କନ୍ୟା ଏକ ଉଜ୍ଜ୍ୱଳ ତାରକା

ନାରୀ ଓ ପୁରୁଷ ଉଭୟ ସମାଜର ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ପରି। ଗୋଟିଏ ସୁସ୍ଥ ସମାଜ ଗଠନରେ ପୁରୁଷର ଭୂମିକା ଯେତିକି ରହିଛି ନାରୀର ଭୂମିକା ମଧ୍ୟ ସେତିକି । କଥାରେ ଅଛି ଗୋଟିଏ ନାରୀ ଶିକ୍ଷିତ ହୋଇ ପାରିଲେ ସେ ସମଗ୍ର ପରିବାରକୁ ଶିକ୍ଷିତ କରିପାରିବ। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ପୁଅଟିଏ ଜନ୍ମ ହେଲେ ଲୋକମାନଙ୍କ ଖୁସି କହିଲେ ନ ସରେ, କିନ୍ତୁ କନ୍ୟାଟିଏ ଜନ୍ମ ହେଲେ ସତେ ଯେମିତି ପାଦତଳୁ ମାଟି ଖସିଯାଏ। ପୁଅ ଝିଅ ମଧ୍ୟରେ ଭେଦଭାବ ମଣିଷ ମନରେ ବସା ବାନ୍ଧି ରହିଛି। କନ୍ୟା ସନ୍ତାନ ପରିବାର ପାଇଁ ବୋଝ ବୋଲି ଅନେକେ ଜନ୍ମଦାତା ମାଆ ମଧ୍ୟ ଭାବିଥାନ୍ତି। ନିଜେ ମହିଳା ହୋଇ ମଧ୍ୟ ଆଗ୍ରହ ଥାଏ ପୁତ୍ର ସନ୍ତାନ ପାଇଁ; ଯାହା ଫଳରେ ବିଶ୍ୱରେ ମହିଳା ଅନୁପାତ କମିବାରେ ଲାଗିଛି।
ସ୍ବାଧୀନତାର ଏତେ ବର୍ଷ ପରେ ଥମିନି କନ୍ୟାଭ୍ରୂଣ ହତ୍ୟା ପରି ଅପରାଧ। ସମାଜରେ ପ୍ରତିଟି କ୍ଷେତ୍ରରେ ଝିଅମାନଙ୍କୁ ଅବହେଳା କରାଯାଇ ଆସିଛି। ଶିକ୍ଷା ହେଉ କି ଅଧିକାର, ଭଲ ଖାଦ୍ୟ ହେଉ କି ସ୍ବାସ୍ଥ୍ୟ ବା ସୁରକ୍ଷା ସବୁ କ୍ଷେତ୍ରରେ ପକ୍ଷପାତିତାର ସାମ୍‌ନା କରି ଆସିଛି ଝିଅ। ଏପରି କି ଖୁବ୍‌ କମ୍‌ ବୟସରେ ଝିଅଙ୍କୁ ବାହାଘର କରିଦେବା ଦେଖିବାକୁ ମିଳୁଛି। ଲିଙ୍ଗଗତ ଅସମାନତା, ଆଇନ ଅଧିକାର, ସ୍ବାସ୍ଥ୍ୟସେବା, ହିଂସା, ଭେଦଭାବ ଏବଂ ଅପରିପକ୍ୱ ବୟସରେ ବିବାହ ଭଳି ଅସମାନତା ଦେଖାଦେଇଛି ଝିଅମାନଙ୍କ କ୍ଷେତ୍ରରେ।
ଲିଙ୍ଗଗତ ବୈଷମ୍ୟତାକୁ ଦୂର କରି କନ୍ୟା ସନ୍ତାନମାନଙ୍କୁ ସବୁ କ୍ଷେତ୍ରରେ ସମାନ ଗୁରୁତ୍ୱ ପ୍ରଦାନ କରି ଏକ ସମୃଦ୍ଧ ଏବଂ ଉଜ୍ଜ୍ୱଳ ସମାଜ ଗଠନ କରିବା ଦିଗରେ ସମସ୍ତେ ଚେଷ୍ଟିତ ହେବା ଆବଶ୍ୟକ। ଝିଅମାନେ ଦକ୍ଷତାସମ୍ପନ୍ନ ହେଲେ ଦେଶ ପାଇଁ ଏକ ମୂଲ୍ୟବାନ ସମ୍ପତ୍ତି ହୋଇପାରିବେ। ଏଥିପାଇଁ ପ୍ରଥମେ ମାନସିକତାକୁ ପରିବର୍ତ୍ତନ କରିବାକୁ ପଡ଼ିବ। ଉଭୟଙ୍କର ଆବଶ୍ୟକତା ସମାଜକୁ ସମାନ ଭାବରେ ରହିଛି, ପୁଅକୁ ଝିଅ ସହ ତୁଳନା କିମ୍ବା ଝିଅକୁ ପୁଅ ସହ ତୁଳନା କରିବାର ଆବଶ୍ୟକତା ନାହିଁ। ନଚେତ୍‌ ସୁସ୍ଥ ସମାଜ ଗଠନ କରିବା ଅସମ୍ଭବ ହୋଇପଡ଼ିବ। ଯଦି ଆମେ ଆମ ଘରୁ ପରିବର୍ତ୍ତନ ଆରମ୍ଭ କରିବା, ତେବେ ନିଶ୍ଚିତ ରୂପେ ସମାଜରେ ପରିବର୍ତ୍ତନ ଆସିପାରିବ।
ପୁଅଟିଏ ଜନ୍ମହେଲେ ରୋଜଗାର କରି ପୋଷିବ ଓ ବଂଶ ରକ୍ଷା କରିବ। କନ୍ୟା ସନ୍ତାନ ଜନ୍ମ ହେଲେ ପରଘରକୁ ଚାଲିଯିବ ଏବଂ ବିବାହ ବେଳେ ବୋଝ ସାଜିବ;ଏଭଳି ମାନସିକତା ଯୋଗୁ ସମାଜରେ ଦିନକୁ ଦିନ ପୁଅମାନଙ୍କ ତୁଳନାରେ ଝିଅମାନଙ୍କ ସଂଖ୍ୟା କମିବାରେ ଲାଗିଛି। ଏ ଦିଗରେ ସଚେତନତା ସୃଷ୍ଟି ପାଇଁ ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ତରଫରୁ ୨୦୦୮ରୁ ପ୍ରତିବର୍ଷ ଜାନୁୟାରୀ ୨୪କୁ ଜାତୀୟ କନ୍ୟାସନ୍ତାନ ଦିବସ ରୂପେ ପାଳନ କରାଯାଉଛି। ଏହାକୁ ପାଳନ କରିବାର ମୂଳ ଉଦ୍ଦେଶ୍ୟ ହେଉଛି ସମାଜରେ ଲିଙ୍ଗଗତ ଭେଦଭାବ ଓ ତାଙ୍କୁ ସବୁ ପ୍ରକାରର ସୁବିଧା ଯୋଗାଇବା ପାଇଁ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା। ଏହା ବ୍ୟତୀତ ଶିକ୍ଷା, ପୋଷଣ, ଆଇନଗତ ଅଧିକାର, ଚିକିତ୍ସା, ମହିଳାଙ୍କ ବିରୁଦ୍ଧରେ ହିଂସା ଏବଂ ବାଲ୍ୟ ବିବାହ ରୋକିବା ଏହାର ଉଦ୍ଦେଶ୍ୟ।
ସାରା ଦେଶରେ ଝିଅମାନଙ୍କ ସମ୍ମାନ ଓ ସୁରକ୍ଷାକୁ ଗୁରୁତ୍ୱ ଦେବାକୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସଚେତନତା ମୂଳକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥାଏ। ସମାଜରେ ବହୁଳ ଭାବେ ହେଉଥିବା କନ୍ୟାଭ୍ରୂଣ ହତ୍ୟା, ଯୌତୁକ ନିର୍ଯାତନା, ଦୁଷ୍କର୍ମ ଆଦି ସାମାଜିକ ବ୍ୟାଧିକୁ ରୋକିବା ଓ କନ୍ୟାମାନଙ୍କୁ ସମ୍ମାନର ସହ ସମାଜରେ ବଞ୍ଚିବାକୁ ଦେବା ହେଉଛି ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଶିଶୁକନ୍ୟାମାନଙ୍କର ଅଧିକାରକୁ ସାବ୍ୟସ୍ତ କରିବା ସହ ସେମାନଙ୍କର ପାରଦର୍ଶିତାକୁ ପ୍ରତିପାଦିତ କରିବା ଉଦ୍ଦେଶ୍ୟରେ ଆଜି ‘ଜାତୀୟ କନ୍ୟା ସନ୍ତାନ ଦିବସ’ ପାଳିତ ହେଉଛି। ଏହି ଦିବସରେ ନା କେବଳ କନ୍ୟାମାନଙ୍କର ସମସ୍ୟା ବିଷୟରେ ସେମାନଙ୍କୁ ସଚେତନ କରାଇଥାଏ ଏହା ସହିତ କନ୍ୟାମାନଙ୍କର ଅସୁବିଧାର ସମାଧାନ କିପରି ହୋଇପାରିବ ତାହାକୁ ମଧ୍ୟ ଧ୍ୟାନ ଦିଆଯାଏ।
କନ୍ୟା ସନ୍ତାନ ପ୍ରତି ସୁରକ୍ଷା ଓ ଆଗ୍ରହ ପାଇଁ ଆମ ଦେଶ କିମ୍ବା ରାଜ୍ୟରେ ବହୁ ଯୋଜନା ଓ ଆଇନ କାର୍ଯ୍ୟକାରୀ ହେଉଛି। କନ୍ୟା ଶିଶୁ ଅନୁପାତ ହ୍ରାସ ହେବାର ସମସ୍ୟାର ସମାଧାନ ପାଇଁ ଭାରତ ସରକାର ଜାନୁୟାରୀ ୨୦୧୫ରୁ ବେଟି ବଚାଓ ବେଟି ପଢ଼ାଓ (ବିବିବିପି) ଯୋଜନା ଆରମ୍ଭ କରିଛନ୍ତି; ଯାହା ୧୦୦ଟି ଲିଙ୍ଗଗତ ଗୁରୁତ୍ୱପୂର୍ଣ୍ଣ ଜିଲାରେ ବହୁ ବିଭାଗୀୟ କାର୍ଯ୍ୟ ଉପରେ ପର୍ଯ୍ୟବସିତ। ଏହା ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ, ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ମିଳିତ ପଦକ୍ଷେପ। ଏହି ଯୋଜନାର ସାମଗ୍ରିକ ଲକ୍ଷ୍ୟ ହେଉଛି ବାଳିକା ଶିଶୁ ପାଳନ କରିବା ଏବଂ ତାଙ୍କ ଶିକ୍ଷାକୁ ସକ୍ଷମ କରିବା। ସେହିଭଳି ରାଜ୍ୟ ସରକାର ୨୦୧୬ରେ ବିଜୁ କନ୍ୟା ରତ୍ନ(ଆମ କନ୍ୟା ଆମ ରତ୍ନ) ଯୋଜନା ଆରମ୍ଭ କରିଥିଲେ। କନ୍ୟାଭ୍ରୂଣ ହତ୍ୟା ରୋକିବା, ଶିଶୁ କନ୍ୟା ଜନ୍ମ ହେବା ପରେ ସେମାନଙ୍କ ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ସହ ଅନ୍ୟମାନଙ୍କୁ ମଧ୍ୟ ବିଭିନ୍ନ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଯୋଜନାର ମୁଖ୍ୟ ଲକ୍ଷ୍ୟ ଥିଲା, କନ୍ୟା ଶିଶୁ ସୁରକ୍ଷା ରହିବା, ଲିଙ୍ଗ ନିରୂପଣ ରୋକିବା, କନ୍ୟା ସନ୍ତାନଙ୍କ ସ୍ବାସ୍ଥ୍ୟ, ପୁଷ୍ଟି, ଶିକ୍ଷା, ନିରାପତ୍ତା ଆଦି ସୁନିଶ୍ଚିତ କରିବା।
ସବୁ ଯୋଜନା ସତ୍ତ୍ୱେ କନ୍ୟା ସନ୍ତାନ ସମ୍ପୂର୍ଣ୍ଣ ସୁରକ୍ଷିତ ନୁହନ୍ତି। ଆଜି ମଧ୍ୟ ଲିଙ୍ଗ ନିରୂପଣ ଚାଲିଛି। ଯୌତୁକ ନିର୍ଯାତନା,ଦୁଷ୍କର୍ମ ଭଳି ଅମାନବୀୟ ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ଯେଉଁ ଦିନ ଆମେ ନିଜେ ନିଜର ମାନସିକତାକୁ ବଦଳାଇପାରିବା ତେବେ ସେହିଦିନ ସମାଜରେ ଏକ ବଡ଼ ପରିବର୍ତ୍ତନ ନିଶ୍ଚୟ ହେବ, ସମାଜ ପ୍ରଗତି ପଥରେ ଆଗେଇ ପାରିବ।

– ଚିତ୍ତରଞ୍ଜନ ପୃଷ୍ଟି
ନିମାପଡ଼ା, ପୁରୀ
ମୋ: ୯୭୭୮୧୭୭୫୦୧


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri