
ନିରାକାରପୁର,୧୭ା୨(ମାନାସ ଚନ୍ଦ୍ର ପଟ୍ଟନାୟକ): ଟାଙ୍ଗୀ ବ୍ଲକ ଅଧୀନ ଡିଆ ପଞ୍ଚାୟତର ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟର ଜଣେ ବରିଷ୍ଠ ଶିକ୍ଷକ ଛାତ୍ରୀମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଥିବା ନେଇ ବ୍ଲକ୍ ଶିକ୍ଷାଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଛି। ସୂଚନା ମୁତାବକ, ସମ୍ପୃକ୍ତ ଶିକ୍ଷକ ଜଣଙ୍କ ଛାତ୍ରୀମାନଙ୍କୁ ବିଭିନ୍ନ ସମୟରେ ଅଶ୍ଳୀଳ ଇଙ୍ଗିତ କରିଆସୁଥିଲେ। ଏନେଇ ଛାତ୍ରୀମାନେ ଘରେ ଜଣାଇବା ପରେ ଅଭିଭାବକମାନେ ଘଟଣା ସମ୍ପର୍କରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତିଙ୍କୁ ଅବଗତ କରାଇଥିଲେ। ଗତ ୧୪ ତାରିଖରେ ଏନେଇ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବ୍ଲକ୍ ଶିକ୍ଷାଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସେମାବାର ରାମେଶ୍ୱର କ୍ଲଷ୍ଟର ସାଧନାକେନ୍ଦ୍ରର ସଂଯୋଜକ ସୁଶାନ୍ତ ମଲ୍ଲିକ ଏବଂ ଅତିରିକ୍ତ ଶିକ୍ଷାଧିକାରୀ ସୁଧା ମଂଜରୀ ଉକ୍ତ ବିଦ୍ୟାଳୟରେ ପହଞ୍ଚି ଛାତ୍ରୀମାନଙ୍କୁ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ଏଥିସହ ଅଭିଯୋଗ ଆସିଥିବା ସମ୍ପୃକ୍ତ ଶିକ୍ଷକଙ୍କ ମୋବାଇଲ ନମ୍ବରକୁ କଲ କରିଥିଲେ ମଧ୍ୟ ସେ ଉଠାଇ ନ ଥିଲେ। ତେବେ ଘଟଣା ସମ୍ପର୍କରେ ନୂତନ ଶିକ୍ଷାଧିକାରୀଙ୍କୁ ଅବଗତ କରାଯିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଶିକ୍ଷାଧିକାରୀ କହିଛନ୍ତି। ଅନ୍ୟପକ୍ଷରେ ଅଭିଯୋଗ ଆସିଥିବା ସମ୍ପୃକ୍ତ ଶିକ୍ଷକ କୁହନ୍ତି, ଦୁଇ ମାସ ହେବ ଛୁଟିରେ ଅଛି। ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯାଗ ଭିତ୍ତିହୀନ।