶ, ମୋ: ୮୮୯୭୪୨୬୨୪୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri