ମାଗଣାର ଭୟଙ୍କର ପରିଣତି

ନୋବେଲ ପୁରସ୍କାରପ୍ରାପ୍ତ ପ୍ରଖ୍ୟାତ ଆମେରିକୀୟ ଲେଖକ ଜନ୍‌ ଷ୍ଟେନ୍‌ବେକ୍‌ କହୁଥିଲେ, ”ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ମାତ୍ରାଧିକ କ୍ଷମତାଲୋଭ ହିଁ ଭ୍ରଷ୍ଟ ବ୍ୟବସ୍ଥାର ଜନକ।“ ଭ୍ରଷ୍ଟ ବ୍ୟବସ୍ଥା ମଧ୍ୟରେ ‘ମାଗଣା’ ବ୍ୟବସ୍ଥା ହେଉଛି ଅତୀବ ସାଙ୍ଘାତିକ। ମାଗଣା ବ୍ୟବସ୍ଥା ହେଉଛି ପଶୁବୁଦ୍ଧିର ପରିଣାମ। ଅର୍ଥାତ୍‌ ଏକପ୍ରକାର ଅତ୍ୟାଚାର। ୨୦୨୨ ଜୁଲାଇରେ ବରିଷ୍ଠ ଅଧିବକ୍ତା ଅଶ୍ୱିନୀ ଉପାଧ୍ୟାୟଙ୍କ ଏକ ଯାଚିକା ଉପରେ ବିଚାରକରି ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ, ”ଲାଞ୍ଚ ଦେବାନେବା ଯେମିତି ଏକ ଅପରାଧ, ଠିକ୍‌ ସେମିତି ରାଜନୈତିକ ଦଳଗୁଡ଼ିକ ଦ୍ୱାରା ମାଗଣା ବଣ୍ଟନ, ପ୍ରତିଶ୍ରୁତି ପୂର୍ବକ ଭୋଟ ହାତେଇବା ଏକ ପ୍ରକାର ଲାଞ୍ଚ ପ୍ରକ୍ରିୟା, ଯାହାକି ଜନ ପ୍ରତିନିଧି ଆଇନର ବିରୁଦ୍ଧାଚରଣ କରୁଛି। ଏଣୁ ତାହା ଅପରାଧ ପର୍ଯ୍ୟାୟଭୁକ୍ତ।“ ଏହା କିଭଳି ରୋକାଯାଇପାରିବ ସେ ସମ୍ବନ୍ଧେ ସମୁଚିତ ଉପାୟ ବାହାରକରି ନ୍ୟାୟାଳୟକୁ ଅବଗତ କରାଇବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଥିଲେ। କୁହାଯାଏ, ଯଦି ଗୋଟେ ଜାତିକୁ ବିନଷ୍ଟ କରିବାର ଇଚ୍ଛା, ତେବେ ଏପରି ବ୍ୟବସ୍ଥା ଖଞ୍ଜିଦିଅ ଯେମିତି କି ସେ ତା’ର ଶକ୍ତି, ସାମର୍ଥ୍ୟ ସବୁ ଭୁଲିଯିବ ଏବଂ ସ୍ବାଭିମାନଶୂନ୍ୟ ହୋଇ ସତ୍ୟାନାଶକୁ ଅନାଇ ରହିଥିବ। ମରଣମୁହାଁ ଯୋଜନା ମଧ୍ୟରେ ‘ମାଗଣା’ ସେଭଳି ଏକ ଭୟଙ୍କର ବରବାଦୀ ବ୍ୟବସ୍ଥା।
ମନେପଡ଼େ ପିଲାବେଳର ବନିଶୀରେ ମାଛ ଧରିବା କଥା। ସାମାନ୍ୟ ଟିକେ ଆହାର ଲୋଭ ଦେଖାଇ ଶିକାର କରିଥାଉ ମାଛଟିକୁ। ନିଜର ନିରୀହପଣରେ ମାଛଟି ଜାଣିପାରେନା କାଣିଚାଏ କରୁଣା ବିନିମୟର କୁପରିଣତିକୁ। ‘ମାଗଣା’ର ମୋହ ଏମିତି ଏକ ରୋଗ ଯେ ଥରେ ଯଦି ଗ୍ରାସକଲା, ତେବେ ସେଥିରୁ ମୁକୁଳିବା ଖୁବ୍‌ କଷ୍ଟସାଧ୍ୟ। ଦେଶ ଓ ଜାତିକୁ ସେଥିପାଇଁ ଅନେକ ମୂଲ୍ୟ ଦେବାକୁ ପଡ଼େ। ମେଣ୍ଢାଲୋମରେ ମେଣ୍ଢାଙ୍କ ପାଇଁ କମ୍ବଳ ତିଆରିକରି ବାଣ୍ଟିବାରେ ନେତାମାନେ ଖୁବ୍‌ ଓସ୍ତାଦ। ଏକଦା ଜଣେ ନେତା ମେଣ୍ଢାପଲଙ୍କୁ ଦୃଢ଼ ପ୍ରତିଶ୍ରୁତି ଦେଲେ ଯେ, ମୁଁ ଏଥର ଜିତିଲେ ପ୍ରତି ମେଣ୍ଢାକୁ ଗୋଟେ ଗୋଟେ କମ୍ବଳ ବାଣ୍ଟିବି। ସବୁ ମେଣ୍ଢା ଖୁସିରେ ଗଦଗଦ ହୋଇଗଲେ। ନେତା ଜଣକ ସେଠାରୁ ଚାଲିଗଲା ପରେ ମେଷ ଶାବକଟିଏ ଅବୁଝା ଦୃଷ୍ଟିରେ ତା’ ମାଆକୁ ପଚାରିଲା – ସବୁ ମେଣ୍ଢା ଆଜି ଖୁସି କାହିଁକି? କମ୍ବଳ କଥା ଶୁଣିଲା ପରେ ପୁଣି ପଚାରିଲା – ଆମ ପାଇଁ ଏତେ ସଂଖ୍ୟାରେ ଯେଉଁ କମ୍ବଳ ବ୍ୟବସ୍ଥା ହେବ, ସେଥିପାଇଁ ଲୋମ କେଉଁଠୁ ଆଣିବେ ସେ? ଆମ ଦେହରୁ କାଟିନେଇ ବା ଆମ ଚମଡ଼ା ଉତାରିନେଇ କମ୍ବଳ ତିଆରି କରିବେ ନାହିଁ ତ? ବେକାରି ଭତ୍ତା, ଗରିବ ଭତ୍ତା, ଚାଷୀ ଭତ୍ତା, ମହିଳା ଭତ୍ତା, ମାଗଣା ବିଜୁଳି, ଶସ୍ତା ବା ମାଗଣା ଗ୍ୟାସ୍‌ ଆଦି ବ୍ୟବସ୍ଥାରେ ପ୍ରଲୁବ୍ଧ ହେଉଥିବା ଆମେମାନେ କେବେ ପଚାରିଛୁ କି, ଏତେ ସବୁ ବ୍ୟବସ୍ଥା ତୁଲାଇବାକୁ ପଇସା ଆସିବ କେଉଁଠୁ? ମାଗଣାର ପୃଷ୍ଠପୋଷକମାନେ ତାଙ୍କ ଜମିବାଡ଼ି, ସ୍ଥାବର/ଅସ୍ଥାବର ସମ୍ପତ୍ତି ବିକି ଭରଣା କରିବେ କି? ଗୋଟିଏ ପରିବାରର ଜଣେ ବ୍ୟକ୍ତି ଯଦି କିଛି କାମ ନ କରି ବସି ଖାଏ, ତେବେ ପରିବାର ଚଳେଇବା ପାଇଁ ଆର ଜଣଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ତାକୁ ଅନେକ କଷ୍ଟ ଓ ତ୍ୟାଗ ସ୍ବୀକାର କରିବାକୁ ହେବ। ଠିକ୍‌ ସେମିତି ଦେଶର ଗୋଟେ ବର୍ଗ ଯଦି ବସି ଖାଇଲେ ବା ମାଗଣା ପାଇଲେ, ତାକୁ ଭରଣ କରିବାକୁ ଅନ୍ୟ ବର୍ଗଙ୍କୁ ଅଧିକ ଯାତନା ସହିବାକୁ ପଡ଼ିବ, ଅଧିକରୁ ଅଧିକ କର ଦେବାକୁ ପଡ଼ିବ।
ଏକଦା ହିଟ୍‌ଲର ଗୋଟେ କୁକୁଡ଼ାକୁ ସଂସଦ ଭିତରକୁ ସାଥିରେ ନେଇ ଆସିଲେ। ଆଶ୍ଚର୍ଯ୍ୟ ହୋଇ ସମସ୍ତେ ଦେଖୁଥାନ୍ତି ଓ ମନେ ମନେ ଭାବୁଥାନ୍ତି ଏହାର ରହସ୍ୟ କ’ଣ ହୋଇପାରେ। ଏହି ସମୟରେ କୁକୁଡ଼ା ପରଗୁଡ଼ିକୁ ସେ ଉପାଡ଼ିବାକୁ ଲାଗିଲେ, ଗୋଟେ ପରେ ଗୋଟେ। ସବୁ ପର ଉପାଡ଼ି ସାରି ତାକୁ ତଳେ ଛାଡ଼ିଦେଲେ । ତା’ପରେ ଦାନା ଦୁଇଟା ଦେଲେ ଖାଇବାକୁ। କୁକୁଡ଼ା ଦାନା ଖାଇ ଖାଇ ହିଟ୍‌ଲରଙ୍କ ଗୋଡ଼ ପାଖକୁ ଚାଲି ଆସିଲା। ହିଟ୍‌ଲର ଯୁଆଡ଼େ ଚାଲିଲେ, ଯନ୍ତ୍ରଣାକୁ ପାସୋରିପକେଇ ସାମାନ୍ୟ ଦାନା ଲୋଭରେ କୁକୁଡ଼ା ବି ତାଙ୍କ ପଛେ ପଛେ ଚାଲିଲା। ସେଇଠୁ ବାଚସ୍ପତିଙ୍କ ମୁହଁକୁ ଅନେଇ ହିଟ୍‌ଲର କହିଲେ, ”ଗଣତନ୍ତ୍ର ବ୍ୟବସ୍ଥାରେ ନେତାମାନେ ୫ବର୍ଷ ଜନତାଙ୍କୁ ଠିକ୍‌ ଏମିତି ଲୁଟିବେ ଏବଂ ନିର୍ବାଚନ ସମୟ ଆସିଲେ ତାଙ୍କ ଉପରକୁ ଏହିଭଳି କିଛି ଦାନା ଫୋପାଡ଼ିବେ। ସେଇ ଦାନା ଦିଇଟା ପାଇ ଜନତା ଖୁସ। ତା’ପରେ ଏହି କୁକୁଡ଼ା ପରି ସେମାନେ ଚାଲୁଥିବେ ନେତାଙ୍କ ଗୁଣ ଗାଇ ଗାଇ। ଅର୍ଥାତ୍‌ ଶୋଷକ ସାଜୁଥିବା ସେହି ନେତାମାନେ ତାଙ୍କର ଯାବତୀୟ ଯନ୍ତ୍ରଣାର କାରଣ ଜାଣି ମଧ୍ୟ ନେତାଙ୍କ ଗୋଲାମ ହେବାକୁ ଗୌରବ ମଣିବେ ଜନତା।“
ଯେତେ ପ୍ରାଚୁର୍ଯ୍ୟ ଭରି ରହିଥିଲେ ବି ମାଗଣା ପ୍ରତି ମୋହାବିଷ୍ଟ ହେଲେ, ଦୁର୍ଦ୍ଦିନ ଓ ଦୁର୍ଭାଗ୍ୟ ଘୋଟି ଆସିବ ଭୂମିର ଭାଗ୍ୟାକାଶରେ, ଠିକ୍‌ ଭେନେଜୁଆଲା ପରି। ସୁନାଖଣି, ତୈଳଖଣିରେ ସମୃଦ୍ଧ ଥିବା ଦକ୍ଷିଣ ଆମେରିକାର ସବୁଠୁ ବିତ୍ତଶାଳୀ ଭୂମି ଥିଲା ଭେନେଜୁଆଲା। ଶହ ଶହ ମାଇଲ ବ୍ୟାପୀ ପରିବ୍ୟାପ୍ତ ଥିଲା ତୈଳ ଭଣ୍ଡାରମାନ, ତା’ସାଙ୍ଗକୁ ଅନେକ ସୁନାଖଣି। ବିଶ୍ୱର ସର୍ବାଧିକ ତୈଳ ଭଣ୍ଡାରର ଦେଶ, ସେଦିନର ସମୃଦ୍ଧ ଭୂମିଟି ଆଜି ଏକ କାଙ୍ଗାଳ ଦେଶରେ ପରିଣତ। କର୍ମଠ ଜାତିଟି ମାଗଣା ବ୍ୟବସ୍ଥାରେ ମୋହାବିଷ୍ଟ ହୋଇ ଏକ କର୍ମକୁଢ଼ ଜାତିରେ ପରିଣତ ହୋଇଗଲା ଅଚିରେ। ଓ୍ବାଲର୍‌ଡ ଇକୋନୋମିକ୍‌ ଫୋରମ୍‌ର ତଥ୍ୟାନୁଯାୟୀ ମାଗଣା ବ୍ୟବସ୍ଥାର ଘାତକ ପରିଣତିରେ ଅନୂ୍ୟନ ୯୪ ଭାଗ ବ୍ୟକ୍ତି ଦାରିଦ୍ର୍ୟଜନିତ ଯନ୍ତ୍ରଣାରେ ନିଷ୍ପେଷିତ ଆଜି। ଆଫ୍ରିକୀୟ ଦେଶ ସୋମାଲିଆ ବିଶ୍ୱର ଅନ୍ୟ ଏକ ପ୍ରମୁଖ ଅପରାଧ ଓ ଅରାଜକତାର ଦେଶ ଭାବେ ପରିଗଣିତ।

  • ଉପେନ୍ଦ୍ର ବିଶ୍ୱାଳ
    ଗୋଡ଼ିଶୁଳ, ନୀଳଗିରି, ବାଲେଶ୍ୱର
    ମୋ:୯୪୩୭୪୩୬୦୭୩

Enter your email to get our daily news in your inbox.

All Right Reserved By Dharitri.Com

ଜଳ ନୋବେଲ ବିଜେତା

ବର୍ତ୍ତମାନର ଭୂରାଜନୈତିକ ଓ ଅର୍ଥନୈତିକ ସ୍ଥିତି ଇରାନ୍‌ ଓ ଆମେରିକା-ଇସ୍ରାଏଲ ଯୁଦ୍ଧ ଯୋଗୁ ଘୋର ପ୍ରଭାବିତ। ଏହାକୁ ନେଇ ପୃଥିବୀ ସନ୍ତ୍ରସ୍ତ। ଏଭଳି ସ୍ଥଳେ ୨୨ ମାର୍ଚ୍ଚରେ…

ପ୍ରକୃତ ଖଳନାୟକ

ଚାହେଁ ଇରାନ ବିଜୟୀ ହେଉ। ବିଜୟର ଅର୍ଥକୁ ଇରାନ ଏହିପରି ପରିଭାଷିତ କରେ: ଇରାନ ଉପରେ ଅନେକ ଦଶନ୍ଧି ଧରି ଆମେରିକା ଲାଗୁକରିଥିବା କଟକଣାକୁ ହଟାଇବା ଦରକାର;…

ପରୀକ୍ଷା ଋତୁ ଓ କୁତୁକୁତୁ

ମଣିଷ ଜୀବନଟା ଗୋଟେ ପରୀକ୍ଷା। ସେ ପରୀକ୍ଷାରେ କିଏ ବହୁତ ପଢିଲା ପରେ ବାରମ୍ବାର ଫେଲ୍‌ ହେଉଥାଏ ତ ଆଉ କିଏ ଆଦୌ ନ ପଢି କପିକୁପା…

ଆକାଶ ଛାତ

ଘର ତିଆରି କରିବାବେଳେ ଆମେ ଖରା, ବର୍ଷା, ଶୀତ ଓ ଅନ୍ୟାନ୍ୟ ଆପଦ ବିପଦରୁ ରକ୍ଷା ପାଇବା ପାଇଁ ଛାତଟିଏ ନିର୍ମାଣ କରୁ। ଘର ପାଇଁ ଛାତ…

ପ୍ରସ୍ତାବ ପ୍ରତ୍ୟାହାର

ବେଳେବେଳେ ସରକାରୀ ନୀତିର ରହସ୍ୟମୟ ତଥା ବାଧାସୃଷ୍ଟିକାରୀ ନିଷ୍ପତ୍ତି ସମ୍ପର୍କିତ ଖବର ଦେଖିବାକୁ ମିଳେ। ତିନି ମାସ ମଧ୍ୟରେ ଭାରତର ସଂଶୋଧିତ ଭୂମିକମ୍ପ ଅଞ୍ଚଳ ନିର୍ଦ୍ଧାରଣ ବ୍ୟବସ୍ଥା…

ସରଳ ଓ ଜଟିଳତାର ଭାଗମାପ

ସାଧାରଣତଃ ଆମେ ଲୋକଙ୍କଠାରୁ ଏପରି ଶୁଣିବାକୁ ପାଉ ଯଥା ”ଆମ ସାଇର ରାମବାବୁ ଖୁବ୍‌ ସରଳ, ସିଧାସାଦା ଲୋକ। ତାଙ୍କ ପୁଅ ରମେଶ ମଧ୍ୟ ଠିକ୍‌ ତାଙ୍କ…

ବିଷ ବଳୟର ଧାରା

ବ୍ରିଟିଶ ଜୀବବିଜ୍ଞାନୀ ତଥା ରିଭର ମନଷ୍ଟର୍ସ ଉପସ୍ଥାପକ ଜେରେମି ୱେଡ୍‌ ରହସ୍ୟମୟ ମିଠାପାଣି ପ୍ରାଣୀଙ୍କୁ ଖୋଜିବାରେ ପ୍ରସିଦ୍ଧ। ତାଙ୍କର ଯାତ୍ରା କେବଳ ମାଛ ଧରିବା ନୁହେଁ, ପ୍ରକୃତି…

ସମ୍ଭାବ୍ୟ ଖାଦ୍ୟ ସଙ୍କଟ

ଇରାନ୍‌ ବିରୋଧରେ ଆମେରିକା-ଇସ୍ରାଏଲ୍‌ ଯୁଦ୍ଧ ଆରମ୍ଭ କରିବା ପରଠାରୁ ହର୍ମୁଜ ଷ୍ଟ୍ରେଟ୍‌ରେ ସଙ୍କଟ ଦେଖାଯାଇଛି। ସେହି ସମୁଦ୍ର ପଥ ଦେଇ ପ୍ରତିଦିନ ପାଖାପାଖି ୧୦୦ ଜାହାଜ ଯାଉଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri