ଶ୍ରେଷ୍ଠତାର ଲଢ଼େଇ

ଧନ, ଜନ, ବିଦ୍ୟା, ଯଶ ଏମିତି ଅନେକ ବିଷୟକୁ ନେଇ ଲୋକେ ନିଜକୁ ଶ୍ରେଷ୍ଠ ବୋଲି ବିଚାରିବା ଦେଖାଯାଏ। ତେବେ ସଂସାରରେ କେବଳ ହିଁ ଈଶ୍ୱରଙ୍କର ନିୟମ ହିଁ ସଦାସର୍ବଦା ପ୍ରଚଳିତ ହୋଇଆସୁଛି । ଈଶ୍ୱରଙ୍କର ସେହି ନିୟମ ଅନୁସାରେ ଜଣେ ଲୋକ ଯେକୌଣସି ବିଷୟରେ ଯେତେ ପ୍ରବୀଣ, ନିପୁଣ ହୋଇଥିଲେ ଅବା ଯେତେ ଶ୍ରେଷ୍ଠତା ଅର୍ଜନ କରିଥିଲେ ମଧ୍ୟ ତା’ଠାରୁ ଶ୍ରେଷ୍ଠ ଏ ସଂସାରରେ ନିଶ୍ଚୟ ଆଉ ଜଣେ କେହି ଅଛନ୍ତି। ତୁମେ ଶ୍ରେଷ୍ଠ ଧନୀ ବୋଲି ଲୋକମାନଙ୍କ ଦ୍ୱାରା ବିବେଚିତ ହେଉଥିଲେ ମଧ୍ୟ ତୁମଠାରୁ ଅନ୍ୟ ଜଣେ କେହି ନିଶ୍ଚୟ ଅଧିକ ଧନୀ ଏ ସଂସାରରେ ରହିଛନ୍ତି। କିନ୍ତୁ ତାଙ୍କର ଶ୍ରେଷ୍ଠତା ପ୍ରତିପାଦିତ ହୋଇପାରି ନ ଥିବାରୁ ହୁଏତ ସେ ଲୋକଲୋଚନକୁ ଆସିପାରିନାହାନ୍ତି। ସଂସାରରେ ଅର୍ଜୁନ ଶ୍ରେଷ୍ଠ ଧନୁର୍ଦ୍ଧର ବୋଲି ସମସ୍ତେ ଜାଣିଥିଲେ ବି ଏକଲବ୍ୟ ଯେ ଅର୍ଜୁନଠାରୁ ଅଧିକ ପ୍ରତିଭାବାନ୍‌ ଏକଥା ସେଦିନ ଗୁରୁ ଦ୍ରୋଣଙ୍କର ହୃଦ୍‌ବୋଧ ହୋଇଥିଲା ଏବଂ ବୋଧହୁଏ ସେଇଥିପାଇଁ ସେ ତାଙ୍କର ଦକ୍ଷିଣହସ୍ତର ବୃଦ୍ଧାଙ୍ଗୁଷ୍ଠିକୁ ଦକ୍ଷିଣା ରୂପରେ ତା’ଠାରୁ ମାଗି ଆଣିଥିଲେ। ସେହିପରି ସମଗ୍ର ମହାଭାରତ ଯୁଦ୍ଧକୁ ଗୋଟିଏ ଦିନରେ ସମାପ୍ତ କରିଦେବାର ସାମର୍ଥ୍ୟ ବେଲାଳସେନଙ୍କଠାରେ ଦେଖି ସେଦିନ ଶ୍ରୀକୃଷ୍ଣ ତା’ଠାରୁ ତା’ର ଛିନ୍ନ ମସ୍ତକ ମାଗି ନେଇଥିଲେ।
କିଛି ଲୋକ ଶ୍ରେଷ୍ଠତା ଅର୍ଜନ କରିବା ଭିତରେ ଶ୍ରେଷ୍ଠ ବୋଲି ଘୋଷିତ ହେବା ଚେଷ୍ଟାରେ ଥାଆନ୍ତି ପ୍ରାୟ ଅନବରତ। ଅଳ୍ପ ଜ୍ଞାନର ଅଧିକାରୀ ହୋଇ ବହୁତ ଜ୍ଞାନ ଅର୍ଜନ କରିଥିବା ପ୍ରମାଣପତ୍ର ପ୍ରାପ୍ତ ହୋଇଥିବା ଲୋକଙ୍କର ସଂଖ୍ୟା ଏ ସଂସାରରେ କମ୍‌ ନୁହେଁ। ସିଲେଇ ମେଶିନର କାର୍ଯ୍ୟକୁ ଦେଖନ୍ତୁ ତ। ଦୁଇଟି ସୂତା ଗୋଟିଏ ଉପରୁ ଏବଂ ଅନ୍ୟ ଗୋଟିଏ ତଳୁ ସମାନ୍ତରାଳ ଭାବେ ଆଗକୁ ବଢ଼ନ୍ତି ଏବଂ ନିର୍ଦ୍ଦିଷ୍ଟ ଦୂରତାରେ ସେ ଦୁହେଁ ପରସ୍ପର ସହିତ ଛନ୍ଦିହୋଇ ଯାଆନ୍ତି ଏବଂ ସେଇଠି ଗଣ୍ଠିଟିଏ ପଡ଼ିଯାଏ। ଏପରି ମେଶିନକୁ ଉଦ୍ଭାବନ କରିଥିବା ଲୋକଟିର ନାମକୁ କେତେଜଣ ଜାଣନ୍ତି ଅଥବା ମନେରଖିଛନ୍ତି ? ସେହି ମେଶିନ ଖରାପ ହେଲେ ତାକୁ ସଜାଡ଼ିବା ଲୋକ ଦୁଆରେ ଭିଡ଼ ଜମେ ଏବଂ ତା’ର ପ୍ରଶଂସା ଗାନ କରାଯାଏ। ଆଜିକାଲି ଯାନ୍ତ୍ରିକ ଶକ୍ତିର ଉପଯୋଗକରି ବଡ଼ ବଡ଼ ପୋଲ, ବହୁତଳ ପ୍ରାସାଦ ତିଆରି କରାଯାଇପାରୁଛି। ଏସବୁ ମୂଳରେ ଅଛି ଯାନ୍ତ୍ରିକ କୌଶଳ। ତେବେ ସେହି ଯାନ୍ତ୍ରିକ କୌଶଳକୁ ନେଇ ବିସ୍ମୟ ପ୍ରକାଶ କରନ୍ତି ସିନା ତା’ର ଉଦ୍ଭାବକଙ୍କୁ କେହି ମନେପକାନ୍ତି ନାହିଁ। ବରଂ ସେହି ଯାନ୍ତ୍ରିକ କୌଶଳକୁ ପ୍ରୟୋଗକରି କାର୍ଯ୍ୟ କରୁଥିବା ଲୋକଟି ଅନେକ ସମ୍ମାନ ଓ ଅର୍ଥ ତଥା ଧନ୍ୟବାଦ ପ୍ରାପ୍ତ ହୋଇଥାଏ।
ସ୍କୁଲ ପିଲାଙ୍କୁ ପଚାର କୋଣାର୍କ ମନ୍ଦିର ଲାଙ୍ଗୁଳା ନରସିଂହ ଦେବ ତୋଳାଇଥିଲେ ବୋଲି ଇତିହାସରୁ ପଢ଼ିଥିବା ପାଠକୁ କହିବେ ସେମାନେ। ସେଇଟିକୁ ଯେଉଁ ଶିଳ୍ପୀ ତିଆରି କରିଥିଲେ ସେକଥା କେହି କହିବେ ନାହିଁ। ବିଶୁ ମହାରଣା କଥା ତ ଗୋଟିଏ ଆଖ୍ୟାୟିକା ମାତ୍ର, ଇତିହାସର କଥା ନୁହେଁ। ମନ୍ଦିରଟିଏ ଗଢ଼ିବାରେ ଯେଉଁ ବୈଜ୍ଞାନିକତା ଆବଶ୍ୟକ ଉକ୍ତ କଥାଟି ସେ ସମୟର ସେହି ଶିଳ୍ପୀମାନେ କାର୍ଯ୍ୟରେ ପରିଣତ କରିଯାଇଛନ୍ତି। ତା’ର ସାକ୍ଷୀ ସେହି ମନ୍ଦିର(ସୂର୍ଯ୍ୟମନ୍ଦିର) ଯାହା ଅର୍ଦ୍ଧଭଗ୍ନ ଅବସ୍ଥାରେ ଥାଇ ଆଜି ମଧ୍ୟ ଏସବୁର ଉଦ୍‌ଘୋଷଣା କରୁଛି। ସେହିପରି ଜଗନ୍ନାଥ ମନ୍ଦିର ଓ ଲିଙ୍ଗରାଜ ମନ୍ଦିର ମନ୍ଦିରଗୁଡ଼ିକରେ ବ୍ୟବହୃତ ହଜାର ହଜାର ଟନ୍‌ ଓଜନର ଅଜସ୍ର ପ୍ରସ୍ତରଖଣ୍ଡ ଏତେ ଉଚ୍ଚତାରେ ବ୍ୟବହୃତ କରିବା କେତେ ଆୟାସସାଧ୍ୟ। ସତରେ ଏହା ଅତ୍ୟନ୍ତ ବିସ୍ମୟର କଥା ନୁହେଁ କି ? ମନ୍ଦିର ନିର୍ମାଣରେ ସେ ସମୟର ରାଜା ମହାରାଜାମାନେ ପୃଷ୍ଠପୋଷକତା କରିଥିଲେ ନିଶ୍ଚୟ। ନଚେତ୍‌ ଏପରି କାର୍ଯ୍ୟ କୌଣସି ସାଧାରଣ ଲୋକ ପକ୍ଷରେ କରିବା ସମ୍ଭବ ହୋଇ ନ ଥାନ୍ତା। ତଥାପି ଏସବୁ କ୍ଷେତ୍ରରେ ଶିଳ୍ପୀର ଶ୍ରେଷ୍ଠତା ପ୍ରାପ୍ୟ ନୁହେଁ କି ?
ପ୍ରତିଯୋଗିତାରେ ଯିଏ ଶ୍ରେଷ୍ଠତା ପ୍ରାପ୍ତ ହୁଅନ୍ତି, ସେ ଯେ ସତରେ ଶ୍ରେଷ୍ଠ ଏ କଥା ଦମ୍‌ ଦେଇ କହିବା କଷ୍ଟକର। ସେହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀମାନଙ୍କ ମଧ୍ୟରେ ସେ ହୁଏତ ଶ୍ରେଷ୍ଠ ହୋଇପାରନ୍ତି। କିନ୍ତୁ ସେହି ବିଷୟକୁ ନେଇ ଶ୍ରେଷ୍ଠତାର ଯୋଗ୍ୟ ଅନେକ ହୁଏତ ବିଭିନ୍ନ କାରଣରୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିନାହାନ୍ତି। ସଂସାରରେ ଯେଉଁମାନେ ବାସ୍ତବରେ ଶ୍ରେଷ୍ଠ, ସେମାନେ ସେମାନଙ୍କର ଶ୍ରେଷ୍ଠତାର ଡେଙ୍ଗୁରା ପିଟନ୍ତି ନାହିଁ। ଅଣଶ୍ରେଷ୍ଠମାନେ ହିଁ ନିଜର ଡେଙ୍ଗୁରା ପିଟିବାରେ ଅଭ୍ୟସ୍ତ ଥାଆନ୍ତି କାଳେ କାଳେ। ଶ୍ରେଷ୍ଠତା ପାଇଁ ଅବଶ୍ୟ କଳିକଜିଆ କରିବା ସ୍ତରକୁ ଓହ୍ଲେଇ ଆସିବାରେ ତାଙ୍କର କିଛି ଅସୁବିଧା ନ ଥାଏ।

– ଡ. ବାସୁଦେବ ମିଶ୍ର
ଦଶରଥପୁର, ଯାଜପୁର, ମୋ:୯୪୩୮୩୨୮୭୫୫


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri