ଥାଲାସିମିଆ

ପ୍ରତିବର୍ଷ ମେ’ ୮ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ଥାଲାସିମିଆ ଦିବସ’। ଥାଲାସିମିଆ ଏକ ବଂଶଗତ ରକ୍ତ ରୋଗ। ଏହି ରୋଗରେ ଶରୀରରେ ଅକ୍ସିଜେନ୍‌ ପରିବହନକାରୀ ହେମୋଗ୍ଲାବିନର ଗଠନ ତ୍ରୁଟିପୂର୍ଣ୍ଣ ହୋଇଯାଇଥାଏ। ଏହାଫଳରେ ଦେଖାଦିଏ ‘ଆନିମିଆ’ ବା ରକ୍ତାଳ୍ପତା। ଆପଣମାନଙ୍କ ମଧ୍ୟରୁ ଅନେକେ ଥାଲାସିମିଆ ରୋଗଟିର ନାଁ ଶୁଣିଥିବେ । କାହାର ପୁଅ କି ଝିଅ ହୁଏତ ଏହି ରୋଗ ଭୋଗୁ ଥାଇପାରନ୍ତି। ଜିନ୍‌ ଦୋଷରୁ ଜାତ ଏହି ରୋଗଟି ଆଦୌ ବିରଳ ନୁହେଁ। ଏହି ଦିବସ ଅବସରରେ ଚଳିତ ବର୍ଷର ସ୍ଲୋଗାନ ରହିଛି – ‘ବି ଆଓ୍ବେର, ଶେୟାର, କେୟାର: ଷ୍ଟ୍ରେନ୍ଦେନିଙ୍ଗ ଏଜୁକେଶନ ଟୁ ବ୍ରିଜ୍‌ ଦ ଥାଲାସିମିଆ କେୟାର ଗ୍ୟାପ’।
କାହିଁକି ହୁଏ : ଆମ ସମସ୍ତଙ୍କ ରକ୍ତରେ ରହିଛି ଆଇ.ବି.ସି. ବା ଲୋହିତ ରକ୍ତ କୋଷିକା। ଲୋହିତ ରକ୍ତ କୋଷିକା ଭିତରେ ଥାଏ ହିମୋଗ୍ଲୋବିନ୍‌ ନାମକ ଏକ ଉପାଦାନ। ‘ହିମ୍‌’ ଓ ‘ଗ୍ଲୋବିନ୍‌’-ଏହି ଦୁଇଟି ଉପାଦାନ ଥାଏ ହିମୋଗ୍ଲୋବିନ୍‌ରେ। ‘ହିମ’ରେ ଥାଏ ଲୌହ ଏବଂ ‘ଗ୍ଲୋବିନ୍‌’ ହେଉଛି ଏକ ପ୍ରୋଟିନ୍‌। ହିମୋଗ୍ଲୋବିନ୍‌ ବିନା ଆମେ ବଞ୍ଚତ୍ପାରିବା ନାହିଁ। କାରଣ ଏହା ପ୍ରଶ୍ୱାସ ବାୟୁରୁ ଅମ୍ଳଜାନ ଗ୍ରହଣ କରି ସବୁ ଜୀବକୋଷ ନିକଟରେ ପହଞ୍ଚାଇ ଦିଏ ଏବଂ ସବୁ ଜୀବକୋଷରୁ କାର୍ବନଡାଇଅକ୍ସାଇଡ୍‌ ଆଣି ନିଃଶ୍ୱାସ ବାୟୁ ମାଧ୍ୟମରେ ନିଷ୍କାସନ କରିଦିଏ। ‘ଆଲଫା’ ଓ ‘ବିଟା’ ଗ୍ଲୋବିନ୍‌ଜେନକୁ ନେଇ ଗ୍ଲୋବିନ୍‌ ଅଣୁଟି ଗଠିତ। କିନ୍ତୁ ନିର୍ଦ୍ଦିଷ୍ଟ ଏକ କ୍ରୋମୋଜୋମ୍‌ ବା ଗୁଣସୂତ୍ରରେ ତ୍ରୁଟି ରହିଗଲେ ତ୍ରୁଟିର ପ୍ରକାରକୁ ଚାହିଁ ଆଲଫା ଗ୍ଲୋବିନ୍‌ ଚେନ୍‌ କି ବିଟାଗ୍ଲୋବିନ୍‌ ଚେନ୍‌ର ତିଆରି ତ୍ରୁଟିଯୁକ୍ତ ହୋଇଯାଏ। ଆଲଫା ଚେନ୍‌ର ତ୍ରୁଟି ହେଲେ ତାକୁ ‘ଆଲଫା ଥାଲାସିମିଆ’ ଏବଂ ବିଟା ଚେନ୍‌ରେ ତ୍ରୁଟି ହେଲେ ତାହାକୁ କହନ୍ତି ‘ବିଟା ଥାଲାସିମିଆ’। ଥାଲାସିମିଆ ରୋଗଟି ବଂଶଗତ ଜିନ୍‌ ରୋଗ ହୋଇଥିବାରୁ ପରିବାରର ଏକାଧିକ ବ୍ୟକ୍ତି ଏହି ରୋଗଟିରେ ଆକ୍ରାନ୍ତ ହେବା ଆଦୌ ଅସ୍ବାଭାବିକ ନୁହେଁ।
ଜିନ୍‌ ଦୋଷଟି କାହାଠାରେ ଥାଏ: ଜିନ୍‌ ଦୋଷଟି ଥାଏ ପିତା କିମ୍ବା ମାତା ନ ହେଲେ ପିତା-ମାତା ଉଭୟଙ୍କଠାରେ। ପୁରୁଷଙ୍କ ଗୋଟିଏ ମାତ୍ର ଜିନ୍‌ରେ ଦୋଷ ଥିଲେ ସେ ଜିନ୍‌ର ବାହକ ବା ଥାଲାସିମିଆ ଟ୍ରେଟ୍‌। ସେହିପରି ମହିଳାମାନଙ୍କର ଗୋଟିଏ ମାତ୍ର ଜିନ୍‌ରେ ଦୋଷ ଥିଲେ ସେ ମଧ୍ୟ ଥାଲାସିମିଆ ଜିନ୍‌ର ବାହକ ସାଜିଥାଏ। ଥାଲାସିମିଆ ଟ୍ରେଟ୍‌ ପୁରୁଷ କି ଥାଲାସିମିଆ ଟ୍ରେଟ୍‌ ମହିଳା ଥାଲାସିମିଆ ରୋଗୀ ନୁହନ୍ତି।
ମାତ୍ର ସଂଯୋଗବଶତଃ ଥାଲାସିମିଆ ଟ୍ରେଟ୍‌ ପୁରୁଷ ଓ ଥାଲାସିମିଆ ଟ୍ରେଟ୍‌ ମହିଳାମାନଙ୍କ ମଧ୍ୟରେ ବିବାହ ହୋଇଗଲେ ସେମାନଙ୍କ ସନ୍ତାନମାନଙ୍କ ମଧ୍ୟରୁ କେହି କେହି ଥାଲାସିମିଆ ରୋଗରେ ଆକ୍ରାନ୍ତ ହୋଇପଡ଼ିବାର ଆଶଙ୍କା ଉପୁଜିଥାଏ। ପୁତ୍ର ସନ୍ତାନ ରୋଗ ଭୋଗିପାରେ, କନ୍ୟା ସନ୍ତାନ ମଧ୍ୟ ରୋଗ ଭୋଗିପାରେ। ଉକ୍ତ ଦମ୍ପତିଙ୍କଠାରୁ ସୁସ୍ଥ ସନ୍ତାନ ଜନ୍ମ ନେବା ମଧ୍ୟ ସମ୍ଭବ। ଯେଉଁ ସନ୍ତାନଟି ଦୁଇଟିଯାକ ଗ୍ଲୋବିନ୍‌ ଜିନ୍‌ର ଦୋଷ ଥାଏ, ସେହି ସନ୍ତାନଟି ହିଁ ଥାଲାସିମିଆ ରୋଗର ଶିକାର ହୋଇପଡ଼େ।
ପ୍ରକାରଭେଦ: ଥାଲାସିମିଆକୁ ସାଧାରଣତଃ ତିନି ଭାଗରେ ବିଭକ୍ତ କରାଯାଇଛି। ତାହା ହେଉଛି-ଥାଲାସିମିଆ ମେଜର, ଥାଲାସିମିଆ ମାଇନର ଏବଂ ଥାଲାସିମିଆ ଇଣ୍ଟରମେଡିଆ। ଥାଲାସିମିଆ ମେଜରକୁ ମଧ୍ୟ ‘ବିଟା ଥାଲାସିମିଆ’ ବୋଲି କହନ୍ତି। ଏହି ପ୍ରକାରଟି ସବୁଠାରୁ ବେଶି ସାଧାରଣ। ଏହି ପ୍ରକାରଟିରେ ଗ୍ଲୋବିନ୍‌ର ବିଟାଚେନ୍‌ ତିଆରି ବାଧାପ୍ରାପ୍ତ ହୋଇପଡ଼ିଥିବାରୁ ଜାତ ହୁଏ ଗୁରୁତର ଧରଣର ରକ୍ତହୀନତା ବା ଆନିମିଆ।
ଚିହ୍ନିବ କିପରି: ସାଧାରଣ ଭାବରେ ଦେଖିଲେ ଭୂମିଷ୍ଠ ହେବା ସମୟରେ ଶିଶୁଟି ଦେଖାଯାଏ ଶେତାଳିଆ। ପରେ ପରେ ଯକୃତ୍‌ ଓ ପ୍ଳୀହା ଆସ୍ତେ ଆସ୍ତେ ବଢ଼ିବାକୁ ଆରମ୍ଭ କରେ। ଯେଉଁ ରୋଗାକ୍ରାନ୍ତ ଶିଶୁମାନେ ବର୍ଷେ କି ଦୁଇ ବର୍ଷ ଭିତରେ ମୃତ୍ୟୁବରଣ ନ କରି ବଞ୍ଚତ୍ରହନ୍ତି, ସେମାନଙ୍କର ମୁଖମଣ୍ଡଳ ଗୋଲାକାର ଦେଖାଯାଏ। କପାଳ ଓ ମସ୍ତିିଷ୍କର ଦୁଇ ପାଖ ହାଡ଼ ଫୁଲିଯାଏ। ବଢ଼ିଯାଏ ହନୁ ହାଡ଼। ନାକ ଦେଖାଯାଏ ଚେପ୍‌ଟା ଓ ଆଖି ଫୁଲାଫୁଲା। ଥାଲାସିମିଆ ଶିଶୁ ସ୍ବାଭାବିକ ଭାବରେ ବିକାଶ ଲାଭ କରିପାରେନି। ତା’ଠାରେ ଅନିୟମିତ ଭାବରେ ଜ୍ୱର ହୁଏ। ଭୋକ ମରିଯାଏ। ପ୍ରକାଶ ପାଏ କାମଳ। ରୋଗୀ ଦୁର୍ବଳତା ଅନୁଭବ କରେ। ସହଜରେ ଧଇଁସଇଁ ହୋଇପଡ଼େ।
ରକ୍ତ ପରୀକ୍ଷାରୁ ରୋଗ ନିର୍ଣ୍ଣୟ: ଥାଲାସିମିଆ ରୋଗୀର କମିଯାଏ ହିମୋଗ୍ଲୋବିନ୍‌ର ମାତ୍ରା ଓ ଲୋହିତ ରକ୍ତକୋଷିକାଗୁଡ଼ିକର ସଂଖ୍ୟା। ଲୋହିତ ରକ୍ତକୋଷିକାଗୁଡ଼ିକ ଛୋଟଛୋଟ ହୋଇଯାଆନ୍ତି। ନର୍ମୋବ୍ଲାଷ୍ଟ ନାମକ ଅବିକଶିତ ଲୋହିତ ରକ୍ତକୋଷିକାଗୁଡ଼ିକର ସଂଖ୍ୟା ବଢ଼ିଯାଏ। ବଢ଼ିଯାଏ ‘ଫିଟାଲ ହିମୋଗ୍ଲୋବିନ୍‌’ ବା ‘ହିମୋଗ୍ଲୋବିନ୍‌-ଏଫ୍‌’ର ମାତ୍ରା। ଏଚ୍‌.ପି.ଏଲ୍‌.ସି. ନାମକ ଏକ ଅତ୍ୟାଧୁନିକ ପରୀକ୍ଷାରୁ ଥାଲାସିମିଆ ରୋଗକୁ ନିର୍ଦ୍ଦିଷ୍ଟ ଭାବରେ ନିର୍ଣ୍ଣୟ କରାଯାଇଥାଏ। ଆନୁଷଙ୍ଗିକ ପରୀକ୍ଷା ଭାବରେ କରାଯାଇପାରେ ଅସ୍ଥିମଜ୍ଜା ପରୀକ୍ଷା, ହାଡ଼ର ଏକ୍ସ-ରେ ଏବଂ ରକ୍ତରେ ଲୌହ ଓ ଫେରିଟିନ୍‌ର ମାତ୍ରା ନିର୍ଦ୍ଧାରଣ।
ଚିକିତ୍ସା
ରକ୍ତ ସଞ୍ଚାରଣ : ଥାଲାସିମିଆ ମେଜର ବା ବିଟା ଥାଲାସିମିଆ ରୋଗୀଙ୍କୁ ବାରମ୍ବାର ରକ୍ତ ଦେବାକୁ ପଡ଼େ। ବାରମ୍ବାର ରକ୍ତ ନେବା ଫଳରେ ରୋଗୀଙ୍କ ରକ୍ତରେ ଲୌହର ପରିମାଣ ବଢ଼ିଯାଇ ତାହା ଯକୃତ୍‌, ହୃତ୍‌ପିଣ୍ଡ, ଅଗ୍ନ୍ୟାଶୟ ଇତ୍ୟାଦି ଅଙ୍ଗରେ ଜମିଯାଏ। ଫଳରେ ବାହାରିପାରେ ହୃଦ୍‌ରୋଗ ଓ ଡାଇବେଟିସ୍‌ ଇତ୍ୟାଦି ରୋଗ। ରକ୍ତରେ ଲୌହର ପରିମାଣ ସନ୍ତୁଳିତ ରଖିବା ପାଇଁ ଏବେ ବିଭିନ୍ନ ପ୍ରକାର ଔଷଧ ବଜାରରେ ଉପଲବ୍ଧ।
ପ୍ଲୀହା ଉଚ୍ଛେଦନ: ପ୍ଳୀହାର ଆକାର ବେଶି ବଢ଼ିଗଲେ ଓ ବାରମ୍ବାର ରକ୍ତ ନେବା ଦରକାର ପଡୁଥିଲେ ରୋଗୀର ପ୍ଳୀହାଟିକୁ କାଟି ବାହାର କରିଦିଆଯାଇଥାଏ। ଏହାବ୍ୟତୀତ ଅସ୍ଥିମଜା ପ୍ରତିରୋପଣ ବା ଷ୍ଟେମ୍‌ ସେଲ୍‌ ପରିରୋପଣ ମଧ୍ୟ କରାଯାଇଥାଏ।
ନିବାରଣ : ଥାଲାସିମିଆ ଏକ ବଂଶଗତ ରୋଗ ହୋଇଥିଲେ ମଧ୍ୟ ଏହାର ନିବାରଣ ସମ୍ଭବ। ପତି ଓ ପତ୍ନୀ ଉଭୟ ଥାଲାସିମିଆ ଟ୍ରିଟ୍‌ ହୋଇଥିଲେ ଏବଂ ପତ୍ନୀ ଗର୍ଭବତୀ ହେଲେ ଗର୍ଭ ହେବାର ଅଢ଼େଇରୁ ତିନି ମାସ ଭିତରେ ଗର୍ଭସ୍ଥ ଭ୍ରୂଣଠାରୁ ରକ୍ତ ସଂଗ୍ରହ କରି କିମ୍ବା ଗର୍ଭାଶୟରୁ ସଂଗୃହୀତ ଜଳରୁ ଜୀବକୋଷ ସଂଗ୍ରହ କରି ତାହାର ଜିନ୍‌ ପରୀକ୍ଷା କରାଯାଇଥାଏ। ବଡ଼ ସୌଭାଗ୍ୟର କଥା ଯେ ଥାଲାସିମିଆ ରୋଗୀଙ୍କ ଚିକିତ୍ସା ପାଇଁ ବିଭିନ୍ନ ରକ୍ତ ଭଣ୍ଡାରରେ ସ୍ବତନ୍ତ୍ର ବ୍ୟବସ୍ଥାମାନ ଉବଲବ୍ଧ।
ତେବେ ଥାଲାସିମିଆ ରୋଗଟି ସମ୍ବନ୍ଧରେ ଜନସଚେତନତା ବୃଦ୍ଧିର ଆବଶ୍ୟକତା ରହିଛି। ଏ ସଂକ୍ରାନ୍ତ ତଥ୍ୟର ସଂଚାରଣ ମଧ୍ୟ ବାଞ୍ଛନୀୟ। ଏହି ରୋଗ ସଂକ୍ରାନ୍ତ ସ୍ବାସ୍ଥ୍ୟ ଶିକ୍ଷା ରୋଗର ନିବାରଣ ଏବଂ ଚିକିତ୍ସାରେ ଯେ ଯଥେଷ୍ଟ ସହାୟକ ହୋଇପାରିବ ଏହା ନିଃସନ୍ଦେହ।

ଡ. ନିତ୍ୟାନନ୍ଦ ସ୍ବାଇଁ
-‘ଅଭୀପ୍‌ସା’, ସେକ୍ଟର-୬,
ପ୍ଲଟ ନଂ-୧୧୩୧, ସିଡିଏ, କଟକ-୧୪
ମୋ: ୮୩୨୮୯୭୫୧୧୮


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା: ଏଣିକି ୩ୟ ସନ୍ତାନ ହେଲେ ମିଳିବ ୩୦ ହଜାର, ୪ର୍ଥରେ ୪୦ ହଜାର ଟଙ୍କା

ଅମରାବତି,୧୬।୫: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଉଥିବା ଜନସଂଖ୍ୟାକୁ ରୋକିବା ପାଇଁ ସରକାର…

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

କାନାଡାକୁ ବଡ଼ ଝଟ୍‌କା: ମିଳିବନାହିଁ ଆଇସିସି ପାଣ୍ଠି

ଦୁବାଇ,୧୬ା୫: ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି) ଆସନ୍ତା ୬ ମାସ ପାଇଁ କ୍ରିକେଟ କାନାଡା(ସିସି)କୁ ପରିଚାଳନାଗତ ତ୍ରୁଟି କାରଣରୁ ପାଣ୍ଠି ଯୋଗାଇବ ନାହିଁ। ଏହା କାନାଡା ଭଳି ଆସୋସିଏଟ୍‌…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ଆଲେନ-ରଘୁବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ଗୁଜରାଟ ଆଗରେ ୨୪୮ ରନର ବିଶାଳ ଟାର୍ଗେଟ

କୋଲକାତା,୧୬ା୫: ଚଳିତ ଆଇପିଏଲ୍‌ରେ ଶନିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ଗୁଜରାଟ ଟାଇଟନ୍ସ (ଜିଟି) ପରସ୍ପରକୁ ଭେଟିଛନ୍ତି। ଏହି କର ବା…

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଚତୁର୍ଥ ସନ୍ତାନ ପାଇଁ ୪୦ ହଜାର

ବିଜୟଓ୍ବାଡ଼ା,୧୬ା୫: ଆନ୍ଧ୍ରପ୍ରଦେଶରେ ତୃତୀୟ ସନ୍ତାନ ଜନ୍ମ ପାଇଁ ୩୦ ହଜାର ଟଙ୍କା ଆର୍ଥତ୍କ ପ୍ରୋତ୍ସାହନ ମିଳିବାକୁ ଥିବାବେଳେ ଚତୁର୍ଥ ସନ୍ତାନ ଜନ୍ମ ହେଲେ ୪୦ ହଜାର ଟଙ୍କା…

ସୁନା ପରେ ଏବେ ରୁପା! ସରକାର ଲଗାଇଲେ ବଡ଼ କଟକଣା, ଏଣିକି ଆଉ…

ନୂଆଦିଲ୍ଲୀ,୧୬।୫: ରୁପା ଆମଦାନୀକୁ ନେଇ କେନ୍ଦ୍ର ସରକାର ଲଗାଇଛନ୍ତି କଟକଣା। ସରକାର ଏହାର ଅନେକ ଶ୍ରେଣୀ କୁ ମୁକ୍ତ ତାଲିକା (Free List)ରୁ ହଟାଇ ପ୍ରତିବନ୍ଧିତ ତାଲିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri