Posted inଫୁରସତ

ପ୍ରଥମ ରୋଜଗାର ଟଙ୍କାରେ ଘରର କବାଟ ତିଆରି ହୋଇଥିଲା: ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ

ଆମ ଘରର କବାଟ ଥିଲା ଖୁବ୍‌ ଛୋଟ ଛୋଟ। ବାପାଙ୍କ ପରି ଓ ମୋ ପରି ଡେଙ୍ଗା ଲୋକମାନଙ୍କର ସେଥିରେ କେତେଥର ଯେ ମୁଣ୍ଡବାଜି ଫୁଲି ନଯାଇ ଥିବ ତାର ହିସାବ କରିହେବ ନାହିଁ। ଆଜିକାଲିର ଝରକା ଗୁଡ଼ିକର ଉଚ୍ଚତା ଯାହା ଆମ ବାଡ଼ିପାଖ କବାଟର ଉଚ୍ଚତା ପ୍ରାୟ ସେଇୟା ହିଁ ଥିଲା। ଦାଣ୍ଡ ପଟ କବାଟର ଉଚ୍ଚତା ଆଉ ଏକ ଫୁଟ୍‌ ଉଚ୍ଚ ହେବ, ମାତ୍ର ମୁଣ୍ଡ ନ ନୁଆଁଇ ଘର ଭିତରକୁ କେହି ଯାଇପାରିବେ ନାହିଁ । ଉଭୟ କବାଟ ତାଳ ପଟାରେ ତିଆରି ହୋଇଥିଲା। ଚୋର କୁଆଡ଼େ ତାଳ ପଟାରେ ନିର୍ମିତ କବାଟକୁ ଖୋଲିପାରିବେ ନାହିଁ । କବାଟ ଛୋଟ ଛୋଟ କରିବାର ଅର୍ଥ ଥିଲା ଘରକୁ ପଶିବାକୁ ହେଲେ ପ୍ରଥମେ ମୁଣ୍ଡକୁ ନୁଆଁଇବାକୁ ପଡ଼ିବ। କଲେଜରେ ପଢ଼ିବା କାଳରୁ ଏ ଦୁଇଟିଯାକ କବାଟ ପ୍ରତି ମୋର ରାଗ ଥିଲା। ଭାବିଥିଲି, ଚାକିରୀ କରିବା କ୍ଷଣି ଏ ଦୁଇଟିଯାକ କବାଟକୁ ମୁଁ ବଦଳାଇଦେବି। ମୁଁ ଶାନ୍ତିନିକେତନରେ ସ୍ନାତକୋତ୍ତର କଲାବେଳେ ଆମ ଗାଆଁରେ ନୂଆ କରି ଗୋଟେ କଲେଜ ଖୋଲା ହୋଇଥିଲା। ଶାନ୍ତିନିକେତନରୁ ପାସ୍‌ କରି ଆସିବା କ୍ଷଣି ସେ କଲେଜରେ ମୋ ଉପରେ ଅଧ୍ୟକ୍ଷ ଦାୟିତ୍ୱ ନ୍ୟସ୍ତ କରାଗଲା। ମାସକୁ କିଛି କିଛି ଅର୍ଥ ଦେବାର ମଧ୍ୟ ବ୍ୟବସ୍ଥା କରାଗଲା। ବୋଧ ହୁଏ ପ୍ରତିମାସ ଆମର ଦରମା ଥିଲା ଦୁଇଶହ ଟଙ୍କା। ସେ ଅର୍ଥ ନିୟମିତ ଭାବରେ ମିଳୁ ନଥିଲା। ମାସର ମଝାମଝିରୁ ମୁଁ ଯୋଗଦେଇଥିବାରୁ ପ୍ରଥମ ମାସ ମୋତେ ଶହେ ଟଙ୍କା ମିଳିଥିଲା। ଟଙ୍କା ନେଇ ଘରକୁ ଫେରିବା ବେଳକୁ ଦୋକାନରୁ ମନ ଇଚ୍ଛା ପିଆଜିବରା କିଣି ନେଇ ଆସିଥିଲି। ମୋର ପ୍ରଥମ ଦରମା ପିଆଜି ଭୋଜିରେ ହିଁ ଶେଷ ହୋଇଯାଇଥିଲା। ଆମ ଘରର କବାଟକୁ ଦେଖି ମୁଁ ଦୀର୍ଘ ନିଶ୍ୱାସ ତ୍ୟାଗ କରିଥିଲି। ଅନିୟମିତ ଭାବରେ ପାଉଥିବା ଦୁଇଶହ ଟଙ୍କା ଦରମାରେ ମୁଁ କ’ଣ ଘରର କବାଟକୁ ବଦଳାଇ ଦେଇପାରିବି? କୌଣସି କାରଣରୁ କଲେଜ ଆଉ ବେଶୀଦିନ ଚାଲିପାରିଲା ନାହିଁ । କିଛିଦିନ ଘରେ ବସିବା ପରେ ବାଲେଶ୍ୱର ଚାଲି ଆସି ଗୋଟେ ନୂଆ ଖୋଲିଥିବା ହାଇସ୍କୁଲରେ ଯୋଗଦାନ କଲି। ସେଠାରେ ମାସକୁ ଦରମା ମିଳିଲା ଅଢ଼େଇଶହ ଟଙ୍କା। ଯେଉଁ ଘରଟି ଭଡ଼ାରେ ନେଇଥିଲି ଭଡ଼ା ବାବଦକୁ ମୋତେ ପନ୍ଦର ଟଙ୍କା ଶୁଝିବାକୁ ପଡୁଥିଲା। ଖାଇବା ଖର୍ଚ୍ଚ ଗଲା ପରେ ମାସକୁ ଆଉ କିଛି ଟଙ୍କା ମଧ୍ୟ ବଳୁଥିଲା। ସେତେବେଳେ ମୁଁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଏମ୍‌.ଫିଲ. କରିବା ପାଇଁ ନାମ ଲେଖାଇଥିଲି। ବ୍ରହ୍ମପୁରକୁ ଯିବା ଆସିବା ଓ ପଢ଼ା ଖର୍ଚ୍ଚରେ ମୁଁ ପାଉଥିବା ଦରମାରୁ ଅବଶିଷ୍ଟ ଥିବା ଟଙ୍କା ଖର୍ଚ୍ଚ ହୋଇଯାଉଥିଲା। ଶନିବାର, ରବିବାର ଘରକୁ ଗଲେ ମୋତେ ସେହିପରି ମୁଣ୍ଡ ନୁଆଁଇ ଘର ଭିତରକୁ ପଶିବାକୁ ପଡୁଥିଲା। କିଛିଦିନ ପରେ ବ୍ୟାଙ୍କରେ ଚାକିରୀ ପାଇବାରୁ ମୋତେ ହାଇସ୍କୁଲ ଛାଡ଼ିବାକୁ ପଡ଼ିଲା। ଷ୍ଟେଟ୍‌ ବ୍ୟାଙ୍କରେ ଆଞ୍ଚଳିକ ପ୍ରବନ୍ଧକ ଯିଏ ଥାଆନ୍ତି ସେ ଥିଲେ ଜଣେ ସାହିତି୍ୟକ। ମୋର ସେତେବେଳକୁ ତିନିଖଣ୍ଡ ବହି ପ୍ରକାଶିତ ହୋଇସାରିଲାଣି। ଇଣ୍ଟରଭ୍ୟୁ ବୋର୍ଡ଼ରେ ମୁଁ ତାଙ୍କୁ ତିନିଖଣ୍ଡ ଯାକ ବହି ଉପହାର ସ୍ବରୂପ ଦେଇଥିଲି। ତାଙ୍କ ସୁଦୟାରୁ ମୁଁ ଆମ ଗାଁ ବ୍ୟାଙ୍କରେ ପ୍ରଥମେ ଯୋଗଦେଇଥିଲି। ପ୍ରଥମ ମାସରେ ସାତଶହ ଚାଳିଶି ଟଙ୍କା ଦରମା ପାଇଥିଲି। ସେତେବେଳେ ସାତଶହ ଚାଳିଶି ଟଙ୍କା ପାଉଥିବା ବ୍ୟକ୍ତି ବଡ଼ ଆୟକାରୀ ଭାବରେ ଗଣାଯାଉଥିଲେ। ପ୍ରଥମ ମାସର ଦରମା ପାଇବା ପରେ ମୁଁ ବଢ଼େଇ ନିକଟରେ ପହଞ୍ଚତ୍ଥିଲି। ନିମ କାଠର ବନ୍ଧ ଓ ଶାଳ କାଠର ପଟାରେ ଏମିତି କବାଟ କରିବାକୁ ତାଙ୍କୁ ନିର୍ଦ୍ଦେଶ ଦେଇଥିଲି; ଯେଉଁଥିରେ ଘର ଭିତରକୁ ପଶିବା ବେଳେ ମୁଣ୍ଡ ଉପରେ ଆହୁରି ଛଅ ଇଞ୍ଚ ଯାଗା ଯେମିତି ଖାଲି ରହୁଥିବ। ସେ ଘର ଭାଙ୍ଗିଯାଇ ତା’ ଉପରେ ଆଜି ପକ୍କା ଘର ହୋଇଗଲାଣି। ସେ କବାଟ ବି ପରିବର୍ତ୍ତିତ ହୋଇଗଲାଣି ଅନ୍ୟ କବାଟରେ। ମାତ୍ର ମୋର ପ୍ରଥମ ଦରମାରେ ନିର୍ମିତ କବାଟ ମୋ ସ୍ମୃତିରେ ଆଜି ପର୍ଯ୍ୟନ୍ତ ଉଜ୍ଜୀବିତ ହୋଇ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri