ଫାଇଲ ଗାଏବ

ଓଡ଼ିଶାରେ ଗତ ସପ୍ତାହର ଏକ ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେବା କଥା। ଦୁଇଟି ଘଟଣା ଖୋଦ୍‌ ସରକାରଙ୍କ ଦ୍ୱାରା ଲୋକଲୋଚନକୁ ଅଣାଗଲା। ରାଜ୍ୟ ସରକାରଙ୍କ ଗୃହ ବିଭାଗ ତରଫରୁ ଭୁବନେଶ୍ୱର କ୍ୟାପିଟାଲ ପୋଲିସ ଷ୍ଟେଶନଠାରେ ମାମଲା ରୁଜୁ କରାଯାଇଛି। ଏହାର କାରଣ ହେଲା ସରକାରୀ କାର୍ଯ୍ୟାଳୟରୁ ଦୁଇଟି ଫାଇଲ୍‌ ଉଭାନ ହୋଇଯାଇଛି। ଗୋଟିଏ ହେଉଛି କନ୍ଧମାଳ ଜଲେଶପେଟାରେ ୨୩ ଅଗଷ୍ଟ ୨୦୦୮ରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ଏବଂ ସେଥିଯୋଗୁ ଘଟିଥିବା ଧାର୍ମିକ ଦଙ୍ଗା, ଯାହାଫଳରେ କିଛି ଲୋକଙ୍କ ମୃତ୍ୟୁ ଘଟିଥିଲା। ସେହି ଘଟଣା ପରେ ସୃଷ୍ଟି ହୋଇଥିବା ଧାର୍ମିକ ଦଙ୍ଗା ଯୋଗୁ ଓଡ଼ିଶାକୁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ନିନ୍ଦା ସହିବାକୁ ପଡ଼ିଥିଲା। ଏ ସମ୍ପର୍କରେ ଏକ ତଦନ୍ତ କମିଶନ ବସିଥିଲା, ଯାହାର ଅଧ୍ୟକ୍ଷ ଥିଲେ ଅବସରପ୍ରାପ୍ତ ବିଚାରପତି। ଅନ୍ୟଟି ହେଲା ଭୁବନେଶ୍ୱରସ୍ଥିତ ସମ୍‌ ହସ୍ପିଟାଲରେ ୧୮ ଅକ୍ଟୋବର ୨୦୧୬ ରାତିରେ ଅଗ୍ନିକାଣ୍ଡ ଘଟଣା। ଏହା ଫଳରେ ଆଇସିୟୁରେ ଥିବା ୨୨ ଜଣ ରୋଗୀଙ୍କ ମୃତ୍ୟୁ ପରେ ପରିଚାଳକଙ୍କ ଦ୍ୱାରା ସେହି ଘଟଣାକୁ ଘୋଡ଼ାଇବା ଯୋଗୁ ତତ୍କାଳୀନ ଆର୍‌ଡିସିଙ୍କ ତତ୍ତ୍ୱାବଧାନରେ ଏକ ଆର୍‌ଡିସିସ୍ତରୀୟ ତଦନ୍ତ କରାଯାଇଥିଲା। ଏହି ପୃଥକ୍‌ ଦୁଇ କମିଶନଙ୍କ ତଦନ୍ତ ଅବଧି ଅନେକ ଥର ବୃଦ୍ଧି କରିବା ପରେ ଦେଇଥିବା ରିପୋର୍ଟ ଏବେ ସରକାରଙ୍କ ଫାଇଲ୍‌ରେ ମିଳୁନାହିଁ । ସହଜ ସୁନ୍ଦର ବ୍ୟବସ୍ଥା ହେଉଛି ତଦନ୍ତ କମିଶନ ବସାଇ ତତ୍‌କ୍ଷଣାତ୍‌ ଜନସାଧାରଣଙ୍କୁ ଆଶ୍ୱସ୍ତି ଦେବା। ତାହାହିଁ ବିଜେଡି ସରକାର ସମୟରେ ଅନେକ ଘଟଣାରେ କରାଯାଇଥିଲା। କେବଳ ନବୀନ ସରକାରଙ୍କ ସମୟରେ ନୁହେଁ, କେନ୍ଦ୍ରରୁ ସବୁ ରାଜ୍ୟ ପର୍ଯ୍ୟନ୍ତ କଂଗ୍ରେସ ଓ ଭାଜପା ଶାସନ କାଳରେ ଏହିଭଳି ମିଛଖଚ କହି ଲୋକଙ୍କୁ ନୀରବ କରାଇଦେବା ଗତାନୁଗତିକ ଧାରାରେ ପଡ଼ିଗଲାଣି। ଓଡ଼ିଶାରେ ୨୦୨୪ରେ ରଥଯାତ୍ରା ସମୟରେ ବଡ଼ଠାକୁର ବଳଭଦ୍ର ପଡ଼ିଯିବା ସମ୍ପର୍କରେ ଏଡିଏମ୍‌ଙ୍କ ତତ୍ତ୍ୱାବଧାନରେ ପ୍ରଶାସନିକ ତଦନ୍ତ କରାଯାଇଥିଲା। ଏପର୍ଯ୍ୟନ୍ତ ସେ ସମ୍ପର୍କରେ କୌଣସି ରିପୋର୍ଟ ଜନସାଧାରଣଙ୍କ ନଜରକୁ ଆସିନାହିଁ। ସେହିଭଳି ୨୦୨୫ ରଥଯାତ୍ରା ସମୟରେ ଦଳାଚକଟାରେ ୩ ଜଣଙ୍କ ମୃତ୍ୟୁ ଓ ଅନେକ ଆହତ ହେବା ଘଟଣାରେ ତତ୍‌କାଳୀନ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ପ୍ରଶାସନିକ ତଦନ୍ତ କରାଯାଇଥିଲା। ଅନ୍ୟ କମିଶନଗୁଡ଼ିକୁ ଛାଡ଼ିଦେଲେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ଘଟଣା ଧାର୍ମିକ ଦୃଷ୍ଟିରୁ ସମ୍ବେଦନଶୀଳ ଥିବା ହେତୁ ସମସ୍ତେ ଭାବିଥିଲେ ତଦନ୍ତ ରିପୋର୍ଟ ତତ୍‌କ୍ଷଣାତ୍‌ ପ୍ରକାଶ ପାଇବ। ତାହା ଏପର୍ଯ୍ୟନ୍ତ ହୋଇନାହିଁ।
ତଦନ୍ତ କମିଶନ ଗଠନ ହୋଇ ରିପୋର୍ଟ ଦେବା ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ସରକାର ବହନ କରିଥାଆନ୍ତି। ସରକାରଙ୍କ ତହବିଲର ଅର୍ଥ ମାନେ କରଦାତାଙ୍କ ଟଙ୍କା ଖର୍ଚ୍ଚ ହୋଇଛି। ଏଠି କରଦାତା ବୋଇଲେ ସାଧାରଣ ଗରିବଠାରୁ ଧନୀ ପର୍ଯ୍ୟନ୍ତ। ଏଣୁ ଯେତେବେଳେ କରଦାତାଙ୍କ ପ୍ରବଳ ଅର୍ଥ ଖର୍ଚ୍ଚ କରାଯାଇ ତଦନ୍ତ ରିପୋର୍ଟ ପ୍ରସ୍ତୁତ ହେଉଛି, ତା’ର ପରବର୍ତ୍ତୀ କାର୍ଯ୍ୟ ସମ୍ପର୍କରେ କୌଣସି ତଥ୍ୟ ସାଧାରଣ ନାଗରିକଙ୍କୁ ମିଳୁନାହିଁ। ସମସ୍ତେ ଜାଣନ୍ତି କେବଳ ଓଡ଼ିଶା ନୁହେଁ ଭାରତସାରା ଅଘଟଣକୁ ନେଇ ବସିଥିବା ତଦନ୍ତ କମିଶନ କଦାପି ସ୍ଥିରୀକୃତ ସମୟରେ ରିପୋର୍ଟ ଦେଇ ନ ଥାଆନ୍ତି। ଏହା ସମ୍ପ୍ରସାରିତ ହୋଇ ବହୁଦିନ ଗଡ଼ିଯାଇଥାଏ। ଅର୍ଥାତ୍‌ କମିଶନ ତଦନ୍ତ ଅବଧି ଯେତେ ବଢ଼ିଯିବ ସେଥିପାଇଁ ଖର୍ଚ୍ଚ ହେଉଥିବା ଅର୍ଥ କରଦାତାଙ୍କଠାରୁ ଯିବା ଥୟ। ଫାଇଲ ହଜିଯାଇଥିବା ବା ଗାଏବ ହୋଇଯାଇଥିବା ବିଷୟ ଯେତିକି ଆଲୋଚନା ହେଉଛି, ତାହାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ କମିଶନଙ୍କ ପାଖରେ ସେହି ଫାଇଲ୍‌ର ନକଲ ନିଶ୍ଚିତ ଭାବେ ଥିବ। କାରଣ ତଦନ୍ତ କମିଶନର ଅଧ୍ୟକ୍ଷଙ୍କୁ ସରକାରୀ ଚାକିରିଆଙ୍କ ସହଯୋଗ ଲୋଡ଼ାଯାଇଥାଏ। ତଦନ୍ତ କମିଶନଗୁଡ଼ିକ କେବେ ହେଲେ ଜଣିକିଆ ହୋଇ ନ ଥାଏ। ତାଙ୍କୁ ସହଯୋଗ ଦେବାପାଇଁ ସରକାରୀ କର୍ମଚାରୀଙ୍କ ସହ କାର୍ଯ୍ୟାଳୟ ମଧ୍ୟ ସୃଷ୍ଟି କରାଯାଏ। ତେଣୁ ଅଧ୍ୟକ୍ଷଙ୍କ ପାଖରେ ନ ଥିଲେ ମଧ୍ୟ ସେଥିରେ କାର୍ଯ୍ୟ କରିଥିବା ଏବଂ ସେହି କାର୍ଯ୍ୟ ପାଇଁ ଦରମା ବ୍ୟତୀତ ସରକାରୀ ଅର୍ଥ ପାଇଥିବା କର୍ମଚାରୀ ନିଶ୍ଚିତ ଭାବେ ରିପୋର୍ଟ’ର ନକଲ ରଖିଥାନ୍ତି। ଏହାବ୍ୟତୀତ ଆଧୁନିକ ଡିଜିଟାଲ ଯୁଗରେ ସବୁ କାଗଜ ଓ ଦଲିଲ କ୍ଲାଉଡ୍‌ କିମ୍ବା ଓସ୍‌ଓ୍ବାସ ବା ଓଡ଼ିଶା ଷ୍ଟେଟ୍‌ ଓ୍ବାର୍କଫ୍ଲୋ ଅଟୋମେଶନ ସିଷ୍ଟମ ଭଳି ବ୍ୟବସ୍ଥାରେ ସୁରକ୍ଷିତ ପାସ୍‌ଓ୍ବାର୍ଡ ସହିତ ରଖାଯିବା ଉଚିତ। ତା’ ନ ହୋଇବା ଏକ ଆଶ୍ଚର୍ଯ୍ୟ ବିଷୟ। ଏଠାରେ ଆମେରିକା, ବ୍ରିଟେନ୍‌ ଓ ଅନ୍ୟ ଅଧିକାଂଶ ଦେଶର ସରକାରୀ ପଦ୍ଧତିରୁ କିଛି ଶିଖିହେବ। ସେହି ଦେଶଗୁଡ଼ିକରେ ସବୁ ଗୋପନୀୟତାର ଏକ ସମୟସୀମା ନିର୍ଦ୍ଧାରଣ କରାଯାଇଥାଏ। ଜାତୀୟ ସୁରକ୍ଷା ନାମରେ କୌଣସି ତଥ୍ୟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଲୁକ୍କାୟିତ ରଖିବାର ବ୍ୟବସ୍ଥା ଅଧିକାଂଶ ଦେଶରେ ନାହିଁ। ନିର୍ଦ୍ଧାରିତ ସମୟ ପାର ହୋଇଗଲା ପରେ ଏପ୍‌ଷ୍ଟିନ୍‌ ଫାଇଲ୍‌ ଭଳି ସବୁ ସମ୍ବେଦନଶୀଳ ତଥ୍ୟକୁ ସାର୍ବଜନୀନ କରିଦିଆଯାଏ। ସେଥିରେ ରାଷ୍ଟ୍ରପତିଙ୍କ ସହ ଅନ୍ୟ ବଡ଼ ରାଜନୈତିକ ବ୍ୟକ୍ତିତ୍ୱ, ଶିଳ୍ପପତି ଏପରିକି ଅନ୍ୟ ଦେଶର ପ୍ରଧାନମନ୍ତ୍ରୀ କିମ୍ବା ତୈଳମନ୍ତ୍ରୀ ସମ୍ପୃକ୍ତ ଥିଲେ ମଧ୍ୟ ସବୁ ତଥ୍ୟ ପଦାକୁ ଆସିଥାଏ। ଏହା ହେଉଛି ଏକ ସଚ୍ଚୋଟ ପ୍ରଶାସନର ଲକ୍ଷଣ। ଅବଶ୍ୟ ଭାରତରେ ଏଭଳି ସାର୍ବଜନୀନ କରିବା ବ୍ୟବସ୍ଥାକୁ ମଧ୍ୟ ଅପବ୍ୟବହାର କରାଯାଇପାରେ। ରାଜନୈତିକ ସୁବିଧା ପାଇଁ କ୍ଷମତାସୀନ ଦଳ ତାହାର ବିରୋଧୀମାନଙ୍କ ସମ୍ପର୍କରେ ତଥ୍ୟ ପଦାରେ ଛାଡ଼ିଲାବେଳକୁ ନିଜ ନେତାମାନଙ୍କର କୁକର୍ମକୁ ସମ୍ପୂର୍ଣ୍ଣ ଭାବେ ଲୁଚାଇଦେଇପାରେ।

Dharitri – Odisha’s No.1 Odia Daily