ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ନିଳାଦ୍ରୀ ବିହାର ପ୍ରଥମ ଲେନରେ ପ୍ରତିବର୍ଷ ଭଳି ଚଳିତବର୍ଷ ଧର୍ମୀୟ ଭାବନା, ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ମହୋତ୍ସବ ଶନିବାର ଠାରୁ ଶୁଭାରମ୍ଭ ହୋଇଛି । ମା’ ଗଜଲକ୍ଷ୍ମୀଙ୍କ ପୂଜା ଧନ, ଧାନ୍ୟ, ସମୃଦ୍ଧି, ସୁଖ ଓ ଶାନ୍ତିର ପ୍ରତୀକ ଭାବେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବିଶେଷ ମହତ୍ତ୍ୱ ବହନ କରେ। ଏହି ପୂଜା ମାଧ୍ୟମରେ ଅଞ୍ଚଳବାସୀଙ୍କ ମଧ୍ୟରେ ଧାର୍ମିକ ଭାବନା ଜାଗ୍ରତ କରାଯିବା ସହ ସାମାଜିକ ଏକତା ଓ ଭାଇଚାରାର ବାର୍ତ୍ତା ପ୍ରସାରିତ ହେଉଥିବା ମତପ୍ରକାଶ ପାଇଛି । ସମଗ୍ର ଅଞ୍ଚଳ କଲୋନୀରେ ଭକ୍ତିମୟ ପରିବେଶ ସୃଷ୍ଟି ହେବା ସହ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ୍ ଉତ୍ସାହ ପ୍ରକାଶ ପାଇଛି ।
ପୂଜାର ପ୍ରଥମ ଦିବସରେ ମା ‘ ଅଞ୍ଚଳେଶ୍ୱରୀ ଠାକୁରାଣୀ ପୀଠ ସଂଲଗ୍ନ ପୁଷ୍କରିଣୀରୁ ପ୍ରଚଳିତ ବିଧି ବିଧାନ ଅନୁଯାୟୀ ଗଙ୍ଗା ମାତାଙ୍କୁ ଆବାହନ କରାଯିବା ପରେ ବହୁ ସଂଖ୍ୟକ ମହିଳା ଶ୍ରଦ୍ଧାଳୁ ପୂର୍ଣ୍ଣ ଜଳକଳସ ଶୋଭାଯାତ୍ରାରେ ବାହାରି ପୂଜାସ୍ଥଳରେ ପହଞ୍ଚିଥିଲେ । ଏହାପରେ ପାରମ୍ପରିକ ରୀତିନୀତି ଅନୁସାରେ ମା’ଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। କର୍ତ୍ତା ଭାବେ ଦେବାଶିଷ ପଣ୍ଡା ଓ ତାଙ୍କ ଧର୍ମପତ୍ନୀ ସାଇପ୍ରିୟା ପଣ୍ଡା ପୂଜା କାର୍ଯ୍ୟ ତୁଲାଉଛନ୍ତି । ଚଳିତ ବର୍ଷ ଏହି ମା ‘ ଗଜଲକ୍ଷ୍ମୀ ଙ୍କୁ ପୂଜା ମହୋତ୍ସବ ୫ମ ବର୍ଷରେ ପଦାର୍ପଣ କରିଛି । ଏହି ଅବସରରେ ମା’ ଗଜଲକ୍ଷ୍ମୀଙ୍କ ସହସ୍ରାର୍ଚ୍ଚନା ସହ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନର ବ୍ୟବସ୍ଥା କରାଯାଇଥିବା ପୂଜା ପରିଚାଳନା କମିଟି ସଭାପତି ଦାମୋଦର ପାଢ଼ୀ, ସମ୍ପାଦକ କୈଳାସ ଦାସ , କୋଷାଧ୍ୟକ୍ଷ ପ୍ରଭାକର ପାଣିଗ୍ରାହୀ କହିଛନ୍ତି ।
ସୋମବାର ପୂଜା ସ୍ଥଳରେ ଚାଲିଥିବା ମହାହୋମର ପୂର୍ଣ୍ଣାହୁତି ହେବ ବୋଲି ବେଦ ବିଭୂଷଣ ବେଦମୂର୍ତ୍ତି ପଣ୍ଡିତ ସମ୍ଭବ କୁମାର ତ୍ରିପାଠୀ ଶର୍ମା ସୂଚନା ଦେଇଛନ୍ତି । କଲୋନୀର ସୁଦାମ ଦାସ, ସୀମାଞ୍ଚଳ ପଣ୍ଡା, ଲକ୍ଷ୍ମୀ ନାରାୟଣ ପାଢ଼ୀ, କେ. ଜଗନ୍ନାଥ, ଶିବାଶିଷ ଦାସ, ରବି ନାରାୟଣ ପାଢ଼ୀ ସହଯୋଗ କରୁଥିବା ଜଣାପଡ଼ିଛି ।

