ଜନନାୟକ ହେବ ତ ଏମିତି

ସେ ହେଉଛି ପ୍ରକୃତ ସଭ୍ୟ, ଯେ ବସ୍ତୁ ତିଆରି କରେ ଓ ତାକୁ ସରସ ସୁନ୍ଦର କରି ପୂର୍ଣ୍ଣାଙ୍ଗ ରୂପ ପ୍ରଦାନ କରେ ଏବଂ ଉପଭୋକ୍ତାଙ୍କୁ ସନ୍ତୋଷ ପ୍ରଦାନ କରେ। ମାତ୍ର ଯେ ତାକୁ ଉପଭୋଗ କରେ ସେ ବାସ୍ତବ ସଭ୍ୟ ନୁହେଁ। ଏ କଥା କହିଛନ୍ତି ‘ଏ ଡାଏଲଗ୍‌ ଅନ୍‌ ସିଭିଲାଇଜେଶନ’ର ପ୍ରାବନ୍ଧିକ ସି.ଇ.ଏମ୍‌. ଜୋଡ। ଆମେ ଭଲ ଜୋତା ଓ ସୁଦୃଶ୍ୟ ପୋଷାକ ପରିଧାନ କରୁ, କିନ୍ତୁ ଏହାର ନିର୍ମାତାକୁ କେବେ ମନେ ପକାଉନାହୁଁ। ଭଲ ଗୃହ ନିର୍ମାଣ କରି ବାସକରୁ; କିନ୍ତୁ ନିର୍ମାତା ବା ଶିଳ୍ପୀର କର୍ମକୁଶଳତାକୁ ଭୁଲିଯାଉ। ଯେଉଁମାନଙ୍କର ନିଷ୍ଠାପର ଉଦ୍ୟମର ଫଳ ଆମେ ଉପଭୋଗ କରି ଆମ ଜୀବନକୁ ସରସ ସୁଗମ କରୁ ତାଙ୍କୁ କେବେ ଶ୍ରେୟ ଦେଇ ନ ଥାଉ। ବାହ୍ୟଦୃଷ୍ଟିରେ ଉପଭୋକ୍ତା ମହାନ୍‌ ହେଲେ ମଧ୍ୟ ବାସ୍ତବ ମହାନତା ନିହିତ ରହିଛି ଏହାର ନିର୍ମାତାଠାରେ। ଏହା ନିଚ୍ଛକ ସତ୍ୟ ଓ ଏହି ସତ୍ୟକୁ ଯିଏ ଯେତେ ଭଲଭାବରେ ବୁଝିଛି ସେ ସେତେ ମାନବବାଦୀ ଓ ମହତ୍‌ ଚିନ୍ତାଧାରାର ଅଧିକାରୀ।
ଆମେରିକାର ମୋଟର କମ୍ପାନୀ ଫୋର୍ଡ’ର ମାଲିକ ହେନେରୀ ଫୋର୍ଡ ଜଣେ ଅତି ସାଧାରଣ ପରିବାରରେ ଜନ୍ମିତ ବ୍ୟକ୍ତି। ହେନେରୀ ଫୋର୍ଡ ଅଭାବ କଷଣ ମଧ୍ୟରେ ଗତିକରି ପୃଥିବୀର ଜଣେ ଶ୍ରେଷ୍ଠ ଧନୀ ଓ ମାନୀ ବ୍ୟକ୍ତିଭାବେ ପରିଗଣିତ ହୋଇଥିଲେ। ଅନେକ ସମୟରେ ସେ କାରଖାନାକୁ ଯାଇ ଶ୍ରମିକମାନଙ୍କ କଠିନ ପରିଶ୍ରମକୁ ନଜର କରନ୍ତି। ଶ୍ରମିକମାନେ ମୁଣ୍ଡ ଝାଳ ତୁଣ୍ଡରେ ମାରି ଦିନମାନ ଅକ୍ଳାନ୍ତ ପରିଶ୍ରମ କରି ତାଙ୍କୁ କେବଳ ଅଜସ୍ର ଲାଭ ଦେଇନାହାନ୍ତି; ବରଂ ତାଙ୍କୁ ପୃଥିବୀର ଜଣେ ସମ୍ମାନାସ୍ପଦ ବ୍ୟକ୍ତିଭାବେ ଠିଆହେବାର ସମସ୍ତ ସୁଯୋଗ ଆଣିଦେଇଛନ୍ତି। ଶ୍ରମିକମାନେ ଦିନତମାମ୍‌ ଅକ୍ଳାନ୍ତ ପରିଶ୍ରମ କରି ରାତିରେ ଦୁଇପଟ ରୁଟି ଖାଇ ଶାନ୍ତିରେ ନିଦ୍ରା ଯାଇପାରୁଥିବାର ଦେଖି ମାଲିକ ହେନେରୀ ଚିନ୍ତା କରନ୍ତି ଯେ, ସେ ଟଙ୍କାର ପାହାଡ଼ ଉପରେ ଥାଇ ମଧ୍ୟ ଭଲରେ ଶେଇପାରୁନାହାନ୍ତି। ସେ ଈଶ୍ୱରଙ୍କୁ ପ୍ରାର୍ଥନା କରିଛନ୍ତି, ‘ହେ ଈଶ୍ୱର! ଆଗାମୀ ଜୀବନରେ ଯଦି ମୋତେ ମଣିଷ ଜନ୍ମ ମିଳେ, ତେବେ ମୋତେ ଏକ ଶ୍ରମଜୀବୀ ଘରେ ଜନ୍ମ ଦେବ, ଯାହାଫଳରେ ମୁଁ ଏକ ଶାନ୍ତ ସରଳ ଚିନ୍ତାମୁକ୍ତ ଜୀବନ ଜିଇବାର ସୁଯୋଗ ପାଇପାରିବି।’ କାରଖାନାର ଶ୍ରମିକମାନଙ୍କ ପାଇଁ ସେ ଥିଲେ ସମ୍ବେଦନଶୀଳ ଓ ଶ୍ରମିକ କଲ୍ୟାଣ ଲାଗି ସେ ଅନେକ କିଛି କରି ଉତ୍ତମ ମାଲିକର ଦୃଷ୍ଟାନ୍ତ ସୃଷ୍ଟି କରିପାରିଛନ୍ତି।
ପ୍ରାଚୀନ ଇଂଲଣ୍ଡର ଏକ କାହାଣୀ, ଯାହା ଇଂଲିଶ୍‌ କବି ଚାର୍ଲସ୍‌ ମ୍ୟାକେଙ୍କ କବିତା ‘ଦି ମିଲର ଅଫ୍‌ ଦି ଡି’ରେ ପ୍ରକାଶିତ। ଇଂଲଣ୍ଡର ରାଜା ହଲ୍‌ ଏକଦା ‘ଡି’ ନଦୀକୂଳରେ ଭ୍ରମଣ କରୁଥିବା ସମୟରେ ଜଣେ ଅଟାକଳ ମାଲିକର ଅନ୍ତରର ଅଭିବ୍ୟକ୍ତି ଶୁଣିପାରିଲେ। ମିଲ୍‌ର କର୍ମକ୍ଳାନ୍ତ ଜୀବନରୁ କିଛି ସମୟ ଅବ୍ୟାହତି ନେଇ ଡି ନଦୀକୂଳରେ ପଦଚାରଣ କରିବା ଅବସରରେ ମୁକ୍ତକଣ୍ଠରେ ଗୀତ ଗାଉଥାଏ। ତା’ ଗୀତର ସାରାଂଶ ହେଲା ଯେ ଦୁନିଆରେ ସେ କାହାଠାରୁ କିଛି ଧାର କରିନାହିଁ, ଯାହା ସେ ଶୁଝିପାରିବ ନାହିଁ। ସେ କେବଳ ଡି ନଦୀଠାରେ ଋଣୀ, ଯାହାର ଜଳଦାନରେ ତା’ର ମିଲ୍‌ ଚାଲେ ଓ ସେ ତା’ର ତିନିପିଲା ଏବଂ ସ୍ତ୍ରୀକୁ ନେଇ ସୁଖରେ ଜୀବନଯାପନ କରେ। ସେ କହେ, ‘ମୁଁ କାହାକୁ କେବେ ଈର୍ଷା କରେନାହିଁ; କିମ୍ବା ମୋତେ କେହି ଈର୍ଷା କରନ୍ତି ନାହିଁ।’ ଏ କଥା ଶୁଣି ରାଜା ହଲ୍‌ କହିଲେ, ଏ କଥା କୁହନାହିଁ ବନ୍ଧୁ! କାରଣ ଇଂଲଣ୍ଡର ରାଜା ହୋଇ ମଧ୍ୟ ମୁଁ ତୁମ ସୁଖମୟ ଜୀବନଯାପନକୁ ଈର୍ଷା କରୁଛି। କାରଣ ମୁଁ ତୁମ ପରି ସୁଖୀ ନୁହେଁ। ମନେହେଉଛି ବନ୍ଧୁ ! ତୁମ ସହ ମୁଁ ସ୍ଥାନ ପରିବର୍ତ୍ତନ କରନ୍ତି ଅର୍ଥାତ୍‌ ତୁମକୁ ଇଂଲଣ୍ଡର ରାଜପଦରେ ଅଭିଷିକ୍ତ କରି ତୁମ କଳର ମାଲିକ ହୋଇ ତାକୁ ଚଳାନ୍ତି। ବାସ୍ତବରେ କଠିନ ପରିଶ୍ରମ କରି ସ୍ବଳ୍ପ ରୋଜଗାର କରୁଥିଲେ ମଧ୍ୟ ତୁମେ ବହୁତ ସୁଖୀ। ତୁମ ପରି ଲୋକମାନେ ଇଂଲଣ୍ଡର ଗର୍ବ ଓ ଗୌରବ। ଏପରି ଦରଦୀ ଜନନାୟକ ବାସ୍ତବରେ ବିରଳ।
ଆଉ ଜଣେ ଦରଦୀ ଜନନାୟକ ହେଉଛନ୍ତି ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ। କାରରେ ଏକ ସରକାରୀ କାର୍ଯ୍ୟକ୍ରମ ପାଇଁ ଯାଉଥିବା ଅବସରରେ ରାଜଧାନୀ ଉପକଣ୍ଠ ରାଜରାସ୍ତା ପାର୍ଶ୍ୱରେ ଥିବା ପୁଷ୍ପ ଉଦ୍ୟାନରେ ଗଭୀର ମନୋନିବେଶ କରି ମାଳିଟି କାର୍ଯ୍ୟରତ ଥିଲା। ପ୍ରଧାନମନ୍ତ୍ରୀ ଡ୍ରାଇଭରକୁ ଗାଡ଼ି ରଖିବାକୁ କହି ମାଳିର କାର୍ଯ୍ୟଧାରାକୁ କିଛି ସମୟ ନିରୀକ୍ଷଣ କଲେ। ମାଳିଟିର କର୍ତ୍ତବ୍ୟପରାୟଣତା, ଦାୟିତ୍ୱବୋଧ ଓ ସର୍ବୋପରି ତାର କର୍ମକୁଶଳତାକୁ ଲକ୍ଷ୍ୟକରି ଅତ୍ୟନ୍ତ ପ୍ରସନ୍ନ ହେଲେ। ପ୍ରଧାନମନ୍ତ୍ରୀ ଆବେ ଗାଡ଼ିରୁ ଓହ୍ଲାଇ ଉଦ୍ୟାନ ମଧ୍ୟରେ ପ୍ରବେଶ କଲେ ଓ ମାଳିର ପଛପଟୁ ତା’ କାନ୍ଧରେ ହାତ ରଖି କହିଲେ, ‘ଦୀର୍ଘ ସମୟ ଧରି କାର୍ଯ୍ୟକରି ତୁମେ କ୍ଳାନ୍ତ ହୋଇପଡ଼ିଲଣି। ଆଜି ପାଇଁ ତୁମକୁ ଛୁଟି ଦିଆଗଲା। ଏବେ ତୁମେ ଘରକୁ ଯାଇ ଆରାମ କର।’ ପ୍ରଧାନମନ୍ତ୍ରୀଙ୍କୁ କେବେ ଦେଖି ନ ଥିବା ମାଳିଟି ଆଗନ୍ତୁକଙ୍କୁ ଚାହିଁଲା ଓ କହିଲା, ତୁମେ କିଏ ମୁଁ ତ ଜାଣେନା! ଯଦି ସ୍ବୟଂ ପ୍ରଧାନମନ୍ତ୍ରୀ ମୋତେ କାମ ବନ୍ଦକରି ଯିବାକୁ କହନ୍ତି ତେବେ ମଧ୍ୟ ମୁଁ ଯିବିନାହିଁ। କାରଣ ଆଜିର କାମ ଆଜି ଶେଷ ନ କଲେ, କାଲିକୁ ଏହା ଦ୍ୱିଗୁଣିତ ହେବ ଏବଂ କାଲି ମୋତେ ଆଜି ଅପେକ୍ଷା ଅଧିକ ପରିଶ୍ରମ କରିବାକୁ ପଡ଼ିବ। ବରଂ ମୋତେ ଉପଦେଶ ନ ଦେଇ ତୁମେ ତୁମ ବାଟରେ ଯାଅ ଓ ମୋତେ ମୋ କାମ କରିବାକୁ ଦିଅ। ଜଣେ କର୍ତ୍ତବ୍ୟରେ ଥିବା ବ୍ୟକ୍ତିର କାର୍ଯ୍ୟରେ ଅନ୍ତରାୟ ଘଟାଇ ତୁମେ ଦେଶର କି ମଙ୍ଗଳ କରିବାକୁ ଚାହଁ? ପରେ ପ୍ରଧାନମନ୍ତ୍ରୀ ନିଜର ପରିଚୟ ଦେଲାପରେ ବିଚରା ମାଳିଟି ଅପରାଧ ବୋଧରେ କାନ୍ଦି ପକାଇଲା। କିନ୍ତୁ ପ୍ରଧାନମନ୍ତ୍ରୀ ତାକୁ ଆଲିଙ୍ଗନ କରି ଆଶ୍ୱାସନାଭରା କଣ୍ଠରେ କହିଲେ, ବାସ୍ତବରେ ମୁଁ ନୁହେଁ ତୁମ ପରି ଲୋକଙ୍କ ଯୋଗୁ ଜାପାନ ଆଜି ସମୃଦ୍ଧ ହୋଇଛି। ତୁମେ ଦେଶର ଗର୍ବ ଆଉ ଗୌରବ।
ଜଣେ ଉପଭୋକ୍ତାକୁ ନୁହେଁ ବରଂ ନିର୍ମାତାକୁ ସମସ୍ତ ଶ୍ରେୟ ମିଳିବା ଆବଶ୍ୟକ। ହେନେରୀ ଫୋର୍ଡ ହୁଅନ୍ତୁ କି ରାଜା ହଲ୍‌ କିମ୍ବା ସିଞ୍ଜୋ ଆବେ ହୁଅନ୍ତୁ ଜଣେ ଜଣେ ଦରଦୀ ମଣିଷର ଉଦାହରଣ। ସେହିପରି କାରଖାନାର ଶ୍ରମିକ ହୁଅନ୍ତୁ କିମ୍ବ ମିଲ୍‌ ଚାଳକ ଅବା ଜାପାନର ମାଳି ଜଣେ ଜଣେ ନିଷ୍ଠାପର କର୍ତ୍ତବ୍ୟପରାୟଣ ବ୍ୟକ୍ତିତ୍ୱର ଉଦାହରଣ, ଯେଉଁମାନଙ୍କର ନିଷ୍ଠାପର ଶ୍ରମ ଦାନରେ ଦେଶର ବିକାଶ ସମ୍ଭବ।

  • ବୈକୁଣ୍ଠନାଥ ମିଶ୍ର
    ସିଦ୍ଧଳ, ଜଗତ୍‌ସିଂହପୁର
    ମୋ: ୯୯୩୭୪୫୦୫୪୦

Enter your email to get our daily news in your inbox.

All Right Reserved By Dharitri.Com

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri