ଥୁଆମୂଳ ରାମପୁର, ୨୫।୧୦ (ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ଗ୍ରାମପଞ୍ଚାୟତ ଅଧୀନସ୍ଥ ପାହାଡ଼ ପର୍ବତ ଘେରା ଦୁର୍ଗମ ଅଞ୍ଚଳ କନ୍ଦାଗୁଡା, କେନ୍ଦୁଗୁଡା ଓ ଡେରଲାଠି ଗ୍ରାମରେ ବର୍ତ୍ତମାନ ବିକାଶର ଏକ ନୂତନ ଅଧ୍ୟାୟ ସୃଷ୍ଟି ହେବାକୁ ଯାଉଛି। ଦୁର୍ଗମ ଅଞ୍ଚଳର ବିଭିନ୍ନ ମୌଳିକ ସମସ୍ୟାକୁ ପ୍ରଶାସନ ଆଗରେ ଉପସ୍ଥାପନ କରିବାରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି। ଗଣମାଧ୍ୟମରେ ଏହି ଉପାନ୍ତ ଅଞ୍ଚଳର ସମସ୍ୟା ନେଇ କ୍ରମାଗତ ଭାବେ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଜିଲା ପ୍ରଶାସନର ଦୃଷ୍ଟି ପଡ଼ିଥିଲା ଏବଂ ଆଜିର ସମୟରେ ଏଠାରେ ମୌଳିକ ସୁବିଧା ପହଞ୍ଚିବା ଆରମ୍ଭ ହୋଇଛି।
ଏହି ଗ୍ରାମଗୁଡ଼ିକରେ ପୂର୍ବରୁ କୌଣସି ସ୍ଥାନୀୟ ନେତା କିମ୍ବା ପ୍ରଶାସନିକ ଅଧିକାରୀ ପହଞ୍ଚି ପାରି ନ ଥିଲେ ବୋଲି ଗ୍ରାମବାସୀ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ। ଖବରକାଗଜରେ ଗାଁର ବିଭିନ୍ନ ମୌଳିକ ସମସ୍ୟା ଉପରେ ଖବର ପ୍ରକାଶ ପାଇବା ପରବର୍ତ୍ତୀ ସମୟରେ ଜିଲା ପ୍ରଶାସନର ହସ୍ତକ୍ଷେପରେ ଏହି ଦୁର୍ଗମ ଅଞ୍ଚଳଗୁଡ଼ିକ ବିକାଶ ମୁହାଁ ହୋଇଛି।
ଏହି ପରିପ୍ରେକ୍ଷୀରେ ଜିଲାପାଳ ସଚିନ ପାଓ୍ବାର କନ୍ଦାଗୁଡା ଓ ଦେରଲାଠି ଗ୍ରାମ ପରିଦର୍ଶନ କରି ଗ୍ରାମବାସୀଙ୍କୁ ଭେଟିବା ସହ ସେମାନଙ୍କର ବିଭିନ୍ନ ମୌଳିକ ସମସ୍ୟା ଓ ତାର ସମାଧାନ ସମ୍ପର୍କରେ ଆଲୋଚନା କରିଛନ୍ତି।
ଜିଲାପାଳଙ୍କ ଏହି ଗସ୍ତ ସମୟରେ ଡିଏଫ୍ଓ ପ୍ରଭାକର କୁମାର ବର୍ମା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧ୍ରୁବଚରଣ ମୁଦୁଲି, ପିଏମ୍ଆର୍ଏଚ୍ ଅମୂଲ୍ୟ ବାଉଲ, ସିଇଇ-ଡିଏମ୍ଏଫ୍ ହିମାଂଶୁ ନାଏକ, ବିପିସି-ଆର୍ଏଚ୍ ରାଜେନ୍ଦ୍ର ନାରାୟଣ ଦେବ, ମିଶନ ଶକ୍ତି ବିପିସି ପ୍ରତାପ ନାଏକ, ସ୍ଥାନୀୟ ପିଇଓ, ସରପଞ୍ଚ ଏବଂ ଏଡିଓ ପ୍ରମୁଖ ସାମିଲ ଥିଲେ।

