ଧର୍ମର ପୋଷାକ

ସହଦେବ ସାହୁ

 

ସ୍ତନ୍ୟପାୟୀ ପ୍ରାଣୀ ଭୟାଳୁ, ତେଣୁ ନିରାପଦ ସ୍ଥାନ ଖୋଜି ପିଲା ଜନ୍ମ କରାଏ ଓ ପିଲା ସ୍ବୟଂସମ୍ପନ୍ନ ହେବାଯାଏ, ନିଜେ ଖାଦ୍ୟ ସଂଗ୍ରହ କରିପାରିବା ଯାଏ ମାଆ ପାଖରେ ରହେ। ସ୍ତନ୍ୟପାୟୀମାନଙ୍କ ମଧ୍ୟରେ ମସ୍ତିଷ୍କର ସର୍ବାଧିକ ବିକାଶ ଘଟିଲା ମଣିଷର। ଖାଦ୍ୟାନ୍ବେଷଣରେ ମଣିଷ ଦୂର ଦୂରାନ୍ତକୁ ଯିବାକୁ ବାଧ୍ୟ ହେଲା ତ ପ୍ରାକୃତିକ ଗୁମ୍ଫା ଛାଡ଼ି ସେ କୃତ୍ରିମ ଘର ତିଆରି କଲା। ବାହାରକୁ ଗଲେ ଖରା-ତରା-ଶୀତକୁ ସମ୍ଭାଳିବା ପାଇଁ ଦେହକୁ ଆବୃତ କଲା। ଆବୃତ କରିବାର ଢଙ୍ଗ ଓ ବସ୍ତୁର ଜାତିବାଚକ ଶବ୍ଦ ହେଲା ପୋଷାକ। ପତ୍ର କି ବଳ୍କଳ ପିନ୍ଧିଥିବା ମଣିଷ ଯାଯାବର ଥିଲା। ପରେ ସଂଖ୍ୟାବୃଦ୍ଧି ଗୋଠ ବା ସମ୍ପ୍ରଦାୟ ତିଆରି କଲା ଓ ସେମାନେ ନଦୀ ବା ହ୍ରଦ କୂଳରେ ବସତି ସ୍ଥାପନ କଲେ, କାରଣ ତାହା ଖାଦ୍ୟ ଓ ପାନୀୟ ଯୋଗାଇଲା, ନଦୀକୂଳର ଘାସଜାତୀୟ ଶସ୍ୟ ପ୍ରାକୃତିକ ଉପାୟରେ କିପରି ବଢ଼େ ଦେଖି କୃଷି କର୍ମ ଆରମ୍ଭ କରିଦେଲା। ପରିବେଶ ଓ ଜଳବାୟୁ ଅନୁକୂଳ ହେଲେ ପ୍ରଚୁର ଖାଦ୍ୟ ମିଳିଲା ତ ଅନ୍ତରାୟ ହେଲେ ଖାଦ୍ୟାଭାବ ଖୁବ୍‌ କଷ୍ଟ ଦେଲା। ସେମାନେ ଭାବିନେଲେ ପ୍ରକୃତି ବା ପରିବେଶକୁ କେହି ଅଜଣା ଶକ୍ତି ନିୟନ୍ତ୍ରିତ କରୁଛି। ସେମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ସେମାନେ ପ୍ରାର୍ଥନା କରିବା ଅଭ୍ୟାସରେ ପକାଇଲେ। ଯାହାକୁ ମନେମନେ ପ୍ରାର୍ଥନା କଲେ ସେମାନେ ପୂଜ୍ୟ ହୋଇଗଲେ। ଅନୁକୂଳ ପରିସ୍ଥିତି କେବେ କେବେ ଆସେ ଓ କେଉଁ କେଉଁ ପ୍ରାକୃତିକ ଶକ୍ତି ତାକୁ ନିୟନ୍ତ୍ରଣ କରେ ବୋଲି ଯେଉଁମାନେ ସେମାନଙ୍କ ପର୍ଯ୍ୟବେକ୍ଷଣ ଦ୍ୱାରା ଅନୁମାନ କଲେ ସେମାନେ ପୂଜକ ବନିଗଲେ ଓ ପୂଜାର ସମୟ ସ୍ଥିର କରି କୃଷିକର୍ମରେ ସାହାଯ୍ୟ କଲେ। କାଳକ୍ରମେ ପ୍ରକୃତି ଓ ପରିବେଶର ନିୟନ୍ତ୍ରକକୁ ଗୋଟି ଗୋଟି କରି ଚିହ୍ନଟ କରି କୃଷିକର୍ମରେ ସ୍ଥିର ହୋଇ ରହିଥିବା ସ୍ଥାନରେ ସେହି ଶକ୍ତିର ଏକ ସନ୍ତକ ରଖି ପୂଜା କଲେ। ଦେବାଳୟର ସୃଷ୍ଟି ହେଲା, ସେହି ସ୍ଥାନରେ ମିଳୁଥିବା ଦ୍ରବ୍ୟକୁ ସମର୍ପଣ କରାଗଲା, ତେଣୁ ସ୍ଥାନ ଭେଦରେ ଦେବାଳୟଗୁଡ଼ିକରେ ଭୋଗର ସ୍ବରୂପ ବଦଳିଲା ଏବଂ ସ୍ଥାନୀୟ ପୋଷାକ ହିଁ ଦେବାଳୟ ପ୍ରବେଶର ଅନୁମତିସୂଚକ ହୋଇଗଲା। ବାହାରର ଭିନ୍ନ ପୋଷାକପିନ୍ଧା ଲୋକକୁ ବାସନ୍ଦ କରାଗଲା। ଦେବତାମାନେ ଚାରିକାନ୍ଥ ଭିତରେ ବନ୍ଧାହୋଇ ରହିଗଲେ। ଦେବତାଙ୍କୁ ସ୍ଥାନୀୟ ନାମ ଦିଆଗଲା। ଏସବୁ କହିବାର ଅର୍ଥ ଧର୍ମ ଓ ପୋଷାକ ଆରମ୍ଭରୁ ଆଞ୍ଚଳିକ, ତେଣୁ ବିଭିନ୍ନ ଅଞ୍ଚଳର ଲୋକଙ୍କ ପୋଷାକ ବିଭିନ୍ନ। କୌଣସି ଏକ ଅଞ୍ଚଳର ଦେବାଳୟର ପୂଜକମାନେ ସେହି ଅଞ୍ଚଳର ପୋଷାକକୁ ସମ୍ପୃକ୍ତ ମନ୍ଦିରରେ ପ୍ରବେଶ ପାଇଁ ଲାଗୁ କରିଦେଲେ। ସ୍କୁଲ ୟୁନିଫର୍ମ ବା କମ୍ପାନୀ ୟୁନିଫର୍ମ ଯେପରି ସ୍କୁଲ ଓ କମ୍ପାନୀ ପରିସରରେ ପ୍ରବେଶର ପରିଚୟପତ୍ର (ଏଣ୍ଟ୍ରି କାର୍ଡ)ା ପ୍ରତି ଦେବାଳୟ ପାଇଁ ଗୋଟିଏ ଗୋଟିଏ ପୋଷାକ ବରାଦ କରିବା ମାନେ ପ୍ରତି ଦେବାଳୟ ନିକଟରେ ସ୍ବତନ୍ତ୍ର ପୋଷାକର ଗୋଦାମ/ବିକ୍ରିକେନ୍ଦ୍ର ଖୋଲାଯିବା ଉଚିତ।
ଗୋଟିଏ ଗୋଟିଏ ଦେଶରେ ବି ବିଭିନ୍ନ ଅଞ୍ଚଳରେ ଆଞ୍ଚଳିକ ପୋଷାକକୁ ପୂଜକମାନେ ଧର୍ମର ଅଙ୍ଗ କରିବାର କାରଣ ଭୌଗୋଳିକ ବୋଲି ଆମେ ଜାଣୁ। ପ୍ରବଳ ଗରମରେ ଝାଳ ଗନ୍ଧକୁ ଏଡ଼ାଇବା ପାଇଁ ଦକ୍ଷିଣ ଭାରତୀୟମାନେ ଚନ୍ଦନ ଲେପ ବ୍ୟବହାର କଲେ, ତା’ ହିନ୍ଦୁ ପୂଜକମାନଙ୍କ ସନ୍ତକ ହୋଇଗଲା; ଝାଳ ଶୁଖିବା ପାଇଁ ଛାତି ଫୁଙ୍ଗୁଳା କରିବା ବା ଗାମୁଛା ଭଳି ହାଲୁକା ବସ୍ତ୍ର ଗୁଡ଼ାଇ ହୋଇ ପୂଜାସ୍ଥାନକୁ ଯିବାକୁ ପଡ଼ିଲା । ଆଲାସ୍କା ବା ଗ୍ରୀନ୍‌୍‌ଲାଣ୍ଡ ଭଳି ପ୍ରବଳ ଥଣ୍ଡା ସ୍ଥାନରେ (ଏପରି କି ହିମାଳୟରେ) ଫୁଙ୍ଗୁଳା ଛାତିରେ ପୂଜା ପାଠ କରିହେବ କି? ଛାତିରେ ଫ୍ରଷ୍ଟ-ବାଇଟ୍‌ ହେଲେ ସେ ବଞ୍ଚିବ ଯେ ଆଉ ପୁରୋହିତଗିରି କରିବ? ଆଲାସ୍କା ବା ମଙ୍ଗୋଲିଆରେ ମସ୍‌ଜିଦରେ ଅଜାନ ପଢ଼ିବା ପାଇଁ ଆରବୀ ପୋଷାକ ପିନ୍ଧି (ସାମାନ୍ୟ ପବନରେ ଉଡ଼ୁଥିବା ଲୁଙ୍ଗି ପିନ୍ଧି, ଖରାରୁ ରକ୍ଷାକରୁଥିବା ପତଳା ଧଳା ଟୋପିଟିଏ ମୁଣ୍ଡରେ ଦେଇ) ମୁଲ୍ଲା କ’ଣ ମସ୍‌ଜିଦର ମୀନାର ଉପରକୁ ଉଠିବ? ଆମ ଦେଶର ଦକ୍ଷିଣ ପ୍ରଦେଶଗୁଡ଼ିକରେ, ବିଶେଷତଃ କନ୍ୟାକୁମାରୀ ପାଖ ଅଞ୍ଚଳରେ, ଲୋକେ ତ ଧୋତିକୁ ଲୁଙ୍ଗି ଭଳି ପିନ୍ଧନ୍ତି! କାରଣ ପବନ ଯା’ ଆସ କରିପାରୁଥିବା ଢିଲା ପୋଷାକ ଝାଳକୁ ଉଡ଼ାଇଦେବ ତ ଦେହ ଥଣ୍ଡା ରହିବ! ପ୍ରବେଶ ପାଇଁ କନ୍ୟାକୁମାରୀର ସୂଚୀନ୍ଦ୍ରମ ମନ୍ଦିରରେ ଭଡ଼ାରେ ମନ୍ଦିର ଭଣ୍ଡାରରୁ ଲୁଙ୍ଗି ଓ ଗଞ୍ଜି ପିନ୍ଧିବାଠାରୁ ହିମାଳୟର କେଦାରନାଥଠାରେ ବହୁ ପରସ୍ତ ଗରମ ପୋଷାକ ଦୁଇ ତିନି ଦିନର ଅଗାଧୁଆ ଦେହରେ ପିନ୍ଧିବା ଯାଏ ପ୍ରଥା ଚାଲିଆସିଛି।
ଆରମ୍ଭରେ ଆଞ୍ଚଳିକ ଜଳବାୟୁର ଅନୁକୂଳ ହୋଇଥିବା ପୋଷାକ ଏବେ ସାରା ପୃଥିବୀର ଶ୍ରଦ୍ଧାଳୁମାନଙ୍କ ପ୍ରତି ଲାଗୁ ହେଉ ବୋଲି ଶ୍ରୀମନ୍ଦିରର ସେବାୟତମାନେ ଚାହୁଁଛନ୍ତି। ଆନ୍ଧ୍ର ପ୍ରଦେଶର ତିରୁପତି ମନ୍ଦିରରେ ଏମିତି ପୋଷାକ ସଂହିତା (ଡ୍ରେସ୍‌ କୋଡ୍‌) ନାହିଁ – ପ୍ରଦର୍ଶନମୂଳକ ପୋଷାକ, ମନର ଭକ୍ତି ଅପେକ୍ଷା ଶରୀରର ଅଙ୍ଗ ପ୍ରଦର୍ଶନ ଯାହାର ଉଦ୍ଦେଶ୍ୟ ତାହା ବାରଣ-ତାଲିକାରେ ଅଛି, କିନ୍ତୁ ଲୋକଙ୍କ ଛି ଛାକର ଏହାକୁ ନିୟନ୍ତ୍ରଣ କରେ, ସେବାୟତମାନଙ୍କ ଦ୍ୱାରା ପ୍ରବର୍ତ୍ତିତ ଡ୍ରେସ୍‌ କୋଡ୍‌ ନୁହେଁ। ଗୋଟିଏ କମ୍ପାନୀ ବା ଗୋଟିଏ ସ୍କୁଲର ୟୁନିଫର୍ମ ସୀମିତ ଓ ସ୍ଥାନୀୟ (ଆଞ୍ଚଳିକ)- ସେପରି ପୋଷାକ ଲାଗୁ କରିବା ଏକ କ୍ଷୁଦ୍ର ପରିସରରେ ସୀମିତ, ଶ୍ରୀମନ୍ଦିର ଭଳି ବିଶ୍ୱପ୍ରସିଦ୍ଧ ଦେବାଳୟରେ ଯେଉଁଠିକୁ ପୃଥିବୀର ବିଭିନ୍ନ ଦେଶରୁ ଶ୍ରଦ୍ଧାଳୁମାନେ ଆସନ୍ତି ସେମାନଙ୍କୁ ଅଡୁଆରେ ପକାଇବ। ଆରବ ମରୁଭୂମି, ମଙ୍ଗୋଲିଆ ବା ସାଇବେରିଆ ବା ଇଣ୍ଡୋନେସିଆର ବାଲି ଦ୍ୱୀପରୁ ଆସୁଥିବା ଭକ୍ତଙ୍କ ପାଇଁ କ’ଣ ବାରଣ କରିବା ନା ପୋଷାକ ଯୋଗାଇବାର ଗୋଦାମ ତିଆରି କରିବା। ସେ ତ ଜଗତରନାଥ, କେବଳ ପୁରୀ ବା ଓଡ଼ିଶାର ନାଥ ନୁହନ୍ତି। ପୋଷାକ ଭିିତରେ ବାରଣ ଜଗନ୍ନାଥ ସଂସ୍କୃତିର ପରିଚୟ ନୁହେଁ।
ପ୍ରାଚୀନ କାଳରେ ଭୌଗୋଳିକ ପ୍ରତିବନ୍ଧକ ଯୋଗୁ ବିଭିନ୍ନ ଅଞ୍ଚଳ ମଧ୍ୟରେ ପରସ୍ପର ସମ୍ପର୍କ ନ ଥିଲା, ଧର୍ମପ୍ରବର୍ତ୍ତକମାନେ ନିଜ ଆଖିଆଗରେ ଥିବା ଲୋକଙ୍କ ବେଶଭୂଷାକୁ ଧର୍ମର ଚିହ୍ନ ରୂପେ ଗ୍ରହଣ କରିନେଇଥିଲେ, ନୂଆ ଆଚରଣବିଧି ସହ ଏକାପ୍ରକାରର ପୋଷାକ ଲାଗୁ କରିବା ଆଞ୍ଚଳିକ ଶୃଙ୍ଖଳା ଆଣିବାର ଉପାୟ ଥିଲା। ନିଜ ଜ୍ଞାନର ବାହାରେ ଯେ ଅନେକ ସ୍ଥାନ ଅଛି ଓ ସେଠାରେ ଭିନ୍ନ ପ୍ରକାରର ଧର୍ମ ଥିବ ତାହା ପ୍ରାଚୀନକାଳର ଧର୍ମପ୍ରଚାରକ ଜାଣି ନ ଥିଲେ। ନିଜ ଦୃଷ୍ଟିର ଦିଗ୍‌ବଳୟ ଭିତରେ ଥିବା ସମାଜରେ ଥିବା ଦୁଃଖ ଓ ହତାଶଭାବକୁ ସହନୀୟ କରିବା ଲାଗି ଅବତାରୀ ପୁରୁଷମାନେ ଧର୍ମ ବା ଆଚରଣବିଧି ପ୍ରବର୍ତ୍ତନ କରିଥାନ୍ତି।
ପୋଷାକ ଧାରଣ ବା ଅନୁକରଣ ଆନୁଗତ୍ୟର ଉତ୍ତମ ପ୍ରମାଣ, ତେଣୁ ରାଜା ଓ ମହାରାଜାମାନେ ନୂତନ ଅଞ୍ଚଳକୁ ଅଧିକାର କଲେ ସେଠାକାର ଲୋକମାନଙ୍କ ଉପରେ ନିଜ ମୂଳ ରାଜ୍ୟର ପୋଷାକ ଢାଞ୍ଚା ଲଦି ଦିଅନ୍ତିି। ମୁସଲମାନ ମହିଳା ବୁର୍ଖା ପିନ୍ଧିବା ବା ଶିଖ୍‌ ପୁରୁଷ ପଗଡ଼ି ବାନ୍ଧିବା ଉପରେ ପାଶ୍ଚାତ୍ୟ ସରକାରମାନେ ନିରାପତ୍ତା ଦୃଷ୍ଟିରୁ କିଛି କଟକଣା ଜାରି କଲେ ତା’ ଧର୍ମବିରୋଧୀ ବୋଲି ସମ୍ପୃକ୍ତ ସମ୍ପ୍ରଦାୟର ଲୋକେ ପ୍ରତିବାଦ କରନ୍ତି। ଧର୍ମର ଉପତ୍ତ୍ତି ସ୍ଥଳର ପୋଷାକପତ୍ର ଧର୍ମର ଚିହ୍ନଟ ବୋଲି କହିବା ପୃଥିବୀର ଜଳବାୟୁର ବିଭିନ୍ନତାକୁ ଭୁଲିଯିବା ସାଙ୍ଗେ ସମାନ। ବଦମାସ୍‌ ଯେପରି ପୋଲିସ୍‌ ପୋଷାକରେ ପୋଲିସକୁ ଠକେ, ଭକ୍ତର ପୋଷାକ ଲାଗୁହେଲେ ଭକ୍ତିହୀନ ଅପରାଧ-ମନୋଭାବ ଥିବା ଲୋକେ ବି ଦେବାଳୟରେ ପ୍ରବେଶ କରିପାରିବେ – ଭକ୍ତି ନୁହେଁ ପୋଷାକ ହିଁ ପିନ୍ଧାଳିର ଭକ୍ତି ସୂଚାଇବ। ସବୁଠୁ ବଡ଼ ଅସୁବିଧା ହେବ ଯେ ଅର୍ଦ୍ଧଲକ୍ଷ ଯାଏ ପୋଷାକ ପ୍ରସ୍ତୁତ କରିବା, ମହଜୁଦ କରି ରଖିବାର ଗୋଦାମ ଗଢ଼ିବା ଓ ବଣ୍ଟନ କରିବାର ଆବଶ୍ୟକ କର୍ମଚାରୀ ଯୋଗାଇବା- ଏଥିପାଇଁ ଶ୍ରୀମନ୍ଦିର କର୍ତ୍ତୃପକ୍ଷ ପ୍ରସ୍ତୁତ ତ!
sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?