କଲ୍ୟାଣସିଂହପୁର,୧୯।୪ (ଦୀପକ କୁମାର ପରିଡା ): ଶ୍ୱଶୁରଘରେ ଜ୍ୱାଇଁଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ପାର୍ସାଲି ପଞ୍ଚାୟତ ଅନ୍ତର୍ଗତ ଗୁମ୍ମା ଗାଁରେ ଶନିବାର ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ସୁରେନ୍ଦ୍ର ବିଭର (୨୫)। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତକରି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ୨ବର୍ଷରୁ ଊର୍ଦ୍ଧ୍ୱ ହେବ ସୁରେନ୍ଦ୍ର ତାଙ୍କ ଶ୍ୱଶୁରଘରେ ରହି ଟ୍ରାକ୍ଟର ଚଳାଉଥିଲେ। ଶୁକ୍ରବାର ନିଜ ଗାଁ କଳାକୁପାକୁ ଯାଇ ଶ୍ୱଶୁରଘର ଗୁମ୍ମାକୁ ଫେରିଥିଲେ। ଶନିବାର ସକାଳ ପ୍ରାୟ ୬ଟାରେ ତାଙ୍କ ମୃତଦେହ ଘରେ ପଡ଼ିଥିବା ପରିବାର ଲୋକେ ଦେଖି ପୋଲିସକୁ ସୂଚନା ଦେଇଥିଲେ। ଏସ୍ଡିପିଓ ଗୌରହରି ସାହୁ, ଚାନ୍ଦିଲି ଥାନା ଆଇଆଇସି ଉତ୍ତମ କୁମାର ସାହୁ ଓ କଲ୍ୟାଣସିଂହପୁର ଏଏସ୍ଆଇ ହେମନ୍ତ କୁମାର ବରିହା ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିଥିଲେ। ପରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି । ପୋଲିସ ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସ୍ପଷ୍ଟହେବ ବୋଲି ପୋଲିସ କହିଛି।

