ଶିକ୍ଷକଙ୍କ ପରିବର୍ତ୍ତିତ ଭୂମିକା

ଯୁଗେ ଯୁଗେ ଗୁରୁ ବା ଶିକ୍ଷକସମାଜ ହିଁ ସମାଜ ପରିବର୍ତ୍ତନର ଦଧୀଚି ଓ ବିଶ୍ୱକର୍ମା। ଶିକ୍ଷକସମାଜ ବିନା ଅନ୍ୟ କୌଣସି ସମାଜ ବୈଚାରିକ ପରିବର୍ତ୍ତନର ମଙ୍ଗ ଧରିବା କଷ୍ଟସାଧ୍ୟ, ଯଦିଓ ସହଯୋଗୀ ଭାବରେ କାମ କରିପାରନ୍ତି। ଅନ୍ୟମାନଙ୍କ ଅପେକ୍ଷା ଶିକ୍ଷକମାନେ ନିତ୍ୟ ଓ ନିୟମିତ ପରୀକ୍ଷିତ। ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ପରୀକ୍ଷା ଦେବା ଓ ପ୍ରାମାଣିକତାର ସହ ଉତ୍ତୀର୍ଣ୍ଣ ହେବା ସେମାନଙ୍କ କାମ। ପରସମଣି ଭଳି ସମାଜରେ ନିଜକୁ ପ୍ରତିପାଦିତ କରିବା ପାଇଁ ସେମାନେ ସମାଜ ରୂପକ କଷଟି ପଥରରେ ଘଷି ମାଜି ହୋଇ ଚକ୍‌ଚକ୍‌ ହେବାକୁ ପଡ଼ିବ ନିଜ ଚରିତ୍ର, ବ୍ୟକ୍ତିତ୍ୱ ଓ କର୍ତ୍ତବ୍ୟ ମାଧ୍ୟମରେ। ସମସ୍ତ ପ୍ରକାରର ଭୁଲ୍‌, ବ୍ୟତିକ୍ରମ ଓ ବିଶୃଙ୍ଖଳା କରୁଥିବା ବ୍ୟକ୍ତିବିଶେଷ ମଧ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କଠାରୁ ସର୍ବଦା ଭଲ ଆଚରଣ ଆଶା କରନ୍ତି। କାରଣ ସମାଜ ଆଖିରେ ଶିକ୍ଷକସମାଜ ହେଉଛି ଆଦର୍ଶ, ଯାହାଙ୍କ ପଦାଙ୍କ ଅନ୍ୟମାନେ ଅନୁସରଣ କରିଥାନ୍ତି। ଏକ ବାସ୍ତବ ଉଦାହରଣ। ବସ୍‌ଷ୍ଟାଣ୍ଡରେ ମଦ ପିଇ ମାତାଲ ହୋଇ ପଡ଼ିଥିବା ଜଣେ ଶିକ୍ଷକଙ୍କୁ ଦେଖି ପ୍ରତିଦିନ ମଦ୍ୟପାନରୁ ଦିନଚର୍ଯ୍ୟା ଆରମ୍ଭ କରୁଥିବା ଜଣେ ଘୋଡ଼ା ମଦୁଆ ତିରସ୍କାର କରୁଥିବାର ଦେଖି ଜଣେ ଦେଖଣାହାରି କହିଲେ, ତୁମେ ନିଜେ ମଦ ପିଇ ଅନ୍ୟକୁ ଉପଦେଶ ଦେବାର ମାନେ କ’ଣ? ବର୍ଷିଆନ୍‌ ମଦ୍ୟପ ଜଣକ କହିଲେ- ସମାଜ ଜାଣିଛି ମୁଁ ମଦୁଆ ଏବଂ ବୃତ୍ତିରେ ଜଣେ କୁଲି। ହାଡ଼ଭଙ୍ଗା ପରିଶ୍ରମ କରିବା ମୋର କାମ। ପୁଣି ଜଣେ ଅପାଠୁଆ ଓ ଅଶିକ୍ଷିତ ଲୋକଟି। କିନ୍ତୁ ସେ ଜଣେ ଶିକ୍ଷକ। ଶହ ଶହ ପିଲାଙ୍କ ଆଦର୍ଶ। ତାଙ୍କ ମୋ’ ଭିତରେ ଅନେକ ପାର୍ଥକ୍ୟ। ମୋ କାମକୁ କେହି ଦେଖିବେ ବା ଶିଖିବେ ନାହିଁ। କିନ୍ତୁ ସେ ମାଷ୍ଟରଙ୍କ ପ୍ରତିଟି କୃତି ଓ କୀର୍ତ୍ତିକୁ (ଭଲ ହେଉ ବା ମନ୍ଦ) ସମସ୍ତେ ଦେଖିବେ ଓ ଶିଖିବେ। ତାଙ୍କ ଭଲ କାମ ସମାଜର ଅଗଣିତ ଲୋକ ଅନୁକରଣ ଓ ଅନୁସରଣ କରନ୍ତି। ମଦୁଆଟିର ତା’ ଭାଷାରେ ଅନେକ କିଛି କହିଗଲା। ଅର୍ଥାତ୍‌ ସେ କହିବାକୁ ଚାହୁଁଥିଲେ ଯେ ସେ ମଦୁଆ, ତା’ର କାମ ଖରାପ ହୋଇପାରେ; କିନ୍ତୁ ଶିକ୍ଷକସମାଜର କୌଣସି ଆଚରଣ ଖରାପ ହେବା ଆଦୌ ସମୀଚୀନ ନୁହେଁ। ଏ ବିଚାର ସମାଜର ସବୁବର୍ଗର ଲୋକମାନଙ୍କର। ତେଣୁ ଶିକ୍ଷକମାନେ ସମାଜର କେତେ ଆଦର୍ଶ ଜାଣିବାକୁ ହେବ।
ଅପରପକ୍ଷରେ ସମାଜର ନକାରାତ୍ମକ ଗତିକୁ ସକାରାତ୍ମକ ମନୋବୃତ୍ତିରେ ପରିବର୍ତ୍ତନ କରିବାରେ ଶିକ୍ଷକମାନଙ୍କ ଭୂମିକା ସର୍ବଦା ପ୍ରଣିଧାନଯୋଗ୍ୟ। ଉଦାହରଣ ଭାବରେ ନିଆଯାଉ। ଯେତେବେଳେ ଭିତ୍ତିଭୂମିର ଅଭାବ ଥିଲା, ସମାଜ ମୂଲ୍ୟବୋଧଯୁକ୍ତ ଥିଲା, ମାତ୍ର ଶିକ୍ଷାର ଅଭାବ ଅନୁଭବ କରୁଥିଲା, ସେତେବେଳେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପଯୁକ୍ତ ଶିକ୍ଷା ମାଧ୍ୟମରେ ସମାଜକୁ ଠିଆ କରିଛନ୍ତି। ଆଜି ସାକ୍ଷରତା ହାର ବଢ଼ୁଛି। ଶିକ୍ଷିତଙ୍କ ସଂଖ୍ୟା ଉତ୍ସାହଜନକ ଭାବରେ ବୃଦ୍ଧି ପାଇଛି। ହେଲେ ଗୋଟିଏ ଅଭାବ ଦେଖାଦେଇଛି ମୂଲ୍ୟବୋଧର। ବିଦ୍ୟାଳୟ ଭିତ୍ତିଭୂମି ଏବେ ସୁଦୃଢ଼। ସମସ୍ତେ ଆହୁରି ଅଧିକ ଭୌତିକ ଭିତ୍ତିଭୂମିକୁ ମଜଭୁତ କରିବାରେ ଲାଗିଛନ୍ତି। ପିଲା ଦିନରାତି ପରିଶ୍ରମ କରି କିଭଳି ଭଲ ନମ୍ବର ରଖିବ, ସେଥିପାଇଁ ସମସ୍ତେ ଚିନ୍ତିତ ଓ ଚେଷ୍ଟିତ। କିନ୍ତୁ କାହାର ନିଘା ନୈତିକତା, ମୂଲ୍ୟବୋଧ ଓ ମଣିଷପଣିଆ ଉପରେ ନାହିଁ। ସମସ୍ତେ ସ୍ବପ୍ନିଳ ଜଗତରେ ଉବୁଟୁବୁ। କିନ୍ତୁ ଏଭଳି ପରିସ୍ଥିତିରେ ଶିକ୍ଷକମାନେ ଆଜି ପାଠପଢ଼ା ଅପେକ୍ଷା ନୈତିକ ଦିଗକୁ ଯଥେଷ୍ଟ ଧ୍ୟାନ ଦେବାକୁ ହେବ। ଦିବ୍ୟଜ୍ଞାନ ପରିବର୍ତ୍ତେ କାଣ୍ଡ ଜ୍ଞାନର ବିକାଶ ଆଜିର ଆବଶ୍ୟକତା। ପାଠ ସମ୍ବନ୍ଧୀୟ ତଥ୍ୟ ଓ ଜ୍ଞାନ ପିଲେ ବିଭିନ୍ନ ଉତ୍ସରୁ ପାଇପାରିବେ ଆଜିର ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଯୁଗରେ। କିନ୍ତୁ ମୂଲ୍ୟବୋଧ, ମଣିଷପଣିଆ ଆଦି ଦୁର୍ଲଭ ଗୁଣ ଶିଖିବାର ପରିସର ଯଥେଷ୍ଟ କମ। ତେଣୁ ପାଠପଢ଼ା ଅପେକ୍ଷା ଆଜିର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପିଲାଙ୍କୁ ବଡ଼ ମଣିଷ ଅପେକ୍ଷା ଭଲ ମଣିଷ ହେବା ପାଇଁ ପ୍ରେରଣା ଓ ପ୍ରୋତ୍ସାହନ ଦେବା ସମୟର ଆବଶ୍ୟକତା ମନେହୁଏ।
ଆମେ ସମସ୍ତେ ଜାଣିଛେ, ଦିନଥିଲା ଗ୍ରାମବାସୀଙ୍କର ସବୁ ସୁଖଦୁଃଖ ଓ ପରିବର୍ତ୍ତନର ଉତ୍ସ ଥିଲେ ସ୍କୁଲ ମାଷ୍ଟର ଏବଂ ପୋଷ୍ଟ ମାଷ୍ଟର। ଆଜି ମଧ୍ୟ ସେମାନଙ୍କ ଭୂମିକା ଗୌଣ ହୋଇ ନାହିଁ। ହୁଏତ ଆଜି ଶିକ୍ଷକଙ୍କୁ ବିଦେଶରେ ବା ରାଜ୍ୟ ବାହାରେ ରହୁଥିବା ଗ୍ରାମବାସୀଙ୍କ ପାଇଁ ଚିଠି ଲେଖିବା ବା ସେମାନଙ୍କଠାରୁ ନିଜ ସମ୍ପର୍କୀୟଙ୍କ ନିକଟକୁ ପ୍ରେରିତ ଚିଠି ପଢ଼ି ବୁଝେଇବାର ଆବଶ୍ୟକତା ନାହିଁ। କାରଣ ଗାଁଠାରୁ ସହର, କେଉଁଠି ମଧ୍ୟ ପାଠୁଆମାନଙ୍କ ଅଭାବ ନାହିଁ। ସମସ୍ତଙ୍କ ହାତରେ ସ୍ମାର୍ଟ ଫୋନ। ତେଣୁ ଆଜି ଚିଠି ଦିଆନିଆର ପ୍ରାସଙ୍ଗିକତା ନାହିଁ କି ପାଠୁଆଙ୍କ ଦ୍ରୁତ ଅଭିବୃଦ୍ଧି ହେତୁ ପଢ଼ି ଶୁଣେଇବାର ଆବଶ୍ୟକତା ନାହିଁ। ଅର୍ଥାତ୍‌ ସମାଜରେ ପାଠୁଆ ବା ଶିକ୍ଷିତମାନଙ୍କ ସଂଖ୍ୟା ବୃଦ୍ଧି ନିମନ୍ତେ ଶିକ୍ଷକ ଶିକ୍ଷୟିତ୍ରୀମାନେ ସେମାନଙ୍କର ଲକ୍ଷ୍ୟ ପୂରଣ କରିଛନ୍ତି। କିନ୍ତୁ ଆଜି ସମାଜରେ ଘୋର ଅଭାବ ରହିଛି ଆପଣାପଣ, ନିଃସ୍ବାର୍ଥପର ସମ୍ବନ୍ଧ ଓ ମଣିଷପଣିଆ, ଭଲପାଇବା ଇତ୍ୟାଦି। ସବୁଆଡ଼େ ସ୍ବାର୍ଥ ଓ ଅର୍ଥ, ଲୋଭ ଓ ଲାଭର ହିସାବ। ହିଂସା, ଦ୍ୱେଷ, ଅସହିଷ୍ଣୁ ମନୋଭାବ, ପ୍ରତିଶୋଧ ପରାୟଣ ଆଦି ଅମାନବୀୟ ଓ ଅସାମାଜିକ କୁକୃତିର ଦୁର୍ଗନ୍ଧ। ଗ୍ରାମବାସୀଙ୍କଠାରୁ ନଗରବାସୀଯାଏ ସବୁଠି ସ୍ବାର୍ଥ ପାଇଁ ପ୍ରତିଯୋଗିତା ଓ ପ୍ରତିଦ୍ବନ୍ଦ୍ୱିତା। ସାମାଜିକ ମୂଲ୍ୟବୋଧ, ବ୍ୟକ୍ତିଗତ ନୈତିକତା ଓ ରାଷ୍ଟ୍ରମନସ୍କ ବିଚାରଧାରା ଧୀରେ ଅପସରି ଯାଇଛି। ଅପସଂସ୍କୃତିର ଅନ୍ଧାନୁକରଣ ସବୁଆଡ଼େ ଦ୍ରୁତ ଗତିରେ ସମାଜକୁ କବଳିତ କରିବାରେ ଲାଗିଛି। ମହୁମାଛି ବହୁ କଷ୍ଟ କରି ମଧୁ ସଂଗ୍ରହ ପରେ ସ୍ବାର୍ଥୀ ମଣିଷ ଯେପରି ନିମିଷକ ମଧ୍ୟରେ ତା’ର ବସା ଭାଙ୍ଗି, ନିଆଁହୁଳା ଦେଇ ତା’ର ସର୍ବସ୍ବ ଲୁଟି ନେଉଛି, ଠିକ୍‌ ସେହିପରି ସାଇବର ଠକମାନେ ଗୋଟିଏ ସଂଖ୍ୟା ଖେଳରେ ମଣିଷର ସମସ୍ତ ରୋଜଗାରକୁ କଳାକନା ବୁଲେଇ ଦେଉଛି। ଆଜି ପରିବାରରେ ସୁଖଶାନ୍ତି ନାହିଁ। ମା’ବାପାଙ୍କ ପ୍ରତି ପିଲାଙ୍କ ସେହି ସମ୍ମାନବୋଧ ନାହିଁ କି ମା’ବାପାମାନେ ମଧ୍ୟ ନିଜ ପିଲାଙ୍କୁ ଭଲ ମଣିଷଟିଏ ଗଢ଼ି ତୋଳିବାକୁ ପ୍ରଯତ୍ନ ନୁହନ୍ତି। ସମସ୍ତେ କେବଳ ଭୋଗବାଦର ପାହାଡ଼ ଉପରେ ଠିଆହୋଇ ଭୌତିକ ସୁଖ ଭୋଗର ନିଶାରେ ମତୁଆଲା। ତେଣୁ ଆଜି ସମାଜ ବିଶୃଙ୍ଖଳିତ ଓ ଅସନ୍ତୁଳିତ। ପରିବାରରେ ଅଶାନ୍ତି। ଗୋଟିଏ ପଟେ ଭୋଗବାଦର ବିଶାଳ ମିନାର, ଅନ୍ୟପଟେ ଭୋକର ଅସହ୍ୟ ଜ୍ବାଳା। ଗୋଟିଏ ପଟେ ଶିକ୍ଷିତମାନଙ୍କ ଦ୍ରୁତ ସଂଖ୍ୟାବୃଦ୍ଧି, ଅନ୍ୟପଟେ ଅସାମାଜିକ ତତ୍ତ୍ବମାନଙ୍କ ଅନ୍ୟାୟ, ଅତ୍ୟାଚାର ଓ ଅଭଦ୍ରୋଚିତ ଆଚରଣର ସୀମା ଉଲ୍ଲଂଘନ।
ଏଭଳି ସମୟରେ ଶିକ୍ଷକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେମାନେ ହିଁ ସମାଜ ସଂସ୍କାରକ ଭୂମିକାରେ ଅବତୀର୍ଣ୍ଣ ହୋଇ ସମାଜରେ ନୈତିକତା, ମୂଲ୍ୟବୋଧ ଓ ମଣିଷପଣିଆର ମଞ୍ଜି ବୁଣିବାକୁ ପଡ଼ିବ। ଘରେ ଘରେ ଯେପରି ସହଯୋଗ, ସଦ୍‌ଭାବନା, ସଂହତି ଓ ସମ୍ବନ୍ଧ ସୃଷ୍ଟି ହୋଇପାରିବ, ସେଥିପ୍ରତି ବିଶେଷ ଧ୍ୟାନ ଦେବା ଉଚିତ। ଏ ମାନବସମାଜକୁ ମହାସଙ୍କଟ ଓ ମହାବିନାଶରୁ ଉଦ୍ଧାର କରିବା ପାଇଁ ସେମାନଙ୍କୁ ଘରେ ମାନବିକ ମୂଲ୍ୟବୋଧର ଜ୍ଞାନଦୀପ ପ୍ରଜ୍ୱଳିତ କରିବା ଦରକାର। ବ୍ୟକ୍ତିଗତ ଆବଶ୍ୟକତା ସହ ପିତୃ ମାତୃ ଋଣ, ସମାଜ ଋଣ, ଦେବ ଋଣ ଆଦି ପରିଶୋଧ କରିବା ଯେ ପ୍ରତ୍ୟେକ ମଣିଷର କର୍ତ୍ତବ୍ୟ, ଏକଥାକୁ ପିଲାଙ୍କ ମନ ଓ ହୃଦୟରେ ସ୍ଥାନିତ କରିବା ଗୁରୁକୁଳର କାମ। ନଚେତ୍‌ ବିନାଶ ଅବଶ୍ୟମ୍ଭାବୀ।

ଡ. ମନୋରଞ୍ଜନ ପ୍ରଧାନ
ସହକାରୀ ପ୍ରଫେସର, ବିକ୍ରମ ଦେବ ବିଶ୍ବବିଦ୍ୟାଳୟ,ଜୟପୁର, କୋରାପୁଟ
ମୋ: ୯୪୩୭୯୧୪୮୧୮


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri