ବୁଲ୍‌ଡୋଜର ନ୍ୟାୟ ଉପରେ ସୁପ୍ରିମ୍‌ ବ୍ରେକ୍‌

ଗତ କିଛି ବର୍ଷ ଧରି ବୁଲ୍‌ଡୋଜର ଦେଶରେ ଆତଙ୍କର ଏକ ପ୍ରତୀକରେ ପରିଣତ ହୋଇଯାଇଛି। ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହରିୟାନା, ଗୁଜରାଟ ଆଦିରେ ସେଠାକାର ସରକାରଗୁଡ଼ିକ ତଥାକଥିତ ତ୍ୱରିତ ନ୍ୟାୟ ପ୍ରଦାନ ନାଁରେ ବୁଲ୍‌ଡୋଜର ଲଗାଇ କଥିତ ଅଭିଯୁକ୍ତର ଘର ଓ ବସ୍ତି ଭାଙ୍ଗିବା ଏକ ସାଧାରଣ କଥାରେ ପରିଣତ ହୋଇଯାଇଛି। ଏପରିକି ଅଭିଯୁକ୍ତ ବିଚାର ହୋଇ ଦୋଷୀ ସାବ୍ୟସ୍ତ ହେବା ଆଗରୁ କେବଳ ଅଭିଯୋଗର ଆଧାରରେ ତା’ର ଘର ଓ ସମ୍ପତ୍ତିକୁ ବୁଲ୍‌ଡୋଜର ଲଗାଇ ଭାଙ୍ଗିବାର ଘଟଣା ସେସବୁ ରାଜ୍ୟରେ ଲଗାତାର ଦେଖିବାକୁ ମିଳୁଛି। କୋର୍ଟଙ୍କ କୌଣସି ନିର୍ଦ୍ଦେଶ ବିନା ସରକାର ପ୍ରତିଶୋଧ ପରାୟଣ ହୋଇ ଅଭିଯୁକ୍ତମାନଙ୍କ ଘର ଓ ବସ୍ତିକୁ ଏଭଳି ଭାଙ୍ଗି ତଥା ସେମାନଙ୍କୁ ଏନ୍‌କାଉଣ୍ଟର ନାଁରେ ହତ୍ୟା କରି ନିଜକୁ ଶକ୍ତିଶାଳୀ ବୋଲି ପ୍ରମାଣିତ କରିବାକୁ ଚାହିଁଛନ୍ତି। ଜବରଦଖଲ ହଟେଇବା ନାଁରେ ସରକାରଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ପ୍ରଶାସନ ଓ ପୋଲିସ ବୁଲ୍‌ଡୋଜର ସହାୟତାରେ ବାଛି ବାଛି କିଛି ବ୍ୟକ୍ତିଙ୍କ ଘର, ଦୋକାନ ଏପରିକି ସମ୍ପୂର୍ଣ୍ଣ ବସ୍ତିକୁ ଭାଙ୍ଗି ଏକଦମ୍‌ ମାଟିରେ ମିଶାଇଦେବା ଦେଖାଯାଇଛି। କେବଳ ଅବୈଧ କବ୍‌ଜା ହିଁ ନୁହଁ, ଅଭିଯୁକ୍ତର ପଟ୍ଟା ଜମି ଉପରେ ନିର୍ମିତ କୋଠାକୁ ବି ଭାଙ୍ଗିବାକୁ ପଛେଇ ନାହାନ୍ତି। ଅନ୍ତର୍ଜାତୀୟ ମାନବିକ ଅଧିକାର ସଂସ୍ଥା, ଆମ୍‌ନେଷ୍ଟି ଇଣ୍ଟରନ୍ୟାଶନାଲ ଦ୍ୱାରା ଚଳିତବର୍ଷ ଫେବୃଆରୀରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଏପ୍ରିଲ୍‌ ୨୦୨୨ରୁ ଜୁନ୍‌ ୨୦୨୩ ପର୍ଯ୍ୟନ୍ତ ଉପରୋକ୍ତ ରାଜ୍ୟଗୁଡ଼ିକରେ ୧୨୮ଟି ସମ୍ପତ୍ତିକୁ ବୁଲ୍‌ଡୋଜର ଦ୍ୱାରା ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି।
ବୁଲ୍‌ଡୋଜର ଜରିଆରେ ଅଭିଯୁକ୍ତଙ୍କ ଘର ବା ବସ୍ତି ଉଜାଡ଼ି ତଥାକଥିତ ତ୍ୱରିତ ନ୍ୟାୟ ଦେବାରେ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ଉତ୍ତରପ୍ରଦେଶର ଭାଜପା ସରକାର ସବୁଠାରୁ ଆଗରେ ରହିଛନ୍ତି। ତାଙ୍କୁ ଭେଟିବାକୁ ଆସୁଥିବା ଅନେକ ଲୋକ ବୁଲ୍‌ଡୋଜରର ନମୁନାକୁ ଉପହାର ସଦୃଶ ଆଣି ଦେଉଥିବା ଦେଖାଯାଇଛି। କେବଳ ସେ ନୁହନ୍ତି, ତାଙ୍କ ଦଳ ମଧ୍ୟ ବୁଲ୍‌ଡୋଜରକୁ ତା’ର ରାଜନୈତିକ ପ୍ରଚାର ଅଭିଯାନରେ ସାମିଲ କରିବା ସହିତ ବିଭିନ୍ନ ସଭା ସମିତିରେ ବୁଲ୍‌ଡୋଜରର ବଡ଼ ବଡ଼ ମଡେଲ ଠିଆ କରି ପ୍ରଦର୍ଶନ କରିବା ଦେଖିବାକୁ ମିଳିଛି। ଉତ୍ତର ପ୍ରଦେଶ ଦେଖାଦେଖି ଅନ୍ୟ ରାଜ୍ୟର ଭାଜପା ନେତାମାନେ ମଧ୍ୟ ନିଜ ନିଜ ରାଜ୍ୟରେ ଉତ୍ତର ପ୍ରଦେଶର ବୁଲ୍‌ଡୋଜର ମଡେଲକୁ ଲାଗୁ କରିବାକୁ ଦାବି କରିବା ଦେଖାଯାଇଛି।
ଭାଜପା ପକ୍ଷରୁ କଠୋର ଶାସନର ପ୍ରତୀକ ଭାବରେ ବୁଲ୍‌ଡୋଜର ନ୍ୟାୟକୁ ଯେଉଁଭଳି ପ୍ରଚାରିତ କରାଯାଉଛି, ତା’ର ସମାଲୋଚନା କେବଳ ଦେଶରେ ନୁହେଁ, ଦେଶ ବାହାରେ ବି ଦେଖିବାକୁ ମିଳିିଛି। କିଛି ଦେଶରେ ଭାଜପାର ସମର୍ଥକମାନେ ଜାତୀୟ ଉତ୍ସବ ପାଳନ ଶୋଭାଯାତ୍ରାରେ ମଧ୍ୟ ବୁଲ୍‌ଡୋଜରକୁ ସାମିଲ କରିବା ଯୋଗୁ ସେଠାକାର ସରକାରଙ୍କ ତରଫରୁ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ମଧ୍ୟ ପାଇବା ଦେଖିବାକୁ ମିଳିଛି। ବୁଲ୍‌ଡୋଜର ଅତ୍ୟାଚାରର ପ୍ରତୀକ ହୋଇଥିବା ବେଳେ ଏହା ମଧ୍ୟ ସରକାରଙ୍କ କ୍ଷମତାର ପୃଥକତା ନିୟମର ଉଲ୍ଲଂଘନ ବୋଲି ବିବେଚନା କରାଯାଏ। କାରଣ କୌଣସି ବ୍ୟକ୍ତି ଅପରାଧର ବିଚାର କରିବାର କାମଟି କେବଳ ନ୍ୟାୟପାଳିକାର ହୋଇଥିବା ବେଳେ ପ୍ରଶାସନ ତ୍ୱରିତ ନ୍ୟାୟ ପ୍ରଦାନ ନାଁରେ ଯେଉଁ ଘରଭଙ୍ଗା ଅଭିଯାନ କରୁଛି, ତାହା ସମ୍ବିଧାନରେ ରହିଥିବା କ୍ଷମତାର ବଣ୍ଟନର ଉଲ୍ଲଂଘନ କରୁଛି।
ପୁନଶ୍ଚ କୌଣସି ଅପରାଧ ପାଇଁ କାହାର ଘର, ଦୋକାନ କିମ୍ବା କୌଣସି ସମ୍ପତ୍ତି ଭାଙ୍ଗିବା ପାଇଁ ଆଇନରେ କୌଣସି ବ୍ୟବସ୍ଥା ନାହିଁ। ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନର ଅଧିକାଂଶ ମାମଲାରେ ସ୍ପଷ୍ଟ ଜଣାପଡ଼ିଛି ଯେ କେବଳ ସଂଖ୍ୟାଲଘୁ ଅଥବା ସରକାର ବିରୋଧୀ ମତ ରଖୁଥିବା ଲୋକଙ୍କ ଘର ବା ସମ୍ପତ୍ତିକୁ ହିଁ ଟାର୍ଗେଟ୍‌ କରାଯାଇଛି। ଯଦିଓ ସରକାରଙ୍କ ଅଘୋଷିତ ଲକ୍ଷ୍ୟଟି କଥିତ ଅଭିଯୁକ୍ତ ବା ଅପରାଧୀଙ୍କୁ ଦମନ କରିବାକୁ ଉଦ୍ଦିଷ୍ଟ, କିନ୍ତୁ ସରକାର ବେଆଇନ କବ୍‌ଜା ହଟାଇବା ନାଁରେ ହିଁ ବୁଲ୍‌ଡୋଜର ଅଭିଯାନ ଚଳାଉଛନ୍ତି। ତେବେ ସରକାରୀ ଜମି ଜବରଦଖଲ କୌଣସି ନିର୍ଦ୍ଦିଷ୍ଟ ଜାତି ବା ଧର୍ମର ଲୋକଙ୍କ ମଧ୍ୟରେ ସୀମିତ ରହି ନ ଥିବା ବେଳେ ସରକାରଙ୍କ ବୁଲ୍‌ଡୋଜର ବାଛି ବାଛି କେବଳ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କ ଘର ଓ ବସ୍ତିକୁ ଭାଙ୍ଗିବା, ଏହା ପଛରେ ରହିଥିବା ସାମ୍ପ୍ରଦାୟିକ ବିଚାରଟିକୁ ସ୍ପଷ୍ଟ ପ୍ରମାଣିତ କରୁଛି। ଗତବର୍ଷ ହରିୟାନାର ନୁହରେ ସାମ୍ପ୍ରଦାୟିକ ଦଙ୍ଗାରେ ଉଭୟ ଧର୍ମର ଲୋକେ ସାମିଲ ହୋଇଥିବା ବେଳେ ସରକାରଙ୍କ ବୁଲ୍‌ଡୋଜର କିନ୍ତୁ ସରକାରୀ ଜମିରେ ବର୍ଷ ବର୍ଷ ଧରି ଘର କରି ରହିଥିବା ସଂଖ୍ୟାଲଘୁ ଲୋକଙ୍କ ବସ୍ତିକୁ ଭାଙ୍ଗି ମାଟିରେ ମିଶାଇଦେଲା। ଅତଏବ ବୁଲ୍‌ଡୋଜର ନ୍ୟାୟ ପ୍ରକ୍ରିୟାଟି ଯେ ଘୃଣା, ହିଂସା ଓ ପ୍ରତିଶୋଧ ପରାୟଣତା ଉପରେ ଆଧାରିତ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ତେଣୁ ଏଥିରୁ କୌଣସି ପ୍ରକାରର ବିଚାରଶୀଳତା ଏବଂ ନିରପେକ୍ଷତା ଆଶା କରିବା ବୃଥା।
ତେବେ ତଥାକଥିତ ବୁଲ୍‌ଡୋଜର ନ୍ୟାୟ ନେଇ ସରକାରଙ୍କ ପ୍ରଚାରଟି ଯାହା ଥାଉନା କାହିଁକି, ବୁଲ୍‌ଡୋଜର ଏବେ ଦେଶର ସଂଖାଲଘୁ, ଦଳିତ, ବସ୍ତି ବାସିନ୍ଦା ଏପରିକି ସରକାରଙ୍କ ସହ ଭିନ୍ନମତ ପ୍ରକାଶ କରୁଥିବା ଲୋକଙ୍କୁ ଆତଙ୍କିତ କରିବାର ଶକ୍ତିଶାଳୀ ହତିଆରରେ ପରିଣତ ହୋଇଯାଇଛି। କିନ୍ତୁ ବିଳମ୍ବରେ ହେଲେ ବି ଦେଶର ସର୍ବୋଚ୍ଚ ଅଦାଲତ ବୁଲ୍‌ଡୋଜର ରାଜନୀତି ଉପରେ ନିଜର ଏକ ସଦ୍ୟତମ ରାୟରେ ବ୍ରେକ୍‌ ଦେବାକୁ ଚାହିଁଛନ୍ତି। ସୁପ୍ରିମ୍‌କୋର୍ଟଙ୍କ ଏହି ହସ୍ତକ୍ଷେପ ସରକାରମାନଙ୍କ ଉପରୋକ୍ତ ଆଇନ ବହିର୍ଭୂତ ଆଚରଣ ଉପରେ ପ୍ରଶ୍ନଚିହ୍ନ ଲଗାଇବା ସହ ଏହାଦ୍ୱାରା ପୀଡ଼ିତ ଲୋକଙ୍କୁ ଅନେକ ମାତ୍ରାରେ ଆଶ୍ୱସ୍ତ କରିଛି। ଜାମିଆତ୍‌ ଉଲେମା-ଏ-ହିନ୍ଦ୍‌ ସଙ୍ଗଠନ ପକ୍ଷରୁ ନିକଟରେ ବୁଲ୍‌ଡୋଜର ବ୍ୟବହାର କରାଯାଇ ସରକାରଙ୍କ ଘର ଭାଙ୍ଗିବା ଉପରେ ପ୍ରତିବନ୍ଧକ ଲଗାଇବାକୁ ଏକ ଆବେଦନ ହୋଇଥିଲା। ଦିଲ୍ଲୀର ଜାହାଙ୍ଗୀରପୁରୀର ଏକ ବୁଲ୍‌ଡୋଜର ଜରିଆରେ ଘରଭଙ୍ଗା ଘଟଣାରେ ଓକିଲ ଫାରୁଖ ରସିଦ୍‌ଙ୍କ ଦ୍ୱାରା ଅଦାଲତରେ ଦାଖଲ ହୋଇଥିବା ପିଟିଶନରେ କୁହାଯାଇଛି ଯେ, ଭାଜପା ସରକାର ଅଳ୍ପସଂଖ୍ୟକ ଏବଂ ସମାଜର ଦୁର୍ବଳ ବର୍ଗର ଲୋକଙ୍କୁ ସେମାନଙ୍କ ଘର ଭାଙ୍ଗି ଦମନ କରୁଛନ୍ତି। ଏହି କାରଣରୁ ପୀଡ଼ିତମାନେ ଆଇନଗତ ପ୍ରତିକାରର ସୁଯୋଗ ପାଆନ୍ତି ନାହିଁ।
ବିଚାରପତି ବି. ଆର୍‌. ଗଭାଇଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମ୍‌କୋର୍ଟ ଖଣ୍ଡପୀଠର ଅନ୍ୟତମ ସଦସ୍ୟ ବିଚାରପତି କେ. ଭି. ବିଶ୍ୱନାଥନ୍‌ ନିଜ ଟିପ୍ପଣୀରେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଜଣେ ବ୍ୟକ୍ତି କୌଣସି ଏକ ମାମଲାରେ କେବଳ ଅଭିଯୁକ୍ତ ହୋଇଗଲା ବୋଲି ତା’ର ଘରକୁ ଭାଙ୍ଗିବାକୁ ଆଇନ ଅନୁମତି ଦେଉନି। ଏପରିକି ଅଭିଯୁକ୍ତଟି ଦଣ୍ଡ ପାଇଗଲେ ମଧ୍ୟ ତା’ ଘରକୁ ଭାଙ୍ଗିବା ଆଇନର ବିରୁଦ୍ଧାଚରଣ ବୋଲି ସେ କହିଛନ୍ତି। ସରକାର କୋର୍ଟର ଅନୁମତି ନ ନେଇ ଅଭିଯୁକ୍ତଙ୍କ ବିରୋଧରେ ଯେଉଁ ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ କରୁଛନ୍ତି, ତାହା କଦାପି ଗ୍ରହଣୀୟ ନୁହେଁ ବୋଲି ରାୟରେ କୁହାଯାଇଛି। କାରଣ କୌଣସି ମାମଲାରେ ଅଭିଯୁକ୍ତକୁ ଦଣ୍ଡ ଦେବା ଅଧିକାର କେବଳ କୋର୍ଟର ହିଁ ରହିଛି। ବୁଲ୍‌ଡୋଜର ଲଗାଇ ଜଣେ ବ୍ୟକ୍ତିର ଯେଉଁଭଳି ଘର ଭଙ୍ଗାଯାଉଛି, ତାହା କେବଳ ସେହି ବ୍ୟକ୍ତିର ହିଁ ନୁହେଁ ବରଂ ସେହି ଘରେ ବସବାସ କରୁଥିବା ପରିବାରର ଅନ୍ୟ ସଦସ୍ୟ, ଯେଉଁମାନଙ୍କ ଘଟଣାରେ କୌଣସି ପ୍ରକାର ଭୂମିକା ନ ଥାଏ, ସେମାନଙ୍କ ଅଧିକାର ଉପରେ ଆକ୍ରମଣ ବୋଲି ରାୟରେ କୁହାଯାଇଛି।
ଯଦିଓ ସରକାରୀ ଜମିରେ ଯେକୌଣସି ଜବରଦଖଲ ହଟେଇବାକୁ ସ୍ଥାନୀୟ ପ୍ରଶାସନର ଅଧିକାର ରହିଛି, କିନ୍ତୁ ସେ କ୍ଷେତ୍ରରେ ବିଧିବଦ୍ଧ ପ୍ରକ୍ରିୟାକୁ ଅବଲମ୍ବନ କରିବାକୁ ପ୍ରଶାସନ ବାଧ୍ୟ ବୋଲି ରାୟରେ କୁହାଯାଇଛି। ଏଥିପାଇଁ ପ୍ରଥମେ ବେଆଇନ ନିର୍ମାଣଗୁଡ଼ିକୁ ଚିହ୍ନଟ କରିବା ସହ ଜବରଦଖଲକାରୀଙ୍କୁ ଆବଶ୍ୟକୀୟ ନୋଟିସ୍‌ ଜାରି କରିବାକୁ ହେବ ଏବଂ ସର୍ବୋପରି କୌଣସି କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଅଭିଯୋଗର ଯଥାଯଥ ଶୁଣାଣି କରି ଅଭିଯୁକ୍ତକୁ ନିଜର ପକ୍ଷ ରଖିବାକୁ ମଧ୍ୟ ସୁଯୋଗ ଦେବାକୁ ହେବ ବୋଲି କହିଛନ୍ତି। କାରଣ ଅନେକ କ୍ଷେତ୍ରରେ ପ୍ରଶାସନ ନିଜର ବେଆଇନ ଘରଭଙ୍ଗାକୁ ଆଇନସମ୍ମତ ବୋଲି ପ୍ରମାଣିତ କରିବାକୁ ବହୁତ ପିଛିଲା ତାରିଖ ଦେଇ ନୋଟିସ୍‌ ପଠାଇବାର ପ୍ରମାଣ ମିଳିଛି। ଏ କ୍ଷେତ୍ରରେ କୌଣସି ବ୍ୟକ୍ତି ବା ବ୍ୟକ୍ତି ସମୂହଙ୍କୁ ତା’ର ଜାତି ବା ଧର୍ମର ଆଧାରରେ ଟାର୍ଗେଟ୍‌ କରିବା ବଦଳରେ ସମସ୍ତଙ୍କ ପାଇଁ ସମାନ ମାପକାଠି ଅବଲମ୍ବନ କରିବାକୁ ହେବ। କୋର୍ଟ ତରଫରୁ ଦେଶବ୍ୟାପୀ ଏ ସଂକ୍ରାନ୍ତରେ ଏକାଭଳିଆ ପ୍ରକ୍ରିୟା ପାଇଁ ନିର୍ଦ୍ଦେଶାବଳୀ ଜାରି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଆଇନକାନୁନ, ପ୍ରଶାସନିକ ପ୍ରକ୍ରିୟା ଓ ମାନବିକତା ରହିତ ସରକାରମାନଙ୍କ ଏହି ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ ନ୍ୟାୟ ନାଁରେ ଅନ୍ୟାୟ । ଆଶା, ସୁପ୍ରିମ୍‌କୋର୍ଟଙ୍କ ହସ୍ତକ୍ଷେପ ପରେ ଏଭଳି ରାଜନୀତି ଉପରେ ବ୍ରେକ୍‌ ଲାଗିବ।ଭାଲଚନ୍ଦ୍ର ଷଡ଼ଙ୍ଗୀ
ମୋ: ୯୪୩୭୧୬୬୩୯୧


Enter your email to get our daily news in your inbox.

All Right Reserved By Dharitri.Com

ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁଙ୍କ ଆତ୍ମସମର୍ପଣ

କୋଇଡ଼ା, ୨୨।୭: ମାଓବାଦୀ ସଂଗଠନ ପାଇଁ ଏକ ବଡ଼ ଝଟକା ସୃଷ୍ଟି କରି ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁ ଝାଡ଼ଖଣ୍ଡରେ ସୁରକ୍ଷା ବାହିନୀ ନିକଟରେ ଆତ୍ମସମର୍ପଣ…

ବିସ୍ଥାପନ ପାଇଁ ଦ୍ୱିତୀୟ ଦିନରେ କୁମିଆପାଲିରେ ପହଞ୍ଚିଲା ପ୍ରଶାସନ: ତାତିଲେ ଆଦିବାସୀ, ଧନୁତୀର ଧରି…

ବଲାଙ୍ଗୀର,୨୨ା୭(ସୁନିଲ କୁମାର ମହାନ୍ତି): ବୁଧବାର ଦ୍ୱିତୀୟ ଦିନରେ ଲୋୟର ସୁକତେଲ ଡ୍ୟାମ ପ୍ରଭାବିତ କୁମିଆପାଲି ଗାଁରେ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ କରିବାକୁ ଜିଲା ପ୍ରଶାସନର ଟିମ୍‌ ପହଞ୍ଚିଥିଲା।…

CJP ଆନ୍ଦୋଳନକୁ ନେଇ କଡ଼ା ନିର୍ଦ୍ଦେଶ ଦେଲେ ଦିଲ୍ଲୀ ହାଇକୋର୍ଟ, କେନ୍ଦ୍ରକୁ ମାଗିଲେ…

ନୂଆଦିଲ୍ଲୀ,୨୨।୭: ପ୍ରଦର୍ଶନକାରୀଙ୍କ ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନ ଏବଂ ଲାଠିଚାର୍ଜ ସମ୍ପର୍କିତ ଏକ ଆବେଦନର ଶୁଣାଣି କରିଛନ୍ତି ଦିଲ୍ଲୀ ହାଇକୋର୍ଟ । କେନ୍ଦ୍ର ସରକାର ଏବଂ ଦିଲ୍ଲୀ ପୋଲିସକୁ…

୨୪ ଘଣ୍ଟାରେ ୬ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ: ବନ୍ଧୁକ, ଖଣ୍ଡା ସହ ବାଇକ୍‌ ଜବତ କରି…

ପୁରୁଷୋତ୍ତମପୁର,୨୨ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସକୁ ଏକ ବଡ଼ସଫଳତା ମିଳିଥିବା ବେଳେ ସହ ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୬ ଜଣଙ୍କୁ…

ବିକ୍ଷୋଭ ପ୍ରଦର୍ଶନକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ ରାଜନାଥ ସିଂ, ଛାତ୍ରଙ୍କୁ କରାଯାଉଛି…

ନୂଆଦିଲ୍ଲୀ,୨୨।୭: ସୋନମ ୱାଙ୍ଗଚୁକଙ୍କ ଅନଶନ, ସିଜେପିର ପ୍ରତିବାଦ ଏବଂ ବିରୋଧୀଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ପରେ ସରକାର ପଛକୁ ହଟିଥିବା ପରି ମନେ ହେଉଛି। ଏହି ସମୟରେ, ପ୍ରତିରକ୍ଷା…

ଭିଜିଲାନ୍ସ ଜାଲରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ, SHG ମହିଳାଙ୍କଠାରୁ…

ଭବାନୀପାଟଣା,୨୨ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଓଡିଶା ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରିନ୍ସିପାଲ ସୀତାକାନ୍ତ ରଣା ବୁଧବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସ୍କୁଲରେ ନିୟୋଜିତ…

E20 ପେଟ୍ରୋଲରେ କମୁଛି ଗାଡ଼ିର ମାଇଲେଜ୍‌? ପ୍ରଥମ ଥର ମାନିଲେ ସରକାର

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ସରକାର ବୁଧବାର କହିଛନ୍ତି ଯେ E20 ପେଟ୍ରୋଲ (୨୦ ପ୍ରତିଶତ ଏଥାନୋଲ ମିଶ୍ରିତ ପେଟ୍ରୋଲ) ବ୍ୟବହାର ଦ୍ୱାରା E10 ପେଟ୍ରୋଲ ପାଇଁ ଡିଜାଇନ୍ କରାଯାଇଥିବା…

ଗଞ୍ଜେଇ ଚୋରା ଚାଲାଣର ସାମ୍ରାଜ୍ୟ ଚଳାଇଥିଲେ, ୨ ଯୁବକଙ୍କୁ ଧରି..

ଦାରିଙ୍ଗବାଡ଼ି,୨୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଗଞ୍ଜେଇ ପ୍ୟାକିଂ କରି ବାହାରକୁ ଚାଲାଣ କରୁଥିବା ୨ ଜଣିଆ ଟିମ୍‌କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri