ଜୀବନର ଗତିପଥ

ଉ ଯାହା ହେଉ ନ ହେଉ, ଜୀବନର ଗତିପଥ କ୍ୱଚିତ ଏକ ପ୍ରତ୍ୟାଶିତ ସରଳରେଖାରେ ଗତିକରେ। ଯାତ୍ରୀକୁ ମଧୁର ପ୍ରତାରଣା ପ୍ରଦାନ କରିବା ଏହି ଗତିପଥର ପ୍ରମୁଖ ଲକ୍ଷଣ! ଏବେ ସେମିତି କିଛି ପ୍ରତାରଣାର ସ୍ବାଦୁ ଚାଖିବା, ଯାହା ଯାତ୍ରୀ ପାଇଁ ଥାଏ ଅକଳ୍ପନୀୟ।
ରାଜା ଚାଲିଛନ୍ତି ସୈନ୍ୟସାମନ୍ତ ଧରି ହାତୀପିଠିରେ। ନଅରରୁ କିଛି ବାଟ ଗଲାପରେ ସେ ଦେଖନ୍ତି ସମାନ୍ତରାଳ ଭାବେ ଚାଲି ଚାଲି ଯାଉଛନ୍ତି ତାଙ୍କ ରାଜସଭାର ମୁଖ୍ୟ ପରାମର୍ଶଦାତା, ଯିଏ ତାଙ୍କର ବନ୍ଧୁ ଏବଂ ଦିଗ୍‌ଦର୍ଶକ ମଧ୍ୟ। ରାଜା ବନ୍ଧୁସୁଲଭ ଉଷ୍ମତା ନେଇ ପଚାରିଲେ,  ‘କୁଆଡ଼େ ଚାଲିଲ?’ ପରାମର୍ଶଦାତା କହିଲେ, ”ମୁଁ କ’ଣ ଜାଣେ?“ ସମ୍ପର୍କର ନିବିଡ଼ତାଜନିତ ଏହା ଏକ ଖାମଖିଆଲ ଉତ୍ତର ଭାବି ରାଜା ପୁଣି ପ୍ରଶ୍ନଟି ଦୋହରାଇଲେ। ମିଳିଥିଲା ସମାନ ଉତ୍ତର। ଏଣେ ସୈନ୍ୟସାମନ୍ତ, ଅନ୍ୟ ଅଧିକାରୀଗଣ ରାଜାଙ୍କ ରାସ୍ତା ମଝିରେ ଅଟକିବା ଏବଂ ଏପରି ବାର୍ତ୍ତାଳାପ କରିବା ରାଜପଦର ଅବମାନନା ବୋଲି ଭାବି ଅଶାନ୍ତ ହୋଇ ପଡୁଥିଲେ। ରାଜାଙ୍କ ଅହଂକାରକୁ ମଧ୍ୟ ଏହା ସାମାନ୍ୟ ଆଘାତ ଦେଲା। ଉତ୍‌କ୍ଷିପ୍ତ ହୋଇ ସେ କହିଲେ, ”ୟାଙ୍କୁ କାରାଗାରରେ ନିକ୍ଷେପ କର।“ ରାଜା ତାଙ୍କ ବାଟରେ ଆଗେଇଗଲେ। ସନ୍ଧ୍ୟା ଦରବାରରେ ମନ୍ତ୍ରୀ ରାଜାଙ୍କ ଏହି ସିଦ୍ଧାନ୍ତର ମୃଦୁ ପ୍ରତିବାଦ କଲେ। ନିଜ ପରାମର୍ଶଦାତାଙ୍କୁ  ଅଯଥାରେ ରାସ୍ତାରେ ଅଟକାଇ ପ୍ରଶ୍ନ ପଚାରିବା ଏବଂ ପ୍ରତ୍ୟାଶିତ ଉତ୍ତର ନ ପାଇ ତାଙ୍କୁ ଜେଲରେ ପୂରାଇବା ନିତାନ୍ତ ଅନ୍ୟାୟ ବୋଲି ସେ ମତବ୍ୟକ୍ତ କଲେ। ରାଜା ତାଙ୍କ  ମୁକ୍ତିର ନିର୍ଦ୍ଦେଶ ଦେଲେ। ପାଖରେ ବସାଇ ସମସ୍ତ ଘଟଣାଟିକୁ ହାଲୁକା କରି ପୁଣି ପଚାରିଲେ, ‘ଆଚ୍ଛା ସତ କହିଲ, ତୁମେ ଯାଉଥିଲ କୁଆଡ଼େ?’ ଉପଦେଷ୍ଟା କହିଲେ, ”ଏତେ ଘଟଣା ପରେ ବି ଆପଣ ଉତ୍ତର ପାଇ ପାରୁନାହାନ୍ତି। ମୁଁ କ’ଣ ଘରୁ ବାହାରିଲା ବେଳେ ଜାଣିଥିଲି ମୋର କିଛି ଘଣ୍ଟାର କାରାଗାର ଯୋଗ ଅଛି ବୋଲି? ମୁଁ ଯାଉଥିଲି କୁଆଡ଼େ, ପହଞ୍ଚିଲି କେଉଁଠି?“ ଏ ଥିଲା ମନୋଜ ଦାସ ପରିବେଷିତ ଏକ କାହାଣୀର ପ୍ରତିଧ୍ୱନି।
ନିଜ ସ୍କୁଲମାଷ୍ଟରଙ୍କ ପ୍ରହାର ହେଉ ବା କିଶୋରସୁଲଭ ଉଦ୍ଦାମତାରେ ଜଣେ ସାମନ୍ତଶ୍ରେଣୀୟ ବ୍ୟକ୍ତିଙ୍କ ଫାର୍ମରୁ ଏକ ହରିଣ ଚୋରି ଅଭିଯୋଗରେ ପୋଲିସ କାର୍ଯ୍ୟାନୁଷ୍ଠାନଠୁ ବର୍ତ୍ତିବା ପାଇଁ ହେଉ, ପ୍ରଖ୍ୟାତ ନାଟ୍ୟକାର ଉଇଲିୟମ୍‌ ସେକ୍ସପିୟର ନିଜ ଗାଁ ମାଟିଠୁ ପଳାୟନ କଲେ ଲଣ୍ଡନ, ନିଜ ଭାଗ୍ୟ ଅନ୍ବେଷଣରେ। ଥିଏଟରଗାମୀ କଳାପ୍ରେମୀଙ୍କ ଘୋଡ଼ା ଜଗିବା ତାଙ୍କୁ ସର୍ବକାଳୀନ ଶ୍ରେଷ୍ଠ ନାଟ୍ୟକାରର ସିଂହାସନରେ ବସାଇବ, ଏହା କ’ଣ ସେ ଜାଣିଥିଲେ? ଅବା ସେ କ’ଣ ଜାଣିଥିଲେ ଯେଉଁ ଭଦ୍ରମହିଳାଙ୍କୁ ବାହାହେବେ ସେ ତାଙ୍କଠୁ ୮ବର୍ଷ ବଡ଼? ଏପରି କି ଛୋଟମୋଟ ଅଭିନୟ, ନାଟ୍ୟ ନିର୍ଦ୍ଦେଶନା କ’ଣ ତାଙ୍କୁ ଜଣେଇଥିଲା ଯେ ମାତ୍ର ୫୨ ବର୍ଷ ବୟସରେ ପୃଥିବୀ ଛାଡ଼ିବାର ଢେର ପୂର୍ବରୁ ସେ ପୃଥିବୀର ସର୍ବଶ୍ରେଷ୍ଠ ନାଟ୍ୟକାରର ମୁକୁଟ ପିନ୍ଧିବେ?
ଜୀବନର ଦୋଛକି କାହା ଆଗରେ ବା ଉଭା ହୁଏନି। କିନ୍ତୁ ସମସ୍ତେ କ’ଣ ରର୍ବଟ ଫ୍ରଷ୍ଟ ହୋଇପାରିବେ, ଯାହାଙ୍କ କବିତାର (ରୋଡ୍‌ ନଟ୍‌ ଟେକେନ୍‌) କେତେକ ପଂକ୍ତି ଜବାହରଲାଲ ନେହେରୁଙ୍କ ଭଳି ଅନେକ ପାଠକଙ୍କ ମାର୍ଗଦର୍ଶିକା ହୋଇ ଚିରଦିନ ରହିବ? କବିତାରେ ଏହି ‘ଦୋ ଛକି’ର ବ୍ୟାଖ୍ୟା କରିବାକୁ ଯାଇ ସେ କହନ୍ତି, କିପରି ଦୁଇଟି ରାସ୍ତା କବିଙ୍କ ଆଗରେ ପଡ଼ିଥିଲା। ଗୋଟିଏ ବହୁଳ ବ୍ୟବହୃତ ଓ ଅନ୍ୟଟି ଅମଡ଼ା, ଘାସଗୁଳ୍ମରେ ଭରପୂର। ସେ ଏହି ଅମଡ଼ା ବାଟଟିକୁ ପସନ୍ଦ କଲେ ଯାହା ତାଙ୍କର ଅନ୍ୟଠୁ ପୃଥକତା ପାଇଁ ଦାୟୀ। କିନ୍ତୁ ସେ ତାଙ୍କ ମନୋନୀତ ରାସ୍ତାଟି ଏକ ମହତ୍ତର ବିକଳ୍ପ ବୋଲି କହି ନାହାନ୍ତି। ସେ ଖାଲି ଘଟଣାଟି ବର୍ଣ୍ଣନା  କରିଛନ୍ତି ଏବଂ ସେହି କ୍ରମରେ ସେ କହିବାକୁ ଚାହାନ୍ତି, ଦୋ’ଛକିର ରାସ୍ତା ଦ୍ୱୟ ପରସ୍ପରଠୁ ଦୂରେଇ ଯାଉଥିବା ଦୁଇଟି ମାର୍ଗ। ଗୋଟିକୁ ପସନ୍ଦ କଲାପରେ ପୁଣି ପ୍ରାରମ୍ଭରେ ପହଞ୍ଚି ଦ୍ୱିତୀୟ ମାର୍ଗରେ ଯିବା ସାଧାରଣତଃ ସମ୍ଭବ ନୁହେଁ।  ଅର୍ଥାତ୍‌ ନଦୀର ଗତିପଥ ପରି ଜୀବନର ଗତିପଥଗୁଡ଼ିକ ସାଧାରଣତଃ ଅପରିବର୍ତ୍ତନୀୟ।
ମୁଣ୍ଡ ବାଡ଼େଇ ନିଜର ହଜିଲା ପ୍ରେମିକାକୁ ଖୋଜି ଖୋଜି ନୟାନ୍ତ ହୋଇପଡି଼ଥିବା ପ୍ରେମିକ ଜଣକର ଏକ ରେସ୍ତୋରାଁରେ ପରଷା ଯାଇଥିବା ଖାଦ୍ୟ ତାଲିକାର ଏକ ତ୍ରୁଟିରୁ ନିଜ ହୃଦୟର ରାଣୀଙ୍କୁ ଆବିଷ୍କାର କରିବା, ଏକ ଅତ୍ୟାଶ୍ଚର୍ଯ୍ୟ ଘଟଣା ନିଶ୍ଚୟ। ଦୀର୍ଘଦିନ ଧରି ସେ ପ୍ରେମିକାଠୁ ବିଚ୍ଛିନ୍ନ। ତାଙ୍କର କୌଣସି ଖୋଜଖବର ନ ପାଇ ଭଗ୍ନ ହୃଦୟରେ ପ୍ରେମିକ (ୱାଲଟ୍‌ର) ଏକ ରେସ୍ତୋରାଁରେ ପହଞ୍ଚିଲେ କ୍ଷୁଧା ନିବାରଣ ପାଇଁ। ମାତ୍ର କିଏ ଜାଣିଥିଲା ଏହି ରେସ୍ତୋରାଁରେ ହିଁ ଭାଗ୍ୟଚକ୍ରରେ ନିଜଠୁ ବିଚ୍ଛିନ୍ନ ହୋଇଥିବା ତାଙ୍କ ପ୍ରେମିକା ‘ସାରା’ର ସନ୍ଧାନ ସେ ପାଇବେ। ଅନ୍ୟମନସ୍କତା ମଣିଷ ପାଇଁ ବେଳେବେଳେ ଆଶୀର୍ବାଦ ପାଲଟେ। ଘଟଣାକ୍ରମେ ସେହି ଜଳଖିଆ ଦୋକାନରେ ତାଙ୍କ ପ୍ରେମିକା ‘ସାରା’  ଚାକିରି କରୁଥିଲେ, ମୁଖ୍ୟକାମ ଥିଲା ପ୍ରତିଦିନ ପରିଚାଳକ ପ୍ରଦତ୍ତ ‘ନୂଆ ଖାଦ୍ୟତାଲିକା’ ଟାଇପ୍‌ କରିବା। ଘଟଣାକ୍ରମେ ସେହି ମିଳନୀ ଦିବସରେ ଅନ୍ୟମନସ୍କ ହୋଇ ଖାଦ୍ୟତାଲିକାର ଏକ ଖାଦ୍ୟ-‘ଡେଣ୍ଡେଲିଅନ ୱିଥ୍‌ ହାର୍ଡ଼ ବଏଲଡ୍‌ ଏଗସ୍‌’ (ବସନ୍ତ ଋତୁରେ ଫୁଟୁଥିବା ଡେଣ୍ଡେଲିଅନ୍‌ ଏକ ଫୁଲ ଯାହା ସିଝା ଅଣ୍ଡା ସହ ଖିଆଯାଏ) ବଦଳରେ ‘ଡିଏରେଷ୍ଟ ୱାଲଟାର ୱିଥ୍‌ ହାର୍ଡ ବଏଲଡ୍‌ ଏଗସ୍‌’ ଟାଇପ କରି ଦେଇଥିଲେ। ପ୍ରେମିକ ୱାଲଟରଙ୍କ ପାଇଁ ଖାଦ୍ୟତାଲିକାର ଏହି ଭୁଲ୍‌ ହିଁ ତାଙ୍କୁ ଠିକ୍‌ ମାର୍ଗରେ ପହଞ୍ଚି ଦେଇଥିଲା। ସେ ଅନୁସନ୍ଧାନ କରି ଜାଣିଥିଲେ, ‘ସାରା’ ହିଁ ଏହି ଖାଦ୍ୟ ତାଲିକା ଟାଇପ କରିଛି। ‘ଓ ହେନ୍‌ରୀ’ଙ୍କ ଏହି ଗଳ୍ପ ‘ସ୍ପ୍ରିଙ୍ଗ ଟାଇମ୍‌’ (ବସନ୍ତ ସମୟ)ର ଏକ ବିକଳ୍ପ ଶିରୋନାମା ବୋଧହୁଏ ହେବ, ‘ଭୁଲ୍‌ ଯେଉଁଠି ଠିକ୍‌’!!
ବେଳେବେଳେ କଳାର ଗତିପଥ ଜୀବନର ଗତିପଥକୁ ସାଂକେତିକ ଭାବରେ ପ୍ରକାଶ କରେ, ବିଶେଷତଃ ଜୀବନର ବୃତ୍ତାକାର ଗତିକୁ ସୂଚିତ କରି। ସେଇଥି ପାଇଁ ଟି.ଏସ୍‌. ଏଲିଅଟ୍‌ କହନ୍ତି ‘ଅନ୍ତ ହିଁ ମୋର ଆରମ୍ଭ’ (ଇନ୍‌ ମାଇ ଏଣ୍ଡ୍‌ ଇଜ ମାଇ ବିଗିନିଙ୍ଗ) ଏବଂ ପ୍ରଖ୍ୟାତ ଚଳଚିତ୍ର ନିର୍ଦ୍ଦେଶକ ରିଚାର୍ଡ ଏଟେନବୋରୋ ‘ଗାନ୍ଧୀ’ ଚଳଚ୍ଚିତ୍ରରେ ଗାନ୍ଧୀଙ୍କ ହତ୍ୟା ଦୃଶ୍ୟକୁ ଚଳଚ୍ଚିତ୍ରର ପ୍ରଥମ ଦୃଶ୍ୟ ହିସାବରେ ପରିବେଷଣ କରିଥିଲେ। ଆଣ୍ଟୋନ ଚେକୋଭଙ୍କ ଗୋଟିଏ ଗଳ୍ପ ଏକ ‘କାରୁକାର୍ଯ୍ୟ’ (ଏ ୱାର୍କ ଅଫ୍‌ ଆର୍ଟ) ସାଂକେତିକ ଭାବରେ ଜୀବନର ଚକ୍ରାକର ଗତିର ସୂଚନା ଦିଏ। ନାଟକୀୟ ଭାବରେ ଆରମ୍ଭ ହୋଇଥିବା  ଗପରେ ଛୋଟପିଲାଟି ପଶି ଆସୁଛି ଜଣେ ଡାକ୍ତରଙ୍କ ଚ୍ୟାମ୍ବରକୁ ଏବଂ କହୁଛି ତାଙ୍କ ଚିକିତ୍ସାରେ ସେ ଆରୋଗ୍ୟ ଲାଭ କରି ଥିବାରୁ ତାଙ୍କ ମାଆ ଏହି କଳାତ୍ମକ ବସ୍ତୁଟି, ଯାହା ଗୋଟିଏ କ୍ୟାଣ୍ଡେଲ ଷ୍ଟାଣ୍ଡ, ଉପହାର ଭାବେ ପ୍ରଦାନ କରିଛନ୍ତି। ଆପାତଦୃଷ୍ଟିରୁ ଷ୍ଟାଣ୍ଡର ନାରୀମୂର୍ତ୍ତିର ସାମାନ୍ୟ ଅଶ୍ଳୀଳ ଭଙ୍ଗୀ ଡାକ୍ତରଙ୍କୁ ଅଡୁଆ ଲାଗୁଥିଲାବେଳେ ପିଲାଟି କହି ଉଠିଛି,  ‘କି କବିତା! କି ଗତି! କି ପରିପ୍ରକାଶ!’ ଗଲାବେଳେ ପୁଣି କହିଛି, ସେ ପୁଣି ଦିନେ ଫେରିବ ଏହାର ସାଥୀ ଷ୍ଟାଣ୍ଡଟି ନେଇ। ଅଶ୍ଳୀଳତା ଭାରରେ ଡାକ୍ତର ଛଟପଟ। ପିଲାଟିର ଭାଷାର ପୁନରାବୃତ୍ତି କରି ଡାକ୍ତର ଏହାକୁ ଭେଟି ଦେଇଛନ୍ତି ଜଣେ ଓକିଲଙ୍କୁ ଏବଂ ଓକିଲ ଜଣକ ସେହି ଏକାଭାବରେ ଅତିଷ୍ଠ ହୋଇ ତାକୁ ଦାନ କରିଛନ୍ତି ଜଣେ ହାସ୍ୟ କଳାକାରଙ୍କୁ, ଯିଏ ଅନନ୍ୟୋପାୟ ହୋଇ ଏହାକୁ ବିକ୍ରି କରିଛନ୍ତି ପୁରାତନ ମୂର୍ତ୍ତି ସଂଗ୍ରହକାରୀଙ୍କୁ, ଯାହାଠୁ କିଣି ଆଣି ସେ ପିଲାର ମା’ ଏହା ପୂର୍ବ ମୂର୍ତ୍ତିର ସାଥୀ ହେଲା ଭଳି ଅନ୍ୟ ଏକ ମୂର୍ତ୍ତି ଭାବି ସେହି ପୁଅ ହାତରେ ଡାକ୍ତରଙ୍କ ପାଖକୁ ପଠାଇ ଦେଇଛନ୍ତି। କଥା ଯେଉଁଠୁ ଆରମ୍ଭ, ସେଇଠି ଶେଷ ହୋଇଛି!!
ସିଧାସିଳଖ ହେଉ କି ବକ୍ରାକାର ହେଉ କି ବୃତ୍ତାକାର, ଜୀବନର ଗତିପଥ ଯାବତୀୟ ରହସ୍ୟ ଓ କୌତୁକରେ ଭରା। ଜୀବନର ଅନ୍ୟନାମ ଯେ ଗାଣିତିକ ନିଶ୍ଚିତତା ନୁହେଁ, ଏହି କଥାଟି କହିବା ହୁଏତ ଏହାର ମୁଖ୍ୟଲକ୍ଷ୍ୟ!!
ଡ. ସୁବାସ ଚନ୍ଦ୍ର ପାତ୍ର
ପୂର୍ବତନ ଅଧ୍ୟକ୍ଷ,
ଜେଲ ରୋଡ୍‌, ବାଲେଶ୍ୱର
ମୋ : ୯୪୩୭୩୭୬୨୧୯

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?