ଗଞ୍ଜାମ, ୩୧/୭ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତର ଆଲିଆବାଦ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି। ବିଦ୍ୟାଳୟରେ ୪୮ ଜଣ ଛାତ୍ରୀଛାତ୍ର ପାଠ ପଢ଼ୁଥିବା ବେଳେ ମାତ୍ର ଜଣେ ଶିକ୍ଷୟିତ୍ରୀଙ୍କ ଉପରେ ସମସ୍ତ ଶିକ୍ଷାଦାନର ଦାୟିତ୍ୱ ରହିଥିବାରୁ ପାଠପଢ଼ା ଗୁରୁତର ଭାବେ ବ୍ୟାହତ ହେଉଛି।
ସୂଚନାନୁସାରେ, ବିଦ୍ୟାଳୟରେ ଦୁଇଜଣ ଶିକ୍ଷୟିତ୍ରୀ ନିଯୁକ୍ତ ଥିଲେ। ସେମାନଙ୍କ ମଧ୍ୟରୁ ଜଣେ ମାତୃତ୍ୱ ଛୁଟିରେ ଥିବା ବେଳେ ଅନ୍ୟଜଣ ପ୍ରଧାନ ଶିକ୍ଷୟିତ୍ରୀ ଡେପୁଟେସନରେ କାର୍ଯ୍ୟରତ ଅଛନ୍ତି। ଫଳରେ ଜଣେ ଶିକ୍ଷୟିତ୍ରୀଙ୍କୁ ସମସ୍ତ ଶ୍ରେଣୀର ପାଠପଢ଼ା ପରିଚାଳନା କରିବାକୁ ପଡ଼ୁଛି, ଯାହା ଛାତ୍ରୀଛାତ୍ରଙ୍କ ଶିକ୍ଷା ଉପରେ ପ୍ରଭାବ ପକାଉଛି।
ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଶୁକ୍ରବାର ସ୍କୁଲ ପରିଚାଳନା କମିଟି ସଦସ୍ୟମାନେ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ଙ୍କୁ ଭେଟି ତୁରନ୍ତ ଶିକ୍ଷକ ନିଯୁକ୍ତି ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ, ବିଦ୍ୟାଳୟର ନୂତନ ଭବନ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇ ନ ଥିବାରୁ ପରିଚାଳନା କମିଟି ସଦସ୍ୟମାନେ ବିଡିଓ ଅଚ୍ୟୁତାନନ୍ଦ ଯାନୀଙ୍କୁ ଭେଟି ଏହାର କାରଣ ସମ୍ପର୍କରେ ପ୍ରଶ୍ନ କରିଥିଲେ ଏବଂ ଶୀଘ୍ର ଭବନ ହସ୍ତାନ୍ତର କରିବାକୁ ଦାବି କରିଥିଲେ।
ଦାବିପତ୍ର ପ୍ରଦାନ ବେଳେ ସ୍କୁଲ ପରିଚାଳନା କମିଟିର ଉପସଭାପତି ଶୈଳେନ୍ଦ୍ରୀ ବେହେରା, ଜସ୍ମିନୀ ବେହେରା, ସଞ୍ଜୁ ବେହେରା, ପଦିଆ ମୁଦୁଲି, ପ୍ରମିଳା ନାୟକ, ସୌଦାମିନୀ ନାୟକ, ସନ୍ତୋଷ ବେହେରା, ଝିଲି ନାୟକ, ୱାର୍ଡ ସଦସ୍ୟ ଦଣ୍ଡପାଣି ମହାରଣାଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ। ଶିକ୍ଷକ ନିଯୁକ୍ତି ଓ ଅନ୍ୟାନ୍ୟ ସମସ୍ୟାର ଶୀଘ୍ର ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ସ୍କୁଲ ପରିଚାଳନା କମିଟି ଗଣମାଧ୍ୟମକୁ ସୂଚନା ଦେଇଛି।
<

