ଦିଗପହଣ୍ଡି,୧୦।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଳକସ୍ତରୀୟ ଶିଶୁ ମହୋତ୍ସବ’ ସୁରଭି ‘ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷୟତ୍ରୀ ବିଷ୍ଣୁପ୍ରିୟା ପାଣିଗ୍ରାହୀଙ୍କ ସଂଯୋଜନାରେ ଆୟୋଜିତ ସଭାରେ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଭୋପେନ କୁମାର ମହାନ୍ତ ଅଧ୍ୟକ୍ଷତା କରି ଛାତ୍ରୀଛାତ୍ରଙ୍କ ଅନ୍ତର୍ନିହିତ ଗୁଣାବଳୀ ଓ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଏବଂ ବିଶେଷକରି ଶିଶୁର ପୂର୍ଣ୍ଣାଙ୍ଗ ବିକାଶ ସାଧନକୁ ଶତ ପ୍ରତିଶତ ସୁନିଶ୍ଚିତ କରାଇବା ଏହି ‘ସୁରଭି’ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି କହିଥିଲେ ।
ଆୟୋଜିତ କାର୍ଯ୍ୟକ୍ରମରେ ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରୀଛାତ୍ରମାନଙ୍କ ପ୍ରତିଭା, କଳା ନୈପୁଣ୍ୟତା ଏବଂ ସୃଜନଶୀଳତାର ବିକାଶ ଦିଗରେ ଶିକ୍ଷୟତ୍ରୀ ଶିକ୍ଷକବୃନ୍ଦ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି(ଇସକଫ)ର ଗଞ୍ଜାମ ଜିଲା ସଭାପତି ହରପ୍ରସାଦ ରଥ, ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା, କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର, କରପଡା ପଞ୍ଚାୟତ ସରପଞ୍ଚ ଫନୀନ୍ଦ୍ର ଚନ୍ଦ୍ର ଗୋସ୍ୱାମୀ, ସହଗୋଷ୍ଠୀ ଶିକ୍ଷାଧିକାରୀ ବାଳା ମାଝୀ, ରସାନନ୍ଦ ଘଡେଇ, ବିଶ୍ରବା ପାଇକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଅନୀଲ କୁମାର ଦାସ ଓ ଶ୍ରୀକାନ୍ତ ସାମନ୍ତରାୟ ମିଳିତ ଭାବେ ମଞ୍ଚ ପରିଚାଳନା କରିଥିଲେ । ବ୍ଲକ ଅଧିନସ୍ଥ ୧୬ ଟି କ୍ଳଷ୍ଟରର ୪ର୍ଥ ଶ୍ରେଣୀ ଠାରୁ ଦ୍ବାଦଶ ଶ୍ରେଣୀର ୫ ଶହରୁ ଉର୍ଦ୍ଧ୍ବ ଛାତ୍ରୀଛାତ୍ରଙ୍କ ମଧ୍ୟରେ ନୃତ୍ୟ, ସଙ୍ଗୀତ, ଏକାଙ୍କିକା ସମେତ ଅନ୍ୟାନ୍ୟ ବିଚାରକ ମଣ୍ଡଳୀ ବିଭିନ୍ନ ପ୍ରତିଯୋଗୀତାର ମୂଲ୍ଯାୟନ କରି ଶ୍ରେଷ୍ଠ ପ୍ରତିଭାକୁ ଚୟନ କରିଥିଲେ । ଶେଷରେ କୃତି ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା ।
ଗୋଷ୍ଠୀ ସମ୍ବଳ ଶିକ୍ଷକ ସୁଶାନ୍ତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସମସ୍ତ ସିଆରସିସି , ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ, ପ୍ରଧାନଶିକ୍ଷକ ଓ ଅନ୍ୟାନ୍ୟ ସହକାରୀ ଶିକ୍ଷୟିତ୍ରୀ ଶିକ୍ଷକ ବୃନ୍ଦ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

