Posted inରାଜ୍ୟ

ଓଡ଼ିଆ ଜାତିର ମହାନାୟକ

ପକ୍ଷୀମାନେ ମାଟିରେ ଚାଲନ୍ତି କମ୍‌, ଆକାଶରେ ଉଡ଼ନ୍ତି ଅଧିକ। ବିଜୁ ପଟ୍ଟନାୟକ ଥିଲେ ଏଭଳି ଏକ ବିରଳ ବ୍ୟକ୍ତିତ୍ୱ, ଯେ କି ଆକାଶରେ ଯେତିକି ଉଡ଼ୁଥିଲେ, ମାଟି ଉପରେ ବି ସେତିକି ଚାଲୁଥିଲେ। ମାଟି ଉପରେ ଦୃଢ଼ ଭାବରେ ପାଦ ଥାପି ସେ ଆକାଶ ଆଡ଼କୁ ଦୃଷ୍ଟି ପ୍ରସାରିତ କରିଥିଲେ। ମାଟି ଉପରେ ଠିଆ ହୋଇଥିବା ପ୍ରତ୍ୟେକ ଓଡ଼ିଆ ଆକାଶ ଆଡ଼କୁ ହାତ ବଢ଼େଇ ତା’ର ଈପ୍‌ସିତ ସବୁକିଛି ହାସଲ କରିପାରିବ, ଏଇ ପ୍ରତ୍ୟୟ ଟିକକ ସୃଷ୍ଟି କରିଥିଲେ ବିଜୁ ପଟ୍ଟନାୟକ। ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ଏଇ ପ୍ରତ୍ୟୟ ହିଁ ଦୁର୍ଦ୍ଦିନରେ ଓଡ଼ିଆମାନଙ୍କୁ ବାଟ କଢ଼େଇ ନେଇଥିଲା ନୂଆ ସକାଳ ଓ ନୂଆ ସମ୍ଭାବନା ଆଡ଼କୁ ଏବଂ ସେମାନଙ୍କୁ ଦେଇଥିଲା ନୂଆ ପରିଚୟ। ବହୁ ବିଶେଷଣ ଓ ବିଭୂଷଣରେ ମଣ୍ଡିତ ବିଜୁ ପଟ୍ଟନାୟକଙ୍କ ଅବର୍ତ୍ତମାନରେ ତାଙ୍କ ଆକଳନ କଲାବେଳେ ବ୍ୟକ୍ତି ଅପେକ୍ଷା ସେ ପ୍ରତିନିଧିତ୍ୱ କରୁଥିବା ଅଦମନୀୟ ଚେତନା ଓ ଅଫୁରନ୍ତ ପ୍ରାଣସତ୍ତା ହିଁ ଅଧିକ ଉଜ୍ଜ୍ୱଳ ଦିଶେ। ଲୋକପ୍ରିୟ ନେତା ଓ ମୁଖ୍ୟମନ୍ତ୍ରୀ ତ ଅନେକ ଥିଲେ, କିନ୍ତୁ ବିଜୁ ପଟ୍ଟନାୟକ ଥିଲେ ଓଡ଼ିଆ ଜାତିର ମୁକୁଟବିହୀନ ସମ୍ରାଟ୍‌ ଓ ମଉଡ଼ମଣି।
ତାଙ୍କ ଦୀର୍ଘ ରାଜନୈତିକ ଜୀବନରେ କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଭାବରେ ବିଜୁ ପଟ୍ଟନାୟକ କ୍ଷମତା ଭୋଗିଥିଲେ ଖୁବ୍‌ କମ୍‌ ଦିନ। କିନ୍ତୁ ସେହି ସଂକ୍ଷିପ୍ତ ସମୟକାଳ ମଧ୍ୟରେ ସେ ଶାସନ, ପ୍ରଶାସନ ଓ ଜନଜୀବନର ପ୍ରତିଟି କ୍ଷେତ୍ରରେ ଏଭଳି ଅପାର ସଫଳତା ହାସଲ କରିଥିଲେ, ଯାହାକି ତାଙ୍କ ପୂର୍ବ ଓ ପରବର୍ତ୍ତୀ ଶାସକଙ୍କ ପାଇଁ ଅଭାବନୀୟ ଥିଲା। ସେହି ସ୍ବଳ୍ପ ଶାସନକାଳରେ ତାଙ୍କ ଅଭୂତପୂର୍ବ ଅବଦାନ ପାଇଁ ଆଜି ବି ଓଡ଼ିଶା ସଗର୍ବେ ମୁଣ୍ଡ ଟେକି ଠିଆ ହୋଇଛି। ପାରାଦୀପ ବନ୍ଦର, ଏକ୍ସପ୍ରେସ ହାଇଓ୍ବେ, ନାଲ୍‌କୋର ଆଲୁମିନିୟମ ପ୍ଲାଣ୍ଟ, ସୁନାବେଡ଼ାର ହାଲ୍‌ କାରଖାନା, କୃଷି ବିଶ୍ୱବିଦ୍ୟାଳୟ, ସମ୍ବଲପୁର ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ରାଉରକେଲା ଇଞ୍ଜିନିୟରିଂ କଲେଜ ଯାବତୀୟ ପ୍ରତିକୂଳତା ସତ୍ତ୍ୱେ ଏସବୁ ସମ୍ଭବ ହୋଇଥିଲା କେବଳ ବିଜୁ ପଟ୍ଟନାୟକଙ୍କ ଅଦମ୍ୟ ଇଚ୍ଛାଶକ୍ତି ବଳରେ। ପାଣ୍ଠି ନ ଥିବା ସତ୍ତ୍ୱେ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସହ ଲଢ଼େଇ କରି ବିଜୁ ପଟ୍ଟନାୟକ ଯେଉଁଭଳି ଢଙ୍ଗରେ ପାରାଦୀପରେ ବନ୍ଦର ପ୍ରତିଷ୍ଠା କରେଇଲେ, ସେ କାହାଣୀ କିମ୍ବଦନ୍ତୀରେ ପରିଣତ ହୋଇସାରିଛି। କେବଳ ସେତିକି ନୁହେଁ, ଭୁବନେଶ୍ୱରରେ ବିମାନବନ୍ଦର, ବିମାନଚାଳନା କେନ୍ଦ୍ର, ଆଞ୍ଚଳିକ ବିଜ୍ଞାନ ଗବେଷଣା କେନ୍ଦ୍ର ଏବଂ ୟୁନେସ୍କୋ କଳିଙ୍ଗ ପୁରସ୍କାର ପ୍ରତିଷ୍ଠା ଦିଗରେ ତାଙ୍କର ଅବଦାନକୁ କେହି ଭୁଲିପାରିବେ ନାହିଁ। ୧୯୯୦ରେ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ହେବା ପରେ ବିଜୁ ପଟ୍ଟନାୟକ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଥିଲେ, ଯାହାର ସୁଫଳ ଆମେ ଆଜି ପାଉଛେ। ତାଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ ରାଜନୈତିକ ଲାଭ-କ୍ଷତି ଗଣନାରୁ ଊର୍ଦ୍ଧ୍ୱକୁ ଉଠି ଜଣେ ରାଷ୍ଟ୍ରନୀତିଜ୍ଞ ଭାବରେ ସେ ଓଡ଼ିଶାର ସାମାଜିକ ବିକାଶ, ମହିଳା ସଶକ୍ତୀକରଣ, କ୍ଷମତା ବିକେନ୍ଦ୍ରୀକରଣ ଏବଂ ସର୍ବୋପରି ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ଯଥେଷ୍ଟ ଉଦ୍ୟମ କରିଥିଲେ। ଏହି ସମୟରେ ଜିଲା ସଂଖ୍ୟା ୧୩ରୁ ବଢ଼ି ୩୦ରେ ପହଞ୍ଚତ୍ଥିଲା, ଯାହାଫଳରେ ଓଡ଼ିଶାର ଉପାନ୍ତ ଅଞ୍ଚଳର ଲୋକମାନଙ୍କ ପାଖରେ ପ୍ରଶାସନିକ ସାହାଯ୍ୟ ଓ ସୁବିଧା ପହଞ୍ଚତ୍ବା ସମ୍ଭବ ହୋଇ ପାରିଥିଲା। ବିଜ୍ଞାନ, ଦକ୍ଷତା ବିକାଶ ଓ ଧନ୍ଦାମୂଳକ ଶିକ୍ଷା ଉପରେ ପ୍ରାଧାନ୍ୟ ଦେଇ ବହୁସଂଖ୍ୟାରେ ବାଳିକା ସ୍କୁଲ ଓ ମହିଳା ମହାବିଦ୍ୟାଳୟ ଖୋଲା ଯାଇଥିଲା। ସରକାରୀ ଚାକିରିରେ ମହିଳାଙ୍କ ପାଇଁ ୩୦ ପ୍ରତିଶତ ସ୍ଥାନ ସଂରକ୍ଷଣ କରାଗଲା ଏବଂ ସବୁଠୁ ବଡ଼ ପଦକ୍ଷେପ ସ୍ବରୂପ ଓଡ଼ିଶା ଜିଲା ପରିଷଦ ଅଧିନିୟମ ବଳରେ ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାଙ୍କ ପାଇଁ ଶତକଡ଼ା ୩୩ ଭାଗ ସ୍ଥାନ ସଂରକ୍ଷିତ ରଖାଗଲା। ଏଭଳି ବ୍ୟବସ୍ଥା ପ୍ରଚଳନ କରିବାରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ ଥିଲା। ଆଜି ରାଜ୍ୟର ଅର୍ଦ୍ଧାଧିକ ପଞ୍ଚାୟତର ନେତୃତ୍ୱ ନେଇ ମହିଳାମାନେ ଆର୍ଥିକ ଓ ସାମାଜିକ ବିକାଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି। ବିଜୁବାବୁଙ୍କ ଦୂରଦୃଷ୍ଟି ଯୋଗୁଁ ଆଜି ପ୍ରମିଳା ବିଶୋୟୀଙ୍କ ଭଳି ତୃଣମୂଳ ସ୍ତରରୁ ଆସିଥିବା ମହିଳା ସଂସଦରେ ଓଡ଼ିଶାର ବଳିଷ୍ଠ ସ୍ବର ପାଲଟିଛନ୍ତି। ଓଡ଼ିଶାରେ ପଞ୍ଚାୟତି ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ପୁନର୍ଗଠନ କରିବାରେ ବିଜୁ ପଟ୍ଟନାୟକଙ୍କ ଅବଦାନ ଅନସ୍ବୀକାର୍ଯ୍ୟ।
ବିଜୁ ପଟ୍ଟନାୟକ ଶିଳ୍ପପତି ଥିଲେ। ପରେ ସେ ରାଜନୀତିକୁ ଆସିଲେ। ଲୋକମାନେ ରାଜନୀତିରେ ପାଦ ଥାପନ୍ତି ନାମ, ଅର୍ଥ, ଯଶ ଅର୍ଜନ କରିବା ପାଇଁ। ଅଥଚ ବିଜୁବାବୁ ନିଜ ବ୍ୟବସାୟ ଓ ଶିଳ୍ପରୁ ପାଉଥିବା ଅର୍ଥ ନିଃସଙ୍କୋଚରେ ରାଜନୀତି ଓ ଲୋକମାନଙ୍କ ପାଇଁ ବ୍ୟୟ କରୁଥିଲେ। ଏକଦା ଓଡ଼ିଶାରେ କଂଗ୍ରେସ ଦଳର ଦୈନନ୍ଦିନ ଖର୍ଚ୍ଚଠୁ ଆରମ୍ଭ କରି ନିର୍ବାଚନଜନିତ ସମସ୍ତ ଖର୍ଚ୍ଚ ତୁଲାଉଥିଲେ ବିଜୁବାବୁ। ପାଠ ପଢ଼ିବା ପାଇଁ ବିଦେଶ ଯିବାକୁ ଚାହୁଁଥିବା, ଚାକିରି ଖୋଜୁଥିବା ବହୁ ଅଭାବୀ ଛାତ୍ରୀଛାତ୍ରଙ୍କୁ ମଧ୍ୟ ସେ ଅଯାଚିତ ଭାବରେ ସାହାଯ୍ୟ କରୁଥିଲେ। ରାଜନୀତି ତାଙ୍କୁ ଅର୍ଥ କି ପ୍ରତିପତ୍ତି ଦେଇ ନ ଥିଲା, ବରଂ ସର୍ବସ୍ବାନ୍ତ ଓ ନିଃସ୍ବ କରିଥିଲା। ରାଜନୀତିକୁ ଆସି ସବୁକିଛି ହରେଇଥିବା ଜଣେ ବିରଳ ରାଜନେତା ଥିଲେ ବିଜୁ ପଟ୍ଟନାୟକ।
ବିଜୟାନନ୍ଦ ନାମ ଧାରଣ କରିଥିବା ଏହି ଦୁର୍ବାର ରାଜନୀତିଜ୍ଞ ବିଜୟ ଅପେକ୍ଷା ପରାଜୟ ଭୋଗିଥିଲେ ଅଧିକ। ଜିତନ୍ତୁ କି ହାରନ୍ତୁ, ବିଜୁ ପଟ୍ଟନାୟକ ସବୁବେଳେ ଲୋକମାନଙ୍କ ସହ ଥିଲେ। ପ୍ରଶାସନିକ କଳର ସାହାଯ୍ୟ ନ ନେଇ ସେ ସିଧାସିଧା ଲୋକମାନଙ୍କ ପାଖରେ ପହଞ୍ଚୁଥିଲେ। ସେମାନଙ୍କ ସୁଖଦୁଃଖରେ ଭାଗୀଦାର ହେଉଥିଲେ। ସେମାନଙ୍କର ସମସ୍ୟାକୁ ନିଜର କରି ସମାଧାନର ବାଟ ଖୋଜୁଥିଲେ। ତାଙ୍କ ଘର ଓ ହୃଦୟର ଦୁଆର ସବୁବେଳେ ସମସ୍ତଙ୍କ ପାଇଁ ସମର୍ଥକ ହୁଅନ୍ତୁ କି ବିରୋଧୀ, ଖୋଲା ରହୁଥିଲା। କେହି କେବେ ତାଙ୍କ ପାଖରୁ ଖାଲିହାତରେ ଫେରୁ ନ ଥିଲେ। ଲୋକଙ୍କ ସହ ନିରନ୍ତର ଯୋଗସୂତ୍ରରେ ବାନ୍ଧି ହୋଇ ରହିଥିଲେ ବିଜୁବାବୁ ଜୀବନର ଶେଷ ସମୟ ପର୍ଯ୍ୟନ୍ତ। ସେଇଥିପାଇଁ ସାଢ଼େ ଚାରି କୋଟି ଓଡ଼ିଆଙ୍କ ହୃଦୟରେ ଚକଡ଼ାଏ ଜାଗା ମାଡ଼ି ବସିଛନ୍ତି ବିଜୁବାବୁ ଆଜି ବି। ସେ କେବଳ ଜଣେ ରାଜନେତା ମାତ୍ର ନ ଥିଲେ, ସେ ଅସଲରେ ଥିଲେ ଓଡ଼ିଆ ଜନଜୀବନର ଅନନ୍ୟ ମହାନାୟକ। ୧୯୯୨ରେ ବିଜୁ ପଟ୍ଟନାୟକ ଦେଇଥିବା ବକ୍ତବ୍ୟ ପ୍ରଣିଧାନଯୋଗ୍ୟ
”ଏକବିଂଶ ଶତାବ୍ଦୀରେ ମୋ ସ୍ବପ୍ନର ଓଡ଼ିଶାରେ ତରୁଣ ତରୁଣୀମାନେ ନିଜ ସ୍ବାର୍ଥକୁ ପଛରେ ପକେଇ ରାଜ୍ୟର ସ୍ବାର୍ଥକୁ ଅଗ୍ରାଧିକାର ଦେବେ। ନିଜ ସାମର୍ଥ୍ୟ ଓ ବୁଦ୍ଧିମତ୍ତା ବଳରେ ସେମାନେ କଳିଙ୍ଗର ଗୌରବମୟ ଇତିହାସକୁ ପୁନର୍ଜୀବିତ କରିବାରେ ସକ୍ଷମ ହେବେ।“
ବିଜୁବାବୁ ଦେଖିଥିବା ଏଇ ସ୍ବପ୍ନ ଆଜି ବି ଆମକୁ ପ୍ରଚୋଦିତ କରୁଛି, ନୂଆ ଭବିଷ୍ୟତ ପାଇଁ ବାଟ ଦେଖାଉଛି।

ନେତାଜୀ ଅଭିନନ୍ଦନ

-ଆସିଷ୍ଟାଣ୍ଟ ପ୍ରଫେସର, ରାଜନୀତି ବିଜ୍ଞାନ ବିଭାଗ,
ରେଭେନ୍ସା ବିଶ୍ୱବିଦ୍ୟାଳୟ


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଜବତ ମାମଲା: ବନ୍ଧା ହେଲେ ବିଶ୍ୱଜିତ୍‌

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରୀ ବୁଗୁଡା ଘୋଡ଼ାପଡ଼ା ଗ୍ରାମର ଶୃତି ଭୋଳଙ୍କ ସନ୍ଦେହଜନକ ମୃତ୍ୟୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ପ୍ରେମିକାଙ୍କୁ ଡାକ୍ତରଖାନାରେ ଛାଡି ପଳାଇଥିବା ପ୍ରେମିକ ଗିରଫ

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ ): ଅସୁସ୍ଥ ପ୍ରେମିକାଙ୍କୁ ଏମ୍‌କେସିଜି ମେଡିକାଲରେ ଛାଡି ପଳାଇଥିବା ଯୁବକ ବ୍ରହ୍ମପୁର ଶ୍ରୀରାମନଗର ୧୦ମ ଲାଇନର ତ୍ରିନାଥ ସାହୁ(୩୦)ଙ୍କୁ ବଡବଜାର ଥାନା ପୋଲିସ…

ମୁଜାଗଡ଼ ବିଦ୍ୟାଳୟରେ ଯୋଗ ଦିବସ

ଭଞ୍ଜନଗର,୨୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖେଳ ପଡ଼ିଆରେ ରବିବାର ପଞ୍ଚାୟତସ୍ତରୀୟ ଜନ କଲ୍ୟାଣ ଶିବିର ସହ ଯୋଗ…

ଇରାନକୁ ପୁଣି ଆକ୍ରମଣ ଧମକ ଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୧।୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍‌ ହେବା ଯୋଗୁ ୭ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା…

ହଠାତ୍‌ ଢିଲା ହୋଇଗଲା ବସ୍‌ର ଷ୍ଟିଅରିଂ, ଡ୍ରାଇଭର ଏମିତି ଉପସ୍ଥିତି ବୁଦ୍ଧି ଖଟାଇବାରୁ…

ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରେଙ୍ଗାଲି ଡ୍ୟାମ୍‌…

ଧରାପଡ଼ିଲା ମଇଁଷି ବୋଝେଇ କଣ୍ଟେନର

କୋକସରା,୨୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡ଼ଙ୍ଗରିଗୁଡ଼ା ନିକଟରେ ରବିବାର ବେଆଇନ ଭାବେ ଚାଲାଣ ହେଉଥିବା ମଇଁଷି ବୋଝେଇ କଣ୍ଟେନରକୁ ପୋଲିସ ଜବତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri