ଲୋପ ପାଇବ ହାତୀବଂଶ

ମାନେକା ଗାନ୍ଧୀ

ନିକଟରେ କେରଳରେ ହାତତିଆରି ବୋମା ଦ୍ୱାରା ଓ ଛତିଶଗଡ଼ରେ ପାଣିଗାତରେ ବିଷ ଢାଳି ହାତୀମାନଙ୍କୁ ମରାଯାଇଛି। ଏହା ନିଃସନ୍ଦେହ ଯେ ଭାରତରେ ହାତୀମାନେ ବହୁସଂଖ୍ୟାରେ ମରୁଛନ୍ତି ଏବଂ ସେମାନଙ୍କର ତ୍ରାଣକର୍ତ୍ତା କେହି ନାହାନ୍ତି। ସାତବର୍ଷ ଧରି ସୁପ୍ରିମ୍‌କୋର୍ଟରେ ହାତୀ ସୁରକ୍ଷା ସମ୍ପର୍କିତ ମାମଲାର ଶୁଣାଣି ନ ହୋଇ ପଡ଼ିରହିଛି। ଏହାର ଶୁଣାଣି ହୋଇଥିଲେ ହଜାର ହଜାର ହାତୀଙ୍କ ଜୀବନ ରକ୍ଷା ହୋଇଥାନ୍ତା। କିନ୍ତୁ ଜାଲିକାଟୁ ମାମଲାରେ କୋର୍ଟ ଅତିଶୀଘ୍ର ରାୟ ପ୍ରଦାନ କରିଥିବା ବେଳେ ଏହି ପ୍ରଜାତିକୁ ବଞ୍ଚାଇବା ପାଇଁ ସମୟ ପାଇ ନାହାନ୍ତି।
ହାତୀମାନଙ୍କର ଚଲାପଥ ନଷ୍ଟ ହେବା ଫଳରେ ସେମାନଙ୍କର ମୃତ୍ୟୁ ଘଟୁଛି। ସେମାନଙ୍କ ପଲଗୁଡ଼ିକ ବିଭାଜିତ ହୋଇଯାଉଛନ୍ତି। ସେମାନେ ପିଇବାକୁ ପାଣି ଏବଂ ଖାଇବାକୁ ଯଥେଷ୍ଟ ଗଛପତ୍ର ପାଉନାହାନ୍ତି। ଫଳରେ ଖାଦ୍ୟ ଓ ଜଳ ଅନ୍ବେଷଣରେ ଚାଷଖେତ ଓ ଗାଁଗଣ୍ଡାକୁ ଆସି ଗ୍ରାମବାସୀଙ୍କ ଗୁଳି ଓ ବିଷର ଶିକାର ହୋଇ ମୃତ୍ୟୁବରଣ କରୁଛନ୍ତି। ସେମାନଙ୍କୁ ଜଙ୍ଗଲ ବିଭାଗ ଦ୍ୱାରା ବି କାବୁ କରି ପିଟି ପିଟି ହତ୍ୟା କରାଯାଉଛି। ଭାରତରେ ବର୍ତ୍ତମାନ ୨୦,୦୦୦ରୁ କମ୍‌ ହାତୀ ଏବଂ ୮୦୦ରୁ କମ୍‌ ଦନ୍ତା ରହିଛନ୍ତି। କେବଳ ଗୋଟିଏ ସପ୍ତାହରେ ଆମେ ୮ଟି ହାତୀଙ୍କୁ ହରାଇଛୁ, ସେଥିମଧ୍ୟରୁ ଦୁଇଟି ହେଉଛନ୍ତି ଦନ୍ତା। ତଥାପି ଆମେ ସେମାନଙ୍କୁ ହତ୍ୟା କରିବା ଜାରି ରଖିଛୁ। କେରଳ ଓ ଓଡ଼ିଶା ହାତୀ ମୃତ୍ୟୁରେ ଶୀର୍ଷରେ ରହିଛି ଏବଂ ଏହି ଦୁଇଟି ରାଜ୍ୟରେ ପ୍ରତିବର୍ଷ ଅନେକ ଡଜନ ହାତୀଙ୍କର ମୃତ୍ୟୁ ହେଉଛି। ଓଡ଼ିଶାରେ ରେଳଗାଡ଼ି ଦୁର୍ଘଟଣାରେ ଏବଂ ଜଙ୍ଗଲ ବିଭାଗ ଦ୍ୱାରା ପିଟଣା ଖାଇ ହାତୀ ମରୁଛନ୍ତି। ରେଳପଥ କେତେ ବର୍ଷ ଭିତରେ ଶହ ଶହ ହାତୀଙ୍କୁ ହତ୍ୟା କରିଛି। କେରଳରେ ସେମାନେ ମାଡ଼ମାରି, ଅନାହାରରେ ରଖି ଏବଂ ତଳେ ପଡ଼ି ମରିବା ପର୍ଯ୍ୟନ୍ତ ଉତ୍ତପ୍ତ ଖରାରେ ପରେଡ୍‌ କରାଇ ହାତୀମାନଙ୍କୁ ହତ୍ୟା କରନ୍ତି। ୨୦ ବର୍ଷରୁ କମ୍‌ ଅନେକ ଛୋଟ ହାତୀଙ୍କୁ ମାସମାସ ଧରି ଲୁହାଶିକୁଳି ଦ୍ୱାରା ଖୁଣ୍ଟରେ ବାନ୍ଧି ରଖିବା ଯୋଗୁ ସେମାନେ ମୃତ୍ୟୁବରଣ କରନ୍ତି। କେରଳର ବହୁ ସଂଖ୍ୟକ ବୀମାଭୁକ୍ତ ହାତୀଙ୍କୁ ପାଣିରେ ବୁଡ଼ାଇ କିମ୍ବା ତାଙ୍କ ଦେହରେ ଜାଣିଶୁଣି କଳଙ୍କିଲଗା ଲୁହା କଣ୍ଟା ଫୁଟାଇ ମାରି ଦିଆଯାଏ। ଏମାନଙ୍କ ମଧ୍ୟରୁ ଅନେକ ହାତୀ କେରଳର ନୁହନ୍ତି। ସେମାନଙ୍କୁ ବେଆଇନ ଭାବେ ଆସାମ ଜଙ୍ଗଲରୁ ଧରି ପରେ କେରଳର ଘରୋଇ ମାଲିକମାନଙ୍କୁ ବିକ୍ରି କରାଯାଇଥାଏ। ବର୍ତ୍ତମାନ ଛତିଶଗଡ଼ରେ ୬ଟି ହାତୀଙ୍କୁ ହତ୍ୟା କରାଯାଇଛି (୨୦୧୮ରୁ ଏପର୍ଯ୍ୟନ୍ତ ୬୮ ହାତୀଙ୍କୁ ମରାଗଲାଣି)। ଗ୍ରାମବାସୀମାନେ ଜାଣିଶୁଣି ପୋଖରୀ ପାଣିରେ କୀଟନାଶକ ଢାଳି ହାତୀ ଓ ଅନ୍ୟ ବନ୍ୟଜନ୍ତୁଙ୍କୁ ମାରୁଛନ୍ତି। ଏହାଦ୍ୱାରା ସମସ୍ତ ବନ୍ୟଜନ୍ତୁ ମରିବେ ଏବଂ ବୋଧହୁଏ ମଣିଷମାନେ ବି ବାଦ୍‌ ପଡ଼ିବେ ନାହିଁ। ଆଉ ଦଶବର୍ଷ ମଧ୍ୟରେ ଆମେ ହାତୀ ଦେଖିବାକୁ ପାଇବା ନାହିଁ। ତା’ପରେ ତା’ର ଅସଲ ପରିଣତି ଆମକୁ ଭୋଗିବାକୁ ପଡ଼ିବ।
ହାତୀ ଦୂର ଦୂର ସ୍ଥାନରେ ବୀଜବିକ୍ଷେପ କରି ଗ୍ରୀଷ୍ମମଣ୍ଡଳୀୟ ଜଙ୍ଗଲ ସୃଷ୍ଟି କରିବାରେ ସାହାଯ୍ୟ କରେ। ବୀଜବିକ୍ଷେପ ପାଇଁ ଗଛ ସେମାନଙ୍କ ଫଳର ଭୋଜନକାରୀଙ୍କ ଉପରେ ନିର୍ଭର କରେ, ଯେହେତୁ ମଞ୍ଜି ସେମାନଙ୍କ ପେଟରେ ହଜମ ନ ହୋଇ ମଳ ସହିତ ବାହାରି ବିଭିନ୍ନ ଦୂର ଦୂର ସ୍ଥାନରେ ପଡ଼ିଥାଏ ଏବଂ ଅନୁକୂଳ ପରିବେଶ ପାଇଲେ ଗଜା ହୋଇ ଗଛରେ ପରିଣତ ହୋଇଥାଏ। ମା’ ଗଛଠାରୁ ମଞ୍ଜି ଦୂରରେ ପଡ଼ିଲେ ହିଁ ଗଛ ହେବାର ସମ୍ଭାବନା ଥାଏ ଏବଂ ମା’ ଗଛ ମୂଳରେ ପଡ଼ିଲେ ଗଛ ହୁଏ ନାହିଁ ବା ହେଲେ ବଢ଼େ ନାହିଁ।
୩୦୦ ବର୍ଷ ପୂର୍ବେ ଡୋଡୋ ପକ୍ଷୀ ବିଲୁପ୍ତ ହେବାପରେ ମରିସସ୍‌କୁ ତା’ର ସମ୍ପୂର୍ଣ୍ଣ ବାଣିଜ୍ୟ ଓ ସଂସ୍କୃତିରେ ପରିବର୍ତ୍ତନ କରିବାକୁ ପଡ଼ିଥିଲା। ସେହିପରି ହାତୀ ସଂଖ୍ୟା ହ୍ରାସ ପାଉଥିବାରୁ ଭାରତୀୟମାନେ ଆଗକୁ ଏହାଦ୍ୱାରା ପ୍ରଭାବିତ ହେବେ। ଯେମିତି ହାତୀମାନେ ସଫା ହୋଇଯିବେ, ସେମିତି ଅନେକ ଗଛ ବି ପଦା ହୋଇଯିବେ। ଏହା ହେଉଛି ଫରେଷ୍ଟ ଇକୋଲୋଜି ଆଣ୍ଡ୍‌ ମ୍ୟାନେଜ୍‌ମେଣ୍ଟର ମେ ମାସରେ ପ୍ରକାଶିତ ଏକ ଅଧ୍ୟୟନର ବାର୍ତ୍ତା। ଏହି ଅଧ୍ୟୟନରୁ ଜଣାପଡ଼ିଛି ଯେ, ଏକ ଡଜନରୁ ଅଧିକ ହାତୀ-ନିର୍ଭରଶୀଳ ବୃକ୍ଷ ପ୍ରଜାତିର ସଂଖ୍ୟା ସେମାନଙ୍କ ଇକୋସିଷ୍ଟମରୁ ହାତୀବଂଶ ଲୋପ ପାଇବା ପରେ ବ୍ୟାପକଭାବେ ହ୍ରାସ ପାଇଛି। ଫଳ ପ୍ରଦାନକାରୀ ବୃକ୍ଷଗୁଡ଼ିକ ବୀଜବିକ୍ଷେପର ପ୍ରାଥମିକ ମାଧ୍ୟମ ଭାବରେ ଜଙ୍ଗଲୀ ହାତୀ ଉପରେ ନିର୍ଭର କରନ୍ତି। ଏହି ପ୍ରକ୍ରିୟାକୁ କୁହାଯାଏ ମେଗା ଫନାଲ୍‌ ଡିସ୍‌ପର୍ସାଲ ସିଣ୍ଡ୍ରୋମ୍‌। ଡେମୋକ୍ରାଟିକ୍‌ ରିପବ୍ଲିକ୍‌ ଅଫ୍‌ କଙ୍ଗୋର ସାଲୋଙ୍ଗା ନ୍ୟାଶ୍‌ନାଲ ପାର୍କରେ ଏହି ଅଧ୍ୟୟନ କରାଯାଇଥିଲା, ଯେଉଁଠାରେ ଗତ କିଛି ଦଶନ୍ଧି ମଧ୍ୟରେ ୯୮%ରୁ ଅଧିକ ହାତୀ ଶିକାରୀଙ୍କ ଦ୍ୱାରା ହତ୍ୟାର ଶିକାର ହୋଇଛନ୍ତି।
ଏହି ଗଛଗୁଡ଼ିକ ମଧ୍ୟରୁ ଅଧିକାଂଶ ପାଇଁ ହାତୀ ଦୁଇଟି ମୁଖ୍ୟ ଭୂମିକା ଗ୍ରହଣ କରନ୍ତି। ସେମାନେ ଗଛର ଫଳ ଖାଇ ବ୍ୟାପକ ଅଞ୍ଚଳରେ ବୁଲନ୍ତି ଏବଂ ସେମାନଙ୍କ ଗୋବର ମାଧ୍ୟମରେ ବୀଜବିକ୍ଷେପ କରନ୍ତି। ଅନୁସନ୍ଧାନରୁ ଜଣାପଡିଛି ଯେ, ହାତୀର ପେଟରେ ଥିବା ଏସିଡ୍‌ ଦ୍ୱାରା ନରମ ହୋଇଥିବା ମଞ୍ଜି ଅନ୍ୟ ମଞ୍ଜି ଅପେକ୍ଷା ବହୁତ ଶୀଘ୍ର ଗଜା ହୋଇଥାଏ। ଦଶନ୍ଧି ଦଶନ୍ଧି ଧରି ଫଳଗଛଗୁଡିକ ହାତୀମାନଙ୍କ ସହିତ ସ୍ବତନ୍ତ୍ର ସହଭାଗିତା ସୃଷ୍ଟି କରିଛନ୍ତି ଏବଂ ଯଦି ସେମାନେ ଲୋପ ପାଇଯାଆନ୍ତି ତେବେ ଏହି ପ୍ରଜାତିର ଗଛଗୁଡିକ ପାଇଁ ବଂଶବୃଦ୍ଧିକୁ ନିଶ୍ଚିତ କରିବାକୁ ଅନ୍ୟ କୌଣସି ଅଂଶୀଦାର ନାହାନ୍ତି। ଏହି ହାତୀ-ନିର୍ଭରଶୀଳ ଗଛଗୁଡିକ ଲୋପ ପାଇଲେ ତାହାର ବ୍ୟାପକ ପାରିବେଶିକ ପ୍ରଭାବ ଦେଖିବାକୁ ମିଳିବ। କାରଣ ସେମାନେ ଅନେକ ତୃଣଭୋଜୀ ପ୍ରାଣୀ, ପକ୍ଷୀ, କୀଟପତଙ୍ଗ ଏବଂ ଅନ୍ୟ ସ୍ତନ୍ୟପାୟୀ ପ୍ରାଣୀମାନଙ୍କୁ ଖାଦ୍ୟ ଯୋଗାଇଥାନ୍ତି। ଏହି ଗଛଗୁଡିକ ଲୋପ ପାଇଲେ ଉକ୍ତ ପ୍ରାଣୀ, ପକ୍ଷୀ ଓ କୀଟପତଙ୍ଗ ବି ଲୋପ ପାଇଯିବେ।
ଏହି ଗଛଗୁଡିକ ମଧ୍ୟରୁ ଅନେକ ପାରମ୍ପରିକ ଔଷଧ ପାଇଁ ବହୁ ପୂର୍ବରୁ ବ୍ୟବହୃତ ହୋଇଆସୁଛି। ଆଧୁନିକ ବିଜ୍ଞାନରେ ସେମାନଙ୍କର ଉପକାରିତା ବୁଝିବା ପାଇଁ ପର୍ଯ୍ୟାପ୍ତ ଗବେଷଣା କରାଯାଇ ନାହିଁ। ଆମେ ସେମାନଙ୍କ ଔଷଧୀୟ ମୂଲ୍ୟ ବୁଝିବା ପୂର୍ବରୁ ବହୁ ବିଳମ୍ବ ହୋଇ ନ ଯାଉ ଏବଂ ତା’ ପୂର୍ବରୁ ବୃକ୍ଷଗୁଡ଼ିକ ବିଲୁପ୍ତ ହୋଇ ନ ଯାଉ। ଉଦାହରଣ ସ୍ବରୂପ, ବେଲ (Aegle marmelos) ଏବଂ ଏହାର ଭାଇ କଇଥ ଏକମାତ୍ର ଗଛ ଯାହା ଗ୍ୟାଷ୍ଟ୍ରିକ୍‌ ଅଲସର ଭଲ କରିଥାଏ। କ୍ରନିକ୍‌ ତରଳ ଝାଡ଼ା, ନାଳଝାଡ଼ା, ଶ୍ୱାସରୋଗ, ଜଣ୍ଡିସ୍‌, ରକ୍ତହୀନତା ଓ ମଧୁମେହ ଆଦି ରୋଗର ଚିକିତ୍ସାରେ ମଧ୍ୟ ବେଲ ବ୍ୟବହୃତ ହୁଏ। ହାତୀବଂଶ ଲୋପ ପାଇଲେ ଆମେ ହରାଇବାକୁ ଥିବା ଅନେକ ଗଛ ମଧ୍ୟରୁ ଏହା ଗୋଟିଏ। ଆଉ ଗୋଟିଏ ଗଛ ହେଉଛି ଏଲିଫ୍ୟାଣ୍ଟ ଆପ୍‌ଲ ବା ଓଉ (Dillenia indica)। ପାଶ୍ଚାତ୍ୟ ଔଷଧ ସ୍ଥାନୀୟ ଲୋକଙ୍କ ପାଇଁ ପ୍ରାୟତଃ ଦୁର୍ଲ୍ଲଭ। ସେମାନେ ଉପରୋକ୍ତ ଗଛଗୁଡ଼ିକ ପରି ସ୍ଥାନୀୟ ଉଦ୍ଭିଦଗୁଡିକୁ ପାରମ୍ପରିକ ଭାବେ ଔଷଧରୂପେ ବ୍ୟବହାର କରିଥାନ୍ତି, ଯାହାର ଗୁଣାଗୁଣ ଆଧୁନିକ ବିଜ୍ଞାନ ଏପର୍ଯ୍ୟନ୍ତ ଜାଣିପାରି ନାହିଁ।
ଯଦି ହାତୀବଂଶ ଜଙ୍ଗଲରୁ ଲୋପ ପାଇଯାନ୍ତି ତେବେ ଅନେକ ଉଦ୍ଭିଦ ପ୍ରଜାତି ଲୋପ ପାଇଯିବେ। ଗବେଷକମାନେ ଦର୍ଶାଇଛନ୍ତି ଯେ, ହାତୀ ଦ୍ୱାରା ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ମଞ୍ଜିରୁ ନୂତନ ଉଦ୍ଭିଦ ଜନ୍ମି ଜଙ୍ଗଲ ସୃଷ୍ଟି ହୋଇଥାଏ। ସାଧାରଣ ଅବସ୍ଥାରେ ମଞ୍ଜିଗୁଡିକର ମାତ୍ର ୧୫ ପ୍ରତିଶତରୁ କମ୍‌ ପରିପକ୍ୱ ଗଛରେ ପରିଣତ ହୁଏ, କିନ୍ତୁ ହାତୀର ପେଟ ଭିତରକୁ ଯାଇ ହଜମ ନ ହୋଇ ମଳବାଟେ ବାହାରିଥିବା ମଞ୍ଜି ଗଜା ହୋଇ ବଡ଼ ଗଛରେ ପରିଣତ ହେବାର ସମ୍ଭାବନା ୫୦ ପ୍ରତିଶତରୁ ଅଧିକ। ହାତୀବଂଶ ହ୍ରାସ ବା ଲୋପ ପାଇବା ଯୋଗୁ ପ୍ରଭାବିତ ହୋଇଥିବା କେତେକ ଉଦ୍ଭିଦ ବଂଶ (Plant Family) ହେଉଛି: ଫାବାସିୟା, ମାଲ୍‌ଭାସିୟା, ସାପୋଟାସିଆ, ପୋଏସିଆ, ମୋରାସିଆ ଏବଂ ଇଉଫୋର୍ବିଏସିଆ।
ତାଞ୍ଜାନିଆର ସେରେଙ୍ଗେଟି ସମତଳ ପରି ଆଫ୍ରିକୀୟ ସାଭାନ୍ନାରେ ହାତୀମାନେ ଏକ ପ୍ରମୁଖ ସହାୟକ ପ୍ରଜାତି ଅଟନ୍ତି। ହାତୀମାନେ ସାଭାନ୍ନାରେ ବଢ଼ୁଥିବା ବୁଦାଳିଆ ଗଛ ଓ ଆକାଶିଆ ପରି ଛୋଟ ଗଛ ଖାଇଥାନ୍ତି। ହାତୀମାନଙ୍କର ଏପରି ଖାଇବା ଯୋଗୁ ସାଭାନ୍ନା ଜଙ୍ଗଲ ନ ହୋଇ ଏକ ତୃଣଭୂମି ହୋଇ ରହିଛି। ହାତୀ ଗଛସଂଖ୍ୟାକୁ ନିୟନ୍ତ୍ରଣ କରିବା ସହିତ ଘାସ ବଢ଼ିବାରେ ସାହାଯ୍ୟ କରିଥାଏ ଏବଂ ଆଣ୍ଟିଲୋପ୍‌, ଓ୍ବାଇଲ୍‌ଡେବିଷ୍ଟ (ବୃହତ୍‌ ଆଫ୍ରିକୀୟ ଆଣ୍ଟିଲୋପ୍‌ ବିଶେଷ) ଓ ଜେବ୍ରା ଭଳି ତୃଣଭୋଜୀ ପ୍ରାଣୀଙ୍କ ଜୀବନନିର୍ବାହ ସହଜ ହୋଇଥାଏ। ମୂଷା ଓ ଚୁଚୁନ୍ଦ୍ରା ପରି ଛୋଟ ଛୋଟ ପ୍ରାଣୀ ସାଭାନ୍ନାର ଉଷ୍ମ, ଶୁଖିଲା ମାଟିରେ ଗାତ ଖୋଳି ରହନ୍ତି। ସିଂହ ଓ ହେଟା ପରି ମାଂସାଶୀ ପ୍ରାଣୀମାନେ ଶିକାର ପାଇଁ ସାଭାନ୍ନା ଉପରେ ନିର୍ଭର କରନ୍ତି।
ହାତୀମାନେ ଜଙ୍ଗଲ ଦେଇ କରିଡର (ଚଲାପଥ) ସୃଷ୍ଟି କରି ବିନାଶର ରାସ୍ତାଠାରୁ ଦୂରରେ ରହନ୍ତି। ପାଣି ପିଇବା ପାଇଁ ସେମାନେ ଶୁଖିଲା ନଦୀ ଶଯ୍ୟାରେ ଗଭୀର ଗାତ ଖୋଳନ୍ତି। ଏ ଉଭୟ କାର୍ଯ୍ୟ ଅତ୍ୟନ୍ତ ଲାଭଦାୟକ। ହାତୀ ଚଲାପଥଗୁଡିକ ଜଙ୍ଗଲ ନିଆଁକୁ ବ୍ୟାପିବାରୁ ରୋକିଥାଏ ଏବଂ ଗଭୀର ଗର୍ତ୍ତଗୁଡିକ ଅନ୍ୟ ପ୍ରାଣୀମାନଙ୍କ ପାଇଁ ଜଳ ଉତ୍ସ ସୃଷ୍ଟି କରିଥାଏ। ସେମାନେ ବାଲାନାଇଟ୍‌ ଗଛର ମଞ୍ଜିଗୁଡିକ ଏଣେତେଣେ ପକାଇ ଗଛର ବଂଶବୃଦ୍ଧିରେ ସାହାଯ୍ୟ କରିଥାନ୍ତି, ଯାହା ଆଫ୍ରିକାର କେତେକ ଅଞ୍ଚଳରେ ଦୁର୍ଭିକ୍ଷ ସମୟରେ ଖାଦ୍ୟ ଭାବରେ ବ୍ୟବହୃତ ହୁଏ।
ବୋଧହୁଏ ଆମେ ହେଉଛୁ ଶେଷ ପିଢ଼ି ଯେଉଁମାନେ ହାତୀମାନଙ୍କୁ ଜଙ୍ଗଲରେ ଦେଖିବାକୁ ପାଉଛୁ। ୨୦୦୦ ମସିହା ପରେ ଯେଉଁମାନେ ଜନ୍ମ ହୋଇଛନ୍ତି ସେମାନେ ଆଗାମୀ ଦିନରେ କେବଳ ଚିଡ଼ିଆଖାନାରେ, ପ୍ରାଣୀ ଉଦ୍ୟାନରେ କିମ୍ବା ମନ୍ଦିରରେ ଏକାକୀ ଶୃଙ୍ଖଳିତ ପ୍ରାଣୀକୁ ଦେଖିବାକୁ ପାଇବେ, ଯେଉଁମାନେ ଧୈର୍ଯ୍ୟର ସହିତ ନିଜର ମୃତ୍ୟୁକୁ ଅପେକ୍ଷା କରିଥିବେ।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri