Posted inଫୁରସତ

ସ୍ବୟଂସିଦ୍ଧା…ଏମିତି କିଛି ନାହିଁ ଯାହା ନାରୀଙ୍କ ପକ୍ଷେ ଅସମ୍ଭବ…

ଯେଉଁଠି କେବଳ ‘ନା’ ‘ନା’ର କଥା ଥିଲା ସେମାନେ କିନ୍ତୁ ‘ହଁ’ ପାଇଁ ଅଡ଼ି ବସିଥିଲେ। ପାରିବି ନାହିଁର ଶବ୍ଦ ନ ଥିଲା ଏମାନଙ୍କ ଶବ୍ଦ କୋଷରେ। ସବୁ ପ୍ରତିକୂଳ ପରିସ୍ଥିତିକୁ କେମିତି ଅନୁକୂଳ ପରିସ୍ଥିତିରେ ପରିବର୍ତ୍ତନ କରାଯାଇପାରେ ସେ ରାସ୍ତା ଏମାନଙ୍କୁ ବେଶ୍‌ ଜଣାଥିଲା। ଜାଣିଥିଲେ, ଆଉ ଦୁନିଆକୁ ଜଣେଇ ବି ଦେଲେ ଯେ ଏମିତି କିଛି ରାସ୍ତା ନାହିଁ କି, ଏମିତି କିଛି କାମ ନାହିଁ ଯାହା ନାରୀଙ୍କ ପକ୍ଷେ ଅଗମ୍ୟ ଆଉ ଅସମ୍ଭବ।

ସିଆଚେନ୍‌ରେ ସାହସୀ ଶିବା
ସିଆଚେନ୍‌! ପୃଥିବୀର ଉଚ୍ଚତମ ଯୁଦ୍ଧକ୍ଷେତ୍ର। ୨୦ ହଜାର ଫୁଟ୍‌ ଉଚ୍ଚତାବିଶିଷ୍ଟ ଏହି ସ୍ଥାନରେ ୧୯୮୪ ମସିହାରୁ ମଝିରେ ମଝିରେ ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଛି। ଏହା ଏମିତି ଏକ ସ୍ଥାନ, ଯେଉଁଠି ତାପମାତ୍ରା କେବେ ବି ଜିରୋ ଡିଗ୍ରୀର ଊର୍ଦ୍ଧ୍ୱକୁ ଯାଇନି। ଶୀତଦିନେ ମାଇନସ୍‌ ୪୦ରୁ ମାଇନସ୍‌ ୬୦ ଡିଗ୍ରୀ ତାପାମାତ୍ରା ରହୁଥିବା ଏହି ସ୍ଥାନରେ ଭାରତ ମାତାର ସୁରକ୍ଷା ଦାୟିତ୍ୱରେ ଜଣେ ଝିଅ ଅଛନ୍ତି, ଏ କଥା କାହାକୁ ବି ଚକିତ କରି ଦେଇପାରେ। ହେଲେ ଏହାକୁ ସତ କରି ଦେଖାଇଛନ୍ତି କ୍ୟାପଟେନ୍‌ ଶିବା ଚୌହାନ। ୨୦୨୩ ଜାନୁୟାରୀ ୨ ତାରିଖରେ ଭାରତୀୟ ସେନାର ପ୍ରଥମ ମହିଳା ଅଧିକାରୀ ଭାବରେ ସିଆଚେନ୍‌ର ‘କୁମାର ପୋଷ୍ଟ’ରେ ଶିବାଙ୍କ ନିଯୁକ୍ତି ଭାରତ ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡିଛି।

୧୯୯୭ ଜୁଲାଇ ୧୮ ତାରିଖରେ ରାଜସ୍ଥାନର ଉଦୟପୁରରେ ଜନ୍ମିତ ଶିବାଙ୍କୁ ଯେତେବେଳେ ୧୧ ବର୍ଷ ବୟସ, ସେତେବେଳେ ତାଙ୍କ ପିତା ରାଜେନ୍ଦ୍ର ସିଂ ଚୌହାନଙ୍କର ଦେହାନ୍ତ ହୁଏ। ରାଜେନ୍ଦ୍ରଙ୍କର ଏକ ରେଡିୟମ୍‌ ନମ୍ବର ପ୍ଲେଟ ଦୋକାନ ଥିଲା, ଯେଉଁଥିରେ ପରିବାର ଚଳୁଥିଲା। ପିତାଙ୍କ ଦେହାନ୍ତ ପରେ ଘରର ଆର୍ଥିକ ସ୍ଥିତି ବିଗିଡ଼ିବାକୁ ଲାଗିଲା। ମା’ ଅଞ୍ଜଳି ଚୌହାନ ଛୋଟମୋଟ କାମ କରିବାକୁ ବାଧ୍ୟ ହେଲେ। ଏସବୁ ଦେଖି ବଡ ଭଉଣୀ ଶୁଭାମ ଓ ନିଜର ପଢା ଖର୍ଚ୍ଚ ତୁଲାଇବା ପାଇଁ ଶିବା ନବମରେ ପଢ଼ିବାବେଳେ ଟ୍ୟୁସନ ଆରମ୍ଭ କଲେ। ସେଣ୍ଟ ଆନ୍ଥୋନୀ ସିନିୟର ସେକେଣ୍ଡାରୀ ସ୍କୁଲ୍‌ରୁ ଉତ୍ତୀର୍ଣ୍ଣ ହେବାପରେ, ସେ ଉଦୟପୁର ଏନ୍‌ଜେଆର୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜିରୁ ସିଭିଲ୍‌ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କଲେ। ତେବେ ପିଲାଦିନୁ ତାଙ୍କର ଇଚ୍ଛା ଥିଲା ଭାରତୀୟ ସେନାରେ କାମ କରିବେ। ତେଣୁ ପଢ଼ା ଶେଷ ପରେ ତିନି ସୈନ୍ୟ ବାହିନୀ ପାଇଁ ଉଦ୍ଦିଷ୍ଟ ପରୀକ୍ଷା ସେ ଦେଇଥିଲେ। ଆଉ ସବୁଠି ଯୋଗ୍ୟ ବିବେଚିତ ମଧ୍ୟ ହେଲେ। ତେବେ କର୍ମକ୍ଷେତ୍ର ପାଇଁ ଶିବା ସ୍ଥଳସେନାକୁ ହିଁ ବାଛିଥିଲେ। ଆଉ ୨୦୨୦ରେ ବିଧିବଦ୍ଧ ଭାବରେ ଚେନ୍ନାଇସ୍ଥିତ ଅଫିସର୍ସ ଟ୍ରେନିଂ ଏକାଡେମୀରେ ଯୋଗଦେଲେ। ସବୁଠୁ ଖୁସିର କଥା ଥିଲା, ୧୪ତମ ଫାୟାର୍‌ ଆଣ୍ଡ୍‌ ଫ୍ୟୁରି କର୍‌ରେ କ୍ୟାପଟେନ୍‌ ହେବା ପରେ ୧୮ଜୁଲାଇରେ ତାଙ୍କ ଜନ୍ମଦିନରେ ହିଁ ସେ ନିଯୁକ୍ତି ପାଇଲେ। କ୍ୟାପଟେନ୍‌ ଭାବେ ଗଲଓ୍ବାନ୍‌ରେ ଚାଇନା ସେନାକୁ ପରାସ୍ତ କରିବାରେ ତାଙ୍କର ଥିଲା ପ୍ରମୁଖ ଭୂମିକା। ୨୦୨୧ ମେ’ରେ ସେ ବେଙ୍ଗଲ ସାପର ଅଫିସର ଭାବରେ କାର୍ଯ୍ୟ କରିଥିଲେ। କିନ୍ତୁ ତାଙ୍କ ପାଇଁ ସବୁଠୁ ବଡ ଗୌରବର କଥା ଥିଲା, ଯେତେବେଳେ ୨୦୨୩ ଜାନୁୟାରୀରେ ସେ ସିଆଚେନ୍‌ରେ ନିଯୁକ୍ତି ପାଇଲେ। ନିଜର ଦୁଃସାହସିକ ପଦକ୍ଷେପ ପାଇଁ ସର୍ବଦା ଚର୍ଚ୍ଚାରେ ରହୁଥିବା ଶିବା କାର୍‌ଗିଲ୍‌ ବିଜୟ ଦିବସରେ ସୁରାସୋଇ ସାଇକେଲ ଅଭିଯାନର ନେତୃତ୍ୱ ନେଇ ସିଆଚେନ୍‌ ଓ୍ବାର୍‌ ମେମୋରିଆଲ୍‌ରୁ କାର୍‌ଗିଲ୍‌ ଓ୍ବାର୍‌ ମେମୋରିଆଲ୍‌କୁ ଯାତ୍ରା କରିଥିଲେ। ଦୃଢ଼ମନା ଶିବାଙ୍କ ଦୁଃସାହସିକ ପଦେକ୍ଷପ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କଠାରୁ ଆରମ୍ଭ କରି ସବୁ ବର୍ଗରୁ ତାଙ୍କୁ ମିଳିଛି ଅନେକ ଶୁଭେଚ୍ଛା ଓ ପ୍ରଶଂସା। ଶିବାଙ୍କ ଦକ୍ଷତା ଆଗାମୀ ସମୟରେ ପ୍ରତିରକ୍ଷା କ୍ଷେତ୍ରରେ ଆସିବା ପାଇଁ ଝିଅମାନଙ୍କୁ ଯେ ନିଶ୍ଚିତ ପ୍ରେରଣା ଦେବ ଏକଥା ନିଃସନ୍ଦେହ।

ହାର୍‌ ମାନିଛି ବୟସ
ଦୃଢ ଇଚ୍ଛାଶକ୍ତି ଆଗରେ ସବୁକିଛି ହାର୍‌ ମାନିଥାଏ। ଏମିତିକି ବୟସ ବି। ବୟସ କେବଳ ଗୋଟିଏ ସଂଖ୍ୟା ମାତ୍ର; ଯାହା ପ୍ରମାଣିତ କରିଛନ୍ତି ଭଗଓ୍ବାନି ଦେବୀ ଡାଗର୍‌। ୯୪ ବର୍ଷ ବୟସରେ ସେ ଓ୍ବାଲର୍‌ଡ ମାଷ୍ଟର୍ସ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ୨୦୨୨ରେ ସ୍ବର୍ଣ୍ଣପଦକ ହାସଲ କରି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ୧୦୦ ମିଟର ଦୌଡ଼କୁ ସେ ୨୪.୭୪ ସେକେଣ୍ଡରେ ଅତିକ୍ରମ କରି ଭାରତ ପାଇଁ ଏହି ଗୌରବ ଆଣିଛନ୍ତି। ସାଧାରଣତଃ ୩୫ ବର୍ଷରୁ ଊର୍ଦ୍ଧ୍ୱ ଖେଳାଳିମାନେ ଏହି ପ୍ରତିଯୋଗିତାରେ ଭାଗ ନେଇଥାନ୍ତି। ବିଭିନ୍ନ ବର୍ଗକୁ ନେଇ ୩୫ରୁ ୧୦୫ ବର୍ଷ ଯାଏ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ। ଅତି ବର୍ଗରେ ଭଗଓ୍ବାନି ଦେବୀ ଅଂଶଗ୍ରହଣ କରି କେବଳ ସଫଳତା ପାଇଲେ ସେକଥା ନୁହେଁ ବରଂ ପ୍ରମାଣ କରିଦେଲେ ଯେ, ଦୃଢ ଇଚ୍ଛାଶକ୍ତି ଆଗରେ ବୟସ କେବେ ପ୍ରତିବନ୍ଧକ ହେବନାହିଁ। ହରିୟାଣାର ଖିଡ୍‌କା ଗ୍ରାମରେ ୧୯୨୮ ମସିହାରେ ଜନ୍ମଗ୍ରହଣ କରିଥିବା ଭଗଓ୍ବାନିଙ୍କ ଜୀବନ ବେଶ୍‌ ସଂଘର୍ଷମୟ। ୨୯ ବର୍ଷ ବୟସରେ ତାଙ୍କ ସ୍ବାମୀଙ୍କର ଦେହାନ୍ତ ହୋଇଥିଲା, ଯେତେବେଳେ କି ସେ ଅନ୍ତଃସତ୍ତ୍ୱା ଥିଲେ। ତା’ର ୪ବର୍ଷ ପରେ ତାଙ୍କ ବଡ଼ ଝିଅ ୧୧ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ। ତା’ପରେ ତାଙ୍କର ଏକ ବାଇପାସ୍‌ ସର୍ଜରି ବି ହୋଇଛି। ତେବେ ଭଗଓ୍ବାନିଙ୍କ ବିଷୟରେ ସବୁଠୁ ଚକିତ କରିଦେବା ବିଷୟ ହେଉଛି ୨୦୨୨ରେ ହିଁ ସେ ତାଙ୍କ କ୍ରୀଡ଼ା ଜୀବନ ଆରମ୍ଭ କରିଛନ୍ତି। ପ୍ରଥମେ ଦିଲ୍ଲୀ ଷ୍ଟେଟ୍‌ ମାଷ୍ଟର୍ସ ଆଥଲେଟିକ୍‌ ମିଟ୍‌ରେ ୧୦୦ ମିଟର ଦୌଡ଼, ଜାଭ୍‌ଲିନ୍‌ ଥ୍ରୋ ଓ ଶଟ୍‌ପୁଟ୍‌ରେ ୩ଟି ସ୍ବର୍ଣ୍ଣପଦକ ଜିତିଥିବା ଭଗଓ୍ବାନିଙ୍କର ସଫଳତା ବିଷୟରେ ତାଙ୍କ ନାତି ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାରପ୍ରାପ୍ତ ପାରା ଆଥ୍‌ଲେଟ୍‌ ବିକାଶ ଟାଗର୍‌ କୁହନ୍ତି, ଜେଜେମା’ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ୩ କି.ମି. ଚାଲନ୍ତି। କିନ୍ତୁ ସେ ଜାଣି ନ ଥିଲେ ଜେଜେମା’ଙ୍କର କ୍ରୀଡ଼ା ପ୍ରତି ଆଗ୍ରହ ଅଛି। ଥରେ ରାତିରେ ଜେଜେମା’ ତାଙ୍କୁ ଶଟ୍‌ପୁଟ୍‌ ଦେବାକୁ କହିଥିଲେ। ତା’ପରଦିନ ସକାଳେ ତାଙ୍କୁ ଉଠାଇ ବଲ୍‌ ଦେବାକୁ କହିଲେ। ସେହି ଦିନଠୁ ଜେଜେମା’ ଓ ସେ ପଡ଼ିଆକୁ ଯାଇ ଖେଳ ଅଭ୍ୟାସ କଲେ। ଆଗରୁ ବି ଭଗଓ୍ବାନି ଦେବୀ ଚାଲିବା ସହିତ ୩ ମହଲା ଘରକୁ ଶିଡିରେ ସବୁବେଳେ ଯିବାଆସିବା କରୁଥିଲେ। କ୍ରୀଡ଼ା ଅଭ୍ୟାସ କରିବା ପରେ ବିକାଶ ହିଁ ତାଙ୍କୁ ଉତ୍ସାହିତ କରିଥିଲେ ଅନ୍ତର୍ଜାତୀୟ କ୍ରୀଡ଼ାରେ ଭାଗ ନେବାପାଇଁ। ୨୦୨୨ ମେ’ ମାସରେ ଭଗଓ୍ବାନି ଚେନ୍ନାଇରେ ଅନୁଷ୍ଠିତ ନ୍ୟାଶନାଲ୍‌ ମାଷ୍ଟର୍ସ ଆଥ୍‌ଲେଟିକ୍ସରେ ଭାଗ ନେଇ ୩ଟି ସ୍ବର୍ଣ୍ଣପଦକ ଜିତିବା ପରେ ଅନ୍ତର୍ଜାତୀୟ କ୍ରୀଡ଼ାରେ ଭାଗ ନେବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ଶେଷରେ ଫିନ୍‌ଲାଣ୍ଡରେ ଅନୁଷ୍ଠିତ ଓ୍ବାଲର୍‌ଡ ମାଷ୍ଟର୍ସ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ରେ ଭାଗ ନେଇ ଭାରତ ପାଇଁ ଗୌରବ ଆଣିବାରେ ସକ୍ଷମ ହେଲେ। ଏହାପରେ ସେ ୨୦୨୩ରେ ପୋଲାଣ୍ଡର ତୋରୁନ୍‌ଠାରେ ଅନୁଷ୍ଠିତ ହେବାକୁ ଥିବା ଓ୍ବାଲର୍‌ଡ ମାଷ୍ଟର୍ସ ଇନ୍‌ଡୋର୍‌ ଆଥ୍‌ଲେଟିକ୍ସ ଚାମ୍ପିୟନ୍‌ଶିପ୍‌ରେ ମଧ୍ୟ ଅଂଶଗ୍ରହଣ କରିବେ। ସତରେ ଭଗଓ୍ବାନି ପ୍ରମାଣ କରିଦେଲେ ଯେ ଦୃଢ଼ ଇଚ୍ଛାଶକ୍ତି ଯେ କୌଣସି ଅସମ୍ଭବକୁ ବି ସମ୍ଭବ କରିପାରେ।

ସେନାର ଉଡ଼ନ୍ତା ରାଣୀ
ମିଲିଟାରୀ କ୍ୟାଣ୍ଟନ୍‌ମେଣ୍ଟରେ ସେନା ୟୁନିଫର୍ମ ପିନ୍ଧା ମଣିଷମାନଙ୍କୁ ଦେଖି ବଢିଛନ୍ତି କିନ୍ତୁ କେବେ ଭାବି ନ ଥିଲେ ଦିନେ ସେ ବି ୟୁନିଫର୍ମ ପିନ୍ଧି ଜନ୍ମମାଟି ପାଇଁ ନିଜର କର୍ତ୍ତବ୍ୟ କରିବେ। ଇଏ ହେଲେ ଇଣ୍ଡିଆନ୍‌ ଆର୍ମିର ଲଢୁଆ ହେଲିକପ୍ଟରର ପ୍ରଥମ ମହିଳା ପାଇଲଟ୍‌ କ୍ୟାପଟେନ୍‌ ଅଭିଳାଷା ବାରାକ। ତାଙ୍କ ପିତା କଲୋନେଲ ଏସ୍‌. ଓମ୍‌ ସିଂ ୨୦୧୧ରେ ସେନାରୁ ଅବସର ନେବା ପରେ ହିଁ ତାଙ୍କ ଭିତରେ ସେନାରେ କାମ କରିବାର ଇଚ୍ଛା ଆସିଲା ଆଉ ଏହି ଇଚ୍ଛା ସେତିକିବେଳେ ଦୃଢ଼ ହେଲା ଯେତେବେଳେ ସେ ତାଙ୍କ ବଡ଼ ଭାଇଙ୍କୁ ଇଣ୍ଡିଆନ ମିଲିଟାରୀ ଏକାଡେମୀରେ ପରେଡ୍‌ କରୁଥିବାର ଦେଖିଲେ। ୧୯୯୪ ମସିହାରେ ତାମିଲନାଡୁର ଓ୍ବେଲିଙ୍ଗଟନ୍‌ରେ ଜନ୍ମଗ୍ରହଣ କରିଥିବା ଅଭିଳାଷା ଭାରତର ବିଭିନ୍ନ ଜାଗାରେ ତାଙ୍କ ପାଠପଢା ଶେଷ କରିଛନ୍ତି। କାରଣ ତାଙ୍କ ବାପା ହେଉଛନ୍ତି ଆର୍ମି ଅଫିସର। ହିମାଚଳ ପ୍ରଦେଶର ସନଓ୍ବାରସ୍ଥିତ ଲରେନ୍ସ ସ୍କୁଲରେ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିବା ଅଭିଳାଷା ପରେ ଦିଲ୍ଲୀ ବସନ୍ତ ବିହାରସ୍ଥିତ ତାପୋର ଇଣ୍ଟରନ୍ୟାଶନାଲ ସ୍କୁଲରେ ପଢିଥିଲେ। ପରେ ସେ ଦିଲ୍ଲୀ ଟେକ୍ନୋଲୋଜିକାଲ ୟୁନିଭରସିଟିରୁ ଇଲେକ୍‌ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେଶନ ଇଞ୍ଜିନିୟରିଂରେ ବିଟେକ୍‌ କରନ୍ତି। ୨୦୧୪ରେ ସେ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆର୍‌ଡିଓ)ରେ ଟ୍ରେନି ଭାବେ ଯୋଗ ଦିଅନ୍ତି। ତେବେ ୨୦୧୮ରେ ଭାରତୀୟ ଆର୍ମିର ଚେନ୍ନାଇଠାରେ ଅଫିସର୍‌ ଟ୍ରେନିଂ ଏକାଡେମୀରେ ଯୋଗଦେଇ ସେ କ୍ୟାରିୟର ଆରମ୍ଭ କରନ୍ତି। ଏହିଠାରେ ତାଙ୍କ କାର୍ଯ୍ୟଦକ୍ଷତା ବରିଷ୍ଠଙ୍କ ଦୃଷ୍ଟିଆକର୍ଷଣ କରେ। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଆର୍ମି ଏୟାର ଡିଫେନ୍ସକୁ ପ୍ରେଜେଣ୍ଟେଶନ ଅଫ୍‌ କଲର୍ସ ଦିଆ ଯିବାବେଳେ ତାଙ୍କୁ କଣ୍ଟିନ୍‌ଜେଣ୍ଟ କମାଣ୍ଡର ଭାବେ ଚୟନ କରାଯାଇଥିଲା। ପରେ ସେ ଆର୍ମି ଏୟାର ଡିଫେନ୍ସ ୟଙ୍ଗ ଅଫିସର୍ସ କୋର୍ସରେ ଏ ଗ୍ରେଡ୍‌ ପାଇଥିଲେ। ଏହାସହ ସେ ଏୟାର୍‌ ଟ୍ରାଫିକ୍‌ ମ୍ୟାନେଜମେଣ୍ଟ ଓ ଏୟାର୍‌ ଲ’ରେ ମଧ୍ୟ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଥିଲେ। ତେବେ ଆଜି ଯେଉଁଥିପାଇଁ ସେ ଶିରୋନାମାରେ ଆସିଛନ୍ତି ସେହି ମୁହୂର୍ତ୍ତର ଆରମ୍ଭ ସେତିକିବେଳେ ହୋଇଥିଲା ଯେତେବେଳେ ସେ ଅଫିସର୍ସ ଟ୍ରେନିଂ ଏକାଡେମୀରୁ ଉତ୍ତୀର୍ଣ୍ଣ ହେବା ପରେ ଆର୍ମି ଆଭିଏଶନ୍‌ ପାଇଁ ନିଷ୍ପତ୍ତି ନେଲେ। ଆଉ ତାଙ୍କର ବିଶ୍ୱାସ ଥିଲା କି ସେ ନିଶ୍ଚୟ ସଫଳତା ପାଇବେ। ଆଉ ଯାହା ପରବର୍ତ୍ତୀ ସମୟରେ ଇତିହାସରେ ଲେଖାହେଲା, ତାହା ଥିଲା ତାଙ୍କ ଦୃଢ଼ ବିଶ୍ୱାସର ଫଳ। ମେ’ ୨୬ ତାରିଖରେ ଇଣ୍ଡିଆନ ଆର୍ମିର ପ୍ରଥମ ମହିଳା ଲଢୁଆ ପାଇଲଟ୍‌ ଭାବରେ ଅଭିଳାଷା ଇତିହାସ ରଚିଲେ। ତାଙ୍କୁ ମିଶାଇ ନାଶିକ୍‌ରେ ୧୫ଜଣ ପ୍ରଶିକ୍ଷଣ ନେଉଥିଲେ। କିନ୍ତୁ ତାଙ୍କ ସାହସ ଓ ଦୃଢ଼ ମନୋବଳ ତାଙ୍କୁ ଶିର୍‌ପା ପିନ୍ଧାଇଥିଲା। ପୂରା ପରିବାର ତାଙ୍କ ଦେଶ ସେବାରେ ଥିବାବେଳେ ସେ ବି ଏବେ ସାମିଲ ହୋଇଛନ୍ତି, ଯେଉଁଥିପାଇଁ ସେ ଖୁବ୍‌ ଖୁସି। ଲଢୁଆ ହେଲିକପ୍ଟରର ପାଇଲଟ୍‌ ଭାବରେ ତାଙ୍କ ପାଖରେ ଦାୟିତ୍ୱ ଯେତିକି ଆହ୍ବାନ ବି ସେତିକି।

ପ୍ରଥମ ମହିଳା ବାଉନ୍ସର୍‌
ଝିଅମାନେ ପାଠ ପଢ଼ିଲେ କାଳେ ନିଜ ପସନ୍ଦରେ ବିବାହ କରିଦେବେ ଏହି ଡରରେ ତାଙ୍କ ବାପା ଘରେ ବିଦ୍ୟୁତ୍‌ ବିଚ୍ଛିନ୍ନ କରି ଦେଉଥିଲେ। କିନ୍ତୁ ବାପାଙ୍କର ଏହି ରକ୍ଷଣଶୀଳ ଚିନ୍ତାଧାରା ବିରୋଧରେ ସ୍ବର ଉଠାଇଥିଲେ ମା’। ମା’ଙ୍କର ପ୍ରଚେଷ୍ଟାରେ ପାଠ ପଢ଼ି ଏବେ ପରିବାରର ଦାୟିତ୍ୱ ନେବା ସହିତ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଇଏ ହେଲେ ପ୍ରଥମ ବାଉନ୍ସର୍‌ ମେହରୁନିସା ଶଉକତ ଅଲ୍ଲୀ। ଏକ ରକ୍ଷଣଶୀଳ ପରିବାରରୁ ଆସି ପୁଣି ଏକ ପୁରୁଷପ୍ରଧାନ ପେସାକୁ ଆପଣେଇବାର ଯାତ୍ରା ମେହରୁନିସାଙ୍କ ପାଇଁ ଆଦୌ ସହଜ ନ ଥିଲା। ସାଧାଣରତଃ ନାଇଟ କ୍ଲବ୍‌ ବା ସେମିତି କୌଣସି ସଂସ୍ଥାରେ ଶୃଙ୍ଖଳା ପାଇଁ ନିୟୋଜିତ ବ୍ୟକ୍ତିବିଶେଷଙ୍କୁ ବାଉନ୍ସର୍‌ କୁହାଯାଏ। ଏମାନଙ୍କ କାମ ହେଲା ନିଶାସକ୍ତ ବା ବିଶୃଙ୍ଖଳାକାରୀଙ୍କୁ କାବୁ କରିବା। ତେଣୁ ଆଜି ପର୍ଯ୍ୟନ୍ତ ଏହି ପେସା କେବଳ ପୁରୁଷଙ୍କ ଅକ୍ତିଆରରେ ଥିଲା; ସେ ପୁଣି ବଳବାନ୍‌ ପୁରୁଷ। ହେଲେ ମେହରୁନିସା ଥିଲେ ସମ୍ପୂର୍ଣ୍ଣ ଭିନ୍ନ। କେବଳ ପୁରୁଷଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ଧାରଣା ଥିବା ଏହି ପେସାର ପରିଚୟ ବଦଳେଇ ସେ ହେଲେ ପ୍ରଥମ ମହିଳା ବାଉନ୍ସର୍‌।

ଉତ୍ତରପ୍ରଦେଶର ସାହରନ୍‌ପୁରର ଏକ ମୁସଲମାନ ପରିବାରରେ ମେହରୁନିସାଙ୍କର ଜନ୍ମ। ମା’-ବାପାଙ୍କ ଚାରିଝିଅ ମଧ୍ୟରେ ସେ ହେଲେ ଦ୍ୱିତୀୟ। ସେ ଏକାଦଶରେ ପଢୁଥିବା ସମୟରେ ବାପାଙ୍କ ବ୍ୟବସାୟରେ ଖୁବ୍‌ କ୍ଷତି ହେଲା। ପରିବାର ଆର୍ଥତ୍କ ସଙ୍କଟ ଦେଇ ଗତିକଲା। କେମିତି ଚାକିରି କରି ପରିବାରର ଦାୟିତ୍ୱ ନେବେ ସେହି ଚିନ୍ତାରେ ଥାଆନ୍ତିି ମେହରୁନିସା। କିନ୍ତୁ ତାଙ୍କର ଇଚ୍ଛା ଥାଏ ପୋଲିସ କିମ୍ବା ସେନାରେ କାମ କରିବା; ଯେଉଁଥିପାଇଁ ସେ ସ୍କୁଲ ସମୟରୁ ଏନ୍‌ସିସି କ୍ୟାଡେଟ୍‌ ଭାବରେ ପ୍ରଶିକ୍ଷଣ ନେବା ସହ କରାଟେ ମଧ୍ୟ ଶିଖୁଥିଲେ। ସୈନ୍ୟବାହିନୀ ଓ ପୋଲିସ ବିଭାଗରେ ଆବେଦନ କରି ପରୀକ୍ଷା ବି ଦେଇଥିଲେ କିନ୍ତୁ କୌଣସିଥିରେ ସଫଳ ହେଲେ ନାହିଁ। ଏ ଭିତରେ ସେ ନୂଆଦିଲ୍ଲୀରେ ହେଉଥିବା ‘ଇଣ୍ଡିଆନ୍‌ ଆଇଡଲ୍‌’ରେ ଭାଗ ନେବାକୁ ଯାଇଥିବାବେଳେ ପ୍ରଥମ ଥର ବାଉନ୍ସର୍‌ଙ୍କୁ ଭେଟିଲେ। ସେହି ମୁହୂର୍ତ୍ତରେ ସେ ଚିନ୍ତା କରିଥିଲେ, ସେ ବି ଜଣେ ବାଉନ୍ସର୍‌ ହେବେ। ଆଗରୁ ଲୋକମାନଙ୍କୁ ସୁରକ୍ଷା ଦେଉଥିବା ମହିଳାମାନଙ୍କୁ ସିକ୍ୟୁରିଟି ଗାର୍ଡ ବା ବଡିଗାର୍ଡ କୁହାଯାଉଥିଲା। କିନ୍ତୁ ଏହାକୁ ବିରୋଧ କଲେ ମେହରୁନିସା। ମହିଳାମାନଙ୍କୁ ବାଉନ୍ସର୍‌ ବୋଲି କୁହାଯିବାକୁ ସେ ଦାବି କଲେ; ଯେଉଁଥିପାଇଁ ତାଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ବି ପଡିଲା। ଏହି ସମୟରେ ଦିଲ୍ଲୀର ଏକ ସଂସ୍ଥା ମହିଳା ବାଉନ୍ସର୍‌ ଚାହୁଁଥିବା ଜାଣିବା ପରେ ସେ ସେଠାରେ ଆବେଦନ କଲେ ଓ ସଫଳ ହେଲେ। ହେଲେ ଏବେ ସମସ୍ୟା ହେଲା ନିଜ ପରିବାରକୁ ନିଜ କାର୍ଯ୍ୟ ସମ୍ପର୍କରେ ବୁଝାଇବା। କାରଣ ସମସ୍ତଙ୍କୁ ଜଣାଥିଲା ଏହା ପୁରୁଷମାନଙ୍କ କାମ। ଏପଟେ ପରିବାରର ଆର୍ଥିକ ସ୍ଥିତି ବି ଖରାପ ଥିଲା। ଦେଖିବାକୁ ଗଲେ, ପରିବାରର ଏହି ସ୍ଥିତି ବି ତାଙ୍କୁ ବାଉନ୍ସର୍‌ ହେବା ପାଇଁ ବାଟ କଢାଇ ନେଲା। ପରିବାରର ଦାୟିତ୍ୱ ଏବେ ସେ ନିଜେ ନେଇଗଲେ।

ଦିନେ ମାତ୍ର ୧୨ ବର୍ଷ ବୟସରେ ତାଙ୍କ ବାପା ତାଙ୍କୁ ବାହା କରିଦେବାକୁ ଚାହୁଁଥିଲେ, ଟାଇଫଏଡ୍‌ ଯୋଗୁ ସେ ଶଯ୍ୟାଶାୟୀ ହୋଇଗଲେ। ହେଲେ ରୋଗରୁ ଆରୋଗ୍ୟ ହେବା ପରେ ନିଜ ହିସାବରେ ଜୀବନ ଜିଇବାର ଝୁଙ୍କ୍‌ ରହିଲା ତାଙ୍କ ଭିତରେ। କମ୍‌ ବୟସରେ ବିବାହ କରି ଭଉଣୀ ଯେଉଁ ଦୁଃଖ ଯନ୍ତ୍ରଣା ସହୁଥିଲେ, ତାହା ତାଙ୍କୁ ମର୍ମାହତ କରୁଥିଲା। ସବୁଠୁ ବେଶି କଷ୍ଟ ପାଇଲେ ଯେତେବେଳେ ଭଉଣୀ ଦୁର୍ଘଟଣାଗ୍ରସ୍ତ ହୋଇ ଦିବ୍ୟାଙ୍ଗ ହୋଇଗଲେ। ଭିଣୋଇ ତିନି ପିଲାଙ୍କ ସହ ତାଙ୍କୁ ଆଣି ବାପଘରେ ଛାଡି ଦେଇଗଲେ। ପରିବାରର ଆର୍ଥିକ ସ୍ଥିତି ଉପରେ ଏହା ଯେମିତି ଆଉ ଏକ ବୋଝ ହୋଇଗଲା। ତେବେ ମେହରୁନିସା କିନ୍ତୁ ସମସ୍ତଙ୍କ ଦାୟିତ୍ୱ ନେବା ପାଇଁ ନିଷ୍ପତ୍ତି ନେଲେ। ବାଉନ୍ସର୍‌ ହେବା ପରେ ତାଙ୍କ ଘରର ଆର୍ଥିକ ସ୍ଥିତି ବଦଳିଯାଇଛି। ଏବେ ନିଜ ସାନ ଭଉଣୀଙ୍କୁ ବାଉନ୍ସର କରିବା ସହିତ ଦୁଇଜଣଙ୍କ ସହ ମିଶି ‘ମର୍ଦାନୀ ବାଉନ୍ସର ଆଣ୍ଡ ଡଲଫିନ୍‌୍‌ ସିକ୍ୟୁରିଟି ସର୍ଭିସ୍‌ ପ୍ରାଇଭେଟ ଲିମିଟେଡ୍‌’ ନାମରେ ଏକ କମ୍ପାନୀ ଗଢିଛନ୍ତି। ଏହି ସଂସ୍ଥାରୁ ପ୍ରଶିକ୍ଷିତ ହୋଇ ଅନେକ ଶିକ୍ଷାର୍ଥୀ ବିଭିନ୍ନ ସଂସ୍ଥାରେ ଏବେ କାର୍ଯ୍ୟରତ। ତାଙ୍କର ଏହି ସଫଳତାରେ ତାଙ୍କ ବାପା କେବଳ ଖୁସି ନୁହନ୍ତି ତାଙ୍କ ରକ୍ଷଣଶୀଳତା ଚିନ୍ତାଧାରାରେ ବି ଆସିଛି ପରିବର୍ତ୍ତନ। ସତରେ ଗୋଟେ ଚିରାଚରିତ ବ୍ୟବସ୍ଥା ବିରୋଧରେ ଲଢି ନିଜକୁ ଠିକ୍‌ ବୋଲି ପ୍ରତିପାଦିତ କରି ଛିଡ଼ା ହୋଇପାରିଥିବା ମେହରୁନିସା ନିଶ୍ଚିତ ଭାବରେ ଅନ୍ୟ ଝିଅମାନଙ୍କ ପାଇଁ ପ୍ରେରଣା।
ଏମାନଙ୍କ ପରି ଏମିତି ଅନେକ ମହିଳା ଅଛନ୍ତି, ଯେଉଁମାନେ ସ୍ରୋତରେ ଭାସି ନ ଯାଇ ସମସ୍ତଙ୍କ ଭିତରେ ଜଣେ ହେବା ପାଇଁ ହେଉ କି ପୁରୁଷଙ୍କ ସହ ସମାନ ହେବା ପାଇଁ ବ୍ୟବସ୍ଥା ସହ ଲଢିଛନ୍ତି କିନ୍ତୁ ହକ୍‌ ମାଗିନାହାନ୍ତି। ନିଜ ଯୋଗ୍ୟତାରେ ହକଦାର୍‌ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?