ବାଇଡେନ୍‌ ପଛରେ ସିବିଆଇ

ଅକ୍ଟୋବର ୧୯୯୪ରେ ମାଳଦ୍ୱୀପ ମହିଳା ମାରିଅମ୍‌ ରଶିଦାଙ୍କୁ କେରଳ ରାଜଧାନୀ ଥିରୁଭାନନ୍ତପୁରମ୍‌ରେ ଗିରଫ କରାଯାଇଥିଲା। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ରକେଟ୍‌ ଇଞ୍ଜିନ୍‌ ଡିଜାଇନ୍‌ର ଡ୍ରଇଂଗୁଡ଼ିକୁ ଚୋରିକରି ପାକିସ୍ତାନକୁ ବିକ୍ରି କରିବାକୁ ଯାଉଥିବାବେଳେ ତାଙ୍କୁ ଧରାଯାଇଥିବା ପୋଲିସ କହିଥିଲା। ସେତେବେଳେ ଇସ୍ରୋ ବୈଜ୍ଞାନିକ ଏସ୍‌. ନମ୍ବି ନାରାୟଣନ୍‌ କ୍ରାୟୋଜେନିକ୍‌ ପ୍ରକଳ୍ପର ନିର୍ଦ୍ଦେଶକ ଥିଲେ। ତାଙ୍କ ସହ ଇସ୍ରୋ ଡେପୁଟି ଡାଇରେକ୍ଟର ଡି. ଶଶୀକୁମାର ଏବଂ ରଶିଦାଙ୍କ ବାନ୍ଧବୀ ମାଳଦ୍ୱୀପ ନାଗରିକ ଫଉଜିଆ ହାସନଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଭାରତର ମହାକାଶ କାର୍ଯ୍ୟକ୍ରମର କେତେକ ଗୋପନୀୟ ଦସ୍ତାବିଜକୁ ନମ୍ବି ବିଦେଶକୁ ପଠାଉଥିବା ନେଇ ଆସିଥିବା ଗୁପ୍ତଚର ମାମଲା ସେତେବେଳେ ଚାରିଆଡ଼େ ଚର୍ଚ୍ଚାର ବିଷୟ ହୋଇଥିଲା। ହେଲେ ଏପ୍ରିଲ ୧୯୯୬ରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ତାଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗକୁ ଖଣ୍ଡନ କରିଥିଲା। ଏଥିସହିତ ସୁପ୍ରିମକୋର୍ଟ ୧୯୯୮ରେ ଏହି ମାମଲାରେ ନମ୍ବି ଦୋଷୀ ନୁହନ୍ତି ବୋଲି କହିଥିଲେ। ପୁଣି ୨୦୧୮ରେ ସର୍ବୋଚ୍ଚ ନ୍ୟାୟାଳୟ ନମ୍ବିଙ୍କ ସମ୍ମାନହାନି ହୋଇଥିବାରୁ କେରଳ ସରକାରଙ୍କୁ ୫୦ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ମିଥ୍ୟା ଅଭିଯୋଗ ଅଣାଯାଇ ତାଙ୍କୁ ଯେଭଳି ଭାବେ ଗିରଫ କରାଯାଇଥିଲା, ସେଥିରେ କେରଳ ପୋଲିସର ସମ୍ପୃକ୍ତ ଅଧିକାରୀଙ୍କ ଭୂମିକା ବିଷୟରେ ଖୋଳତାଡ଼ କରିବା ସକାଶେ ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି ଡି. କେ. ଜୈନଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ୯ ଜୁଲାଇ ୨୦୨୧ରେ ସିବିଆଇ ଅବସରପ୍ରାପ୍ତ ଦୁଇ ପୋଲିସ ଅଧିକାରୀ ଏସ୍‌. ବିଜୟନ୍‌ ଏବଂ ଥାମ୍ବି ଏସ୍‌. ଦୁର୍ଗାଦତ୍ତଙ୍କ ଜାମିନ ଆବେଦନକୁ ବିରୋଧ କରିଥିଲା। କାରଣ ଏହି ଦୁଇ ଅଧିକାରୀ ବୈଜ୍ଞାନିକ ନମ୍ବିଙ୍କୁ ଗିରଫ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏଠାରେ ସୂଚନା ଦିଆଯାଇପାରେ ଯେ, ମିଥ୍ୟା ଅଭିଯୋଗ ଅଣାଯାଇ ନମ୍ବିଙ୍କୁ ଗିରଫ କରାଯିବା ପରେ ଭାରତରେ କ୍ରାୟୋଜେନିକ୍‌ ପ୍ରଯୁକ୍ତି ବିକଶିତ ହେବାରେ ବିଳମ୍ବ ଘଟିଥିଲା ବୋଲି କୁହାଯାଉଛି।
ଏବକାର ସ୍ଥିତି ଦେଖିଲେ ଏହି ଘଟଣା ଆଉ ଏକ ଭିନ୍ନ ମୋଡ଼ରେ ପହଞ୍ଚିଲାଣି। ନମ୍ବିଙ୍କୁ ଚାକିରିରୁ ବହିଷ୍କାର କରିବା ଲାଗି ବର୍ତ୍ତମାନର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ନେତୃତ୍ୱରେ ସେତେବେଳେ ଭାରତ ବିରୋଧୀ ଏକ ଅନ୍ତର୍ଜାତୀୟଷଡ଼ଯନ୍ତ୍ର ହୋଇଥିଲା ବୋଲି ଏବେ ସିବିଆଇ ପ୍ରମାଣ ଯୋଗାଡ଼ କରିବାରେ ଲାଗିପଡ଼ିଛି। ଭାରତ ଗତ ଶତାବ୍ଦୀର ନବେ ଦଶକରେ ରୁଷିଆଠାରୁ କ୍ରାୟୋଜେନିକ୍‌ ପ୍ରଯୁକ୍ତି ହାସଲ ଲାଗି କାର୍ଯ୍ୟ ଆରମ୍ଭ କରିଥିଲା। ଏବେ କୁହାଯାଉଛି ଯେ, ଭାରତର କ୍ରାୟୋଜେନିକ କାର୍ଯ୍ୟକ୍ରମକୁ ବିଫଳ କରିବା ପାଇଁ ବାଇଡେନ୍‌ ୧୯୯୨ରେ ଅନ୍ତର୍ଘାତୀ ଷଡ଼ଯନ୍ତ୍ର କରିଥିଲେ। କାରଣ ଆମେରିକା ପ୍ରଶାସନ ସେତେବେଳେ ପାକିସ୍ତାନ ସପକ୍ଷବାଦୀ ପଦକ୍ଷେପ ନେଉ ବୋଲି ସେ ଚାହୁଁଥିଲେ। ତେବେ ୧୯୯୨ ମସିହାରେ ଆମେରିକାର ଆଜିର ରାଷ୍ଟ୍ରପତି ଜୋ ବାଇଡେନ୍‌ କେଉଁ ପଦବୀରେ ଥିଲେ ତାହା ଜାଣିବା ଦରକାର। ଆଜି ଡେମୋକ୍ରାଟିକ୍‌ ଦଳର ନେତା ଭାବେ ରାଷ୍ଟ୍ରପତି ନିର୍ବାଚନ ଜିଣିଥିବା ଜୋ ବାଇଡେନ୍‌ ସେହି ସମୟରେ ବିରୋଧୀ ଦଳର ଜଣେ ସିନେଟର ଥିଲେ। ସେତେବେଳେ ରାଷ୍ଟ୍ରପ୍ରତି ଥିଲେ ଜର୍ଜ ଏଚ୍‌.ଡବ୍ଲ୍ୟୁ ବୁଶ୍‌ ଓ ରିପବ୍ଲିକାନ୍‌ ଦଳର ଶାସନ ଆମେରିକାରେ ଚାଲିଥିଲା। ତେଣୁ ଆମେରିକା ପ୍ରଶାସନରେ ନ ଥିବା ତଥା ବିରୋଧୀ ଦଳର ସଦସ୍ୟ ଥିବା ବାଇଡେନ୍‌ କିଭଳି ଭାରତ-ରୁଷିଆ କ୍ରାୟୋଜେନିକ୍‌ କାର୍ଯ୍ୟକ୍ରମକୁ ବିଫଳ କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିଥିବେ ତାହା ବୁଝିବା କଷ୍ଟକର।
ଆଜିର ଭାରତରେ ତଦନ୍ତକାରୀ ସଂସ୍ଥା ଅନେକ ସମୟରେ ଅନ୍ଧାରରେ ବାଡ଼ି ବୁଲାଇ ତଥ୍ୟ ଖୋଜୁଛି। ଭାଗ୍ୟକୁ ସେହି ବାଡ଼ି ଠିକଣା ଜାଗାରେ ବାଜିଗଲେ ତା’ର ଗୁରୁତ୍ୱ ବୃଦ୍ଧିପାଉଛି, ନ ହେଲେ ମୋଡ଼ ବଦଳାଇ ଆଉ କାହାକୁ ଧରିପକାଉଛି। ଯେତେବେଳେ କୌଣସି ଅନ୍ତର୍ଜାତୀୟ ସମ୍ପୃକ୍ତି ନେଇ ଭାରତୀୟ ସଂସ୍ଥାଗୁଡ଼ିକ ମତ ଦେଉଛନ୍ତି, ସେତେବେଳେ ବଳିଷ୍ଠ ପ୍ରମାଣ ନ ପାଇ ଏଣୁତେଣୁ କହିଦେବା ଦ୍ୱାରା ଦେଶର ଗୁରୁତ୍ୱ ବିଶ୍ୱସ୍ତରରେ ହ୍ରାସ ପାଉଛି ଓ ଅନ୍ୟ ଦେଶ ସହ ସମ୍ପର୍କରେ ଘୋର କ୍ଷତି ଘଟୁଛି। ଏବେ ସିବିଆଇ ଯେଉଁ ଗମ୍ଭୀର ଅଭିଯୋଗ ଆଣିଛି ସେଥିରୁ ମନେହେଉଛି ଆମେରିକା ରାଷ୍ଟ୍ରପତି ବାଇଡେନ୍‌ଙ୍କୁ ଭାରତ ଅଭିଯୁକ୍ତ ଭାବେ ଦର୍ଶାଇବାକୁ ଚେଷ୍ଟା କରୁଛି। ଏହାଦ୍ୱାରା ଭାରତର ଆମେରିକା ସହିତ ସମ୍ପର୍କ କେଉଁଭଳି ଭାବେ ସୁଦୃଢ଼ ହୋଇପାରିବ ବୁଝିବା ଅସମ୍ଭବ। ଏଥିସହିତ ସିବିଆଇର ଯାଞ୍ଚ କ୍ଷମତା ସମ୍ପର୍କରେ ପ୍ରାୟ ଦେଶବାସୀଙ୍କ ଧାରଣା ଅଛି। ଏବକାର ସ୍ଥିତିକୁ ଦେଖିଲେ ସିବିଆଇକୁ ଅନ୍ତର୍ଜାତୀୟ ସ୍ତରରେ ତଦନ୍ତ କରିବାକୁ ପଡ଼ିବ। ବିଶେଷକରି ଯାଞ୍ଚରେ ଆମେରିକାର ବର୍ତ୍ତମାନର ରାଷ୍ଟ୍ରପତିଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଉଛି। ସେଥିପାଇଁ ବାଇଡେନ୍‌ ପ୍ରଶାସନର ସିଧାସଳଖ ସାହାଯ୍ୟ ମିଳିଲେ ବାଇଡେନ୍‌ଙ୍କୁ ଦୋଷୀ ପ୍ରମାଣିତ କରିହେବ। ଏଠାରେ ମନେପଡ଼େ ୨୦୨୦ ନଭେମ୍ବର ନିର୍ବାଚନର ଫଳାଫଳ ପ୍ରକାଶ ସମୟର କଥା। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ବିପୁଳ ବ୍ୟବଧାନରେ ପରାଜିତ କରି ବାଇଡେନ୍‌ ରାଷ୍ଟ୍ରପତି ହେଲେ। ପୃଥିବୀର ସବୁ ଦେଶର ନେତାମାନେ ତାଙ୍କୁ ବିଜୟ ପାଇଁ ଶୁଭେଚ୍ଛା ଜଣାଇଲେ। ବିଳମ୍ବ କଲେ କେବଳ ତିନୋଟି ଦେଶ-ଚାଇନା, ରୁଷିଆ ଏବଂ ଭାରତ। ପ୍ରଶ୍ନ ହେଉଛି କାହିଁକି ୩ଟି ଦେଶ ବିଳମ୍ବରେ ଶୁଭେଚ୍ଛା ଜଣାଇଥିଲେ। ଟ୍ରମ୍ପ୍‌ଙ୍କୁ ଜିତାଇବାରେ ଉଭୟ ରୁଷିଆ ଏବଂ ଚାଇନାର ଇଚ୍ଛା ଥିଲା। ସେମାନଙ୍କ ହିସାବ ଅନୁଯାୟୀ ଟ୍ରମ୍ପ୍‌ଙ୍କ ଭଳି ଲୋକ ରାଷ୍ଟ୍ରପତି ରହିଲେ ଆମେରିକା ଦୁର୍ବଳ ହୋଇଚାଲିବ ଏବଂ ରୁଷିଆ-ଚାଇନା ମେଣ୍ଟ ପୃଥିବୀ ଉପରେ ରାଜ୍‌ କରିବେ। ଭାରତର ସମସ୍ୟା ଭିନ୍ନ ଥିଲା। ଆମେରିକା ନିର୍ବାଚନ ପୂର୍ବରୁ ଟ୍ରମ୍ପ୍‌ଙ୍କ ସହ ମିଶି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟେକ୍ସାସ୍‌ରେ ଆମେରିକୀୟ-ଭାରତୀୟଙ୍କୁ ଟ୍ରମ୍ପ୍‌ଙ୍କ ସପକ୍ଷରେ ଭୋଟ୍‌ ଦେବା ପାଇଁ ପ୍ରବର୍ତ୍ତାଇଥିଲେ। ନିଜେ ସ୍ଲୋଗାନ ଦେଇଥିଲେ- ‘ଅବ୍‌କି ବାର୍‌ ଟ୍ରମ୍ପ୍‌ ସରକାର’। ସେହି ଦୂରଦୃଷ୍ଟିହୀନ ଏବଂ ପିଲାଳିଆ ବୈଦେଶିକ ନୀତି ଯୋଗୁ ଭାରତ ଯଥାସମୟରେ ଶୁଭେଚ୍ଛାବାର୍ତ୍ତା ପଠାଇବା ସ୍ଥିତିରେ ନ ଥିଲା।
ଏକ ଭିନ୍ନ ଚିତ୍ର ଦେଖାଯାଉ। ଧରିନିଆଯାଉ ୯୦ ଦଶନ୍ଧିରେ ଜୋ ବାଇଡେନ୍‌ ଭାରତ ଓ ରୁଷିଆ ମଧ୍ୟରେ ଚାଲିଥିବା କ୍ରାୟୋଜେନିକ୍‌ କାର୍ଯ୍ୟକ୍ରମକୁ ବିଫଳ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ବିରୋଧୀ ଦଳ ସିନେଟର ହୋଇଥିବା ସତ୍ତ୍ୱେ ବାଇଡେନ୍‌ ତାଙ୍କର କାର୍ଯ୍ୟ ଦ୍ୱାରା ଯଦି ଆମେରିକା ମହାକାଶ ସଂକ୍ରାନ୍ତ ଲକ୍ଷ୍ୟ ହାସଲ ଦିଗରେ ସହାୟକ ହୋଇପାରିଥିଲେ, ତାଙ୍କ ଦେଶରେ ସେ ଜଣେ ଉଚ୍ଚକୋଟୀର ତଥା ଦକ୍ଷ ଦେଶପ୍ରେମୀଭାବେ ବିବେଚିତ ହେବେ। ଏହାଦ୍ୱାରା ତାଙ୍କର ରାଜନୈତିକ ଭାବମୂର୍ତ୍ତି ଆମେରିକାରେ ବଢ଼ିପାରେ। ଧରିନିଆଯାଉ ସିବିଆଇ ତାହାର ତଦନ୍ତରେ ସବୁ ପ୍ରମାଣ କରିଦେବ। ତାହା ଭାରତକୁ ସିଧାସଳଖ ଆମେରିକାର ରାଷ୍ଟ୍ରପତିଙ୍କ ବିରୋଧୀ ଭାବେ ପ୍ରମାଣିତ କରିଦେବ। ‘ଔଷଧ ବିକଳରେ ତାଟିଆ କାମୁଡ଼ିବା’ ଭଳି ବୈଦେଶିକ ନୀତିରେ ଘୋର୍‌ ବାଚାଳାମି ପ୍ରଦର୍ଶନ କରିଥିବା ଭାରତର ନେତୃତ୍ୱ ଏବେ ପୁନର୍ବାର ତ୍ରୁଟି କରୁଛନ୍ତି। ‘ଅବ୍‌କି ବାର୍‌ ଟ୍ରମ୍ପ ସରକାର’ ତ୍ରୁଟିକୁ ଘୋଡ଼ାଇବାକୁ ଯାଇ ପ୍ରମାଣ କରୁଛନ୍ତି ଯେ, ବାଇଡେନ୍‌ ଦୀର୍ଘଦିନରୁ ଭାରତ ବିରୋଧୀ ଥିଲେ। ତାଙ୍କୁ ହରାଇବା ଥିଲା ଭାରତର ନେତାଙ୍କ ମୁଖ୍ୟ ମହାନ୍‌ ଉଦ୍ଦେଶ୍ୟ। ଏବେ ସେହି ମହାନ୍‌ ଉଦ୍ଦେଶ୍ୟକୁ ଯଥାର୍ଥ ବୋଲି ଦେଶବାସୀଙ୍କ ସମ୍ମୁଖରେ ପ୍ରମାଣ କରିବାକୁ ଯାଇ ପୁନର୍ବାର ଅନ୍ୟ ଏକ ବଡ଼ ତ୍ରୁଟି ସିବିଆଇ ଦ୍ୱାରା ଘଟାଇବାକୁ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri