ଟେକ୍ନୋ ଚିନ୍ତକ

ଉଚ୍ଚଶିକ୍ଷା ଲାଭ କରିବା ପରେ ଭାରତୀୟ ଯୁବପିଢ଼ିଙ୍କ ମଧ୍ୟରୁ ଅଧିକାଂଶ ଚାକିରି ପଛରେ ଗୋଡ଼ାଇଥାଆନ୍ତି। କିନ୍ତୁ ଏମିତି କେତେକେ ଅଛନ୍ତି, ଯେଉଁମାନେ ଔଦ୍ୟୋଗିକ ବିକାଶ ଦିଗରେ ନିଜକୁ ନିୟୋଜିତ କରନ୍ତି। ନିଜେ ଉଦ୍ୟୋଗୀ ହୋଇ ଅନ୍ୟମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଥିବାରୁ ସେମାନେ ଆଦର୍ଶ ପାଲଟିଥାଆନ୍ତି। ଯୁବାବସ୍ଥାରୁ ଏଭଳିି ଲକ୍ଷ୍ୟ ରଖି ଆଗକୁ ବଢ଼ିଥିବା ବ୍ୟକ୍ତି ସେଲିବ୍ରିଟି ସ୍ତରକୁ ଯିବା ଦେଖାଯାଇଛି। ସଦ୍ୟ ଉଦାହରଣ ଦେଖିଲେ ଟେକ୍ନୋ ଉଦ୍ୟୋଗୀ ସେନାପଥି ଗୋପାଲକ୍ରିଷ୍ଣନ୍‌ଙ୍କ ନାମ ଚର୍ଚ୍ଚାକୁ ଆସିଛି। କ୍ରିସ୍‌ ଗୋପାଲକ୍ରିଷ୍ଣନ୍‌ ନାମରେ ପରିଚିତ ଏହି ବ୍ୟକ୍ତି ଜୀବନର ପ୍ରତି ପଦକ୍ଷେପରେ ନୂଆ ପିଢ଼ି ପାଇଁ ଅଭିନବତ୍ୱ ଆଣିବାରେ ପ୍ରୟାସ କରିଆସିଛନ୍ତି। ସମ୍ଭବତଃ ତାଙ୍କ କାର୍ଯ୍ୟକୁ ନିରେଖିଲା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) କ୍ରିସ୍‌ଙ୍କୁ ରିଜର୍ଭ ବ୍ୟାଙ୍କ ଇନୋଭେଶନ ହବ୍‌ର ଅଧ୍ୟକ୍ଷ ନିଯୁକ୍ତ କରିଛି। ଉଲ୍ଲେଖଯୋଗ୍ୟ ଯେ, ଆର୍ଥିକ ଜଗତରେ ଅଭିନବ ପ୍ରଯୁକ୍ତିର ବ୍ୟବହାର ବୃଦ୍ଧି କରିବା ଦିଗରେ ଏହି ହବ୍‌ କାର୍ଯ୍ୟ କରିବ। ଏଥିପାଇଁ ଦକ୍ଷ ବ୍ୟାଙ୍କିଙ୍ଗ୍‌ ସେବା, ଗଭୀର ଆର୍ଥିକ ଅନ୍ତର୍ଭୁକ୍ତୀକରଣ, ଖାଉଟି ସୁରକ୍ଷାକୁ ସୁଦୃଢ଼ କରିବା, ଜରୁରୀ ସମୟରେ ବ୍ୟବସାୟ ଜାରି ରଖିବା ଭଳି ଅନ୍ୟାନ୍ୟ ଅଭିନବ ଚିନ୍ତାଧାରା ସୃଷ୍ଟି କରିବାରେ ହବ୍‌ ଗୁରୁତ୍ୱ ବହନ କରିବ।
କ୍ରିସ୍‌ କେରଳର ଥିରୁଭାନନ୍ଥପୁରମ୍‌ରେ ୫ ଏପ୍ରିଲ ୧୯୫୫ରେ ଜନ୍ମଗ୍ରହଣ କରିଥିଲେ। ସେଠାକାର ସରକାରୀ ଆଦର୍ଶ ବାଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ସେ ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ। ପରେ ସେ ଆଇଆଇଟି ମାଡ୍ରାସରୁ ୧୯୭୭ରେ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ଏବଂ ସେହିଠାରୁ ୧୯୭୯ରେ କମ୍ପ୍ୟୁଟର ସାଇନ୍ସରେ ଏମ୍‌ଟେକ୍‌ କରିଥିଲେ। ପଢ଼ା ଶେଷ ହେଉଣୁ ସେହିବର୍ଷ ମୁମ୍ବାଇର ପାଟ୍‌ନୀ କମ୍ପ୍ୟୁଟର ସିଷ୍ଟମ୍‌ରେ ସେ ସଫ୍ଟଓ୍ବେର ଇଞ୍ଜିନିୟର ଭାବେ ଯୋଗ ଦେଇଥିଲେ। ସଫ୍ଟଓ୍ବେର କ୍ଷେତ୍ରରେ ଦକ୍ଷତା ପ୍ରଦର୍ଶନ କରିବା ପରେ ୧୯୮୧ରେ ସେ ଅନ୍ୟ ୬ ଉଦ୍ୟୋଗୀଙ୍କ ସହ ମିଶି ଇନ୍‌ଫୋସିସ୍‌ ପ୍ରତିଷ୍ଠା କରିଥିଲେ। ସେତେବେଳର ପ୍ରାରମ୍ଭିକ ସମୟରେ କ୍ରିସ୍‌ ଆମେରିକାର ଉପଭୋକ୍ତା ଉତ୍ପାଦ ଶିଳ୍ପର ଗ୍ରାହକଙ୍କୁ ସୂଚନା ବ୍ୟବସ୍ଥାରେ ସହଯୋଗ କରିବା ଲାଗି କାର୍ଯ୍ୟ କରିଥିଲେ। ସୂଚନା ପହଞ୍ଚାଇବା ପାଇଁ ଆବଶ୍ୟକ ଡିଜାଇନ୍‌, ତା’ର ବିକାଶ ଓ କାର୍ଯ୍ୟକାରିତା ଦିଗକୁ ଦେଖୁଥିଲେ। ୧୯୮୭ରୁ ୧୯୯୪ ଯାଏ ସେ ଇନ୍‌ଫୋସିସ୍‌ ଓ ଜର୍ଜିଆର ଆଟଲାଣ୍ଟାସ୍ଥିତ କେଏସ୍‌ଏ ଯୌଥ ଉଦ୍ୟୋଗର ବୈଷୟିକ ବିଭାଗ ମୁଖ୍ୟ ହୋଇଥିଲେ। ୨୦୦୭ରେ ନନ୍ଦନ ନିଲେକାନୀଙ୍କଠାରୁ କ୍ରିସ୍‌ ଇନ୍‌ଫୋସିସ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ତଥା ପରିଚାଳନା ନିର୍ଦ୍ଦେଶକ ପଦବୀ ଦାୟିତ୍ୱ ଗ୍ରହଣ କରିଥିଲେ। ୪ ବର୍ଷର କାର୍ଯ୍ୟକାଳ ମଧ୍ୟରେ ସେ ଇନ୍‌ଫୋସିସ୍‌ର ଆୟ ଦ୍ୱିଗୁଣିତ କରି ୬ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚାଇ ଦେଇଥିଲେ। ୨୦୧୧ରେ ସେ ତାଙ୍କ ଦାୟିତ୍ୱ ଇନ୍‌ଫୋସିସ୍‌ର ଅନ୍ୟତମ ସହ-ପ୍ରତିଷ୍ଠାତା ଏସ୍‌. ଡି. ଶିବୁଲାଲଙ୍କୁ ଅର୍ପଣ କରିଥିଲେ। ଏହା ପରେ କ୍ରିସ୍‌ ଇନ୍‌ଫୋସିସ୍‌ ବୋର୍ଡର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ହୋଇଥିଲେ। ତେବେ ୨୦୧୪ରେ ସେ ଯୁବ ଉଦ୍ୟୋଗୀଙ୍କ ସକାଶେ ଆକ୍ସିଲର ଭେଞ୍ଚର ନାମରେ ଭେଞ୍ଚର କ୍ୟାପିଟାଲ ମଞ୍ଚ ସୃଷ୍ଟି କରିଥିଲେ। ଔଦ୍ୟୋଗିକ ବିକାଶ ଦିଗରେ ନିରନ୍ତର ପ୍ରଚେଷ୍ଟା ତାଙ୍କୁ ବାଙ୍ଗାଲୋରର ନ୍ୟାଶନାଲ ଲ’ ସ୍କୁଲ ଅଫ୍‌ ଇଣ୍ଡିଆ ୟୁନିଭର୍ସିଟିର କନ୍‌ସିଲିଏନ୍ସ-୨୦୧୩ରେ ମୁଖ୍ୟ ବକ୍ତା ହେବାର ସୁଯୋଗ ଦେଇଥିଲା। ଉଲ୍ଲେଖ କରାଯାଇପାରେ ଯେ, ଛାତ୍ରୀଛାତ୍ରଙ୍କ ବାସ୍ତବ ବୃତ୍ତିଗତ ଜୀବନକୁ ରୁଦ୍ଧିମନ୍ତ କରିବା ନିମନ୍ତେ ଯେଉଁ ପ୍ରେରଣାଦାୟୀ ବକ୍ତବ୍ୟର ଆବଶ୍ୟକତା ରହିଥାଏ ସେହି ଦିଗରେ ସେ ମାର୍ଗଦର୍ଶକ ପାଲଟିପାରିଥିଲେ। କର୍ନାଟକ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ବୋର୍ଡ ଫର୍‌ ଇନ୍‌ଫର୍ମେଶନ ଟେକ୍ନୋଲୋଜି ଏଜୁକେଶନ ଷ୍ଟାଣ୍ଡାର୍ଡର ଉପାଧ୍ୟକ୍ଷ ରହିବା ସହ ଇଣ୍ଟରନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇନ୍‌ଫର୍ମେଶନ ଟେକ୍‌ନୋଲୋଜି, ବାଙ୍ଗାଲୋରର ଅଧ୍ୟକ୍ଷ ଅଛନ୍ତି। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପଦବୀକୁ ଦେଖିବସିଲେ ୨୦୧୨ରେ କ୍ରିସ୍‌ ପୁନର୍ଗଠିତ ଜାତିସଂଘର ଗ୍ଲୋବାଲ କମ୍ପାକ୍ଟ ବୋର୍ଡର ସଦସ୍ୟ ଭାବେ ୩ ବର୍ଷ ନିଯୁକ୍ତ ହୋଇଥିଲେ। ଏଥିସହିତ ୫ ଏପ୍ରିଲ ୨୦୧୩ରେ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ସଭାପତି ମଧ୍ୟ ଥିଲେ।
କ୍ରିସ୍‌ ଗୋପାଲକ୍ରିଷ୍ଣନ୍‌ଙ୍କ କାର୍ଯ୍ୟ କେବଳ ବୃତ୍ତିଗତ ଜୀବନ ଓ ମାର୍ଗଦର୍ଶନରେ ସୀମିତ ରହିନାହିଁ। ତାଙ୍କ ବ୍ୟକ୍ତିତ୍ୱ ପୂର୍ବରୁ ‘ବଦାନ୍ୟ’ ଭଳି ବିଶେଷଣ ଲଗାଯାଇପାରିବ। ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ(ଆଇଆଇଏସ୍‌ସି)ର ମସ୍ତିଷ୍କ ଗବେଷଣା କେନ୍ଦ୍ର ସକାଶେ ସେ ବ୍ୟକ୍ତିଗତ ଭାବେ ୨୨୫ କୋଟି ଟଙ୍କା ଦାନ କରିଛନ୍ତି। ୧୦୫ ବର୍ଷର ଏହି ସଂସ୍ଥାକୁ ଏକାକୀ ଦାନ କରିଥିବା ପରିମାଣ ସର୍ବାଧିକ ରହିଥିବା ରେକର୍ଡରୁ ଜଣାପଡ଼ିଛି। ଏଥିସହିତ ସେ ଆଇଆଇଏସ୍‌ସିରେ ନ୍ୟୁରୋକମ୍ପ୍ୟୁଟିଂ ଏବଂ ଆଇଆଇଟି ମାଡ୍ରାସ ପାଇଁ ଡାଟା ସାଇନ୍ସରେ ଭିଜିଟିଂ ଚେୟାର ସ୍ଥାପନ କରିବା ନିମନ୍ତେ ଅତିରିକ୍ତ ୬୦ କୋଟି ଟଙ୍କା ଦାନ କରିଛନ୍ତି। ଟେକ୍ନୋଲୋଜି ଦୁନିଆର ବିକାଶ ଓ ନୂତନ ଚିନ୍ତା ପ୍ରସୂତ କରିବାରେ କ୍ରିସ୍‌ଙ୍କ ଅବଦାନ ଲାଗି ତାଙ୍କୁ ବହୁ ଅନୁଷ୍ଠାନ ପକ୍ଷରୁ ସମ୍ମାନ ମିଳିଛି। ୨୦୧୧ରେ ଭାରତ ସରକାରଙ୍କ ତୃତୀୟ ସର୍ବାଧିକ ନାଗରିକ ସମ୍ମାନ ‘ପଦ୍ମଭୂଷଣ’ରେ ତାଙ୍କୁ ସମ୍ମାନିତ କରାଯାଇଛି। ୨୦୧୯ରେ କେରଳ ବିଶ୍ୱବିଦ୍ୟାଳୟ କ୍ରିସ୍‌ଙ୍କୁ ସମ୍ମାନଜନକ ଡକ୍ଟରେଟ୍‌ ଡିଗ୍ରୀ ପ୍ରଦାନ କରିଛି।
-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?