ଲାଉଙ୍ଗିମାନଙ୍କ ସଂକଳ୍ପ ଓ ଜଳସେଚନ

ବିଚିତ୍ର ବିଶ୍ୱାଳ

ମଣିଷର ନିଷ୍ଠା ଓ ସଂକଳ୍ପ ସାମ୍‌ନାରେ ପାହାଡ଼ର ଦର୍ପ ବି ଚୂନା ହୋଇଯାଏ, ଏକଥା ପ୍ରମାଣ କରିଥିଲେ ବିହାରର ଦାଶରଥି ମାନ୍‌ଝି; ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ହୋଇଥିଲା ଓ ତାଙ୍କ ଉପରେ ଗୋଟେ ବଲିଉଡ୍‌ ଚଳଚ୍ଚିତ୍ର ବି ନିର୍ମାଣ ହୋଇଥିଲା। ଚିକିତ୍ସା ଅଭାବରୁ ନିଜ ସ୍ତ୍ରୀର ଦେହାନ୍ତ ହୋଇଯିବାରୁ ତାଙ୍କ ଗାଁ ଓ ସହର ମଝିରେ ଥିବା ପାହାଡ଼କୁ ସେ ଏକାକୀ କାଟି ତିଆରି କରିଦେଇଥିଲେ ଗୋଟେ ରାସ୍ତା। ଏବେ ପୁଣି ଥରେ ସେମିତି ଏକ ପ୍ରେରଣାଦାୟୀ ଘଟଣା ଦେଖିବାକୁ ମିଳିଛି ବିହାରର ଗୟା ଜିଲାରେ। ଗୟା ଜିଲାର ଲାଥୁଆ ଅଞ୍ଚଳର କୋଠିଲାୱା ଗ୍ରାମର ୭୦ ବର୍ଷୀୟ ବୃଦ୍ଧ ଲାଉଙ୍ଗି ଭୂୟାଁ ୩୦ ବର୍ଷ କାଳ ଅକ୍ଳାନ୍ତ ପରିଶ୍ରମ କରି ଦୀର୍ଘ ୩ କିଲୋମିଟରର ଏକ କେନାଲ ଖୋଳି ପାହାଡ଼ ଉପରୁ ଝରିଯାଉଥିବା ବର୍ଷା ପାଣିକୁ ନିଜ ଗାଁ ଜମିକୁ ଆଣିବାରେ ସକ୍ଷମ ହୋଇଛନ୍ତି।
କଳା ମଚମଚ ରଙ୍ଗ ଓ କ୍ଷୀଣକାୟ ଶରୀରର ୭୦ ବର୍ଷୀୟ ବୃଦ୍ଧ ଲାଉଙ୍ଗି ଭୂୟାଁ। କାନ୍ଧରେ ଥାଏ ଅହରହ ଏକ କୋଦାଳ। ଆଣ୍ଠୁ ଉପରକୁ ପଡ଼ୁଥିବା ଏକ ମସିଆ ଧୋତି। ବେଶି ପାଠ ପଢ଼ିନାହାନ୍ତି କି ଆଜିକାଲି ମଣିଷମାନଙ୍କ ପରି ସେ ଆଧୁନିକ ନୁହନ୍ତି। କିନ୍ତୁ ତାଙ୍କ ପାଖରେ ଥିଲା ଅସମ୍ଭବକୁ ସମ୍ଭବ କରିବାର ଦୃଢ଼ ସଂକଳ୍ପ। ଯେତେବେଳେ ସାରା ଗାଁର ଲୋକମାନେ ରୋଜଗାର ପାଇଁ ସହରକୁ ଯିବାକୁ ଆରମ୍ଭ କରୁଥିଲେ, ସେ କିନ୍ତୁ ସେହି ରାସ୍ତାରେ ନ ଯାଇ ଅଲଗା ରାସ୍ତା ବାଛିଥିଲେ। ସେ ହାତରେ କୋଦାଳ ଧରି ବାହାରି ଯାଇଥିଲେ ପାହାଡ଼ ପାଖକୁ। କୋଠିଲାୱା ଗାଁର ଅନ୍ୟମାନଙ୍କ ପରି ତାଙ୍କର ବି କୌଳିକ ବୃତ୍ତି ଥିଲା ଚାଷ କରିବା ଓ ପଶୁପାଳନ କରିବା। ପ୍ରତିଦିନ ସେ ଛେଳି ଚରେଇବାକୁ ଗାଁ ପାଖ ଜଙ୍ଗଲକୁ ଯାଆନ୍ତି ଓ ଛେଳିଙ୍କୁ ଚରେଇବାକୁ ଛାଡ଼ି ଦେଇ କେନାଲ ଖୋଳା କାମରେ ଲାଗିଯାଆନ୍ତି। ତାଙ୍କ ପାଖରେ ଥିଲା ତାଙ୍କର ଏକମାତ୍ର ସାଧନ ଗୋଟେ କୋଦାଳ ଓ ଗୋଟେ ମାଟି ବୁହା ଝୁଡ଼ି। ନିଜେ ମାଟି ଖୋଳନ୍ତି ଓ ଝୁଡ଼ିରେ ଭରି ବନ୍ଧରେ ପକାନ୍ତି। ଏ କାମରେ ତାଙ୍କୁ କେହି ଜଣେ ସାହାଯ୍ୟ କରିନାହାନ୍ତି। ସାହାଯ୍ୟ କରିବା ତ ଦୂରର କଥା, ଏହି କାମ କରିବା ପାଇଁ ସେ କାହାଠାରୁ ବି ଉତ୍ସାହ ପାଇନାହାନ୍ତି। ଓଲଟି ଗାଁ ଲୋକମାନେ ତାଙ୍କୁ ଅନେକ ସମୟରେ ନିରୁତ୍ସାହିତ କରନ୍ତି, ଏଭଳି ଏକ ଅସମ୍ଭବ କାମରେ ସେ ହାତ ଦେଇଥିବାରୁ। ଏପରି କି ତାଙ୍କ ନିଜ ସ୍ତ୍ରୀ, ପୁଅ, ବୋହୂ ତାଙ୍କୁ ପ୍ରଥମେ ପ୍ରଥମେ ବହୁତ ନିରୁତ୍ସାହିତ କରିଛନ୍ତି ଓ କେନାଲ ଖୋଳା କାମ ଛାଡ଼ି ଦେବା ପାଇଁ ତାଙ୍କୁ ବୁଝାଇଛନ୍ତି। କିନ୍ତୁ ଲାଉଙ୍ଗି ଯେମିତି ପଣ କରିଥିଲେ, କେହି ସାହାଯ୍ୟ କରନ୍ତୁ କି ନ କରନ୍ତୁ, ସେ କେନାଲ ଖୋଳିବେ ଓ ତାଙ୍କ ଗାଁକୁ ପାଣି କଢ଼େଇ ଆଣିବେ। ଆଜି ସେ ଏହି କାମରେ ସଫଳ ହୋଇଛନ୍ତି। ପାହାଡ଼ ପାଖରୁ ନିଜ ଗାଁର ଜମି ପର୍ଯ୍ୟନ୍ତ ଦୀର୍ଘ ୩ କିଲୋମିଟରର କେନାଲ ସେ ଏକା ଖୋଳି ସାରା ଅଞ୍ଚଳରେ ଚହଳ ପକେଇ ଦେଇଛନ୍ତି। ଏହି କାମ କରିବା ପାଇଁ ତାଙ୍କୁ ଦୀର୍ଘ ୩୦ ବର୍ଷ ସମୟ ଲାଗିଛି। ତାଙ୍କୁ ଯେତେବେଳେ ୪୦ ବର୍ଷ ହୋଇଥିଲା ସେ ଏକୁଟିଆ ସେହି କେନାଲ ଖୋଳା କାମ ଆରମ୍ଭ କରିଥିଲେ। ଆଜି ସେ ୭୦ ବର୍ଷ ବୟସରେ ପହଞ୍ଚିଥିବା ବେଳେ କେନାଲରେ ପାଣି ଆସି ତାଙ୍କ ଗାଁରେ ପହଞ୍ଚୁଛି। ତିଆରି କରିଥିବା କେନାଲ ଯୋଗୁ ଏବେ ସେ ଏକା ଲାଭ ପାଉନାହାନ୍ତି କି କେବଳ ତାଙ୍କ ଜମିକୁ ପାଣି ମାଡ଼ୁନି। ଗାଁର ସବୁ ପରିବାର ପାଣି ପାଉଛନ୍ତି। ପ୍ରାୟ ୩ ହଜାର ଲୋକ ତାଙ୍କର ଏହି କେନାଲ ଯୋଗୁ ଉପକୃତ ହେଉଛନ୍ତି। ସେ ପ୍ରଥମେ ଦେଖିଥିଲେ ପ୍ରତିବର୍ଷ ବର୍ଷା ଦିନେ ପାହାଡ଼ ଉପରୁ ପାଣି ସବୁ ଇଆଡ଼େ ସିଆଡ଼େ ନଷ୍ଟ ହୋଇଯାଉଛି। କିନ୍ତୁ ଗାଁ ଜମିଗୁଡ଼ିକ ପାଣି ନ ପାଇ ଶୁଖିଲା ରହୁଛି। ତେଣୁ ସେ ଭାବିଲେ, ଯଦି ପାହାଡ଼ର ପାଣିକୁ କେନାଲ କରି ଜମି ପର୍ଯ୍ୟନ୍ତ ଅଣାଯାଇପାରନ୍ତା ତେବେ ଜମିରେ ଭଲ ଚାଷ ହୁଅନ୍ତା। ସେ କେବଳ ଭାବିଲେ ନାହଁି, ତାକୁ କାମରେ ଲଗେଇଲେ ଓ ଲୋକମାନଙ୍କ ହଜାରେ ନିରୁତ୍ସାହ ପରେ ବି ସଂକଳ୍ପର ସହିତ ନିଜ କାମରେ ଲାଗିରହିଲେ ଓ ଆଜି ତା’ର ପରିଣାମ ହୋଇଛି, ୩ କିଲୋମିଟରର ଦୀର୍ଘ ଏକ କେନାଲ।
ଟିଭି କ୍ୟାମେରା ସାମ୍‌ନାରେ ନିଜ କଥା କହିବା ବେଳେ ଦାନ୍ତ ପଡ଼ିଯାଇଥିବା ପାକୁଆ ପାଟିରେ ଲାଜ ଲାଜ ହୋଇ ଲାଉଙ୍ଗି କୁହନ୍ତି ଯେ, ୩୦ ବର୍ଷ ହେଲା ମଁୁ ଖୋଳୁଛି। ପ୍ରଥମେ ପ୍ରଥମେ ଖୋଳିବା ବେଳେ ବହୁତ ଲୋକ ଉପହାସ କରୁଥିଲେ, କିନ୍ତୁ ମଁୁ କାହା କଥା ଶୁଣିଲି ନାହଁି। ମୋ ମନରେ ଗୋଟିଏ ନିଶା ଥିଲା ମଁୁ ପାହାଡ଼ର ପାଣିକୁ ଜମିକୁ ଆଣିବି। ସେ ଆହୁରି କୁହନ୍ତି ଯେ, ଆମେ ଚାଷ କରି ବଞ୍ଚିବା ଲୋକ। ଦିନେ ଛେଳି ଚରେଇବା ବେଳେ ଭାବିଲି, ଯଦି ଏହି ପାହାଡ଼ର ପାଣି ଆମ ଜମିକୁ ଆସିବା ତେବେ ଆମେ ସହରରେ ମୂଲ ନ ଲାଗି ନିଜ ଜମିରେ ନିଜେ ଚାଷ କରିବୁ। ଲାଉଙ୍ଗିଙ୍କର ୩୦ବର୍ଷର ସେହି ଶ୍ରମ ଆଜି ସଫଳ ହୋଇଛି। ସେ ଖୋଳିଥିବା କେନାଲରେ ପାଣି ଗାଁକୁ ଆସୁଛି। ଲାଉଙ୍ଗି ଆଜି ସେହି କୋଠିଲାୱା ଗାଁର ଜଣେ ସାଧାରଣ ମଣିଷ ହୋଇନାହାନ୍ତି, ସେ ସାରା ଦେଶ ପାଇଁ ଗୋଟିଏ ଜୀବନ୍ତ ଉଦାହରଣ ପାଲଟି ଯାଇଛନ୍ତି। ଏହା ଅବଶ୍ୟ ଭିନ୍ନ କଥା ଯେ, ବର୍ତ୍ତମାନର ଗଣମାଧ୍ୟମଙ୍କ ପାଖରେ ସରକାର ବାହାଦୁରଙ୍କୁ ଖୁସି କରିବାରୁ ଫୁର୍‌ସତ୍‌ ମିଳୁ ନ ଥିବାରୁ ଲାଉଙ୍ଗିଙ୍କ କାହାଣୀ ଆଲୋଚନାକୁ ଆସିପାରିନାହଁି। ନ ହେଲେ ଏମିତି ଏକ ଘଟଣା ସାରା ଦେଶର ଆଖି ଖୋଲିଦେବା ପରି।
ସତରେ ଲାଉଙ୍ଗିଙ୍କର ନିଷ୍ଠା ବା ସଂକଳ୍ପର ଯଦି ଗୋଟିଏ ପ୍ରତିଶତ ସରକାରଙ୍କ ପାଖରେ ଥାଆନ୍ତା, ତେବେ ଆଜି ଜଳସେଚନ ଅଭାବରେ ଆମ ଦେଶର ଲକ୍ଷ ଲକ୍ଷ ଏକର ଚାଷଜମି ମରୁଡ଼ିର ଶିକାର ହୁଅନ୍ତା ନାହଁି। ଏହି ପ୍ରବନ୍ଧର ଉଦ୍ଦେଶ୍ୟ କେବଳ ନୁହେଁ, ଲାଉଙ୍ଗିଙ୍କର ନିଷ୍ଠା ଓ ସଂକଳ୍ପକୁ ମହିମା ମଣ୍ଡିତ କରିବା। ଲାଉଙ୍ଗି ତ ପ୍ରଶଂସାର ଯୋଗ୍ୟ। କିନ୍ତୁ ଏଭଳିି ଲାଉଙ୍ଗିମାନଙ୍କ ପାଇଁ ଓ ତାଙ୍କ ଚାଷ ଜମି ଲାଗି ସରକାରଙ୍କର କର୍ତ୍ତବ୍ୟ କ’ଣ କିଛି ନାହିଁ। ସରକାର ଯେତେବେଳେ ୫ ବର୍ଷରେ ଚାଷୀଙ୍କ ରୋଜଗାରକୁ ଦୁଇଗୁଣ କରିବା କଥା କହୁଛନ୍ତି, ସେତେବେଳେ ଆମ ଦେଶର ଜଳସେଚନର ଅବସ୍ଥାକୁ ଆଖି ପକେଇଲେ ସରକାରଙ୍କ ଚାଷୀଙ୍କ ପ୍ରତି ଅସଲ ଦରଦ ବୁଝିହେବ।
ସରକାରଙ୍କ ତଥ୍ୟ ଅନୁସାରେ ଆମ ଦେଶରେ ଆଜି ପର୍ଯ୍ୟନ୍ତ ମାତ୍ର ୪୮.୮% ଜମିକୁ ଜଳସେଚନ ସୁବିଧା ହୋଇଅଛି। ଏବେ ମଧ୍ୟ ଅଧାରୁ ଅଧିକ ଜମି ଅଣଜଳସେଚିତ। ସେଠାକୁ ଆଜି ପର୍ଯ୍ୟନ୍ତ ପାଣି ପହଞ୍ଚେଇବାରେ ସରକାର ସଫଳ ହୋଇନାହାନ୍ତି। ଅସଲରେ ସରକାର ପ୍ରଦାନ କରୁଥିବା ଜଳସେଚିତ ଜମିର ତଥ୍ୟଠାରୁ ପ୍ରକୃତ ଜଳସେଚିତ ଜମିର ପରିମାଣ ଆହୁରି କମ୍‌। ସିଧା କଥାରେ କହିଲେ ସରକାର କେବଳ ଚାଷ ଓ ଚାଷୀର ବିକାଶର ମିଛ ଭାଷଣ ମାରୁଛନ୍ତି। ନିର୍ବାଚନ ପ୍ରତିଶ୍ରୁତିରେ ପ୍ରତି ଥର ରାଜନୈତିକ ଦଳମାନେ ଜଳସେଚନର କଥା କହୁଛନ୍ତିି। ସ୍ବାଧୀନତା ଦିବସ ଅବସରରେ ସରକାର ଜଳସେଚନ ହୋଇଥିବାର ମିଛ ପରିସଂଖ୍ୟାନ ଦେଉଛନ୍ତି। ଗଣମାଧ୍ୟମରେ ବିବୃତି ଦେଉଛନ୍ତି। କିନ୍ତୁ ଅସଲରେ ଅଧିକାଂଶ ଚାଷ ଜମି ଏବେ ବି ବର୍ଷା ଜଳ ଉପରେ ନିର୍ଭରଶୀଳ। ଚାଷୀମାନଙ୍କ ଭାଗ୍ୟ ଏବେ ବି ବର୍ଷା ଉପରେ ନିର୍ଭରଶୀଳ। ସରକାର କେବଳ ମିଛ ଭାଷଣ ମାରି କୁହାମୁଣ୍ଡା କପିଳା ସାଜିଥିବା ବେଳେ, ପାଣି ନ ପାଇଁ ଚାଷ ଜମି ସବୁ ମରୁଡ଼ିର ଶିକାର ହେଉଛି। ପରିଣାମ ସ୍ବରୂପ ଚାଷୀଙ୍କ ଫସଲ ଉଜୁଡ଼ି ଯାଉଛି। କୃଷିପ୍ରଧାନ ଦେଶ ଭାରତରେ ଯଦି ଏବେ ବି ସ୍ବାଧୀନତାର ୭୨ ବର୍ଷ ପରେ ବି ଚାଷୀଙ୍କ ଜମିକୁ ପାଣି ପହଞ୍ଚତ୍ ପାରିନାହଁି ବା ଲାଉଙ୍ଗିଙ୍କ ପରି ୭୦ ବର୍ଷୀୟ ବୃଦ୍ଧଙ୍କୁ ୩୦ ବର୍ଷ କାଳ ସମୟ ନେଇ ୩ କିଲୋମିଟର ଲମ୍ବର କେନାଲକୁ ନିଜ ହାତରେ କୋଡ଼ି କୋଦାଳ ଧରି ଖୋଳିବାକୁ ପଡ଼ୁଛି, ତା’ହେଲେ ଏ ସରକାର ଓ ତାଙ୍କ ମିଛ ଭାଷଣର ମୂଲ୍ୟ କ’ଣ? ଜଣେ ବୁଢ଼ା ଲୋକ ତିରିଶ ବର୍ଷ କାଳ ଯଦି ଗୋଟେ କେନାଲ ଖୋଳିଲେ, ସେତେବେଳେ ସେ ରାଜ୍ୟ ସରକାର ଓ ତାଙ୍କର କୁଢ଼ କୁଢ଼ ମନ୍ତ୍ରୀ ଓ ଅମଲା କରୁଥିଲେ କ’ଣ? ତେଣୁ ଆଜି କେବଳ ଲାଉଙ୍ଗିଙ୍କର ସଫଳତାରେ ଖୁସି ହେବାର ସମୟ ଏ ନୁହେଁ, ଲାଉଙ୍ଗିମାନଙ୍କୁ ବୁଢ଼ା ବୟସରେ ବି ଏପରି କଠିନ କାମ କରିବାକୁ ବାଧ୍ୟ କରୁଥିବା ସରକାରଙ୍କୁ ପ୍ରଶ୍ନ କରିବାର ବି ସମୟ ଆସିଛି। ସରକାର କେବଳ କୁହାମୁଣ୍ଡା କପିଳା ହେବେ ନା ଲାଉଙ୍ଗିଙ୍କ ପରି ନିଷ୍ଠା ଓ ସଂକଳ୍ପର ପରିଚୟ ଦେଇ ଚାଷୀ ଓ ଚାଷୀ ପାଇଁ ଅସଲରେ କିଛି କରିବେ। ଲାଉଙ୍ଗି ଆଜି ତାଙ୍କ କାମରେ ସରକାରଙ୍କ ମସୃଣ ଗାଲରେ ଏକ ଶକ୍ତ ଚଟକଣା ଦେଇଛନ୍ତି ଓ କହିଛନ୍ତି, ହେ ସରକାର ବାହାଦୁର, ଏଥର ଟିକେ ଚେତ, ଜାଗ, ଚନ୍ଦ୍ରକୁ ତ ଯାନ ପଠେଇବ, ଅତ୍ୟାଧୁନିକ ଯୁଦ୍ଧ ବିମାନ କିଣିବ, ସବୁ ଠିକ୍‌ ଅଛି। କିନ୍ତୁ ଆମ ଜମିକୁ ବି ଟିକେ ପାଣି ପହଞ୍ଚାଅ। କେବଳ ପ୍ରତିଶ୍ରୁତି କି ମିଛ ଭାଷଣରେ ନୁହେଁ, ସତରେ ଆମ ଜମିକୁ ଜଳସେଚନ କରାଅ।
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର
ମୋ-୯୪୩୮୪୬୮୪୭୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri