ପୁଣି ତାଲିବାନ୍‌

ଅନିଲ ବିଶ୍ୱାଳ

ଆମେରିକା ଯେତେବେଳେ ତା’ର ସେନାକୁ ଆଫଗାନିସ୍ତାନରୁ ପ୍ରତ୍ୟାହାର କରିବ ବୋଲି ଘୋଷଣା କରିଥିଲା ସେତେବେଳେ ତାଲିବାନ୍‌କୁ ଆଫଗାନିସ୍ତାନର ରାଜଧାନୀ କାବୁଲରେ ପହଞ୍ଚିବା ପାଇଁ ୯୦ ଦିନ ସମୟ ଲାଗିବ ବୋଲି କହିଥିଲା। ହେଲେ ତାଲିବାନ୍‌ ମାତ୍ର ୭ ଦିନ ଭିତରେ ହିଁ କାବୁଲକୁ ଦଖଲ କରିଲା। ତାଲିବାନ୍‌ର ସଦସ୍ୟ ହେଉଛନ୍ତି ମାତ୍ର ୮୫ ହଜାର କିନ୍ତୁ ଆଫଗାନ୍‌ ସେନାର ସଂଖ୍ୟା ହେଉଛି ୩ ଲକ୍ଷ ୫୦ ହଜାର। ଆଫଗାନ୍‌ ସେନା ପାଖରେ ଥିଲା ଆମେରିକା ଦ୍ୱାରା ଦିଆଯାଇଥିବା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ଗୁଳି ଗୋଳା, ଲଢୁଆ ବିମାନ। କିନ୍ତୁ ଆଫଗାନ୍‌ର ସେନା ତାଲିବାନ୍‌ର ପ୍ରତିରୋଧ କରିପାରିଲା ନାହିଁ। ୨୦ ବର୍ଷ ପରେ ଆଫଗାନିସ୍ତାନ ପୁଣି ଥରେ ମାନବିକତା ବିରୋଧୀ ଶକ୍ତିଙ୍କ ହାତକୁ ଚାଲିଯାଇଛି।
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଘୋଷଣା ଯଦି ଖୋଲାଖୋଲି ହୋଇ ନ ଥାନ୍ତା ତା’ ହେଲେ ହୁଏତ ପରିସ୍ଥିତି ଏତେ ଶୀଘ୍ର ବିଗିଡ଼ି ନ ଥାନ୍ତା। ଆମେରିକାର ଘୋଷଣା ମନୋବୈଜ୍ଞାନିକ ଦୃଷ୍ଟିକୋଣରୁ ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା। ଅବଶ୍ୟ କାତାର ରାଜଧାନୀ ଦୋହାରେ ତାଲିବାନ୍‌ ସହିତ ଆମେରିକା ସରକାରଙ୍କର କଥାବାର୍ତ୍ତା ଆଗୁଆ ସନ୍ଦେଶ ଦେଇଥିଲା କି ଭବିଷ୍ୟତରେ ଆମେରିକା ଆଫଗାନିସ୍ତାନ ଛାଡ଼ିବ। ଆମେରିକାର ଏହି ନିଷ୍ପତ୍ତି ପୁଣି ଥରେ ପ୍ରମାଣ କଲା ଯେ କେବଳ ନିଜ ସ୍ବାର୍ଥ ଛଡ଼ା ଆମେରିକାର ଆଉ କିଛିରେ ଆଗ୍ରହ ନାହିଁ। ମିଳିତ ଜାତିସଂଘ କେବଳ ଏକ କାଗଜପତ୍ରର ସଂଘ ବୋଲି ପ୍ରମାଣିତ ହେଲା।
ଏବେ ଯେଉଁ ପରିସ୍ଥିତି ଆଫଗାନିସ୍ତାନରେ ସୃଷ୍ଟି ହେବ ତାହା ଆଫଗାନ୍‌ର ଲୋକମାନଙ୍କ ସହ ବିଶ୍ୱର ଅନେକ ଦେଶକୁ ପ୍ରଭାବିତ କରିବ। କାରଣ ଏବେବି ଅନେକ ଦେଶରେ ସମଭାବାପନ୍ନ ଜେହାଦି ଆତଙ୍କବାଦୀ ସଙ୍ଗଠନଗୁଡ଼ିକ ସକ୍ରିୟ ଅଛନ୍ତି। ଯେପରି କି ଅଲକାଏଦା, ବୋକହାରାମ, ଇସ୍‌ଲାମିକ ଷ୍ଟେଟ୍‌ (ଆଇଏସ୍‌), ହରକତ ଉଲ୍‌ ମୁଜାହିଦ୍ଦିନ, ଜାମିଆତ ଉଲ୍‌ ମୁଜାହିଦ୍ଦିନ, ହରକତ ଉଲ୍‌ ହେହାଦ ଅଲ୍‌ ଇସଲାମି ଆଦି ଭଳି କୁଖ୍ୟାତ ସଙ୍ଗଠନ। ତାଲିବାନ୍‌ ଯଦି ଏହି ସଙ୍ଗଠନଗୁଡ଼ିକର ନେତୃତ୍ୱ ନେବ ବା ବନ୍ଧୁତା ବଢ଼ାଇବ ତା’ହେଲେ ବିଶ୍ୱ ପାଇଁ ନିଶ୍ଚୟ ଏକ ବଡ଼ ବିପଦ ଘନେଇବ। ଭାରତ ପାଇଁ ମଧ୍ୟ ବିପଦ ଆସନ୍ନ ବୋଲି କୁହାଯାଇପାରେ। କାରଣ ଭାରତ ହିଁ ଥିଲା ଆଫଗାନିସ୍ତାନ ନିର୍ମାଣରେ ଏକ ବଡ଼ ସାହାଯ୍ୟକାରୀ ଦେଶ। ଆଫଗାନ୍‌ର ସଂସଦ ଭବନ ନିର୍ମାଣ, ନଦୀ ବନ୍ଧ ନିର୍ମାଣ ଭଳି ଅନେକ ବିକାଶମୂଳକ କାମ ଭାରତ ସେଠାରେ କରିଛି। ବର୍ତ୍ତମାନ ତାଲିବାନ୍‌ ଆଖିରେ ଭାରତ ହେଉଛି ଆଫଗାନିସ୍ତାନର ପୂର୍ବ ସରକାରଙ୍କ ବନ୍ଧୁ। ଏପଟେ ବିଶ୍ୱରେ ଆତଙ୍କବାଦ ପାଇଁ ସବୁଠାରୁ ବେଶି ବଦ୍‌ନାମ ହୋଇଥିବା ପାକିସ୍ତାନ ହେଉଛି ତାଲିବାନ୍‌ର ପୃଷ୍ଠପୋଷକ। ସମ୍ମୁଖ ଯୁଦ୍ଧରେ ବାରମ୍ବାର ପରାଜିତ ପାକିସ୍ତାନର ଭାରତ ବିରୋଧୀ କାର୍ଯ୍ୟକଳାପ ପାଇଁ ଏବେ ତାଲିବାନ୍‌ ହେଉଛି ବଡ଼ ଆଶା। ଉଗ୍ର ଆଫଗାନ ଇସ୍‌ଲାମୀୟ ଆତଙ୍କବାଦୀଙ୍କୁ ପାକିସ୍ତାନ ଏବେ ଭାରତ ବିରୋଧରେ ବ୍ୟବହାର କରିପାରେ। ବିଗତ ବର୍ଷଗୁଡ଼ିକରେ ଭାରତରେ ପାକ୍‌ ସମର୍ଥିତ ଆତଙ୍କୀ କାର୍ଯ୍ୟକଳାପ ପୂରାପୂରି କମିଛି। ସେହିପରି ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଇବା ପରେ କଶ୍ମୀରରେ ଏବେ ଶାନ୍ତି ଫେରୁଛି; ଯାହା ପାକିସ୍ତାନକୁ ସୁହାଉନି। ତେଣୁ ନୈରାଶ୍ୟରେ ଥିବା ପାକିସ୍ତାନ ଏବେ ତାଲିବାନ୍‌ର ସାହାଯ୍ୟ ନେବ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ କରାଇବା ପାଇଁ।
ଆଗରୁ ଯେବେ ତାଲିବାନ୍‌ମାନେ ଆଫଗାନସ୍ତାନରେ କ୍ଷମତାରେ ଥିଲେ (୧୯୯୬ରୁ ୨୦୦୧) ସେତେବେଳେ ଜମ୍ମୁ କଶ୍ମୀରରେ ବିଶ୍ୱର ବିଭିନ୍ନ ଦେଶର ଆତଙ୍କୀ ସଙ୍ଗଠନମାନଙ୍କର ଗତିବିଧି ଦେଖାଯାଇଥିଲା। ଆଫଗାନିସ୍ତାନ, ପାକିସ୍ତାନ ସମେତ ଚେଚେନିଆ, ସୁଦାନ, ସାଉଦି, ଇରାକ୍‌ ଭଳି ଦେଶର ସଙ୍ଗଠନମାନଙ୍କ ଲିଙ୍କ୍‌ର ପ୍ରମାଣ ମିଳିଥିଲା। ୧୯୯୯ରେ ଯେବେ ଆତଙ୍କବାଦୀମାନେ କାଠମାଣ୍ଡୁରୁ ଭାରତର ଏକ ବିମାନକୁ ଅପହରଣ କରି ଆତଙ୍କବାଦୀ ମାସୁଦ ଆଝାରର ମୁକ୍ତି ପାଇଁ ସର୍ତ୍ତ ରଖିଥିଲେ ସେତେବେଳେ ସେମାନେ ବିମାନକୁ କାନ୍ଦାହାର ନେଇଯାଇଥିଲେ। ସେତେବେଳେ ତାଲିବାନ୍‌ ସେମାନଙ୍କୁ ସାହାଯ୍ୟ କରିଥିଲା। ଜମ୍ମୁ କଶ୍ମୀରଠାରୁ ଆଫଗାନ୍‌ର ସୀମା ହେଉଛି ୪୦୦ କିମି ଦୂର। ତେଣୁ ଭାରତକୁ ଏବେ ଆତଙ୍କବାଦ ବିରୋଧୀ ଗତିବିଧିକୁ ଆହୁରି ଜୋରଦାର କରିବାକୁ ପଡ଼ିବ।
ପାକିସ୍ତାନ ଯେ ତାଲିବାନ୍‌ମାନଙ୍କ ପାଇଁ କେବଳ ଲାଭରେ ରହିବ ତାହା ନୁହେଁ, ପାକିସ୍ତାନ ସେନା ତାଲିବାନ୍‌ ଓ ଅନ୍ୟ କଟ୍ଟର ସଙ୍ଗଠନଗୁଡ଼ିକ ସାହାଯ୍ୟରେ ଇମ୍ରାନ ଖାନ୍‌ଙ୍କ ସରକାରକୁ ବିଦା ନ କରିବ ତାହା ଅସମ୍ଭବ ନୁହେଁ। ରୁଷିଆ, ଇରାନ୍‌, ତୁର୍କୀ, ଚାଇନା ଆଦି ଦେଶ ପାଇଁ ପ୍ରାଥମିକତା ଥିଲା କି ଆଫଗାନିସ୍ତାନରୁ ପ୍ରଥମେ ଆମେରିକା ବିଦା ହେଉ। ସେଥିପାଇଁ ଏହି ଦେଶଗୁଡ଼ିକ ଚୁପ୍‌ ରହିଲେ ଯାହା ପରୋକ୍ଷରେ ତାଲିବାନ୍‌କୁ ଲାଭ ଦେଲା। କିନ୍ତୁ ଏବେ ତାଲିବାନ୍‌ ଆସିବା ପରେ ସେହି ଦେଶଗୁଡ଼ିକର ଅବସ୍ଥା କ’ଣ ହେବ ତାହା କହି ହେବନି। ତାଲିବାନ୍‌ର ଆଫଗାନିସ୍ତାନ ଉପରେ ଅକ୍ତିଆରର ସିଧାସଳଖ ପ୍ରଭାବ ପଡ଼ିବ ଇରାନ ଉପରେ। କାରଣ ଇରାନ୍‌ ହେଉଛି ସିହା ମୁସଲିମ୍‌ ଦେଶ ଓ ତାଲିବାନ୍‌ମାନେ ହେଉଛନ୍ତି ସୁନ୍ନି। ତାଲିବାନ୍‌ମାନଙ୍କ ପାଇଁ ସିହାମାନେ ହେଉଛନ୍ତି ସେମାନଙ୍କର ବେଶି ଧାର୍ମିକ ଶତ୍ରୁ। ଚାଇନାରେ ଥିବା ଉଇଗର ମୁସଲମାନମାନେ ଏବେ ତାଲିବାନ୍‌ର ସାହାଯ୍ୟ ଲୋଡ଼ିପାରନ୍ତି। ଯଦି ତାଲିବାନ୍‌ ସେମାନଙ୍କୁ ଗୁପ୍ତରେ ବି ସାହାଯ୍ୟ କରେ ତା’ହେଲେ ଜିନ୍‌ଜିଆଙ୍ଗ୍‌ ପ୍ରଦେଶର ଅଶାନ୍ତି ଆହୁରି ବଢ଼ିପାରେ। ତୁର୍କୀ ଓ ବିଭିନ୍ନ ଆରବ ଦେଶରେ ତାଲିବାନ୍‌ର ପ୍ରଭାବ ରହିବ। କାରଣ ସେଠାରେ ଥିବା କଟ୍ଟର ମୌଳବାଦୀ ସଙ୍ଗଠନଗୁଡ଼ିକର ଗୋଟିଏ ଲକ୍ଷ୍ୟ, ତାହା ହେଲା ଖଲିଫେଟର ପ୍ରତିଷ୍ଠା ଯାହା ତାଲିବାନ୍‌ର ଲକ୍ଷ୍ୟ। କାଜାକସ୍ତାନ, ତୁର୍କମେନିସ୍ତାନ, ଉଜ୍‌ବେକିସ୍ତାନ, ତାଜିକ୍‌ସ୍ତାନ ଆଦି ଦେଶ ପାଇଁ ଏବେ ଆତଙ୍କ ବିପଦ ବଢ଼ିବ। କାରଣ ଯେତେବେଳେ ଆମେରିକା ତାଲିବାନ୍‌ ଉପରେ ଆକ୍ରମଣ କରୁଥିଲା ସେତେବେଳେ ଏହି ଦେଶଗୁଡ଼ିକରେ ତାଲିବାନ୍‌ ସୈନିକମାନେ ଲୁଚିବା ପାଇଁ ଚାହୁଁଥିଲେ। କିନ୍ତୁ ସେଠିକାର ସରକାରମାନେ ଆମେରିକା ସହିତ ଅପଡ଼ ହେବା ପାଇଁ ଚାହୁଁ ନ ଥିଲେ କି ବିଶ୍ୱରେ ନିଜର ଛବି ମଳିନ କରିବା ପାଇଁ ଚାହୁଁ ନ ଥିଲେ। ସେଥିପାଇଁ ସେମାନେ ତାଲିବାନ୍‌ମାନଙ୍କ ପ୍ରତି କଠୋର ଥିଲେ। ଏପରି ସ୍ଥିତିରେ ସେମାନଙ୍କର ତାଲିବାନ୍‌ ସରକାର ସହିତ ଭଲ ସମ୍ପର୍କ ରହିବ ନାହିଁ। ଏହି ଦେଶଗୁଡିକରେ ଅନେକ ମୌଳବାଦୀ ସଙ୍ଗଠନ ଅଛନ୍ତି, ଯେଉଁମାନେ ଏବେ ତାଲିବାନ୍‌ ଭଳି ସେମାନଙ୍କର ଦେଶକୁ ଦଖଲ କରିବାର ସ୍ବପ୍ନରେ ରହିବେ, ଯାହା ମଧ୍ୟ ଏସିଆକୁ ଅଶାନ୍ତ କରିବ। ଶ୍ରୀଲଙ୍କାରେ କିଛି ଦିନ ତଳେ ଜେହାଦୀମାନେ ଚର୍ଚ୍ଚରେ ବୋମା ବିସ୍ଫୋରଣ କରାଇଥିଲେ। ମାଳଦ୍ୱୀପ ସେନାର କିଛି ସୈନିକ ମୌଳବାଦୀ ଗତିବିଧି ସହିତ ଜଡ଼ିିତ ହୋଇ ସେନାରୁ ବହିଷ୍କାର ହୋଇଛନ୍ତି। ବାଂଲାଦେଶ, ନେପାଳ, ବର୍ମା ଆଦି ଦେଶରେ ମୌଳବାଦୀ ତତ୍ତ୍ୱମାନେ ଆଗରୁ ରହିଛନ୍ତି। ଏମାନେ ଯେତେ ଏକାଠି ହେବେ ସେତେ ଅଶାନ୍ତି ସୃଷ୍ଟିି ହେବ।
ଏକଥା ବୁଝିବାକୁ ହେବ ଯେ ଆଫଗାନ୍‌ରେ ଯେଉଁ ତାଲିବାନ୍‌ମାନେ ଗଲା ୨୦ ବର୍ଷ ଧରି ଜେହାଦ ଆତଙ୍କ ନାଁରେ ବନ୍ଧୁକ ଧରି ଆସିଛନ୍ତି, ସେମାନେ ସରକାରକୁ ଆସିଗଲେ ବୋଲି ଯେ ଆଉ ବନ୍ଧୁକ ନ ଧରି କମ୍ପ୍ୟୁଟର କି ହଳ ଧରିବେ ତାହା ଭାବିବା ଭୁଲ୍‌। ସେମାନେ ଆଉ ଏକ ନୂଆ ଯୁଦ୍ଧସ୍ଥାନ ଖୋଜିବାରେ ରହିବେ। ହୋଇପାରେ ଭାରତର ଜମ୍ମୁ କଶ୍ମୀର ସେମାନଙ୍କର ନୂଆ ପ୍ରୟୋଗସ୍ଥଳୀ। ଯେଉଁ ମୌଳବାଦୀ ସଙ୍ଗଠନର ଆତଙ୍କବାଦ ଉପରେ ବିଶ୍ୱାସ ଅଛି ସେମାନଙ୍କର ସିଦ୍ଧାନ୍ତ ରହିଛି ଯେ ଶେଷରେ ଏକ ଖୁରାସାନ ଯୁଦ୍ଧ ହେବ ଯାହା ଶେଷ ଏବଂ ନିର୍ଣ୍ଣାୟକ ଲଢ଼େଇ ହେବ। ସେହି ଖୁରାସାନର ତାଲିକାରେ ଭାରତ ମଧ୍ୟ ରହିଛି ବୋଲି ଜୈସ ଓ ଅଲକାଏଦା ଭଳି ସଙ୍ଗଠନଗୁଡ଼ିକ ମାନନ୍ତି।
ତାଲିବାନ୍‌ମାନେ କ୍ଷମତାକୁ ଆସୁ ଆସୁ ବର୍ବରତା ଦେଖିବାକୁ ମିଳିଲାଣି। ପୂରା ବିଶ୍ୱରେ ଅନେକ ଶକ୍ତିଶାଳୀ ଦେଶ ଯେଉଁମାନେ ସବୁବେଳେ ମାନବାଧିକାର, ଶାନ୍ତି ପ୍ରତିଷ୍ଠାର ଭାଷଣ ଦେଇଆସୁଥିଲେ ସେମାନେ ସମସ୍ତେ ଏବେ ଚୁପ୍‌। ବର୍ତ୍ତମାନ ବଡ଼ ଆହ୍ବାନ ହେଉଛି କିପରି ଆଫଗାନ୍‌ରେ ସାଧାରଣ ନାଗରିକଙ୍କର ଜୀବନ ସୁରକ୍ଷିତ ରହିପାରିବ।
ହରିରାଜପୁର, ପୁରୀ
ମୋ:୮୨୪୯୮୬୮୯୬୧


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri