ପ୍ରବାସୀଙ୍କ ଭବିଷ୍ୟତ

ଡ. ନିଖିଳାନନ୍ଦ ପାଣିଗ୍ରାହୀ

 

ଯୌଥ ପରିବାର ପ୍ରତ୍ୟାବର୍ତ୍ତନର ପଦଧ୍ୱନି ଅଧୁନା ସ୍ପଷ୍ଟହେବାରେ ଲାଗିଛି। ଆମ ଦେଶର ଉଚ୍ଚ ଶିକ୍ଷିତ ତଥା ବିଭିନ୍ନ ବିଷୟର ବିଶେଷଜ୍ଞମାନେ ବିଦେଶ ମୁଖ୍ୟତଃ ଉନ୍ନତ ଦେଶଗୁଡ଼ିକୁ ଯିବା ଘଟଣା ନିତିଦିନିଆ ବ୍ୟାପାର ହୋଇଯାଇଛି। ସେଠାରେ ଧନ ଓ ମର୍ଯ୍ୟାଦା ପ୍ରାପ୍ତହେବା ସହ ସେମାନଙ୍କ ଜ୍ଞାନର ଉତ୍ତରୋତ୍ତର ଉନ୍ନତି ହେବ ବୋଲି ସେମାନଙ୍କ ମଧ୍ୟରୁ ଅନେକେ ବିଚାର କରୁଛନ୍ତି। ଏହା ପରୋକ୍ଷରେ ପ୍ରତିଭା ଚାଲାଣ ଭାବେ ଅଭିହିତ।
କିନ୍ତୁ ଏହି ଦେଶାନ୍ତରୀମାନଙ୍କ ଭବିଷ୍ୟତ କେତେ ସୁରକ୍ଷିତ? ତାଇଓ୍ବାନ ପ୍ରତି ଆମେ ଦୃଷ୍ଟି ପକାଇବା। ସେମିକଣ୍ଡକ୍ଟର ଶିଳ୍ପ ପାଇଁ ଏହା ବିଶ୍ୱବିଖ୍ୟାତ। ଚାଇନା ଭୂଖଣ୍ଡଠାରୁ ଅଳ୍ପ ଦୂରରେ ଗୋଟିଏ ଦ୍ୱୀପ ଉପରେ ଏହା ଅବସ୍ଥିତ। ଏହାକୁ ଅକ୍ତିଆର କରିବାକୁ ପରାକ୍ରମୀ ଚାଇନା ସର୍ବଦା ଲୋଲୁପଦୃଷ୍ଟି ପକାଇଆସୁଛି। ତେଣୁ ତାଇଓ୍ବାନ ନାଗରିକମାନେ ଚାପଗ୍ରସ୍ତ ହୋଇଥାନ୍ତି ନିଜର ସ୍ବାତନ୍ତ୍ର୍ୟ ଓ ସ୍ବାଧୀନତା ପାଇଁ।
ନିକଟରେ ତାଇଓ୍ବାନ ଭାରତର ଶ୍ରମିକଙ୍କୁ ନିଜ ଦେଶରେ ନିଯୁକ୍ତିଦେବା ପାଇଁ ଗୋଟିଏ ବୁଝାମଣାପତ୍ର ସମ୍ପାଦନ କରିଛି। ଏହାକୁ କାର୍ଯ୍ୟାନ୍ବିତ କରିବା ସକାଶେ ସେଠାକାର ଶ୍ରମମନ୍ତ୍ରୀ ସୁ ମିଙ୍ଗ୍‌ ଚୁନ୍‌ ମାର୍ଚ୍ଚ ୨୦୨୪ରେ ଟେଲିଭିଜନରେ ଏକ ସାକ୍ଷାତ୍‌କାର ବେଳେ କହିଥିଲେ, ଏଥିରେ ଉତ୍ତର ଭାରତୀୟଙ୍କୁ ବଛାଯିବ, କାରଣ ଏହି ପ୍ରବାସୀମାନଙ୍କ ରଙ୍ଗ, ଖାଦ୍ୟ ଅଭ୍ୟାସ ତାଇଓ୍ବାନ ବାସିନ୍ଦାଙ୍କ ସହ ମେଳଖାଉଛି। ସେମାନେ ଅବଶ୍ୟ ନିର୍ମାଣ, କୃଷି ଓ କଳକାରଖାନା କାର୍ଯ୍ୟରେ କୁଶଳୀ। ତେବେ ସେମାନଙ୍କୁ ଅଧିକ ପସନ୍ଦ କରାଯିବା କାରଣ ହେଉଛି , ସେମାନେ ତାଇଓ୍ବାନ ଲୋକଙ୍କ ପରି ଖ୍ରୀଷ୍ଟିଆନ ଧର୍ମାବଲମ୍ବୀ।
କଥା ହେଉଛି , ଗୋଟିଏ ଆଧୁନିକ ସମୃଦ୍ଧ ଗଣତାନ୍ତ୍ରିକ ଦେଶରେ ଜାତିଭେଦ ଓ ବର୍ଣ୍ଣବୈଷମ୍ୟ ବିଚାର ଏବେ ମଧ୍ୟ ତିଷ୍ଟି ରହିଛି। ଏହି କାରଣରୁ ସେମାନେ ବାଛବିଚାର ପନ୍ଥା ଅବଲମ୍ବନକରି ଗୋଟିଏ ନିର୍ଦ୍ଦିଷ୍ଟ ବର୍ଗକୁ ଅଗ୍ରାଧିକାର ଦେଉଛନ୍ତି। ଅବଶ୍ୟ ମନ୍ତ୍ରୀ ଜଣକ ସମାଲୋଚିତ ହେବାରୁ ପରେ ନିଜ ମନ୍ତବ୍ୟ ପ୍ରତ୍ୟାହାର କରିନେଇଥିଲେ। କିନ୍ତୁ ତାଙ୍କ ଦେଶରେ କେଉଁଠି ଏମିତି ଏକ ଦୁର୍ଭାବନା ଲୁଚି ରହିଥିବା ସନ୍ଦେଶ ଅମୂଳକ ହୋଇ ନ ପାରେ। ପ୍ରକାଶ ଥାଉକି, ସେଠାରେ ଯୁବକଙ୍କ ଅପେକ୍ଷା ବୃଦ୍ଧମାନଙ୍କ ସଂଖ୍ୟା ଆନୁପାତିକ ବିଚାରରେ ଅଧିକ। ଦେଶ ଚଳାଇବା ପାଇଁ ବିଦେଶର ଶ୍ରମଶକ୍ତି ନିହାତି ଦରକାର। ଏତାଦୃଶ ବାଧ୍ୟବାଧକତା ଥିଲେ ମଧ୍ୟ ନିଯୁକ୍ତି ପାଇଁ ଅବାଞ୍ଛିତ ସର୍ତ୍ତମାନ ବାଢ଼ିବା ଏକ ଅପରିଣାମଦର୍ଶୀ ଚିନ୍ତାଧାରା।
ଗୋଟିଏ ଜନମତ ସର୍ଭେରୁ ଜଣାପଡ଼େ, ୟୁରୋପୀୟ ଦେଶ ମଧ୍ୟରେ ଜର୍ମାନୀ, ଡେନ୍‌ମାର୍କ, ଫିନ୍‌ଲାଣ୍ଡ, ସୁଇଡେନ୍‌, ୟୁନାଇଟେଡ୍‌ କିଙ୍ଗ୍‌ଡମ୍‌, ଫ୍ରାନ୍ସ, ନରଓ୍ବେ ପରି ଉଚ୍ଚ ଶିକ୍ଷିତ ଦେଶରେ ଦେଶାନ୍ତରୀଙ୍କ ବିପକ୍ଷେ ସ୍ଥାନୀୟ ଲୋକେ ମତପୋଷଣ କରୁଛନ୍ତି। ଏପରିକି ଏହି ଦେଶଗୁଡ଼ିକରେ ଦକ୍ଷିଣପନ୍ଥୀ ରାଜନୈତିକ ଦଳଗୁଡ଼ିକ ପ୍ରତି ଜନସମର୍ଥନ କ୍ରମଶଃ ବୃଦ୍ଧିପାଉଛି। ଏପରିକି ଆମେରିକାରେ ନିର୍ବାଚନ ପ୍ରଚାର(୨୦୨୪) ଚାଲିଥିବା ବେଳେ ସିବିଏସ୍‌/ୟୁଗଭର୍ନମେଣ୍ଟ ପୋଲ୍‌ ମଧ୍ୟରେ ଜଣାପଡ଼ିଛି ଯେ, ପ୍ରାୟ ଅର୍ଦ୍ଧେକ ମତାଦାତା ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ଆଣ୍ଟି ଇମିଗ୍ରାଣ୍ଟ ନୀତିକୁ ସମର୍ଥନ ଜଣାଇଛନ୍ତି। ସ୍ମରଣୀୟ ଯେ, ଟ୍ରମ୍ପଙ୍କ ଭାଷାରେ ପ୍ରବାସୀମାନେ କୁଆଡ଼େ ଯୁକ୍ତରାଷ୍ଟ୍ରରେ ରହି ଆମେରିକାର ରକ୍ତକୁ ବିଷାକ୍ତ କରିଦେଉଛନ୍ତି। ନିଜ ଦେଶ ଛାଡ଼ି ଯେଉଁ ପରଦେଶକୁ ଉଜ୍ଜ୍ୱଳ ଭବିଷ୍ୟତ ଆଶାରେ ଲୋକେ ଯାଇ ବସବାସ କରୁଛନ୍ତି ତାହା ଯେ ସୁଖଦ ଓ ନିରାପଦ, ସେମିତି କିଛି ଗ୍ୟାରେଣ୍ଟି ନାହିଁ। ଏହି ଅନିଶ୍ଚିତତା କ୍ରମଶଃ ଉତ୍କଟ ହେବା ଜଳ ଜଳ ଦେଖାଯାଉଛି, ଯଦି ଆମେ ସାମ୍ପ୍ରତିକ ନିର୍ବାଚନୀ ଫଳାଫଳ ବିଶ୍ଲେଷଣକରିବା। ଏହା ଏକ ସତର୍କଘଣ୍ଟି।
ବିଦେଶ କଥାରୁ ବାହାରି ଆସି ଆମେ ନିଜ ଦେଶ ସମ୍ପର୍କରେ ଚର୍ଚ୍ଚାକରିବା। ତାମିଲନାଡୁର ଡିଏମ୍‌କେ ଲୋକ ସଭା ସଦସ୍ୟ ଓ ପୂର୍ବତନ ମନ୍ତ୍ରୀ ଏ. ରାଜା କହିଥିବା ପ୍ରକାଶ, ଭାରତ ଗୋଟିଏ ରାଷ୍ଟ୍ର ନୁହେଁ, କିନ୍ତୁ ଗୋଟିଏ ଉପମହାଦେଶ। କାରଣ କ’ଣ? ……ତାମିଲ ଗୋଟିଏ ଦେଶ, ଗୋଟିଏ ରାଷ୍ଟ୍ର। ମାଲୟାଲମ ଗୋଟିଏ ଭାଷା, ଗୋଟିଏ ଦେଶ, ଗୋଟିଏ ରାଷ୍ଟ୍ର। ଓଡ଼ିଶା ଗୋଟିଏ ଦେଶ, ଭାଷା ଓ ରାଷ୍ଟ୍ର। ଏହିସବୁ ଦେଶ ଦ୍ୱାରା ଭାରତ ଗଠିତ। ତେଣୁ ଭାରତ ଗୋଟିଏ ଦେଶ ନୁହେଁ। ଏହା ଗୋଟିଏ ଉପ ମହାଦେଶ। ଏଠାରେ ଅନେକ ପରମ୍ପରା ଓ ସଂସ୍କୃତି ରହିଛି। ଯଦି ତୁମେ ତାମିଲନାଡୁ ଆସୁଛ ଗୋଟିଏ ସଂସ୍କୃତିକୁ ଭେଟିବ…। ଏହି ମନ୍ତବ୍ୟ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକଟକରି ଭାଜପାର ପ୍ରମୁଖ ସଦସ୍ୟ ଅମିତ ମାଲବ୍ୟ ଅଭିଯୋଗ ବାଢ଼ିଲେ ଯେ, ଦେଶକୁ ଭାଗ ଭାଗ କରିବା ବିଷୟ ଏଥିରେ ରହିଛି। ଏହା ଘୃଣାଭାବ ସୃଷ୍ଟିକରିବ। ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ଏହି ପ୍ରକାର ବାକ୍ୟ ବିନିମୟ ସ୍ପୃହଣୀୟ ନୁହେଁ। ଓଡ଼ିଶା, ବିହାର, ବଙ୍ଗଳା, ୟୁପି ଇତ୍ୟାଦି ପ୍ରଦେଶରୁ ରୋଜଗାର ପାଇଁ ଶ୍ରମିକ ଓ ଉଚ୍ଚ ଡିଗ୍ରୀଧାରୀମାନେ ତାମିଲନାଡୁ, କେରଳ, କର୍ନାଟକ, ଗୁଜରାଟ ଇତ୍ୟାଦି ରାଜ୍ୟକୁ ଯାଇଥାନ୍ତି। ଏହି ପ୍ରକାର ବାକ୍‌ବିତଣ୍ଡା ପରିବେଶକୁ କଳୁଷିତ ଓ ଜୀବନକୁ ଅସହଜ କରିଦେବ।
ସମ୍ପ୍ରତି ବୈଶ୍ୱୀକରଣ ବା ଗ୍ଲୋବାଲାଇଜେଶନ ରାଜତ୍ୱ କରୁଛି। ଦେଶ ଓ ବିଦେଶ ମଧ୍ୟରେ ପୂର୍ବରୁ ଦୃଢ଼ୀଭୂତ ହୋଇଥିବା ବିଭାଜନ ଲୁପ୍ତହେବା ପଥରେ ଅଗ୍ରସର ହେଉଛି। ଏହାଦ୍ୱାରା ଯେକୌଣସି ଅଞ୍ଚଳରେ ବିଭିନ୍ନ ପ୍ରକାର ପ୍ରବାସୀ ସ୍ଥାନୀୟ ବ୍ୟକ୍ତିଙ୍କ ଗହଣରେ ନିବାସ କରି ରହିଛନ୍ତି। ବିଦେଶାଗତଙ୍କ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବା ସହ ଉନ୍ନତ ଦେଶଗୁଡ଼ିକର ଶ୍ରମିକ ଅଭାବ ପୂରଣ ହୋଇପାରୁଛି। ଏହି ବିଷୟକୁ ଦୃଷ୍ଟିରେ ରଖି ଏକ ସ୍ବାଗତଯୋଗ୍ୟ ସହାବସ୍ଥାନ ଦେଖାଦେବା ସଙ୍ଗତ ମନେହୁଏ। ତଥାପି ବାସ୍ତବ କ୍ଷେତ୍ରରେ ଏମିତି ସ୍ଥିତି ରୂପାୟିତ ହୋଇପାରୁନାହିଁ। ଦେଶାନ୍ତର ଏକ ବହୁ ସମସ୍ୟା ବିଜଡ଼ିତ ପ୍ରସଙ୍ଗ। ଦେଶ ଭିତରେ ଆଞ୍ଚଳିକ ମନୋଭବ ଏବଂ ବିଦେଶରେ ବର୍ଣ୍ଣ ଓ ଜାତିଭେଦ ଅପ୍ରୀତିକର ପରିସ୍ଥିତି ସୃଷ୍ଟିକରେ। ସ୍ମରଣଯୋଗ୍ୟ, ଭୂମଣ୍ଡୀକରଣର ଉଦ୍‌ଭବ ଓ ପ୍ରସାରଣ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଅନେକାଂଶରେ ଦାୟୀ। କିନ୍ତୁ ବୈଜ୍ଞାନିକ ଉପକରଣ ଏବଂ ପ୍ରୟୋଗିକ ଗାଜେଟ୍‌ମାନେ ଦିନକୁ ଦିନ ନୂତନ ସଂସ୍କରଣରେ ବଜାରକୁ ଆସୁଛନ୍ତି। ଟେକ୍ନୋଲୋଜିର ନୂତନ ପରିଚାଳନା ଓ ଉପଯୋଗ ପାଇଁ ବୃତ୍ତିଧାରୀମାନେ ଚାପଗ୍ରସ୍ତ ହୋଇଥାନ୍ତି। ନୂତନ କୌଶଳମାନ ଯଥାଶୀଘ୍ର ନ ଶିଖିଲେ, ସେମାନେ ନିଯୁକ୍ତି ହରାଇବେ। ବାସ୍ତବିକ ଅଧୁନା ପ୍ରବାସୀ ଜୀବନ ସଙ୍କଟାପନ୍ନ। ଏମିତି ଉଦ୍‌ବେଗଜନକ ପୃଷ୍ଠଭୂମିରେ ହୁଏତ ନିଜ ଅଞ୍ଚଳରେ ଆତ୍ମନିର୍ଭରଶୀଳ ହୋଇ ଉନ୍ନତି ଓ ସମୃଦ୍ଧି ହାସଲ କରିବା ଏକ ତେଜୀୟାନ ବିକଳ୍ପ ହୋଇପାରେ।
ମୋ: ୯୦୭୮୭୪୩୮୪୩


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri