କର୍ଲାମୁଣ୍ଡା,୫।୮(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ବୋରପଦର ଗ୍ରାମ ପଞ୍ଚାୟତ ବତିକୁପା ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନ ଧରି ମାତ୍ର ଜଣେ ଶିକ୍ଷକଙ୍କ ଭରସାରେ ପାଠପଢ଼ା ଚାଲିଥିବାରୁ ଅଭିଭାବକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୮ ଜଣ ଛାତ୍ରୀ ଛାତ୍ର ଅଧ୍ୟୟନ କରୁଛନ୍ତି। ସମସ୍ତ ଶ୍ରେଣୀର ପାଠଦାନ, ମଧ୍ୟାହ୍ନ ଭୋଜନ ତଦାରଖ ଓ ବିଭିନ୍ନ ସରକାରୀ କାର୍ଯ୍ୟ ଜଣେ ଶିକ୍ଷକଙ୍କୁ ହିଁ ସମ୍ଭାଳିବାକୁ ପଡ଼ୁଛି।
ଏପରି ପରିସ୍ଥିତିରେ ପ୍ରତ୍ୟେକ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା କଷ୍ଟସାଧ୍ୟ ହୋଇପଡ଼ିଛି। ସ୍ଥାନୀୟ ଅଭିଭାବକମାନେ ଶୀଘ୍ର ବିଦ୍ୟାଳୟରେ ଅତିରିକ୍ତ ଶିକ୍ଷକ ନିଯୁକ୍ତି କରିବାକୁ ଶିକ୍ଷା ବିଭାଗ ନିକଟରେ ଦାବି କରିଛନ୍ତି। ଏନେଇ ବ୍ଲକ ଶିକ୍ଷା ଅଧିକାରିଣୀ ମଧୁସ୍ମିତା ନାଏକଙ୍କୁ ପଚାରିବାରୁ ଏହି ବିଦ୍ୟାଳୟକୁ ଶିକ୍ଷକ ଦେବା ପାଇଁ କଣ୍ଡରେଇ ବିଦ୍ୟାଳୟ ଶିକ୍ଷକଙ୍କୁ ଦାଣ୍ଡିଭଯା ବିଦ୍ୟାଳୟ ଓ ଦାଣ୍ଡିଭଯା ବିଦ୍ୟାଳୟ ଶିକ୍ଷକଙ୍କୁ ବତିକୁପା ବିଦ୍ୟାଳୟରେ ନିଯୁକ୍ତି ଦିଆଯାଇଥିଲା। ତେବେ କଣ୍ଡରେଇ ଗ୍ରାମବାସୀ ତାଙ୍କ ଶିକ୍ଷକଙ୍କ ବଦଳିକୁ ବାତିଲ କରିବାକୁ କହି ବିଦ୍ୟାଳୟରେ ଆନ୍ଦୋଳନ କରିବାକୁ ଚେତାବନୀ ଦେବା ପରେ ବଦଳିକୁ ବାତିଲ କରିବାକୁ ବାଧ୍ୟ ହୋଇଥିଲୁ। ଆସନ୍ତା ସପ୍ତାହ ମଧ୍ୟରେ ବତିକୁପା ବିଦ୍ୟାଳୟକୁ ଶିକ୍ଷକ ଦିଆଯିବ ବୋଲି କହିଛନ୍ତି।
Dharitri – Odisha’s No.1 Odia Daily

