ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମର କାଳୁ ଗୌଡ଼ ନାମକ ଜଣେ ଯୁବକଙ୍କୁ ମରଣାନ୍ତର ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ରବିବାର ସନ୍ଧ୍ୟା ପ୍ରାୟ ୬ ଟାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ୧୦ରୁ ଉର୍ଦ୍ଧ୍ବ ଯୁବକ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିଛନ୍ତି । ତାଙ୍କ ଡାହାଣ ହାତ, ମୁଣ୍ଡ ଓ ବାମ ଗୋଡ ସମେତ ଶରୀରର ଅନ୍ୟ ଭାଗରେ ଖଣ୍ଡା ଚୋଟ ଲାଗିଛି । କାଳୁଙ୍କୁ ପରିବାର ଲୋକେ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ସେଠାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସେଠାରେ କାଳୁଙ୍କ ଚିକିତ୍ସା ଚାଲିଥିବା ଜଣାପଡ଼ିଛି । ଏନେଇ କାଳୁଙ୍କ ଭାଇ କେ.ନୂଆଗାଁ ଥାନାରେ ଏତଲା ଦେଇଛନ୍ତି ।
ଆଇଆଇସି ବିଶ୍ୱଜିତ ନାୟକ ସଦଳବଳେ ଗାଁରେ ପହଞ୍ଚି ସବିଶେଷ ତଦନ୍ତ କରି ଫେରିଛନ୍ତି । ଗିରଫ ଭୟରେ ଅଭିଯୁକ୍ତମାନେ ଫେରାର ଥିବା ଜଣାପଡିଛି । ସନ୍ଧ୍ୟାରେ କାଳୁ ତାଙ୍କ ଭଣଜା ରାମକୃଷ୍ଣ ଗୌଡ଼ଙ୍କ ବାଇକରେ ବସି ଗାଁ ଛକରେ ଥିବା ବାଡକୁ ପାଳ ଗୋଛା ଆଣିବାକୁ ଯାଇଥିଲେ । ରାମକୃଷ୍ଣ ତାଙ୍କୁ ସେଠାରେ ବାଇକରୁ ଓହ୍ଲାଇ ସଉଦା ଆଣିବାକୁ ଭୀଷ୍ମଗିରି ଗ୍ରାମକୁ ପଳାଇଥିଲେ । ପୂର୍ବ ଯୋଜନା ପ୍ରକାରେ ସେଠାରେ ଛକି ରହିଥିବା ମନୋଜଙ୍କ ଗାଁର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ୧୦ ରୁ ଉର୍ଦ୍ଧ୍ବ ବ୍ୟକ୍ତି ତାଙ୍କୁ ଚାରିପଟୁ ଘେରି ଯାଇ ଖଣ୍ଡା, କାତି ଓ ଠେଙ୍ଗାରେ ମରଣାନ୍ତକ ଆକ୍ରମଣ କରିଥିଲେ । ଭଣଜା ରାମକୃଷ୍ଣ ବାଇକରେ ଗାଁକୁ ଫେରୁଥିବା ବେଳେ ତାଙ୍କୁ ମଧ୍ୟ ସେମାନେ ଗୋଡାଇବାରୁ ସେ କୌଶଳକ୍ରମେ ସେଠାରୁ ଦ୍ରୁତ ଗତିରେ ବାଇକ ଯୋଗେ ପଳାଇ ପରିବାର ଲୋକଙ୍କୁ ଫୋନରେ ସବୁ ଘଟଣା କହିଥିଲେ।
ପରିବାର ଲୋକେ ସେଠାରେ ପହଞ୍ଚି କିଛି ଗ୍ରାମବାସୀଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ପ୍ରାୟ ୨୫ ବର୍ଷ ଧରି ଗାଁରେ ଦୁଇ ନିର୍ଦ୍ଦିଷ୍ଟ ଗୋଷ୍ଠୀ ମଧ୍ୟରେ ଆକ୍ରମଣ-ପ୍ରତି ଆକ୍ରମଣ ଲାଗି ରହିଛି । ଉଭୟ ଗୋଷ୍ଠୀର ସଦସ୍ୟମାନଙ୍କ ନାଁରେ କେ.ନୂଆଗାଁ ଥାନାରେ ୧୨ ରୁ ଉର୍ଦ୍ଧ୍ବ ମାମଲା ରହିଛି । କାଳୁ ଗୌଡ଼ଙ୍କ ନାଁରେ ମଧ୍ୟ ପୂର୍ବରୁ ଏକ ହତ୍ୟା ମାମଲା ରହିଛି । ସର୍ତ୍ତ ମୂଳକ ଜାମିନ ରେ ସେ ଜେଲରୁ ଫେରିଛନ୍ତି । ଗତ ୨୦୨୫ ନଭେମ୍ବର ୫ ତାରିଖରେ ସହଦେବ ଟିକରପଡ଼ା ପଞ୍ଚାୟତର ସରପଞ୍ଚ ପ୍ରତିନିଧି ଶ୍ୟାମ ନାଇକଙ୍କୁ ଗାଁ ରାସ୍ତାରେ ହତ୍ୟା ଉଦ୍ୟମ ମାମଲାରେ କାଳୁ ଗୌଡ଼ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ସେ ଜେଲରୁ ଜାମିନରେ ମୁକୁଳିବା ପରେ ଗ୍ରାମର ସାମାଜିକ କର୍ମୀ ମନୋଜ ପଟ୍ଟନାୟକଙ୍କୁ ଗତ ମାର୍ଚ୍ଚ ୧୮ ତାରିଖ ସନ୍ଧ୍ୟାରେ କାଳୁ ଏବଂ ତାଙ୍କ ଗୋଷ୍ଠୀର କିଛି ସଦସ୍ୟ ହତ୍ୟା ଉଦ୍ୟମ କରିଥିଲେ। ଏନେଇ ସେ କୋର୍ଟ ରୁ ଜାମିନ ରେ ଥିବା ପୋଲିସ କହିଛି ।

