ମହିମାଗାଦିର ମହାମେଳା

ଡ. ଉଦ୍ଧବ ଚରଣ ନାୟକ

ମହିମାଗାଦି ହେଉଛି ଓଡ଼ିଶାର ନିଜସ୍ବ ଧର୍ମ ମହିମାଧର୍ମର ପୁଣ୍ୟପୀଠ। ଏହି ଧର୍ମର ପ୍ରାଣପ୍ରତିଷ୍ଠାତା ମହିମା ଗୋସେଇଁ ଦୀର୍ଘ ୧୪ବର୍ଷକାଳ ପଦବ୍ରଜରେ ଭ୍ରମଣ ପୂର୍ବକ ମହିମାଧର୍ମର ଶାଶ୍ୱତବାଣୀ ପ୍ରଚାରକରି ପରିଶେଷରେ ଢେଙ୍କାନାଳର ଯୋରନ୍ଦା ମହିମା ଆଶ୍ରମଠାରେ ୧୮୭୬ ଫାଲ୍‌ଗୁନ ଶୁକ୍ଳ ଚତୁର୍ଥୀ ତିଥିରେ ବ୍ରହ୍ମଲୀନ ହୋଇଥିଲେ। ସ୍ବାମୀ ଯୋରନ୍ଦାର ଯେଉଁ ସ୍ଥାନରେ ବ୍ରହ୍ମଲୀନ ହୋଇଥିଲେ ସେଠାରେ ତାଙ୍କର ପବିତ୍ର ସ୍ମୃତି ଉଦ୍ଦେଶ୍ୟରେ ଏକ ମନ୍ଦିର ପ୍ରତିଷ୍ଠା ହୋଇଛି। ତାଙ୍କର ନଶ୍ୱର ଶରୀରକୁ ଯେଉଁଠାରେ ଭୂ-ସମାଧି କରାଯାଇଥିଲା, ସେଠାରେ ବିରାଟ ମନ୍ଦିର ନିର୍ମାଣ କରାଯାଇଛି। ଏହା ମହିମାଗାଦି ମନ୍ଦିର ଭାବରେ ଖ୍ୟାତ। ପ୍ରତିବର୍ଷ ଏଠାରେ ମାଘ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ବିରାଟ ମହିମା ମେଳା ମହା ଆଡ଼ମ୍ବର ସହକାରେ ପାଳିତ ହୁଏ। ଯୋରନ୍ଦାସ୍ଥିତ ମହିମାଧର୍ମ ସମାଜର ସମସ୍ତ ମଠମନ୍ଦିର ମହିମାଗାଦି ଭାବରେ ସୁପ୍ରସିଦ୍ଧ।
ମହିମା ଗୋସେଇଁ ବା ମହିମାସ୍ବାମୀ ଓଡ଼ିଶାର ବହୁ ସ୍ଥାନରେ ମହିମା ଆଶ୍ରମ ବା ମହିମାଟୁଙ୍ଗି ସ୍ଥାପନ କରିଥିଲେ। ତନ୍ମଧ୍ୟରେ ବାଙ୍କୀର ମାଳବେହାରପୁର, ଆଠଗଡ଼ର ଖୁଣ୍ଟୁଣୀ, ଖୋର୍ଦ୍ଧାର ଅନ୍ଧାରୁଆ, ଦାରୁଠେଙ୍ଗ, ଡାଳିଯୋଡ଼ାର ମଙ୍ଗରାଜପୁର, ଆଗ୍ରାହାଟ, ଢେଙ୍କାନାଳର ଜକା ଯୋରନ୍ଦା ଓ ମଢ଼ି (କାମାକ୍ଷାନଗର) ଏବଂ ଅନୁଗୋଳର ଅଙ୍ଗାରବନ୍ଧ ଆଦି ଅନ୍ୟତମ। ଏହିସବୁ ମହିମାଟୁଙ୍ଗିରେ ସ୍ବାମିଜୀ ସ୍ବହସ୍ତରେ ଧୁନି ସ୍ଥାପନ କରିଥିଲେ। ପ୍ରତ୍ୟେକ ମହିମା ଟୁଙ୍ଗିରେ ସେ ମହିମାମେଳା ଅନୁଷ୍ଠିତ କରୁଥିଲେ। ଜଗତ ଭଗତଙ୍କୁ ମହିମାଧର୍ମର ଶାଶ୍ୱତବାଣୀ ଶୁଣାଉଥିଲେ। ଏହିସବୁ ଆଶ୍ରମ ବା ଟୁଙ୍ଗି ଥିଲା ଗୋଟିଏ ଗୋଟିଏ ଶିକ୍ଷାକେନ୍ଦ୍ର। ମହିମା ସ୍ବାମୀ ଯୋରନ୍ଦାଠାରେ ମାଘ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ମେଳା ଅନୁଷ୍ଠିତ କରିଥିବାରୁ ବ୍ରହ୍ମଲୀନ ପରେ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଯୋରନ୍ଦାଠାରେ ପ୍ରତିବର୍ଷ ମହିମାମେଳା ଅନୁଷ୍ଠିତ ହୋଇଆସୁଛି। ଏହି ମେଳା ମହିମାଧର୍ମର ବାର୍ଷିକ ଉତ୍ସବ ଭାବରେ ପରିଚିତ।
ମହିମା ସ୍ବାମୀଙ୍କ ମହାପ୍ରୟାଣ ପରେ ତାଙ୍କର ପ୍ରିୟ କୌପୀନଧାରୀ ସିଦ୍ଧ ସନ୍ନ୍ୟାସୀ ଶିଷ୍ୟ ପରମାନନ୍ଦ ବାବା ସମାଧି ଉପରେ ସର୍ବପ୍ରଥମେ ଏକ ୫ ହାତିଆ ମନ୍ଦିର ନିର୍ମାଣ କରି ନୀତି-ସେବା କରୁଥିଲେ। ଏହି ନୀତି କାର୍ଯ୍ୟରେ ତାଙ୍କୁ ତତ୍‌କାଳୀନ କୌପୀନଧାରୀ ସିଦ୍ଧ ସନ୍ନ୍ୟାସୀ ଘାସିରାମ ବାବା, ମସ୍ତରାମ ବାବା ଓ ଚନ୍ଦ୍ରମଣି ବାବା ଓଗେର ସହାୟତା କରୁଥିଲେ। ମହିମା ସ୍ବାମୀଙ୍କ ଗହଣିଆ ଭକ୍ତ ଯୋରନ୍ଦା ଗ୍ରାମ ନିବାସୀ ଦାମ ବେହେରା ମଧ୍ୟ ସହାୟତା କରୁଥିଲେ। ଏହାପରେ ୧୮୮୧ରେ ମହିମା ସ୍ବାମୀଙ୍କ ଅନ୍ୟ ସିଦ୍ଧ ଶିଷ୍ୟ ଯଥା ସିଦ୍ଧ କୌପୀନଧାରୀ ବିଦ୍ୟାଧର ବାବା, ସିଦ୍ଧ ବଳ୍କଳଧାରୀ ବଡ଼ କୃପାସିନ୍ଧୁ ବାବା ଓ ନୀଳାଦ୍ରି ବାବା ପ୍ରମୁଖ ସନ୍ନ୍ୟାସୀମାନେ ମିଳିତ ହୋଇ ନୀତି ସେବା କାର୍ଯ୍ୟରେ ଯୋଗଦେଇଥିଲେ। ତତ୍‌ପରେ ଭକ୍ତମାନଙ୍କ ଅର୍ଥ ଦାନରେ ପରମାନନ୍ଦ ବାବାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମହିମାଗାଦି ମନ୍ଦିର ଓ ମଠ, ଧର୍ମଶାଳା ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହେଲା। ପରମାନନ୍ଦ ବାବାଙ୍କ ନିର୍ମିତ ୫ ହାତିଆ ସମାଧି ମନ୍ଦିରଟି ବର୍ତ୍ତମାନର ବିରାଟ ମହିମା ମନ୍ଦିର ଗର୍ଭଗୃହରେ ବିଦ୍ୟମାନ। କ୍ରମେ ମହିମାଗାଦିର ପରିସର ବୃଦ୍ଧିପାଇବାରେ ଲାଗିଛି। ବତ୍ତର୍ମାନ ଏଠାରେ ଅନେକ ମଠମନ୍ଦିର ରହିଛି। ସେଗୁଡ଼ିକ ହେଲା- ଶୂନ୍ୟମନ୍ଦିର, ଧୁନିମନ୍ଦିର, କୌପୀନଧାରୀ ମହିମା ସମାଜର ଅଖଣ୍ଡବତି ମନ୍ଦିର, ପଶ୍ଚିମାଞ୍ଚଳ ମହିମାଶ୍ରମ କୃତାମୂଳ ଆଶ୍ରମ, ଜଟିଆ ବାବାଙ୍କ ଆଶ୍ରମମଣ୍ଡଳ, ଯାମୁଶାର ମଠ, ପଣସମୂଳ ମଠ, ବର୍ଣ୍ଣାଢ଼୍ୟ ପଟଣା ମଠ, ଆମ୍ବମୂଳ ସିଦ୍ଧାଶ୍ରମ ଓ ପୋଖରୀ ତଳ କାଶୀନାଥ ବାବାଙ୍କ ଆଶ୍ରମ ମଣ୍ଡଳ ଇତ୍ୟାଦି।
ମହିମାମେଳାକୁ ଉପଭୋଗ କରିବା ପାଇଁ ତଥା ମହିମା ମହୋତ୍ସବ ଦର୍ଶନ ନିମନ୍ତେ ମେଳା ପୂର୍ବରୁ ସମବେତ ହୁଅନ୍ତି ଓଡ଼ିଶା, ଆସାମ, ନାଗାଲାଣ୍ଡ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ, ସିକ୍କିମ, ତିବ୍ବତ, ନେପାଳ ଓ ବାଂଲାଦେଶର ଉକ୍ତ ଓ ସନ୍ନ୍ୟାସୀମାନେ। ମହିମାମେଳା ଦିବସରେ ଏହି ଭକ୍ତ ଓ ସନ୍ନ୍ୟାସୀମାନଙ୍କର ଅପୂର୍ବ ସମାବେଶ ଘଟେ। ‘ଅଲେଖ ମହିମା ବ୍ରହ୍ମମନ୍ତ୍ର ନିନାଦରେ ବେଢ଼ା ପରିସର ପ୍ରକମ୍ପିତ ହୁଏ। ମନ୍ଦିର ପରିସରରେ ବିଭିନ୍ନ ବାଦ୍ୟଯନ୍ତ୍ରର ନିନାଦ ଓ ଜନ କୋଳାହଳ ମଧ୍ୟରେ ମୁହୁର୍ମୁହୁ ‘ଅଲେଖ’ ଡାକରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ। ଏପରି ଆଧ୍ୟାତ୍ମିକ ଦୃଶ୍ୟପଟକୁ ସନ୍ଦର୍ଶନ କରି ଧାର୍ମିକ ଜନତା ମନରେ ଅଫୁରନ୍ତ ଧର୍ମଭାବ ଉଦ୍ରେକ ହେବା ସ୍ବାଭାବିକ। ଆକାଶର ପୂର୍ଣ୍ଣଚନ୍ଦ୍ର କିରଣ ଓ ଘୃତଦୀପାଳିଗୁଡ଼ିକର ଜ୍ୟୋତିଶିଖା ଏକତ୍ରିତ ହୋଇ ମହିମା ସ୍ବାମୀଙ୍କ ସ୍ମୃତିକୁ ଅବଲୋକନ କରୁଥିବା ପରି ମନେହୁଏ। ଏହି ମେଳାରେ ଦୀପଶିଖା ବା ଦୀପାଳିଗୁଡ଼ିକରେ ମହଣ ମହଣ ଘୃତ ଆହୂତି ହୋଇଥାଏ। ଏପରି ଦୃଶ୍ୟ ଅନ୍ୟତ୍ର ଦେଖିବାକୁ ବିରଳ। ଏହା ସହିତ ସନ୍ଥକବିଙ୍କ ଭଜନ ଜଣାଣ ଗାୟନକରି ସାଧୁଭକ୍ତମାନେ ନାଚି ନାଚି ଆନନ୍ଦରେ ଗଡ଼ିଯାଆନ୍ତି। ସେମାନଙ୍କ ମୁହଁରୁ ସ୍ବତଃ ନିସୃତ ହୋଇଥାଏ ”ଗୁରୁ ଅଲେଖ ମହିମା ରଖ, ତିନି ଭୁବନରୁ ପଡ଼ୁଛି ଡାକ। ଗୁରୁ ଅନାଦି ମହିମାଗାଦି ତିନି ଭୁବନକୁ ଯାଉଛି ଭେଦି।“ ଏହି ମେଳା ପରିସରକୁ ଜାତି, ବର୍ଣ୍ଣ , ଧର୍ମ ନିର୍ବିଶେଷରେ ଭକ୍ତମାନେ ପ୍ରବେଶ କରିଥାଆନ୍ତି। କୌଣସି ବାରଣ ନ ଥାଏ- ଏହା ହେଉଛି ମହିମାଧର୍ମର ଆଦର୍ଶ ଓ ପରମ୍ପରା। ମହିମାଧର୍ମ ଓ ମହିମାମେଳା ସାର୍ବଜନୀନ ଧର୍ମ ଓ ମହୋତ୍ସବ ଭାବରେ ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି। ଏହାର ମୂଳମନ୍ତ୍ର ହେଲା –
”ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ
ଦେଖୁ ଦେଖୁ କେବା ସହୁ।
ମୋ ଜୀବନ ପଛେ ନର୍କେ ପଡ଼ିଥାଉ
ଜଗତ ଉଦ୍ଧାର ହେଉ।“
ମୋ-୯୪୩୮୨୯୯୧୭୪


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri