ବୁଲ୍‌ଡୋଜର ନ୍ୟାୟ ଉପରେ ସୁପ୍ରିମ୍‌ ବ୍ରେକ୍‌

ଗତ କିଛି ବର୍ଷ ଧରି ବୁଲ୍‌ଡୋଜର ଦେଶରେ ଆତଙ୍କର ଏକ ପ୍ରତୀକରେ ପରିଣତ ହୋଇଯାଇଛି। ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହରିୟାନା, ଗୁଜରାଟ ଆଦିରେ ସେଠାକାର ସରକାରଗୁଡ଼ିକ ତଥାକଥିତ ତ୍ୱରିତ ନ୍ୟାୟ ପ୍ରଦାନ ନାଁରେ ବୁଲ୍‌ଡୋଜର ଲଗାଇ କଥିତ ଅଭିଯୁକ୍ତର ଘର ଓ ବସ୍ତି ଭାଙ୍ଗିବା ଏକ ସାଧାରଣ କଥାରେ ପରିଣତ ହୋଇଯାଇଛି। ଏପରିକି ଅଭିଯୁକ୍ତ ବିଚାର ହୋଇ ଦୋଷୀ ସାବ୍ୟସ୍ତ ହେବା ଆଗରୁ କେବଳ ଅଭିଯୋଗର ଆଧାରରେ ତା’ର ଘର ଓ ସମ୍ପତ୍ତିକୁ ବୁଲ୍‌ଡୋଜର ଲଗାଇ ଭାଙ୍ଗିବାର ଘଟଣା ସେସବୁ ରାଜ୍ୟରେ ଲଗାତାର ଦେଖିବାକୁ ମିଳୁଛି। କୋର୍ଟଙ୍କ କୌଣସି ନିର୍ଦ୍ଦେଶ ବିନା ସରକାର ପ୍ରତିଶୋଧ ପରାୟଣ ହୋଇ ଅଭିଯୁକ୍ତମାନଙ୍କ ଘର ଓ ବସ୍ତିକୁ ଏଭଳି ଭାଙ୍ଗି ତଥା ସେମାନଙ୍କୁ ଏନ୍‌କାଉଣ୍ଟର ନାଁରେ ହତ୍ୟା କରି ନିଜକୁ ଶକ୍ତିଶାଳୀ ବୋଲି ପ୍ରମାଣିତ କରିବାକୁ ଚାହିଁଛନ୍ତି। ଜବରଦଖଲ ହଟେଇବା ନାଁରେ ସରକାରଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ପ୍ରଶାସନ ଓ ପୋଲିସ ବୁଲ୍‌ଡୋଜର ସହାୟତାରେ ବାଛି ବାଛି କିଛି ବ୍ୟକ୍ତିଙ୍କ ଘର, ଦୋକାନ ଏପରିକି ସମ୍ପୂର୍ଣ୍ଣ ବସ୍ତିକୁ ଭାଙ୍ଗି ଏକଦମ୍‌ ମାଟିରେ ମିଶାଇଦେବା ଦେଖାଯାଇଛି। କେବଳ ଅବୈଧ କବ୍‌ଜା ହିଁ ନୁହଁ, ଅଭିଯୁକ୍ତର ପଟ୍ଟା ଜମି ଉପରେ ନିର୍ମିତ କୋଠାକୁ ବି ଭାଙ୍ଗିବାକୁ ପଛେଇ ନାହାନ୍ତି। ଅନ୍ତର୍ଜାତୀୟ ମାନବିକ ଅଧିକାର ସଂସ୍ଥା, ଆମ୍‌ନେଷ୍ଟି ଇଣ୍ଟରନ୍ୟାଶନାଲ ଦ୍ୱାରା ଚଳିତବର୍ଷ ଫେବୃଆରୀରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଏପ୍ରିଲ୍‌ ୨୦୨୨ରୁ ଜୁନ୍‌ ୨୦୨୩ ପର୍ଯ୍ୟନ୍ତ ଉପରୋକ୍ତ ରାଜ୍ୟଗୁଡ଼ିକରେ ୧୨୮ଟି ସମ୍ପତ୍ତିକୁ ବୁଲ୍‌ଡୋଜର ଦ୍ୱାରା ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି।
ବୁଲ୍‌ଡୋଜର ଜରିଆରେ ଅଭିଯୁକ୍ତଙ୍କ ଘର ବା ବସ୍ତି ଉଜାଡ଼ି ତଥାକଥିତ ତ୍ୱରିତ ନ୍ୟାୟ ଦେବାରେ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ଉତ୍ତରପ୍ରଦେଶର ଭାଜପା ସରକାର ସବୁଠାରୁ ଆଗରେ ରହିଛନ୍ତି। ତାଙ୍କୁ ଭେଟିବାକୁ ଆସୁଥିବା ଅନେକ ଲୋକ ବୁଲ୍‌ଡୋଜରର ନମୁନାକୁ ଉପହାର ସଦୃଶ ଆଣି ଦେଉଥିବା ଦେଖାଯାଇଛି। କେବଳ ସେ ନୁହନ୍ତି, ତାଙ୍କ ଦଳ ମଧ୍ୟ ବୁଲ୍‌ଡୋଜରକୁ ତା’ର ରାଜନୈତିକ ପ୍ରଚାର ଅଭିଯାନରେ ସାମିଲ କରିବା ସହିତ ବିଭିନ୍ନ ସଭା ସମିତିରେ ବୁଲ୍‌ଡୋଜରର ବଡ଼ ବଡ଼ ମଡେଲ ଠିଆ କରି ପ୍ରଦର୍ଶନ କରିବା ଦେଖିବାକୁ ମିଳିଛି। ଉତ୍ତର ପ୍ରଦେଶ ଦେଖାଦେଖି ଅନ୍ୟ ରାଜ୍ୟର ଭାଜପା ନେତାମାନେ ମଧ୍ୟ ନିଜ ନିଜ ରାଜ୍ୟରେ ଉତ୍ତର ପ୍ରଦେଶର ବୁଲ୍‌ଡୋଜର ମଡେଲକୁ ଲାଗୁ କରିବାକୁ ଦାବି କରିବା ଦେଖାଯାଇଛି।
ଭାଜପା ପକ୍ଷରୁ କଠୋର ଶାସନର ପ୍ରତୀକ ଭାବରେ ବୁଲ୍‌ଡୋଜର ନ୍ୟାୟକୁ ଯେଉଁଭଳି ପ୍ରଚାରିତ କରାଯାଉଛି, ତା’ର ସମାଲୋଚନା କେବଳ ଦେଶରେ ନୁହେଁ, ଦେଶ ବାହାରେ ବି ଦେଖିବାକୁ ମିଳିିଛି। କିଛି ଦେଶରେ ଭାଜପାର ସମର୍ଥକମାନେ ଜାତୀୟ ଉତ୍ସବ ପାଳନ ଶୋଭାଯାତ୍ରାରେ ମଧ୍ୟ ବୁଲ୍‌ଡୋଜରକୁ ସାମିଲ କରିବା ଯୋଗୁ ସେଠାକାର ସରକାରଙ୍କ ତରଫରୁ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ମଧ୍ୟ ପାଇବା ଦେଖିବାକୁ ମିଳିଛି। ବୁଲ୍‌ଡୋଜର ଅତ୍ୟାଚାରର ପ୍ରତୀକ ହୋଇଥିବା ବେଳେ ଏହା ମଧ୍ୟ ସରକାରଙ୍କ କ୍ଷମତାର ପୃଥକତା ନିୟମର ଉଲ୍ଲଂଘନ ବୋଲି ବିବେଚନା କରାଯାଏ। କାରଣ କୌଣସି ବ୍ୟକ୍ତି ଅପରାଧର ବିଚାର କରିବାର କାମଟି କେବଳ ନ୍ୟାୟପାଳିକାର ହୋଇଥିବା ବେଳେ ପ୍ରଶାସନ ତ୍ୱରିତ ନ୍ୟାୟ ପ୍ରଦାନ ନାଁରେ ଯେଉଁ ଘରଭଙ୍ଗା ଅଭିଯାନ କରୁଛି, ତାହା ସମ୍ବିଧାନରେ ରହିଥିବା କ୍ଷମତାର ବଣ୍ଟନର ଉଲ୍ଲଂଘନ କରୁଛି।
ପୁନଶ୍ଚ କୌଣସି ଅପରାଧ ପାଇଁ କାହାର ଘର, ଦୋକାନ କିମ୍ବା କୌଣସି ସମ୍ପତ୍ତି ଭାଙ୍ଗିବା ପାଇଁ ଆଇନରେ କୌଣସି ବ୍ୟବସ୍ଥା ନାହିଁ। ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନର ଅଧିକାଂଶ ମାମଲାରେ ସ୍ପଷ୍ଟ ଜଣାପଡ଼ିଛି ଯେ କେବଳ ସଂଖ୍ୟାଲଘୁ ଅଥବା ସରକାର ବିରୋଧୀ ମତ ରଖୁଥିବା ଲୋକଙ୍କ ଘର ବା ସମ୍ପତ୍ତିକୁ ହିଁ ଟାର୍ଗେଟ୍‌ କରାଯାଇଛି। ଯଦିଓ ସରକାରଙ୍କ ଅଘୋଷିତ ଲକ୍ଷ୍ୟଟି କଥିତ ଅଭିଯୁକ୍ତ ବା ଅପରାଧୀଙ୍କୁ ଦମନ କରିବାକୁ ଉଦ୍ଦିଷ୍ଟ, କିନ୍ତୁ ସରକାର ବେଆଇନ କବ୍‌ଜା ହଟାଇବା ନାଁରେ ହିଁ ବୁଲ୍‌ଡୋଜର ଅଭିଯାନ ଚଳାଉଛନ୍ତି। ତେବେ ସରକାରୀ ଜମି ଜବରଦଖଲ କୌଣସି ନିର୍ଦ୍ଦିଷ୍ଟ ଜାତି ବା ଧର୍ମର ଲୋକଙ୍କ ମଧ୍ୟରେ ସୀମିତ ରହି ନ ଥିବା ବେଳେ ସରକାରଙ୍କ ବୁଲ୍‌ଡୋଜର ବାଛି ବାଛି କେବଳ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କ ଘର ଓ ବସ୍ତିକୁ ଭାଙ୍ଗିବା, ଏହା ପଛରେ ରହିଥିବା ସାମ୍ପ୍ରଦାୟିକ ବିଚାରଟିକୁ ସ୍ପଷ୍ଟ ପ୍ରମାଣିତ କରୁଛି। ଗତବର୍ଷ ହରିୟାନାର ନୁହରେ ସାମ୍ପ୍ରଦାୟିକ ଦଙ୍ଗାରେ ଉଭୟ ଧର୍ମର ଲୋକେ ସାମିଲ ହୋଇଥିବା ବେଳେ ସରକାରଙ୍କ ବୁଲ୍‌ଡୋଜର କିନ୍ତୁ ସରକାରୀ ଜମିରେ ବର୍ଷ ବର୍ଷ ଧରି ଘର କରି ରହିଥିବା ସଂଖ୍ୟାଲଘୁ ଲୋକଙ୍କ ବସ୍ତିକୁ ଭାଙ୍ଗି ମାଟିରେ ମିଶାଇଦେଲା। ଅତଏବ ବୁଲ୍‌ଡୋଜର ନ୍ୟାୟ ପ୍ରକ୍ରିୟାଟି ଯେ ଘୃଣା, ହିଂସା ଓ ପ୍ରତିଶୋଧ ପରାୟଣତା ଉପରେ ଆଧାରିତ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ତେଣୁ ଏଥିରୁ କୌଣସି ପ୍ରକାରର ବିଚାରଶୀଳତା ଏବଂ ନିରପେକ୍ଷତା ଆଶା କରିବା ବୃଥା।
ତେବେ ତଥାକଥିତ ବୁଲ୍‌ଡୋଜର ନ୍ୟାୟ ନେଇ ସରକାରଙ୍କ ପ୍ରଚାରଟି ଯାହା ଥାଉନା କାହିଁକି, ବୁଲ୍‌ଡୋଜର ଏବେ ଦେଶର ସଂଖାଲଘୁ, ଦଳିତ, ବସ୍ତି ବାସିନ୍ଦା ଏପରିକି ସରକାରଙ୍କ ସହ ଭିନ୍ନମତ ପ୍ରକାଶ କରୁଥିବା ଲୋକଙ୍କୁ ଆତଙ୍କିତ କରିବାର ଶକ୍ତିଶାଳୀ ହତିଆରରେ ପରିଣତ ହୋଇଯାଇଛି। କିନ୍ତୁ ବିଳମ୍ବରେ ହେଲେ ବି ଦେଶର ସର୍ବୋଚ୍ଚ ଅଦାଲତ ବୁଲ୍‌ଡୋଜର ରାଜନୀତି ଉପରେ ନିଜର ଏକ ସଦ୍ୟତମ ରାୟରେ ବ୍ରେକ୍‌ ଦେବାକୁ ଚାହିଁଛନ୍ତି। ସୁପ୍ରିମ୍‌କୋର୍ଟଙ୍କ ଏହି ହସ୍ତକ୍ଷେପ ସରକାରମାନଙ୍କ ଉପରୋକ୍ତ ଆଇନ ବହିର୍ଭୂତ ଆଚରଣ ଉପରେ ପ୍ରଶ୍ନଚିହ୍ନ ଲଗାଇବା ସହ ଏହାଦ୍ୱାରା ପୀଡ଼ିତ ଲୋକଙ୍କୁ ଅନେକ ମାତ୍ରାରେ ଆଶ୍ୱସ୍ତ କରିଛି। ଜାମିଆତ୍‌ ଉଲେମା-ଏ-ହିନ୍ଦ୍‌ ସଙ୍ଗଠନ ପକ୍ଷରୁ ନିକଟରେ ବୁଲ୍‌ଡୋଜର ବ୍ୟବହାର କରାଯାଇ ସରକାରଙ୍କ ଘର ଭାଙ୍ଗିବା ଉପରେ ପ୍ରତିବନ୍ଧକ ଲଗାଇବାକୁ ଏକ ଆବେଦନ ହୋଇଥିଲା। ଦିଲ୍ଲୀର ଜାହାଙ୍ଗୀରପୁରୀର ଏକ ବୁଲ୍‌ଡୋଜର ଜରିଆରେ ଘରଭଙ୍ଗା ଘଟଣାରେ ଓକିଲ ଫାରୁଖ ରସିଦ୍‌ଙ୍କ ଦ୍ୱାରା ଅଦାଲତରେ ଦାଖଲ ହୋଇଥିବା ପିଟିଶନରେ କୁହାଯାଇଛି ଯେ, ଭାଜପା ସରକାର ଅଳ୍ପସଂଖ୍ୟକ ଏବଂ ସମାଜର ଦୁର୍ବଳ ବର୍ଗର ଲୋକଙ୍କୁ ସେମାନଙ୍କ ଘର ଭାଙ୍ଗି ଦମନ କରୁଛନ୍ତି। ଏହି କାରଣରୁ ପୀଡ଼ିତମାନେ ଆଇନଗତ ପ୍ରତିକାରର ସୁଯୋଗ ପାଆନ୍ତି ନାହିଁ।
ବିଚାରପତି ବି. ଆର୍‌. ଗଭାଇଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମ୍‌କୋର୍ଟ ଖଣ୍ଡପୀଠର ଅନ୍ୟତମ ସଦସ୍ୟ ବିଚାରପତି କେ. ଭି. ବିଶ୍ୱନାଥନ୍‌ ନିଜ ଟିପ୍ପଣୀରେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଜଣେ ବ୍ୟକ୍ତି କୌଣସି ଏକ ମାମଲାରେ କେବଳ ଅଭିଯୁକ୍ତ ହୋଇଗଲା ବୋଲି ତା’ର ଘରକୁ ଭାଙ୍ଗିବାକୁ ଆଇନ ଅନୁମତି ଦେଉନି। ଏପରିକି ଅଭିଯୁକ୍ତଟି ଦଣ୍ଡ ପାଇଗଲେ ମଧ୍ୟ ତା’ ଘରକୁ ଭାଙ୍ଗିବା ଆଇନର ବିରୁଦ୍ଧାଚରଣ ବୋଲି ସେ କହିଛନ୍ତି। ସରକାର କୋର୍ଟର ଅନୁମତି ନ ନେଇ ଅଭିଯୁକ୍ତଙ୍କ ବିରୋଧରେ ଯେଉଁ ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ କରୁଛନ୍ତି, ତାହା କଦାପି ଗ୍ରହଣୀୟ ନୁହେଁ ବୋଲି ରାୟରେ କୁହାଯାଇଛି। କାରଣ କୌଣସି ମାମଲାରେ ଅଭିଯୁକ୍ତକୁ ଦଣ୍ଡ ଦେବା ଅଧିକାର କେବଳ କୋର୍ଟର ହିଁ ରହିଛି। ବୁଲ୍‌ଡୋଜର ଲଗାଇ ଜଣେ ବ୍ୟକ୍ତିର ଯେଉଁଭଳି ଘର ଭଙ୍ଗାଯାଉଛି, ତାହା କେବଳ ସେହି ବ୍ୟକ୍ତିର ହିଁ ନୁହେଁ ବରଂ ସେହି ଘରେ ବସବାସ କରୁଥିବା ପରିବାରର ଅନ୍ୟ ସଦସ୍ୟ, ଯେଉଁମାନଙ୍କ ଘଟଣାରେ କୌଣସି ପ୍ରକାର ଭୂମିକା ନ ଥାଏ, ସେମାନଙ୍କ ଅଧିକାର ଉପରେ ଆକ୍ରମଣ ବୋଲି ରାୟରେ କୁହାଯାଇଛି।
ଯଦିଓ ସରକାରୀ ଜମିରେ ଯେକୌଣସି ଜବରଦଖଲ ହଟେଇବାକୁ ସ୍ଥାନୀୟ ପ୍ରଶାସନର ଅଧିକାର ରହିଛି, କିନ୍ତୁ ସେ କ୍ଷେତ୍ରରେ ବିଧିବଦ୍ଧ ପ୍ରକ୍ରିୟାକୁ ଅବଲମ୍ବନ କରିବାକୁ ପ୍ରଶାସନ ବାଧ୍ୟ ବୋଲି ରାୟରେ କୁହାଯାଇଛି। ଏଥିପାଇଁ ପ୍ରଥମେ ବେଆଇନ ନିର୍ମାଣଗୁଡ଼ିକୁ ଚିହ୍ନଟ କରିବା ସହ ଜବରଦଖଲକାରୀଙ୍କୁ ଆବଶ୍ୟକୀୟ ନୋଟିସ୍‌ ଜାରି କରିବାକୁ ହେବ ଏବଂ ସର୍ବୋପରି କୌଣସି କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଅଭିଯୋଗର ଯଥାଯଥ ଶୁଣାଣି କରି ଅଭିଯୁକ୍ତକୁ ନିଜର ପକ୍ଷ ରଖିବାକୁ ମଧ୍ୟ ସୁଯୋଗ ଦେବାକୁ ହେବ ବୋଲି କହିଛନ୍ତି। କାରଣ ଅନେକ କ୍ଷେତ୍ରରେ ପ୍ରଶାସନ ନିଜର ବେଆଇନ ଘରଭଙ୍ଗାକୁ ଆଇନସମ୍ମତ ବୋଲି ପ୍ରମାଣିତ କରିବାକୁ ବହୁତ ପିଛିଲା ତାରିଖ ଦେଇ ନୋଟିସ୍‌ ପଠାଇବାର ପ୍ରମାଣ ମିଳିଛି। ଏ କ୍ଷେତ୍ରରେ କୌଣସି ବ୍ୟକ୍ତି ବା ବ୍ୟକ୍ତି ସମୂହଙ୍କୁ ତା’ର ଜାତି ବା ଧର୍ମର ଆଧାରରେ ଟାର୍ଗେଟ୍‌ କରିବା ବଦଳରେ ସମସ୍ତଙ୍କ ପାଇଁ ସମାନ ମାପକାଠି ଅବଲମ୍ବନ କରିବାକୁ ହେବ। କୋର୍ଟ ତରଫରୁ ଦେଶବ୍ୟାପୀ ଏ ସଂକ୍ରାନ୍ତରେ ଏକାଭଳିଆ ପ୍ରକ୍ରିୟା ପାଇଁ ନିର୍ଦ୍ଦେଶାବଳୀ ଜାରି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଆଇନକାନୁନ, ପ୍ରଶାସନିକ ପ୍ରକ୍ରିୟା ଓ ମାନବିକତା ରହିତ ସରକାରମାନଙ୍କ ଏହି ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ ନ୍ୟାୟ ନାଁରେ ଅନ୍ୟାୟ । ଆଶା, ସୁପ୍ରିମ୍‌କୋର୍ଟଙ୍କ ହସ୍ତକ୍ଷେପ ପରେ ଏଭଳି ରାଜନୀତି ଉପରେ ବ୍ରେକ୍‌ ଲାଗିବ।ଭାଲଚନ୍ଦ୍ର ଷଡ଼ଙ୍ଗୀ
ମୋ: ୯୪୩୭୧୬୬୩୯୧


Enter your email to get our daily news in your inbox.

All Right Reserved By Dharitri.Com

ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟରେ ବୈଭବ ସୂର୍ଯ୍ୟବଂଶୀ

ଦୁବାଇ, ୮ା୨: ଆଇସିସି ୧୬ ବର୍ଷରୁ କମ୍‌ ବିଶ୍ୱକପ୍‌ ଉଦ୍‌ଯାପିତ ହେବା ପରେ ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟ ମନୋନୀତ କରାଯାଇଛି। ଏଥିରେ ସ୍ଥାନ ପାଇଥିବା ୩ଜଣ…

ମେଟ୍ରୋରେ ପ୍ରେମିକା ସହ ଧରାପଡ଼ିଲେ ପୁଅ; ସେଠାରେ ହିଁ ‘ନିର୍ବନ୍ଧ’ କରାଇଦେଲେ ମା’

ନୂଆଦିଲ୍ଲୀ,୮ା୨: ସୋସିଆଲ ମିଡିଆରେ ଏବେ ଏକ ଅଜବ ତଥା ମଜାଦାର ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଜଣେ ମା’ ନିଜ ପୁଅକୁ ତାଙ୍କ ପ୍ରେମିକାଙ୍କ ସହ…

ସଚିନ ତେନ୍ଦୁଲକରଙ୍କ ଫିଡର ସେଣ୍ଟର ନେଟ୍ସ ପାଇଁ ଆଦିଦେବ ମନୋନୀତ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୧୪ବର୍ଷରୁ କମ୍‌ କ୍ରିକେଟରେ କେନ୍ଦୁଝର ଜିଲାର ଏକମାତ୍ର ଖେଳାଳି ଭାବେ ଆଦିଦେବ ସାହୁ ସଚିନ…

ପେଟ୍ରୋଲଠାରୁ କେତେ ଶସ୍ତା CNG କାର୍‌? ୧୦ ଲକ୍ଷ ମଧ୍ୟରେ କେଉଁଟି ଭଲ…ନୂଆ କାର୍‌ କିଣିବାକୁ ଥିଲେ…

ନୂଆଦିଲ୍ଲୀ,୮।୨: ଭାରତରେ ନୂଆ କାର୍‌ କିଣିବା ସମୟରେ ଅଧିକାଂଶ ଲୋକଙ୍କ ମନରେ ଏକ ପ୍ରଶ୍ନ ଆସେ ଯେ ପେଟ୍ରୋଲ କାର୍‌ ନେବେ ନା ସିଏନଜି (CNG) କାର୍‌?…

ପୁଅଙ୍କୁ ଛୁରି ଭୁସି ମାରିଦେଲେ ପିଶାଚ ବାପା

କାମାକ୍ଷାନଗର,୮।୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କମ୍ପୁଲେଇ ପୁରୁଣାସାହି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ନିଜ ପୁଅଙ୍କୁ ଛୁରି ଭୁସି…

ବିଦ୍ୟାଳୟରୁ ଛାତ୍ର ନିଖୋଜ ଘଟଣା: ନିଆଁ ପୁଉଁଥିବାବେଳେ ଏମିତି ପଡ଼ିଲେ ଧରା

ଦାରିଙ୍ଗବାଡ଼ି,୮ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ନବମ ଛାତ୍ର ନିଖୋଜ ଛାତ୍ର କିଷାନ ବେହେରା ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ…

ବିପଦରେ ୧୦୦ କୋଟିରୁ ଅଧିକ ଆଣ୍ଡ୍ରଏଡ୍ ଫୋନ୍; ହ୍ୟାକିଂ ଆଶଙ୍କାରେ ଗୁଗଲ୍ ଦେଲା ଚେତାବନୀ

ନୂଆଦିଲ୍ଲୀ,୮ା୨: ଯଦି ଆପଣ ଏକ ପୁରୁଣା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ। ଗୁଗଲ ରିପୋର୍ଟ ଅନୁଯାୟୀ, ବିଶ୍ୱର ପ୍ରାୟ ୧୦୦ କୋଟିରୁ ଅଧିକ…

ରାତିରେ ପ୍ରେମିକଙ୍କ ସହ ଯୁବତୀଙ୍କୁ ଦେଖିଦେଲେ ଗ୍ରାମବାସୀ, ମାଡ଼ ମାରି କଲେ ଭିଡିଓ ଭାଇରାଲ…ଲୋକଲଜ୍ଜା ସହି ନ ପାରି…

ବେତିଆ,୮।୨: ବିହାରର ପଶ୍ଚିମ ଚମ୍ପାରଣ ଜିଲାର ଶିକାରପୁର ଥାନା ଅଞ୍ଚଳର ଏକ ଗାଁରୁ ଏକ ଚକିତ କଲାଭଳି ଘଟଣା ଘଟିଛି। ପ୍ରେମରେ ପଡ଼ିଥିବା ଜଣେ ଯୁବତୀ ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri