ଶବର ଠିକଣା ହଜିଛି

ଅକ୍ଷୟ କୁମାର ମିଶ୍ର

ମନେପଡୁଛି ଏକ ଲୋକପ୍ରିୟ ଓଡ଼ିଆ ଭଜନର ପ୍ରଥମ ପଦ ‘ସ୍ବର୍ଗଦ୍ୱାର ମୋର ଶେଷ ଠିକଣା।’ ମଣିଷ ମରିଗଲେ ତାକୁ ଶବ କହନ୍ତି। ଘରେ ବାହାରେ ଡାକ୍ତରଖାନାରେ ଯେଉଁଠି ବି ମଣିଷ ମରୁ ନା କାହିଁକି ତା’ର ସତ୍କାର କରିବା ପାଇଁ ଶ୍ମଶାନକୁ ନିଆଯାଏ। ଧର୍ମୀୟ ରୀତିନୀତି ଅନୁଯାୟୀ ସେଠାରେ ତାକୁ ଦାହ ଅଥବା କବର ଦିଆଯାଏ। ତାହା ପୁରୀର ସ୍ବର୍ଗଦ୍ୱାର ହୋଇପାରେ ନଚେତ୍‌ ଗାଁ ମୁଣ୍ଡ ମଶାଣି ହୋଇପାରେ। ଶବର ଶେଷ ଠିକଣା ଯେ ଶ୍ମଶାନ/କବରଖାନା ଏହା ହିଁ ସତ୍ୟ। କିନ୍ତୁ ଆଜି ସେ ଠିକଣା ହଜି ଯାଇଛି।
କିଛିଦିନ ତଳେ ପ୍ରାୟ ସମସ୍ତ ଗଣମାଧ୍ୟମରେ ଏକ ମର୍ମସ୍ପର୍ଶୀ ତଥା ସମ୍ବେଦନଶୀଳ ଦୃଶ୍ୟ ଦେଖିବାକୁ ମିଳିଲା। ଗଙ୍ଗା ଯାହାକୁ ଆମ ଦେଶର ପବିତ୍ର ନଦୀ କୁହାଯାଏ ସେହି ନଦୀ ଜଳରେ ଶହ ଶହ ଶବ ଭାସୁଥିବାର ଖବର ପ୍ରକାଶିତ ହେବା ପରେ ବିଭିନ୍ନ ମହଲରେ ଏକାଧିକ ପ୍ରଶ୍ନ ଉଠିଛି। ପ୍ରଥମେ ବିହାରର ବକ୍ସର ଜିଲା ଏବଂ ପରେ ଉତ୍ତରପ୍ରଦେଶର ଘାଜିପୁର ଜିଲା ନିକଟବର୍ତ୍ତୀ ଗଙ୍ଗା ନଦୀ ଜଳରେ ଏ ପ୍ରକାର ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଶବ କାହାର? ଏତେ ଗୁଡ଼ାଏ ଶବ ଆସିଲା କେଉଁଠୁ? କିଏ ଭସାଇଲା? ଶବଗୁଡ଼ିକର ସତ୍କାର କରିବା ପରିବର୍ତ୍ତେ ନଦୀ ଜଳରେ ଭସାଇ ଦିଆଗଲା କାହିଁକି? ଏମିତି ଅନେକ ପ୍ରଶ୍ନ ଉଠିବା ସ୍ବାଭାବିକ। ଗୋଟିଏ ଅଚି଼ହ୍ନା ଶବ ମିଳିଲେ ପୋଲିସ ତନାଘନା ପଚରା ଉଚରା ଆରମ୍ଭ କରିଦିଏ। କିଛି ନ ହେଲେ ଗୋଟିଏ ଅପମୃତ୍ୟୁ ମାମଲା ରୁଜୁ କରେ। ଇଏତ ଏକା ସାଙ୍ଗରେ ଶହ ଶହ ଶବ। ତେବେ କ’ଣ ପ୍ରଶାସନର ଜ୍ଞାତସାରରେ ଏହା ଘଟିଛି?
ସମଗ୍ର ଦେଶରେ ଯେତେବେଳେ ଆତଙ୍କର ବାତାବରଣ, ପ୍ରତିଦିନ କରୋନାରେ ଆକ୍ରାନ୍ତ ହୋଇ ହଜାର ହଜାର ମଣିଷ ମୃତ୍ୟୁବରଣ କରୁଛନ୍ତି ସେତେବେଳେ ଗଙ୍ଗା ଜଳରେ ଧାଡ଼ି ଧାଡ଼ି ଶବର ଶୋଭାଯାତ୍ରା ମଣିଷ ଭିତରେ କୋକୁଆ ଭୟ ସୃଷ୍ଟି କରିଛି। ଗୁଜବ ଉଠିବା ଆରମ୍ଭ ହୋଇଛି ତେବେ କ’ଣ ସରକାର ମୃତ୍ୟୁ ସମ୍ପର୍କରେ ଦୈନିକ ଯେଉଁ ବିବରଣୀ ଦେଶବାସୀଙ୍କ ସମ୍ମୁଖରେ ତୋଳି ଧରୁଛନ୍ତି ତାହା ସମ୍ପୂର୍ଣ୍ଣ ସତ୍ୟ ନୁହଁ କି? ଏସବୁ ଶବ କରୋନା କାରଣରୁ ମୃତ୍ୟୁବରଣ କରିଥିବା ଲୋକର ଶବ ନୁହେଁ ତ? ଯଦି ଏହା ସତ୍ୟ ହୋଇଥାଏ ତେବେ ଏହା ଅତୀବ ସାଂଘାତିକ।
ସଫେଇ ଦିଆଯାଇ ପାରେ ଶବଗୁଡ଼ିକର କେହି ଦାବିଦାର ନ ଥିଲେ। ତେବେ କ’ଣ ବେପରୁଆ ଭାବେ ଏଣେତେଣେ ଫିଙ୍ଗି ଦିଆଯିବ ଶାଗୁଣା, କୁକୁର, ବିଲୁଆର ଭକ୍ଷଣ ପାଇଁ? ଶବଗୁଡ଼ିକୁ କେହି ନେବାକୁ ଆସିଲେନି ବୋଲି ନଦୀ ଜଳରେ ଭସାଇ ଦେବା କେଉଁ ମାନବିକତାର ପରିଚାୟକ। ଏ କ୍ଷେତ୍ରରେ ମାନବାଧିକାର ଉଲ୍ଲଂଘନ ହେଉନାହିଁ କି? ସବୁଠାରୁ ଆପତ୍ତିଜନକ କଥା ହେଉଛି ଯଦି ପ୍ରକୃତରେ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଲୋକମାନଙ୍କର ଶବଗୁଡ଼ିକୁ ଏମିତି କରାଯାଇଥାଏ ତେବେ ଏହାଠାରୁ ଅଦୂରଦର୍ଶିତା ବୋଧହୁଏ କିଛି ନାହିଁ। ଏଭଳି ଆତ୍ମଘାତୀ କାର୍ଯ୍ୟକୁ ଯେତେ କଠୋର ଭାଷାରେ ନିନ୍ଦା କଲେ ମଧ୍ୟ କମ୍‌ ହେବ। ଏହା କେବଳ ନଦୀଜଳକୁ ଦୂଷିତ କରିବ ନାହିଁ ଦ୍ରୁତ ସଂକ୍ରମଣର ସହାୟକ ସାଜିବ। ଏଥିପାଇଁ ଏହି ଦୁଇ ରାଜ୍ୟର ସରକାରକୁ କାଠଗଡ଼ାରେ ଛିଡ଼ା କରାଯାଇପାରେ। ପୁନଶ୍ଚ କେନ୍ଦ୍ର ସରକାରର ଭୂମିକା ମଧ୍ୟ ସନ୍ଦେହ ଘେରରେ। ଘଟଣାଟିକୁ ଛୋଟ ଘଟଣା ଭାବି ଚୁପ ରହିବା ଉଚିତ ହେବ ନାହିଁ। ସତ୍ୟାସତ୍ୟ ଲୋକଲୋଚନକୁ ଆସିବା ଆବଶ୍ୟକ।
ସମସ୍ତେ ଜାଣିଛନ୍ତି ବାରମ୍ବାର ନିଜର ରୂପ ପରିବର୍ତ୍ତନ କରିଚାଲିଥିବା ଅଦୃଶ୍ୟ ଭୂତାଣୁ କରୋନା କେବଳ ଜୀବନ ଓ ଜୀବିକାକୁ ସଂକଟାପନ୍ନ କରିନାହିଁ ମାନବୀୟ ଚେତନା ଉପରେ ଏକ ଶକ୍ତ ଆଘାତ କରିଛି। ସ୍ନେହ, ପ୍ରେମ, ମମତାର ବନ୍ଧନ ଦୁର୍ବଳ ହୋଇଛି। ଚିହ୍ନା ମଣିଷ ଆଜି ଅଚି଼ହ୍ନା ପାଲଟି ଯାଇଛି। ସମାଜର ସହାବସ୍ଥାନ ଆଘାତପ୍ରାପ୍ତ ହୋଇଛି। ସମ୍ପର୍କର ଆକର୍ଷଣ ମଣିଷକୁ ଆକୃଷ୍ଟ କରି ପାରୁନାହିଁ। ସାମାଜିକ ଦୂରତା ନାମରେ ଅସ୍ପୃଶ୍ୟତାର ଆବିର୍ଭାବ ସଭ୍ୟତାକୁ ହତଚକିତ କରିଛି। ମୃତ ଶରୀରକୁ ଦେଖି ଆଖିରୁ ଲୁହ ଝରିବା ପରିବର୍ତ୍ତେ ଅବ୍ୟକ୍ତ ଭୟର ପ୍ରତିଛବି ଉକୁଟି ଉଠୁଛି। ଯେଉଁମାନେ ଶବ ଶବାରିକୁ ନିଜ କାନ୍ଧରେ ଶ୍ମଶାନକୁ ବୋହି ନିଅନ୍ତେ ସେମାନେ ତାଟି କବାଟ ବନ୍ଦ କରିଦେଉଛନ୍ତି। ଖଇ କଉଡି ପଡୁନାହିଁ। ମୁଖାଗ୍ନି ଦେବାପାଇଁ ଦାବିଦାର ନାହିଁ। ସ୍ଥାନେ ସ୍ଥାନେ ମଶାଣିରୁ ଶବ ଫେରାଇ ଦେବା ଭଳି ଅମାନବୀୟ ଘଟଣା ଘଟୁଛି। ସତେ ଯେମିତି ଭୁଲ୍‌ ଠିକଣାରେ ଶବଟି ଆସିଯାଇଥିଲା।
କାରୁଣ୍ୟର କାହାଣୀ କହିବସିଲେ ରାତି ପାହିଯିବ ସିନା କଥା ସରିବନି। ସ୍ବାମୀର ଜୁଇ ନ ଲିଭୁଣୁ ସ୍ତ୍ରୀର ଶବ ଉଠୁଛି। କେଉଁଠି ହୁଏତ ମହିଳା ଜଣକ କରୋନା ସହିତ ସଂଗ୍ରାମ କରି ସୁସ୍ଥ ହୋଇ ଘରକୁ ଫେରି ଶୁଣୁଛି ସ୍ବାମୀ, ଶାଶୁ, ଶ୍ୱଶୁର ସମସ୍ତେ ତାକୁ ଏକୁଟିଆ କରି ଛାଡ଼ି ଚାଲିଯାଇଛନ୍ତି। ପୁଣି କେଉଁଠି ମାଆ ବଞ୍ଚିଛି କିନ୍ତୁ ତା’ର ଏକମାତ୍ର ସାହା ଭରସା ରୋଜଗାରିଆ ପୁଅର କୋକେଇ ଉଠୁଛି। ଏଭଳି ହୃଦୟ ବିଦାରକ ଦୃଶ୍ୟ ମାନବ ସମାଜ ପାଇଁ ନୂଆ ନୁହେଁ। ଯେତେବେଳେ ବି ମହାମାରୀ ପଡିଛି ସେତେବେଳେ ଏମିତି ରକ୍ତର ଅବା ଭାବର ପ୍ରିୟଜନଙ୍କୁ ହରାଇ ମଣିଷ ନିର୍ବାକ ପାଲଟି ଯାଇଛି। କିନ୍ତୁ ଏବର ଦୁଃସ୍ଥିତି ଅତୀତର ସମସ୍ତ ଦୁରବସ୍ଥାକୁ ଅତିକ୍ରମ କରିଯାଇଛି।
ଗୋଟିଏ ପଟେ କରୋନା ତା’ର ତାଣ୍ଡବ ରଚି ଚାଲିଥିବା ବେଳେ ଅନ୍ୟ ପଟେ ସ୍ବାସ୍ଥ୍ୟସେବାକୁ ନେଇ ଉଠୁଥିବା ଏକାଧିକ ସଙ୍ଗିନ ଅଭିଯୋଗ ମଣିଷର ବିଶ୍ୱାସର ପିରାମିଡକୁ ଭାଙ୍ଗି ଦେଉଛି। ଲୋକେ କଥା ହେଉଛନ୍ତି କରୋନା ଚିହ୍ନଟ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେବାପରେ ରୋଗୀ ସମ୍ପର୍କରେ ଖବର ମିଳୁନାହିଁ। ଆରୋଗ୍ୟ ହୋଇ ଫେରିଲେ ତ ଭଲ ନ ହେଲେ ଶେଷରେ ମୃତ୍ୟୁ ଖବର ଆସିବ। ଏମିତି ଘଟଣା ମଧ୍ୟ ଘଟୁଛି, ମୃତ୍ୟୁର ଦୁଇ ତିନି ଦିନ ପରେ ଫୋନ ଆସୁଛି ‘ଆପଣଙ୍କ ରୋଗୀ ଭଲ ଅଛନ୍ତି। ସ୍ବାସ୍ଥ୍ୟରେ ଉନ୍ନତି ଘଟୁଛି।’ ବେଳେ ବେଳେ ମିଥ୍ୟା ମୃତ୍ୟୁ ଖବର ମଧ୍ୟ ପରିବାର ନିକଟରେ ପହଞ୍ଚୁଛି। ଜୀବିତ ବେଳେ ମୃତ୍ୟୁର ଖବର, ମରିଗଲା ପରେ ବଞ୍ଚିଥିବା ଖବର କେତେ ଯନ୍ତ୍ରଣାଦାୟକ ତାହା କେବଳ ସମ୍ପୃକ୍ତ ପରିବାରର ସଦସ୍ୟମାନେ ହିଁ ଜାଣିଥିବେ। ଏହା ଅକ୍ଷମଣୀୟ।
ସମ୍ପ୍ରତି ସମାଜରେ ଯେଉଁ ସବୁ ବିଲକ୍ଷଣ ଓ ବିକଳ ଦୃଶ୍ୟ ଦେଖିବାକୁ ମିଳୁଛି ତା’ର ମୁଖ୍ୟ କାରଣ ଯେ ପରିଚାଳନାଗତ ତ୍ରୁଟି ଏହାକୁ ନୀତି ନିର୍ଦ୍ଧାରକମାନେ ମାନିବାକୁ ନାରାଜ। ନିଜ ପିଠିକୁ ନିଜେ ଥାପୁଡେଇ ନିଜ ପ୍ରଶସ୍ତି ପତ୍ର ନିଜେ ଲେଖିବାରେ ଆମେ ବ୍ୟସ୍ତ। କରୋନାକୁ ପରାଜିତ କରି ଆମେ ବିଜୟ ହେଲୁ ବୋଲି ଯେଉଁ ବୃଥା ଆସ୍ଫାଳନ କଲୁ ତା’ର କୁପରିଣତି ଆମେ ଭୋଗିବୁ ନାହିଁ ତ ଆଉ କିଏ ଭୋଗିବ? ବିଶ୍ୱର ଅନ୍ୟାନ୍ୟ ଦେଶ ଯେତେବେଳେ ଦ୍ୱିତୀୟ ଲହରକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ହେଉଥିଲେ ଆମେ ସେତେବେଳେ କ’ଣ କରୁଥିଲୁ କାହାକୁ ଅଛପା ନାହିଁ। ଆଉ ଯେତେବେଳେ ପରିସ୍ଥିତି ଅଣାୟତ୍ତ ହେଲା ଚିରାଚରିତ ଢଙ୍ଗରେ କେନ୍ଦ୍ର ରାଜ୍ୟକୁ ରାଜ୍ୟ କେନ୍ଦ୍ରକୁ ଦୋଷ ଦେବାରେ ଲାଗି ପଡିଛନ୍ତି। ଏଣେ ମୃତ୍ୟୁସଂଖ୍ୟା ବଢୁଛିି। ଶ୍ମଶାନରେ ଶବର ଲମ୍ବା ଧାଡ଼ି। ଦାହ/କବର ଦେବାକୁ ଜାଗାର ନିଅଣ୍ଟ। ଶେଷରେ ଗଙ୍ଗା ପାଲଟି ଗଲା ଶେଷ ଠିକଣା। ହାୟରେ ମଣିଷ ଜାତି! ବଞ୍ଚି ଥିବାବେଳେ ଯେଉଁ ଚିକିତ୍ସା ଯୋଗାଇବା କଥା ଦେଲୁ ନାହିଁ। ଅକ୍ସିଜେନ ନ ଦେଇ ଛଟପଟ କରି ମାରିଲୁ। ଆଉ ମରିଗଲା ପରେ ବି…। ତୁ ତ କହୁ ମୃତ୍ୟୁ ପରେ ସତ୍କାର ନ କଲେ ତା’ର ଆତ୍ମା ଅତୃପ୍ତ ହୋଇ ରହିଯାଏ ବୋଲି। ତେବେ ଆଜି କାହିଁକି ଏକଥା? ଲୋକେ ବୋଲିବେ କ’ଣ?
ସମ୍ପାଦକ, ଦୀନକୃଷ୍ଣ ସାହିତ୍ୟ ସଂସ୍କୃତି ସଂସଦ, ଜଳେଶ୍ୱର, ବାଲେଶ୍ବର
ମୋ-୭୦୦୮୦୭୩୫୯୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri