ଇନ୍‌ସୁଲିନ୍‌ର ଆବିଷ୍କାର: ସ୍ବପ୍ନରୁ ସୂଚନା

”ଇନ୍‌ସୁଲିନ୍‌ ଆମ ଶରୀରର ଏକ ହରମୋନ୍‌। ଏହା ପ୍ରାଣୀମାନଙ୍କ ଶରୀରରେ ରହିଥିବା ଅଗ୍ନ୍ୟାଶୟ ନାମକ ଗ୍ରନ୍ଥିରୁ କ୍ଷରିତ ହୋଇ ରକ୍ତରେ ଗ୍ଲୁକୋଜର ମାତ୍ରାକୁ ଅନୁମୋଦିତ ସ୍ତରରେ ରଖେ। ରକ୍ତରେ ଗ୍ଲୁକୋଜର ମାତ୍ରା ବଢ଼ିଗଲେ ତାକୁ ଗାଇକ୍ଲୋଜେନ୍‌ ନାମକ ଉପାଦାନରେ ପରିଣତ କରିଦେଇ ସଞ୍ଚୟ ନିମିତ୍ତ ପଠେଇଦିଏ ଯକୃତ୍‌ ଏବଂ ପେଶୀ ଭିତରକୁ। କୋଷିକା ଭିତରେ ବି ବୃଦ୍ଧି କରିପକାଏ ଗ୍ଲୁକୋଜର ଜାରଣ ପ୍ରକ୍ରିୟା। ପୁଣି ଏହିବର୍ଷ (୨୦୨୨) ଆମେ ପାର ହୋଇ ଆସିଛୁ ‘ଇନ୍‌ସୁଲିନ୍‌’ର ଶତବାର୍ଷିକୀ।“

‘ଡାଇବେଟିସ୍‌’- ଏହି ଦୁଃସାଧ୍ୟ ବ୍ୟାଧିଟିର ନାମକରଣ ହୋଇଥିଲା ଦ୍ୱିତୀୟ କିମ୍ବା ତୃତୀୟ ଖ୍ରୀଷ୍ଟାବ୍ଦରେ। ଏହି ଗ୍ରୀକ୍‌ ଶବ୍ଦଟିର ସ୍ରଷ୍ଟା ଥିଲେ ମେମ୍‌ଫିସର ଆପୋଲୋନିୟସ, ପାଖାପାଖି ଖ୍ରୀଷ୍ଟପୂର୍ବ ୨୫୦ରୁ ୩୦୦ ମଧ୍ୟରେ। ପରେ ଆରେଟିସ୍‌ କାପୋଡୋସିଆ (୮୧-୧୩୩ ମସିହା) ଡାଇବେଟିସ୍‌ ଶବ୍ଦଟିକୁ ବେଶି ଲୋକପ୍ରିୟ କରାଇଦେଲେ। ଡାଇବେଟିସ୍‌ର ପୂରା ନଁା ଡାଇବେଟିସ୍‌ ମେଲ୍ଲିଟସ୍‌। ମେଲ୍ଲିଟସ୍‌ ଏକ ଲାଟିନ୍‌ ଶବ୍ଦ ଓ ଏହାର ଅର୍ଥ ମଧୁର ବା ମିଠା ବା ମହୁଭଳି ମିଠା। ୧୬୭୫ ମସିହାରେ ନିକେଟନ୍‌ର ଥୋମାସ୍‌ ଉଇଲ୍ଲିସ୍‌ ‘ଡାଇବେଟିସ୍‌’ ଶବ୍ଦଟି ସହ ମେଲ୍ଲିଟସ୍‌’ ଶବ୍ଦଟିକୁ ସଂଯୁକ୍ତ କରିଥିଲେ। ଡାଇବେଟିସ୍‌ ନାମକ ଗ୍ରୀକ୍‌ ଶବ୍ଦଟିର ପ୍ରକୃତ ଅର୍ଥ ‘ସାଇଫନ୍‌’ ବା ନଳୀ। ହେଲେ ଏପରି ଏକ ନାମକରଣ କାହିଁକି? ଏହି ରୋଗ ହେଲେ ରୋଗୀର ଶରୀର ବାରମ୍ବାର ଜଳ ଟାଣି ବାହାର କରିଦିଏ। ଫଳରେ ବାରମ୍ବାର ବେଶି ବେଶି ପରିସ୍ରା ହୁଏ। ସେଥିପାଇଁ ଡାଇବେଟିସ୍‌କୁ ଆମେ ‘ବହୁମୂତ୍ର’ ରୋଗ ବୋଲି କହିଥାଉ। ପୁନଶ୍ଚ ଏହି ମୂତ୍ରରେ ଅତ୍ୟଧିକ ମିଷ୍ଟତ୍ୱ ଥିବା କାରଣରୁ କେତେକଙ୍କ ମତ ପରେ ଆୟୁର୍ବେଦାଚାର୍ଯ୍ୟ ଚରକ ଏବଂ ଶଶ୍ରୁତ ଏହି ରୋଗର ନାମ ଦେଇଥିଲେ ‘ମଧୁମେହ’ ଅର୍ଥାତ୍‌ ମୂତ୍ରରେ ମଧୁ ବା ମିଠା ଲାଗୁଥିବା ପରିସ୍ରା (‘ମେହ’ର ଅର୍ଥ ମୂତ୍ର)। ଅବଶେଷରେ ସାମାନ୍ୟ ଆଶାର ଆଲୋକ ଦେଖାଗଲା ୧୮୮୯ ମସିହାରେ। ଘଟଣାଟି ଅନେକଟା କାକତାଳୀୟ। ଜର୍ମାନୀର ଦୁଇ ଗବେଷକ, ଅସ୍କାର ମିଂକ୍‌ଫୁସ୍କି ଏବଂ ଜୋସେଫ୍‌ ଭନ୍‌ ମେରିଂ ଅଗ୍ନ୍ୟାଶୟ ବା ପାନ୍‌କ୍ରିୟାଜକୁ ନେଇ ପରୀକ୍ଷାନିରୀକ୍ଷା କରୁଥିଲେ। ସେମାନେ ଗୋଟିଏ ସୁସ୍ଥ କୁକୁରର ଅଗ୍ନ୍ୟାଶୟ କାଟି ବାହାର କରିବା ପରେ ଦେଖିଲେ, କୁକୁରଟିର ଶୋଷ ଓ ପରିସ୍ରା ଦୁଇଟିଯାକ ଅସ୍ବାଭାବିକ ଭାବରେ ବଢ଼ିଯାଇଛି। ପରିସ୍ରାରେ ନିୟନ୍ତ୍ରଣ ହରେଇ ସେ ଅନବରତ ଭସେଇ ଚାଲିଛି ଚଟାଣ। ଅଗ୍ନ୍ୟାଶୟର ସହ ପରିପାକତନ୍ତ୍ରର କି ସମ୍ପର୍କ ବୁଝି ନ ପାରି ଦୁଇ ବିଜ୍ଞାନୀ ଯେତେବେଳେ ଧନ୍ଦି ହେଉଥାନ୍ତି, ସେତେବେଳେ ସେମାନଙ୍କର ଜଣେ ସହକାରୀ ବିରକ୍ତ ହୋଇ ଖବରଦେଲେ, ଗବେଷଣାଗାରର ଚଟାଣକୁ ଭସେଇଥିବା ପରିସ୍ରା ଶୁଖି ଗଲାପରେ ସେହି ଜାଗାରେ ଭଣ ଭଣ ହେଉଛନ୍ତି ମାଛି। ମିଂକ୍‌ଫୁସ୍କି ଓ ମେରିଂ ଆଉ କାଳ ବିଳମ୍ବ ନ କରି କୁକୁରଟିର ପ୍ରଥମେ ପରିସ୍ରା ଏବଂ ତା’ପରେ ରକ୍ତ ପରୀକ୍ଷା କରିପକେଇଲେ। ପରିସ୍ରା ଓ ରକ୍ତରେ ଗ୍ଲୁୁକୋଜର ମାତ୍ରା ଅସ୍ବାଭାବିକ ଭାବରେ ବେଶି। ଏବେ ବୁଝାଗଲା, ଯାହାକୁ ଏତେଦିନ ଧରି ନିଚ୍ଛକ ହଜମରେ ସାହାଯ୍ୟକାରୀ ଏଞ୍ଜାଇମର ଉତ୍ସ ବୋଲି ମନେ କରାଯାଉଥିଲା, ସେହି ଅଗ୍ନ୍ୟାଶୟର ରହିଛି ଆହୁରି ଗୁଣ ମଧ୍ୟ। ରକ୍ତରେ ଦ୍ରବୀଭୂତ ଥିବା ଗ୍ଲୁକୋଜକୁ ତାହା କୋଷ ଭିତରକୁ ଢୁକିବାରେ ସାହାଯ୍ୟ କରେ। କୋଷ ସେହି ଗ୍ଲୁକୋଜର ଶକ୍ତି ଜାତ କରେ, ଫଳରେ ରକ୍ତରେ ଗ୍ଲୁକୋଜର ମାତ୍ରା ସନ୍ତୁଳିତ ସ୍ତରରେ ରହେ, ଶରୀରରୁ ପ୍ରୟୋଜନୀୟ ଗ୍ଲୁକୋଜ୍‌ ବାହାରି ଥିବାରେ ବାଧାଦିଏ। କିନ୍ତୁ ପ୍ରଶ୍ନ ଉଠିଲା, ସେହି ବିସ୍ମୟକର ରାସାୟନିକ ଉପାଦାନଟି ତା’ହେଲେ ଅଗ୍ନ୍ୟାଶୟର କେଉଁଠି ତିଆରି ହେଉଛି ?
ବିଜ୍ଞାନୀମାନଙ୍କର ମନେପଡ଼ିଲା ସେଦିନଠାରୁ ଆହୁରି ଦୁଇଦଶକ ପୂର୍ବର କଥା। ସେହି ସମୟରେ ଜଣେ ତରୁଣ ଜର୍ମାନ ଗବେଷକ, ପଲ୍‌ ଲ୍ୟାଙ୍ଗରହାନ୍ସ ଅଗ୍ନ୍ୟାଶୟର ଅଣୁବୀକ୍ଷଣିକ ଗଠନକୁ ନେଇ ଏକ ଗବେଷଣା ନିବନ୍ଧରେ ଜଣେଇଥିଲେ, ଅତିପରିଚିତ ଅଗ୍ନ୍ୟାଶୟ-କୋଷର ବାହାରେ ଆହୁରି ଏକ ଧରଣର କୋଷ ପୁଞ୍ଜମାନ ରହିଛି। ସେହି କୋଷର କାମ କଅଣ, ସେ ସମ୍ପର୍କରେ କୌଣସି ଧାରଣା ନ ଥିବାରୁ ୨୨ବର୍ଷ ବୟସ୍କ ସେହି ବିଜ୍ଞାନୀଙ୍କ ପର୍ଯ୍ୟବେକ୍ଷଣକୁ ନେଇ ସେତେବେଳେ କେହି ସେପରି ମୁଣ୍ଡ ଖେଳେଇ ନ ଥିଲେ। ପରିଚିତ ଅଗ୍ନ୍ୟାଶୟ-କୋଷ ପାଚକ ରସ, ଅର୍ଥାତ୍‌ ହଜମ-ସହାୟକ ଏନ୍‌ଜାଇମ୍‌ ତିଆରି କରିଥାଏ ବୋଲି ଜଣାଥିଲା। ଏବେ ମିଂକ୍‌ଫୁସ୍କିଙ୍କ ପର୍ଯ୍ୟବେକ୍ଷଣ ପରେ ବିଜ୍ଞାନୀମାନେ ବୁଝିଲେ, ତା’ହେଲେ ଲ୍ୟାଙ୍ଗ୍‌ରହାନ୍ସ ଯେଉଁ କୋଷର ସନ୍ଧାନ ଦେଇଥିଲେ, ସେଇଠାରେ ହିଁ ନିଶ୍ଚୟ ରକ୍ତରେ ଗ୍ଲୁକୋଜର ମାତ୍ରା ବଜାୟ ରଖୁଥିବା ଉପାଦାନଟି ତିଆରି ହୁଏ ଏବଂ ହର୍‌ମୋନ ହିସାବରେ ରକ୍ତରେ ମିଶେ। ରାତାରାତି ସେହି ବିଶେଷ କୋଷଗୁଚ୍ଛର ନଁା ଦିଆହେଲେ ‘ଆଇଲେଟସ୍‌ ଅଫ୍‌ ଲ୍ୟାଙ୍ଗରିହାନ୍ସ’ ବା ଲ୍ୟାଙ୍ଗର୍‌ହାନ୍ସର ଦ୍ୱୀପପୁଞ୍ଜ’। ପୁଣି ସେହି ହରମୋନ୍‌ଟିର ନାମ ଦିଆଗଲା ‘ଇନ୍‌ସୁଲିନ୍‌’ ବା ଦ୍ୱୀପପ୍ରୋଟିନ୍‌’, କାରଣ ଲାଟିନ୍‌ ‘ଇନ୍‌ସୁଲା’ ଶବ୍ଦଟିର ଅର୍ଥ ଦ୍ୱୀପ।
କିନ୍ତୁ ଇନ୍‌ସୁଲିନ୍‌ର ଉତ୍ସ ଜାଣିବା ପରେ ମଧ୍ୟ ଏହି ରାସାୟନିକଟିକୁ କୌଣସି ପ୍ରକାରରେ ପୃଥକ୍‌ କରାଯାଇ ପାରିଲାନି। ଯେତେବେଳେ କୁକୁର କି ଗୋରୁର ଦେହରୁ ଅଗ୍ନ୍ୟାଶୟ କାଟି ବାହାର କରାଯାଉଥିଲା, ସେତେବେଳେ ଦେଖାଯାଉଥିଲା ଯେ ଅଗ୍ନ୍ୟାଶୟରୁ ନିଃସୃତ ପାଚକରସ ନିଜେ ଅଗ୍ନ୍ୟାଶୟ କୋଷର ଅକେନଟାକୁ ହଜମ କରିଦେଉଥିଲା; ଫଳରେ ଖୋଜିଲେ ମଧ୍ୟ ମିଳୁ ନ ଥିଲା ଇନ୍‌ସୁଲିନର ଅସ୍ତିତ୍ୱ। ଏହା ମଧ୍ୟରେ ବିଂଶ ଶତାବ୍ଦୀର ଦ୍ୱିତୀୟ ଦଶକର ଶେଷ ଭାଗରେ ସ୍ପାନିଶ୍‌ ଫ୍ଲୁ ପୃଥିବୀରେ ହାହାକାର ସୃଷ୍ଟି କରି ପକେଇଲା। ସ୍ପାନିଶ୍‌ ଫ୍ଲୁରେ ପ୍ରାଣ ହରେଇଲେ କମ୍‌ବେଶି ପାଞ୍ଚକୋଟି ଲୋକ ଏବଂ ବିଜ୍ଞାନୀମାନେ ସ୍ବୀକାର କଲେ, ଏହି ମହାମାରୀ ଭାଇରସ୍‌ ବିରୋଧରେ ସୃଷ୍ଟି କରି ପକେଇଛି ସ୍ବାଭାବିକ ରୋଗ ପ୍ରତିରୋଧ କ୍ଷମତା। ତେଣୁ ଫ୍ଲୁ ରୋକିବାରେ ସେମାନଙ୍କ କୃତିତ୍ୱ ପ୍ରାୟ ଶୂନ୍ୟ। ଏବେ ଯଦି ଇନ୍‌ସୁଲିନ୍‌କୁ ଚିହ୍ନି ନେବା ପରେ ମଧ୍ୟ ତାକୁ ବହୁ ଯୁଗର ପୁରୁଣା ଏକ ମାରାତ୍ମକ ରୋଗରେ ପ୍ରୟୋଗ କରି ନ ହୁଏ, ତା’ହେଲେ ତ ଚିକିତ୍ସାବିଜ୍ଞାନୀମାନେ ଆଉ କାହାକୁ ମୁହଁ ଦେଖେଇପାରିବେନି।
ଏହି ସମୟରେ ଟରୋଣ୍ଟୋ ବିଶ୍ୱବିଦ୍ୟାଳୟର ଶରୀରବିଦ୍ୟା ବିଭାଗର ମୁଖ୍ୟ ବିଶିଷ୍ଟ ବିଜ୍ଞାନୀ ଜନଜେମ୍‌ସ ରିକାର୍ଡ ମ୍ୟାକଲଓଡ୍‌ଙ୍କ ନିକଟକୁ ଆସିଲେ କାନାଡାର ଜଣେ ତରୁଣ ଚିକିତ୍ସକ ଫ୍ରେଡେରିକ ବ୍ୟାଣ୍ଟିଙ୍ଗ। ମାତ୍ର ପାଞ୍ଚବର୍ଷ ତଳୁ ମେଡିକାଲ ପଢ଼ା ଶେଷ କରିଥାନ୍ତି ସେ। ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଦେଶର ସୈନ୍ୟବାହିନୀରେ କୃତିତ୍ୱର ସହ କାମ କରି ବ୍ରିଟିଶ ସରକାରଙ୍କ ମିଲିଟାରୀ କ୍ରସ ଅର୍ଜନ କରିଥାନ୍ତି। ତା’ପରେ ବେସରକାରୀ ଚିକିତ୍ସାରେ ଉଧେଇ ନ ପାରି ଟରୋଣ୍ଟୋର ଏକ ମେଡିକାଲ କଲେଜରେ ଶିକ୍ଷକତା କରୁଥାନ୍ତି ଏବଂ ଇନ୍‌ସୁଲିନ୍‌ ବିଷୟରେ ଲେଖାପଢ଼ା କରୁଥାନ୍ତି। ୧୯୨୦ ମସିହା ଅକ୍ଟୋବର ୩୧ତାରିଖ ରାତି ଦୁଇଟା ପାଖାପାଖି, ସେ ଏପରି ଏକ ସ୍ବପ୍ନ ଦେଖିଲେ ଯେଉଁଥିରୁ ତାଙ୍କ ମନେହେଲା, ସେ ସ୍ତନ୍ୟପାୟୀ ପ୍ରାଣୀଙ୍କ ଅଗ୍ନ୍ୟାଶୟରୁ ଇନ୍‌ସୁଲିନ୍‌କୁ ପୃଥକ୍‌ କରିପାରିବେ। କିନ୍ତୁ କିପରି ? କ’ଣ କରି? ବ୍ୟାଣ୍ଟିଙ୍ଗ ଏକ ଅପାତସରଳ ପରିକଳ୍ପନାର କଥା ଜଣେଇଲେ ପ୍ରଫେସର ମ୍ୟାକ୍‌ଲିଓଡ୍‌ଙ୍କୁ। ସେ ଭାବିଥିଲେ, ପ୍ରାଣୀଟିକୁ ନ ମାରି ଯଦି ତା’ର ଅଗ୍ନ୍ୟାଶୟର ପାଚକରସ ପରିବହନକାରୀ ସବୁନଳୀକୁ ବାନ୍ଧି ଦିଆଯାଏ, ତାହାହେଲେ କିଛି ସପ୍ତାହ ମଧ୍ୟରେ ବିପରୀତ ପ୍ରତିବର୍ତ୍ତ କ୍ରିୟାଫଳରେ ଅଗ୍ନ୍ୟାଶୟର ଏନ୍‌ଜାଇମ୍‌ ଉତ୍ପାଦକାରୀ କୋଷଗୁଡ଼ିକ କାର୍ଯ୍ୟ ନ କରିପାରି ଅକାମୀ ହୋଇଯିବ, କିନ୍ତୁ ହରମୋନ୍‌ କ୍ଷରଣରେ କୌଣସି ନଳୀର ପ୍ରୟୋଜନ ନ ଥିବାରୁ, ଇନ୍‌ସୁଲିନର ଉତ୍ସ ଲ୍ୟାଙ୍ଗରହାନ୍ସ ଦ୍ୱୀପପୁଞ୍ଜର କୋଷଗୁଡ଼ିକ ସକ୍ରିୟ ରହିଥିବ। ଏହାପରେ କୁକୁର ଉପରେ ଅପରେଶନ କରି ତାରି ଅଗ୍ନ୍ୟାଶୟ ବାହାର କରି ନେଲେ ସେଥିରୁ ମିଳିଯିବ ଇନ୍‌ସୁଲିନ୍‌, ଅନ୍ୟ ପାଚକରସ ଆସି ଇନ୍‌ସୁଲିନ୍‌କୁ ନଷ୍ଟ କରିପାରିବନି। (କ୍ରମଶଃ..)

ଡା. ନିତ୍ୟାନନ୍ଦ ସ୍ବାଇଁ
-‘ଅଭୀପ୍‌ସା’, ସେକ୍ଟର-୭,
ପ୍ଲଟ ନଂ. ୧୧୩୧, ଅଭିନବ ବିଡାନାସୀ, କଟକ-୭୫୩୦୧୪
ମୋ : ୯୪୩୭୭୬୬୧୧୭


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡ ପହଞ୍ଚୁ ପହଞ୍ଚୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା: ଦିନିକିଆ ସିରିଜରୁ ବାଦ୍‌ ପଡ଼ିବେ ଏହି ଷ୍ଟାର ଖେଳାଳି!

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ହରାଇବା ପରେ ଭାରତୀୟ ଦଳ ଏବେ ଇଂଲଣ୍ଡରେ ପହଞ୍ଚି ସାରିଛି। ଜୁଲାଇ ୧ ତାରିଖରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ପୁଣି ମିଳିବନି ସୁଯୋଗ? ଡେବ୍ୟୁକୁ ନେଇ ଏ କ’ଣ କହିଦେଲେ ଅଧିନାୟକ

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ଆଶ୍ଚର୍ଯ୍ୟଜନକ ପରାଜୟ ପରେ ଭାରତୀୟ ଦଳର ବ୍ୟାଟିଂ ଲାଇନ୍-ଅପ୍‌କୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷ କରି ଚମତ୍କାର…

ବରଗଡ଼ ଆସିବେ ଅମିତ୍ ଶାହା: ୨ଜି ଇଥାନଲ ପ୍ଲାଣ୍ଟର କରିବେ ଉଦଘାଟନ, ଗସ୍ତ ପୂର୍ବରୁ ପ୍ରଶାସନ ତତ୍ପର

ବରଗଡ଼,୩୦।୬(ପ୍ରେମାନନ୍ଦ ଖମାରୀ)- ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଆସନ୍ତା ଜୁଲାଇ ମାସ ୪ତାରିଖ ବରଗଡ଼ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ଆସି ସେ ଭଟଲି…

ଥୁଆମୂଳ ରାମପୁରରେ ଦୁର୍ଘଟଣା: ଗୁରୁତରଙ୍କୁ ମିଳିଲାନି ଆମ୍ବୁଲାନ୍ସ, ବେସରକାରୀ ଗାଡ଼ିରେ ମେଡିକାଲ ସ୍ଥାନାନ୍ତର, ବଢ଼ିଲା ଅସନ୍ତୋଷ

ଥୁଆମୂଳ ରାମପୁର, ୩୦।୬ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା ସଦର ସ୍ଥିତ ତାଳବନ୍ଧ ପଡ଼ା ଓ କାଲି ମନ୍ଦିର ପଡ଼ା ମଝିରେ ଥିବା ଦୁଇଟି ବନ୍ଧ…

ବିଶ୍ୱକପ୍‌ରୁ ବିଦାୟ ନେବା ପରେ ମୁହିଁ ଖୋଲିଲେ ଅଧିନାୟକ, କହିଲେ…

ଫକ୍ସବରୋ,୩୦ା୬: କ୍ରମାଗତ ତୃତୀୟଥର ପାଇଁ ଜର୍ମାନୀ ବିଶ୍ୱକପ୍‌ର ପ୍ରାରମ୍ଭିକ ପର୍ଯ୍ୟାୟରୁ ବିଦାୟ ନେଇଛି। ଏଥର ଦଳ ପେନାଲ୍ଟି ଶୁଟ୍‌ଆଉଟ୍‌ରେ ପାରାଗୁଏଠାରୁ ଲଜ୍ଜାଜନକ ପରାଜୟ ବରଣ କରିଛନ୍ତି। ଦକ୍ଷିଣ…

ଅଧ୍ୟକ୍ଷା ସ୍ମିତାରାଣୀଙ୍କ ଅବସର ପରେ ସୁଶାନ୍ତ ନେଲେ ଅଧ୍ୟକ୍ଷ ଦାୟିତ୍ୱ

ଭଞ୍ଜନଗର,୩୦।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ସ୍ମିତାରାଣୀ ପଣ୍ଡା ମଙ୍ଗଳବାର ଚାକିରିରୁ ଅବସର ନେଇଛନ୍ତି। ଏହି ଅବସରରେ ନୂତନ ଭାରପ୍ରାପ୍ତ…

ପ୍ରାଇଭେଟ୍ କମ୍ପାନୀରେ କେବେ ସୁଦ୍ଧା ମିଳିବା ଦରକାର ଦରମା? ଜାଣନ୍ତୁ କଣ କହୁଛି ସରକାରୀ ନିୟମ

ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଲୋକମାନେ ଭିନ୍ନ ଭିନ୍ନ ପ୍ରକାରର କାମ କରିଥାନ୍ତି। କେହି ନିଜର ବ୍ୟବସାୟ କରନ୍ତି ତ କେହି ଚାକିରି କରନ୍ତି, ଯେଉଁଥିରେ ସରକାରୀ…

ବରଗଡ଼ କେନାଲରେ ଆସିବ ପାଣି, ଏହି ମୁହୂର୍ତ୍ତରେ ଖୋଲିବ ଗେଟ…

ବରଗଡ଼,୩୦।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲକୁ ଆସନ୍ତା ଜୁଲାଇ ମାସ ୨ତାରିଖ ସକାଳ ୯ଟାରୁ ପାଣି ଛଡାଯିବ । ଏହାକୁ ଦୃଷ୍ଟିରେ ରଖି ଏହି କେନାଲ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri