ସୁନ୍ଦର ନଗରୀ ଅସୁନ୍ଦର

ଭାରତ ଏବେ ଅର୍ଥନୈତିକ ଦୁଃସ୍ଥିତି ଦେଇ ଗତି କରୁଛି। ବେକାରିଙ୍କ ସଂଖ୍ୟା ବଢ଼ିଛି। ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ପାଉଥିବାରୁ ଲୋକେ ଦହଗଞ୍ଜ ହେଉଛନ୍ତି। ଏଭଳି ସ୍ଥିତିରେ ପଶ୍ଚିମ ଦିଲ୍ଲୀର ଭାଜପା ଏମ୍‌ପି ପରଭେଶ ସିଂ ବର୍ମା ଓ ଉତ୍ତର ପ୍ରଦେଶର ଲୋନି ବିଧାୟକ ନନ୍ଦ କିଶୋର ଗୁଜ୍ଜର ୯ ଅକ୍ଟୋବରରେ ନୂଆଦିଲ୍ଲୀଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଆୟୋଜିତ ବିରାଟ ହିନ୍ଦୁ ସଭାରେ ଯେଭଳି ବିସ୍ଫୋରକ ଡାକରା ଦେଇଛନ୍ତି, ତାହା ସମସ୍ତଙ୍କୁ ବ୍ୟଥିତ କରିବା କଥା। ଗତ ସପ୍ତାହରେ ଦିଲ୍ଲୀର ସୁନ୍ଦର ନଗରୀରେ ୬ ଜଣ ମୁସଲମାନଙ୍କ ଦ୍ୱାରା ଜଣେ ହିନ୍ଦୁ ଲୋକଙ୍କୁ ହତ୍ୟା କରାଯାଇଥିବାରୁ ତାହାର ପ୍ରତିବାଦ ସ୍ବରୂପ ଅନୁଷ୍ଠିତ ସଭାରେ ଏହି ଦୁଇ ନେତା କହିଥିଲେ, ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ସମ୍ପୂର୍ଣ୍ଣ ଅର୍ଥନୈତିକ ବାସନ୍ଦ କରାଯାଉ। ଅର୍ଥାତ୍‌ ସେମାନେ ବିକ୍ରି କରୁଥିବା ଦ୍ରବ୍ୟକୁ ନ କିଣିବାକୁ ହିନ୍ଦୁମାନଙ୍କୁ ଆହ୍ବାନ ଦେଇଛନ୍ତି। କେବଳ ସେତିକି ନୁହେଁ, ସେଠାରେ ଅନୁଷ୍ଠିତ ରାଲିରେ ଯୋଗ ଦେଇଥିବା ଜଗଦ୍‌ଗୁରୁ ଯୋଗେଶ୍ୱର ଆଚାର୍ଯ୍ୟ କହିଥିଲେ, ଯେଉଁମାନେ ତୁମକୁ ଆକ୍ରମଣ କରୁଛନ୍ତି ସେମାନଙ୍କ ମୁଣ୍ଡ କାଟିବା ସହ ହାତ ହାଣିଦିଅ। ସର୍ବସାଧାରଣ ସ୍ଥାନରେ ଖୋଲାଖୋଲି ଏଭଳି ହିଂସାତ୍ମକ ଡାକରା ଦିଆଯିବା ଘୃଣାଭାବ ବୃଦ୍ଧି କରାଇଛି।
ସୁନ୍ଦର ନଗରୀଠାରେ ଜଣେ ହିନ୍ଦୁଙ୍କୁ ସଙ୍ଗଠିତ ହୋଇ ମୁସଲମାନ ହତ୍ୟା କରିବା ଘଟଣାକୁ ନିନ୍ଦା କରାଯିବା ଦରକାର। କାରଣ ମୁସଲମାନଙ୍କ ଗୋଷ୍ଠୀବଦ୍ଧ ହିଂସାତ୍ମକ କାର୍ଯ୍ୟକୁ କେହି ଭୁଲିନାହାନ୍ତି କିମ୍ବା କ୍ଷମା କରିପାରିବେ ନାହିଁ। ଏଠାରେ ଧର୍ମନିରପେକ୍ଷତାର ପ୍ରଶ୍ନ ଗୁରୁତ୍ୱପୂର୍ଣ୍ଣ ନୁହେଁ। ପୋଲିସ କହିବା ମୁତାବକ ବ୍ୟକ୍ତିଗତ ବିବାଦ ଯୋଗୁ ଏଭଳି ହତ୍ୟାକାଣ୍ଡ ଘଟିଛି। ଯଦି ତାହା ହୋଇଥାଏ, ଅଭିଯୁକ୍ତମାନଙ୍କୁ ତୁରନ୍ତ ଆଇନଗତ ଦଣ୍ଡ ଦିଆଯିବା ଦରକାର। କିନ୍ତୁ ‘ହିଂସାର ଜବାବ ହିଂସାରେ’ ଦେଲେ ତାହାର କୌଣସି ଅନ୍ତ ନାହିଁ। ତାହା ଘଟିଲେ ସାମ୍ପ୍ରଦାୟିକ ବିଦ୍ୱେଷ ବଢ଼ିବ, ଯାହାର ପରିଣତି ଆଉ ଏକ ଦଙ୍ଗା ସୃଷ୍ଟି କରିବାକୁ ଖୋରାକ ପାଇବ। ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଜନସାଧାରଣ ଗଣ୍ଡେ ଭଲରେ ଖାଇ, ପିଲାମାନଙ୍କୁ ଶିକ୍ଷା ଦେବା ସହ ପରିବାରର ସ୍ବାସ୍ଥ୍ୟ ଚିନ୍ତା କଲାବେଳକୁ ନାକେଦମ୍‌ ହୋଇଯାଉଛନ୍ତି। ଏଭଳି ସ୍ଥଳେ କାହା ବିରୋଧରେ ଅର୍ଥନୈତିକ ବାସନ୍ଦ ଲାଗୁ କରିବା କିମ୍ବା ହିଂସା ରଚିବା ଲାଗି ପ୍ରସ୍ତୁତ ହେବାକୁ ଆହ୍ବାନ ଦିଆଯିବା ଅପ୍ରୀତିକର ସ୍ଥିତି ସୃଷ୍ଟି କରିପାରେ। ତେବେ ଏଭଳି ଡାକରା କାହିଁକି ଦିଆଯାଇଛି, ତାହା ଚିନ୍ତାଜନକ। ବିଗତ ଆଠ ବର୍ଷରୁ ଊର୍ଦ୍ଧ୍ୱ ସମୟ ଭାଜପା ସରକାରର ବିତିଯିବା ସତ୍ତ୍ୱେ ଦିଲ୍ଲୀ ଭଳି ସହରରେ ମଧ୍ୟ ହିଂସାକୁ ଆୟତ୍ତ କରାଯାଇ ପାରୁନାହିଁ। ଏହା ସମସ୍ତେ ସ୍ବୀକାର କରିବେ ଯେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ସମ୍ପୂର୍ଣ୍ଣ ଭାବେ ଶିଥିଳ ଥିଲା। ଏବେ କୁହାଯାଉଛି ଯେ, ଟାଣୁଆ ନେତା ଓ ଟାଣୁଆ ସରକାର ଯୋଗୁ ସ୍ଥିତି ବଦଳିଛି। କିନ୍ତୁ ଉତ୍ତରପୂର୍ବ ଦିଲ୍ଲୀର ଦିଲ୍‌ଶାଦ ଗାର୍ଡେନ୍‌ଠାରେ ଦିଆଯାଇଥିବା ଡାକରା ଏକ ଭିନ୍ନ ଦିଗକୁ ଇଙ୍ଗିତ କରୁଛି। ଲୋକ ସଭା ନିର୍ବାଚନ ପାଖେଇ ଆସିଲାଣି। ଏବେଠାରୁ ଘୃଣା ଓ କ୍ରୋଧକୁ ବୃଦ୍ଧି କରାଇପାରିଲେ କୁହୁଳୁଥିବା ପରିସ୍ଥିତିରୁ ନିଆଁ ଲାଗିପାରିବ। ଏହି ନିଆଁ ତାହାର ଶୀର୍ଷ ତାତିରେ ପହଞ୍ଚିବା ପାଇଁ ୨୦୨୩ ମସିହାର ଶେଷ ହୋଇଥାଇପାରେ ଲକ୍ଷ୍ୟ। ଅପରପକ୍ଷରେ ଭାରତୀୟ ମୁସଲମାନ, ଯେଉଁମାନେ ଅରାଜକତା ସୃଷ୍ଟି କରୁଛନ୍ତି ସେମାନଙ୍କୁ ସେହି ସମ୍ପ୍ରଦାୟ ଭିତରୁ ମଧ୍ୟ ବିରୋଧ ହେବା ଦରକାର। ଏହି ପରିପ୍ରେକ୍ଷୀରେ ଇରାନ୍‌ରେ ହିଜାବ ବିରୋଧୀ ଅଭିଯାନର ଦୃଷ୍ଟାନ୍ତ ଦିଆଯାଇପାରେ। ଉଚିତ ଢଙ୍ଗରେ ହିଜାବ ପିନ୍ଧି ନ ଥିବା ଦର୍ଶାଇ ଇରାନ୍‌ର ଧର୍ମୀୟ ବ୍ୟାପାର ପୋଲିସ ୨୨ ବର୍ଷୀୟା ମହସା ଅମିନୀଙ୍କ ଉପରେ ଅତ୍ୟାଚାର କରି ତାଙ୍କ ଜୀବନ ନେବା ପରଠାରୁ ସେଠାରେ ରକ୍ଷଣଶୀଳ ଗୋଷ୍ଠୀ ବିରୋଧରେ ଜୋରଦାର ଆନ୍ଦୋଳନ ହେଉଛି। ଏହା ଏବେ ସମଗ୍ର ବିଶ୍ୱକୁ ବ୍ୟାପିଗଲାଣି। ଦୁର୍ଭାଗ୍ୟର ବିଷୟ ଭାରତରେ ସେହି ବିଷୟକୁ ମୁସଲମାନମାନେ ସେଭଳି ଗୁରୁତ୍ୱ ଦେଉଥିବା ଭଳି ମନେହେଉ ନାହିଁ। ନାରୀ ସଶକ୍ତୀକରଣ ଲାଗି ହେଉଥିବା ଏପରି ବଡ଼ ଅଭିଯାନକୁ ଭାରତୀୟ ମୁସଲମାନ ଦେଖି ନୀରବ ରହିବା ପରବର୍ତ୍ତୀ ସମୟରେ ସେମାନଙ୍କ ପାଇଁ ବୁମେରାଂ ହୋଇପାରେ ବୋଲି ଆଶଙ୍କା କରାଗଲାଣି। ଭାରତୀୟ ମୁସଲମାନ ଉଭୟ ଶିୟା ଓ ସୁନ୍ନି, ପୂର୍ବରୁ ଏହିଭଳି ନୀରବ ରହିବାରୁ ଆଜିର ସୁନ୍ଦର ନଗରୀ ଭଳି ପରିସ୍ଥିତି ସୃଷ୍ଟି କରିବାରେ ସକ୍ରିୟ ସାହାଯ୍ୟ କରିଛନ୍ତି। କେବଳ ଭାରତୀୟ ପତାକା ଦେଖାଇବା ଦେଶପ୍ରେମର ଉପରଠାଉରିଆ ଲକ୍ଷଣ ହୋଇପାରେ, କିନ୍ତୁ ବିଶ୍ୱସନୀୟତା ବୃଦ୍ଧି କରାଇବାରେ ବିଫଳ ହୋଇଛି। ଆଭ୍ୟନ୍ତରୀଣ ଚିନ୍ତାଧାରାରେ ପରିବର୍ତ୍ତନ ଆସିଲେ ବାହ୍ୟ ସ୍ଥିତି ବଦଳିଯାଇପାରେ।

‘ହିଂସାର ଜବାବ ହିଂସାରେ’ ଦେଲେ ତାହାର କୌଣସି ଅନ୍ତ ନାହିଁ। ତାହା ଘଟିଲେ ସାମ୍ପ୍ରଦାୟିକ ବିଦ୍ୱେଷ ବଢ଼ିବ, ଯାହାର ପରିଣତି ଆଉ ଏକ ଦଙ୍ଗା ସୃଷ୍ଟି କରିବାକୁ ଖୋରାକ ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri