ମୁମ୍ବାଇ: ‘ବିଗ ବସ ୨୦’ର ‘ୱିକେଣ୍ଡ କା ୱାର୍’ ଏପିସୋଡ ଏଥର ଖୁବ ରୋଚକ ହୋଇଥିଲା। ଏହି ବିଶେଷ ଅବସରରେ ଅନେକ ଗାୟକ ନିଜ ସୁମଧୁର ସ୍ବରରେ ଦର୍ଶକଙ୍କ ମନ ଜିଣିଥିଲେ। ଏଥିରେ ସାମିଲ ହୋଇଥିଲେ ପ୍ରସିଦ୍ଧ ଗାୟକ ମୋହିତ ଚୌହାନ। ତେବେ ମୋହିତ ଚୌହାନଙ୍କ ଏକ ଗୀତ ଶୁଣି ଶୋ’ର ହୋଷ୍ଟ ତଥା ବଲିଉଡ ସୁପରଷ୍ଟାର ସଲମାନ ଖାନ ଭାବବିହ୍ବଳ ହୋଇପଡ଼ିଥିଲେ।
‘ବିଗ ବସ ୨୦’ର ନୂଆ ପ୍ରୋମୋରେ ମୋହିତ ଚୌହାନ କହିଛନ୍ତି, ସେ ସଲମାନଙ୍କର ବଡ଼ ପ୍ରଶଂସକ। କିନ୍ତୁ ସଲମାନଙ୍କ ପିତା ତଥା ପ୍ରଖ୍ୟାତ ଲେଖକ ସଲିମ ଖାନଙ୍କର ସେ ଆହୁରି ବଡ଼ ପ୍ରଶଂସକ। ସଲିମଙ୍କ ପ୍ରତି ନିଜର ସମ୍ମାନ ଜଣାଇ ସେ ୧୯୬୩ ମସିହାର ଫିଲ୍ମ ‘ବଚପନ’ର ଗୀତ ‘ମୁଝେ ତୁମ୍ସେ ମୋହବତ୍ ହୈ, ମଗର ମୈଁ କହ ନେହିଁ ସକ୍ତା’ ଗାଇଥିଲେ। ଏହି ଫିଲ୍ମରେ ସଲିମ ଜଣେ ଅଭିନେତା ଭାବେ କାମ କରିଥିଲେ। ପରେ ସେ ହିନ୍ଦୀ ସିନେମାର ଜଣେ ଖ୍ୟାତନାମା ପଟକଥା ଲେଖକ ଭାବେ ପରିଚିତ ହୋଇଥିଲେ।
ମୋହିତ ଚୌହାନଙ୍କ ଏହି ଭାବପ୍ରବଣ ଗୀତ ସଲମାନଙ୍କୁ ଗଭୀର ଭାବେ ପ୍ରଭାବିତ କରିଥିଲା। ସେ ନିଜ ଭାବନାକୁ ଶବ୍ଦରେ ପ୍ରକାଶ କରିପାରି ନ ଥିଲେ। ଆଖିରୁ ଲୁହ ଝରିବାକୁ ରୋକିବା ପାଇଁ ସେ ଚୁପଚାପ ଅନ୍ୟ ଦିଗକୁ ମୁହଁ ଫେରାଇ ନେଇଥିଲେ। ସଲମାନଙ୍କ ଏହି ଭାବୁକ ମୁହୂର୍ତ୍ତ ଶୋ’ର ପ୍ରତିଯୋଗୀମାନଙ୍କୁ ମଧ୍ୟ ଭାବପ୍ରବଣ କରିଦେଇଥିଲା।
ସଲମାନର ତାଙ୍କ ପିତା ସଲିମଙ୍କ ସହ ରହିଛି ଏକ ନିଆରା ସମ୍ପର୍କ। ନିକଟରେ ‘ବିଗ ବସ ୨୦’ରେ ସଲମାନ ଏହି ସମ୍ପର୍କକୁ ନେଇ ଏକ ବ୍ୟକ୍ତିଗତ ଅନୁଭୂତି ଶେୟାର କରିଥିଲେ। ସେ କହିଥିଲେ, କିଛି ଦିନ ପୂର୍ବରୁ ପିତାଙ୍କ ସହ କଥା ହେଉଥିବା ସମୟରେ ଜଣେ ପୁଅ ଭାବେ ନିଜର ଭୁଲ ପାଇଁ କ୍ଷମା ମାଗିଥିଲେ। ଜୀବନରେ ସମସ୍ତଙ୍କର କିଛି ନା କିଛି କଥା ପାଇଁ ଅନୁତାପ ରହିଥାଏ। ସେହିପରି ସେ ମଧ୍ୟ ପିତାଙ୍କୁ କହିଥିଲେ ଯେ, ଯଦି କେବେ ପୁଅ ଭାବେ କୌଣସି ଭୁଲ କଥା କହିଥାନ୍ତି କିମ୍ବା ତାଙ୍କୁ ନିରାଶ କରିଥାନ୍ତି, ତେବେ ସେଥିପାଇଁ କ୍ଷମା ମାଗୁଛି।
Dharitri – Odisha’s No.1 Odia Daily

