ଭାଟ୍‌ ନିଅ ଭୋଟ୍‌ ଦିଅ

ଅକ୍ଷୟ କୁମାର ମିଶ୍ର

ଗଣତାନ୍ତ୍ରିକ ପ୍ରକ୍ରିୟାଗୁଡ଼ିକ ମଧ୍ୟରେ ନିର୍ବାଚନ ଏକ ମୁଖ୍ୟ ପ୍ରସଙ୍ଗ ହୋଇଥିବାବେଳେ ପ୍ରସଙ୍ଗବିହୀନ ନିର୍ବାଚନ ଯେ ଗଣତନ୍ତ୍ରକୁ ଦୁର୍ବଳ କରିବ ଏହା ଅସ୍ବୀକାର କରାଯାଇ ନ ପାରେ।
ପ୍ରତ୍ୟେକ ଗଣତାନ୍ତ୍ରିକ ରାଷ୍ଟ୍ରରେ ନିର୍ବାଚନ ଜରିଆରେ ସରକାର ଗଢ଼ାଯାଏ । ସରକାର ଯେଉଁ ରାସ୍ତାରେ ଦେଶକୁ ପରିଚାଳନା କରନ୍ତି ଦେଶ ସେହି ରାସ୍ତାରେ ଚାଲେ। ପୁନଶ୍ଚ ଯେଉଁ ରାଜନୈତିକ ଦଳ ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରେ ସେହି ଦଳ ଶାସନ ଚୌକିରେ ବସେ। ଏହାକୁ ଦୃଷ୍ଟିରେ ରଖି ରାଜନୈତିକ ଦଳମାନେ ଜିତାପଟ ହାସଲ କରିବା ପାଇଁ ନିଜ ନିଜର ରଣନୀତି ପ୍ରସ୍ତୁତ କରନ୍ତି। ଏଥିରେ ଏମିତି କୌଶଳ ଆପଣାନ୍ତି ଯେମିତି ଜନତା ଜନାର୍ଦ୍ଦନଙ୍କ ମନ କିଣିହେବ, ସେମାନଙ୍କ ସମର୍ଥନ ମିଳିବ। ଏହି କୌଶଳର ପ୍ରଧାନ ଅସ୍ତ୍ର ହେଲା ନିର୍ବାଚନୀ ଇସ୍ତାହାର ଅର୍ଥାତ ପ୍ରତିଶ୍ରୁତିର ଶ୍ୱେତପତ୍ର। ବିଶେଷକରି ଅଶୀ ଦଶକଠାରୁ ଦେଶରେ ଅଥବା ରାଜ୍ୟଗୁଡ଼ିକରେ ଯେଉଁସବୁ ନିର୍ବାଚନ ଅନୁଷ୍ଠିତ ହୋଇଆସିଛି ଅଧିକାଂଶ ନିର୍ବାଚନରେ ଏହାହିଁ ଘଟିଛି, ପ୍ରସଙ୍ଗ ଅପେକ୍ଷା ପ୍ରତିଶ୍ରୁତି ମତଦାତାଙ୍କୁ ଅଧିକ ଆକୃଷ୍ଟ କରିପାରିଛି।
ନିର୍ବାଚନ ରଣାଙ୍ଗନରେ ରାଜନୈତିକ ଦଳମାନେ ଆଜିକାଲି ଯେଉଁସବୁ କୌଶଳ ଆପଣେଇ ଚାଲିଛନ୍ତି ତା’ର ଶେଷ ପରିଣତି ହେଉଛି ସଂହତି, ସଂପ୍ରୀତି, ଭାଇଚାରା ବରଂ ବିପର୍ଯ୍ୟସ୍ତ ହେଉ ବିଜୟ ମୁକୁଟ ପିନ୍ଧିବା ଆବଶ୍ୟକ।
ସେଇଥିପାଇଁ ତ ବିଭାଜନ ରାଜନୀତି ମୁଣ୍ଡ ଟେକିଛି। ଜାତି ଜାତି ଭିତରେ ବିଭାଜନ କରିବା, ଧର୍ମୀୟ ଧ୍ରୁବୀକରଣ କରିବାକୁ ଉଦ୍ୟମ କରିବା, ହିଂସାର ଆଶ୍ରୟ ନେଇ ଭୟର ବାତାବରଣ ସୃଷ୍ଟି କରିବା ଆଦି କୌଶଳ ଅବଲମ୍ବନ କରିବାକୁ ରାଜନୈତିକ ଦଳଗୁଡ଼ିକ କୁଣ୍ଠାବୋଧ କରୁନାହାନ୍ତି।
ଏସବୁକୁ ଛାଡ଼ିଦେଲେ ଆଜି ଦିନରେ ସବୁଠାରୁ ବଡ଼ କୌଶଳ ହେଲା ‘ଭାଟ୍‌ ନିଅ ଭୋଟ୍‌ ଦିଅ’। ଭାଟ୍‌(ଭିଏଟି)କହିଲେ ଭ୍ୟାଲୁ ଆଡେଡ ଟ୍ୟାକ୍ସ ବା ମୂଲ୍ୟଯୁକ୍ତ ଟିକସକୁ ବୁଝିବା ସ୍ବାଭାବିକ। କିନ୍ତୁ ଏହି ପରିପ୍ରେକ୍ଷୀରେ ଭାଟ୍‌ ଅର୍ଥ ଭୋଟର ଆଟ୍ରାକଟିଭ ଟାବଲେଟ ବୋଲି ବୁଝିବାକୁ ଅନୁରୋଧ। ଏହି ଟାବଲେଟ ଦୁଇ ପ୍ରକାରର। ଗୋଟିଏ ପ୍ରକାରର ଟାବଲେଟ ନିର୍ବାଚନ ପୂର୍ବରୁ ଦିଆଯାଏ। ଏହାର ଖର୍ଚ୍ଚ ପ୍ରାର୍ଥୀ ଅଥବା ଦଳ ନିଜ ପକେଟରୁ ବହନ କରନ୍ତି। ଏହା ଅଘୋଷିତ, ଅପ୍ରକାଶିତ ତଥା ହିସାବ ବହିର୍ଭୂତ, ଯେଉଁଥିରେ ହାଇଭୋଲ୍ଟେଜର ପ୍ରଚାରଠାରୁ ମଦ, ମାଂସ ଓ ମୁଦ୍ରା ବାବଦକୁ ଖର୍ଚ୍ଚ ଅନ୍ତର୍ଭୁକ୍ତ। ଆଉ ଏକ ପ୍ରକାର ଟାବଲେଟ ଦିଆଯିବ ବୋଲି ପ୍ରକାଶ୍ୟରେ ଘୋଷଣା କରାଯାଏ। ଏହାର ବ୍ୟୟଭାର ସର୍ବସାଧାରଣ ବହନ କରନ୍ତି। ଅବଶ୍ୟ ଏହି ଟାବଲେଟ ମିଳିବାର ସମ୍ଭାବନା ସୁନିଶ୍ଚିତ ନୁହେଁ। ଏହାର ଆକର୍ଷଣ ଶକ୍ତି ଅଧିକ। କିନ୍ତୁ ପାଇବାର ଆଶା ବିମୋହିତ କରିଦିଏ ଅନେକଙ୍କୁ। ଭାଟ୍‌ ନିକଟରେ ଫିକା ପଡ଼ିଯାଏ ପ୍ରାର୍ଥୀର ଯୋଗ୍ୟତା, ତା’ର ସ୍ବଚ୍ଛତା, ନିର୍ମଳ ଭାବମୂର୍ତ୍ତି, ତ୍ୟାଗ, ତିତିକ୍ଷା। ଲୁଚିଯାଏ ଭାଟ୍‌ର ପରଦା ଆଢୁଆଳରେ ଜାତୀୟ ପ୍ରସଙ୍ଗ, ସାମାଜିକ ବ୍ୟବସ୍ଥା। ଦେଶର ଅର୍ଥନୈତିକ ଅବସ୍ଥା ସମ୍ପର୍କରେ ଆଲୋଚନା ବିଶ୍ଳେଷଣ ଭାଟ୍‌ର ଦୁନ୍ଦୁଭି ଶବ୍ଦରେ ଜନତାଙ୍କ କର୍ଣ୍ଣ ଗହ୍ବର ଭେଦ କରିପାରେ ନାହିଁ। ଶିକ୍ଷା, ସ୍ବାସ୍ଥ୍ୟ, ଶିଳ୍ପ, କୃଷି, କର୍ମ ନିଯୁକ୍ତି ଆଉ ପ୍ରସଙ୍ଗ ଭିତରେ ସ୍ଥାନ ପାଏ ନାହିଁ। ଏପରିକି ସରକାରଙ୍କ ପାରିବାପଣିଆ ନେଇ ଉଠୁଥିବା ପ୍ରଶ୍ନ, ସେମାନଙ୍କର ଦୁର୍ନୀତି ସହିତ ବୁଝାମଣା, ଅସାମାଜିକ ବ୍ୟକ୍ତିମାନଙ୍କ ସାଥିରେ ମଧୁଚନ୍ଦ୍ରିକା ଆଦି ଅଭିଯୋଗ ଗୁରୁତ୍ୱହୀନ ହୋଇଯାଏ। ଭାଟ୍‌ ପାଇଁ ଭୋଟ୍‌ ଅଜାଡ଼ି ହୋଇପଡ଼େ।
ଏମିତି କିଛି ମନଜିଣା ସ୍ଲୋଗାନ ଏବଂ ମନଲୋଭା ପ୍ରତିଶ୍ରୁତିର କମାଲ ପ୍ରଥମେ ୧୯୭୧ ମସିହା ସାଧାରଣ ନିର୍ବାଚନରେ ଦେଖିବାକୁ ମିଳିଥିଲା। କ୍ରମେ ଏହା ସାମୂହିକ ସ୍ତରରୁ ବ୍ୟକ୍ତିଗତ ସ୍ତରରେ ପହଞ୍ଚିଲାଣି। ଯେଉଁ ଦଳ ଯେତେ ଅଧିକ ପ୍ରତିଶ୍ରୁତି ପ୍ରଦାନ କରୁଛି ତା’ର ବିଜୟ ସମ୍ଭାବନା ସେତେ ଉଜ୍ଜ୍ବଳ ମନେହେଉଛି। ଏମିତି ଏକ ପ୍ରତିଯୋଗିତା ଆରମ୍ଭ ହେଲାଣି ଯେ ମାଗଣା ସାଇକେଲ ନୁହେଁ ସ୍କୁଟର, ଟିଭି, ଫ୍ରିଜ, ମଙ୍ଗଳ ସୂତ୍ର ଦେବାଯାଏ କଥା ଗଲାଣି।
କିଏ କହୁଛି ଆମେ ଜିତିଲେ ପ୍ରତି ମାସରେ ଘରଣୀଙ୍କ ଜମା ଖାତାକୁ ଏକ ହଜାର କରି ଟଙ୍କା ଆସିବ। କିଏ କହୁଛି ମାଗଣା ଚାଉଳ ସାଙ୍ଗକୁ ଡାଲି, ତେଲ, ଲୁଣ, ଆଳୁ, ପିଆଜ ଫ୍ରି । ଆଉ କିଏ ଘୋଷଣା କରୁଛି ବିଜୁଳି ଶୁଳ୍କ ପାଣି କର ଦେବାକୁ ପଡ଼ିବନି। କାହାର ନିର୍ବାଚନୀ ଇସ୍ତାହାର ଭିତରେ ରହୁଛି ଋଣଛାଡ଼ର ପ୍ରତିଶ୍ରୁତି। କିଏ କହୁଛି ଝିଅ ବାହାଘର ସମୟରେ ଯାନି ଯୌତୁକ ବାବଦକୁ ଖର୍ଚ୍ଚ ଆମର। ପାଦକୁ ପାଉଁଜି, କାନକୁ କାନଫୁଲ, ଗଳାକୁ ହାର, ହାତକୁ ଚୁଡିର ଦାୟିତ୍ୱ ଆମର। ପୁଣି କରୋନା ମହାମାରୀରୁ ଫାଇଦା ଉଠାଇବା ପାଇଁ ପ୍ରଥମେ ଏହି ରାଜ୍ୟରେ ସମସ୍ତଙ୍କୁ ମାଗଣା ଟିକା ଦିଆଯିବ ବୋଲି ଘୋଷଣା ଭାଟ୍‌ର ସ୍ଥିତିକୁ ଆହୁରି ମଜଭୁତ କଲା, ଏହା ସମସ୍ତେ ହୃଦୟଙ୍ଗମ କରିଥିବେ ନିଶ୍ଚୟ। ଏମିତି କେତେ। ଲେଖିଲେ କାଗଜ ଅଣ୍ଟିବନି। କେହି କହୁ ନାହିଁ ଏତିକି ଜମି ଜଳସେଚନ ହେବ, ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଏତିକି ହେବ, ଏତିକି ଶିଳ୍ପ ପ୍ରତିଷ୍ଠା ହେବ, ଏତିକି କର୍ମନିଯୁକ୍ତି ଦେବି, ଡାକ୍ତରଖାନାରେ ଡାକ୍ତର, ଶିକ୍ଷାନୁଷ୍ଠାନରେ ଶିକ୍ଷକ ପଦବୀ ଶୂନ୍ୟରହିବ ନାହିଁ, ଲାଞ୍ଚ ଦେବାକୁ ପଡ଼ିବ ନାହିଁ, ସରକାରୀ କାମରେ କଳଙ୍କିତ ପିସି ନେବା ବ୍ୟବସ୍ଥା ଉଠିଯିବ, ପ୍ରତି ଗାଁକୁ ବିଜୁଳି ସଂଯୋଗ ହେବ, ପାନୀୟଜଳର ଅଭାବ ରହିବ ନାହିଁ, ଦରଦାମ୍‌ ବୃଦ୍ଧି ହେବ ନାହିଁ। କେହି ଅନାହାରରେ ରହିବେ ନାହିଁ, ଚାଷୀ ଆତ୍ମହତ୍ୟା ବନ୍ଦ ହେବ, ଭିକ୍ଷାବୃତ୍ତି ରହିବ ନାହିଁ, ନିଶାମୁକ୍ତ ଭାରତ ଗଢ଼ିବି, ଶୋଷଣ, କଷଣ, ବଳାତ୍କାର ବିରୋଧରେ କଠୋର ହେବି। ପରନ୍ତୁ ଅଘୋଷିତ ଧମକ ଆମେ ହାରିଗଲେ ସମସ୍ତ ତଥାକଥିତ ଲୋକପ୍ରିୟ ଯୋଜନା ବନ୍ଦ ହୋଇଯିବାର ମିଥ୍ୟା ଭୟ ସଞ୍ଚାର କରିବାକୁ ପଛାଉ ନାହାନ୍ତି, ଯାହାର ବେଶ୍‌ କିଛି ପ୍ରଭାବ ନିର୍ବାଚନରେ ପଡୁଛି।
ସତ କଥା କହିବାକୁ ଗଲେ ଦେଶର ଗରିବ ଲୋକଙ୍କର ଅର୍ଥନୈତିକ ବିକାଶ ଉଦ୍ଦେଶ୍ୟରେ ଆଜି ପର୍ଯ୍ୟନ୍ତ ଯେଉଁ ସବୁ ଯୋଜନା ପ୍ରଣୟନ ହୋଇଛି ତାହା ଯେ ଦାରିଦ୍ର୍ୟ ଦୂରୀକରଣର ସ୍ଥାୟୀ ସମାଧାନ ନୁହେଁ ଏ କଥା ସରକାର ଓ ସାଧାରଣ ଜନତା ସମସ୍ତେ ଭଲଭାବରେ ଜାଣନ୍ତି। ଏହା ସମସ୍ତେ ଉପଲବ୍ଧି କରୁଛନ୍ତି, ଏ ପ୍ରକାର ଭାଟ୍‌ ବ୍ୟବସ୍ଥା ଦେଶର ଅର୍ଥନୀତି ଉପରେ ପ୍ରତିକୂଳ ପ୍ରଭାବ ପକାଉଛି। କିନ୍ତୁ ତୁଣ୍ଡ ଖୋଲିବାକୁ ସାହସ ନାହିଁ। ଆଉ ଯଦି କେହି ପ୍ରତିବାଦ କରିବ ସଂସଦୀୟ ଗଣତନ୍ତ୍ରରେ ପାଦ ଥାପିବାକୁ ଭୂମି ନ ଥିବ। ଏହାର ପ୍ରମୁଖ କାରଣ ଏହି ବ୍ୟବସ୍ଥା ପ୍ରଚଳନ ହେବାର କୋଡିଏ ବର୍ଷ ଭିତରେ ଏକ ଲମ୍ବା ମିଛ ଉପଭୋକ୍ତାର ତାଲିକା ତିଆରି ହୋଇଯାଇଛି। ଏମାନେ ସମସ୍ତେ ଭାସମାନ ଭୋଟର। କୌଣସି ଦଳ ଏମାନଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହାନ୍ତି ନାହିଁ। କିନ୍ତୁ ଏମାନେ କାହାରି ନୁହନ୍ତି। ଏମାନଙ୍କ କଥା ହେଲା – ଭାଟ୍‌ ଦିଅ ଭୋଟ୍‌ ନିଅ। ଏହି ‘ନିଅ-ଦିଅ’, ‘ଦିଅ-ନିଅ’ ଭିତରେ ଆମ ଗଣତନ୍ତ୍ର, ଆମ ନିର୍ବାଚନ, ଆମ ନେତା, ଆମ ଜନତା।
କ୍ଷମା କରିବେ ମୋ ଭାଷାରେ ଏହି ଭାଟ୍‌ ବ୍ୟବସ୍ଥା ନିର୍ବାଚନ ପୃଷ୍ଠଭୂମିରେ ଏକ ଉତ୍କୋଚ କହିଲେ ଭୁଲ ହେବ ନାହିଁ। ଏହା କେବଳ କର୍ମ ସଂସ୍କୃତି ଉପରେ କୁପ୍ରଭାବ ପକାଉ ନାହିଁ ବରଂ ଅର୍ଥନୈତିକ ମେରୁଦଣ୍ଡକୁ ସୁସ୍ଥ ସବଳ ଶକ୍ତ କରିବାରେ ପ୍ରତିବନ୍ଧକ ସାଜୁଛି । ଯେ ପର୍ଯ୍ୟନ୍ତ ନିର୍ବାଚନ ପ୍ରକ୍ରିୟାରେ ପରିବର୍ତ୍ତନ ଆସିନାହିଁ, ନିର୍ବାଚନ ଆୟୋଗ ଚାପଶୂନ୍ୟ ଏବଂ ନିର୍ଭୀକ ହୋଇନାହାନ୍ତି ସେ ପର୍ଯ୍ୟନ୍ତ ଦେଶରେ ଅବାଧ ଓ ନିରପେକ୍ଷ ନିର୍ବାଚନ ସୁଦୂର ପରାହତ ଏଥିରେ ସନ୍ଦେହ ନାହିଁ। ଏଥିସହିତ ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ କ୍ଷମତାର ନାଭିକେନ୍ଦ୍ର ଯେଉଁମାନେ, ଯେଉଁଠୁ କ୍ଷମତା ଅନ୍ୟ ପାଖକୁ ସଞ୍ଚରିତ ହୁଏ ସେମାନଙ୍କୁ ବିଜ୍ଞତାର ପରିଚୟ ଦେବାକୁ ପଡ଼ିବ। ସେହି ଜନତା ଜନାର୍ଦ୍ଦନ ହିଁ ଶାସକ ଓ ଶାସନ ବ୍ୟବସ୍ଥାକୁ ଲଗାମ ଦେଇପାରିବେ। ଭାଟ୍‌ ନିଅ ଭୋଟ୍‌ ଦିଅ ଭଳି ଏକ କଳଙ୍କିତ ଅଧ୍ୟାୟର ପୂର୍ଣ୍ଣଚ୍ଛେଦ ପଡ଼ିପାରିବ।
ପ୍ରାକ୍ତନ୍‌ ଯୁଗ୍ମ ସାଧାରଣ ସମ୍ପାଦକ (ଓଷ୍ଟା)
ମୋ:୭୦୦୮୦୭୩୫୯୯


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?