ୟୁରୋପରେ ଗ୍ରୀଷ୍ମ ତାଣ୍ଡବ

ଶୀତପ୍ରଧାନ ମହାଦେଶ ୟୁରୋପରେ ଅତ୍ୟଧିକ ଉତ୍ତାପଜନିତ ବିପର୍ଯ୍ୟୟ ଯେ କେତେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି କରିପାରେ, ଏହା ଅବିଶ୍ୱସନୀୟ ହେଲେ ମଧ୍ୟ ୨୦୨୬ ମସିହା ଗ୍ରୀଷ୍ମଋତୁ ତାହାର ବାସ୍ତବତା ପ୍ରମାଣିତ କରିଛି। ଚଳିତ ବର୍ଷ ଜୁନ୍‌ରେ ପଶ୍ଚିମ ୟୁରୋପର ହାରାହାରି ତାପମାତ୍ରା ୨୦.୭୪ ଡିଗ୍ରୀ ସେଲସିୟସ ପହଞ୍ଚିଥିଲା, ଯାହା ୧୯୯୧-୨୦୨୦ ମାନକ ତୁଳନାରେ ୩ ଡିଗ୍ରୀରୁ ଅଧିକ। ୟୁରୋପୀୟ ସଂଘର କୋପରନିକସ କ୍ଲାଇମେଟ ଚେଞ୍ଜ ସର୍ଭିସ ଅନୁଯାୟୀ ଏହା ଥିଲା ବିଶ୍ୱ ଏବଂ ସମଗ୍ର ୟୁରୋପ ନିମନ୍ତେ ରେକର୍ଡ଼ରେ ଦ୍ୱିତୀୟ ସର୍ବୋଚ୍ଚ ଉତ୍ତପ୍ତ ଜୁନ୍‌, ଯାହାର ପ୍ରଚ୍ଛଦରେ ରହିଛି ମାନବ-ପ୍ରବର୍ତ୍ତିତ ଜଳବାୟୁ ପରିବର୍ତ୍ତନ ଦ୍ୱାରା ତାପମାତ୍ରା ବୃଦ୍ଧିର ଭୂମିକା। ପ୍ରାକୃତିକ ପ୍ରକ୍ରିୟା ବଦଳରେ ଆମ ଜଳବାୟୁରେ ଏକ ଢାଞ୍ଚାଗତ ପରିବର୍ତ୍ତନକୁ ଏହା ପ୍ରତିଫଳିତ କରୁଛି, ଯାହା ପ୍ରଲମ୍ବିତ ହୋଇ ମରୁଡ଼ି ଏବଂ ଅନ୍ୟାନ୍ୟ ଚାପ ସହ ମିଶି ଗମ୍ଭୀର ପରିସ୍ଥିତି ସୃଷ୍ଟି କରିଛି। ଦକ୍ଷିଣ ୟୁରୋପରୁ କେନ୍ଦ୍ରୀୟ ଏବଂ ପଶ୍ଚିମ ୟୁରୋପକୁ ବ୍ୟାପିଥିବା ଏହି ଉଚ୍ଚ ତାପମାତ୍ରା ମହାଦେଶର ଅନେକ ଲକ୍ଷ ଲୋକଙ୍କୁ ପ୍ରଭାବିତ କରିଛି। ଏପରି ବିପର୍ଯ୍ୟୟ ପରିପ୍ରେକ୍ଷୀରେ, ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ସୂତ୍ର ସୂଚିତ କରେ ଯେ ୨୦୦୦-୨୦୧୯ ପର୍ଯ୍ୟନ୍ତ ବିଶ୍ୱରେ ପ୍ରତିବର୍ଷ ପ୍ରାୟ ୪.୮୯ ଲକ୍ଷ ଉତ୍ତାପଜନିତ ମୃତ୍ୟୁଘଟିଛି, ଯେଉଁଥିରେ ୨୦୦୩ରେ ୟୁରୋପରେ ଗ୍ରୀଷ୍ମ ପ୍ରବାହରେ ଘଟିଥିବା ୭୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଅନ୍ତର୍ଭୁକ୍ତ। ଏସବୁ ଘଟଣା ଜଳବାୟୁ ପରିବର୍ତ୍ତନର ବର୍ଦ୍ଧିତ ପ୍ରଭାବକୁ ନିଶ୍ଚିତ କରିବା ସହ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ସୁଦୃଢ଼ ପ୍ରସ୍ତୁତି ଏବଂ ପରିବେଶ ସୁରକ୍ଷାର ଜରୁରୀ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରେ।
ୟୁରୋପରେ ଚଳିତ ଗ୍ରୀଷ୍ମ ଲହରି ବିପର୍ଯ୍ୟୟର ପ୍ରଚ୍ଛଦରେ କାର୍ଯ୍ୟକ୍ଷମ ଥିବା ଏକ ପ୍ରମୁଖ କାରକ ହେଉଛି ‘ଉତ୍ତାପ ଗମ୍ବୁଜ’ (ଓମେଗା ବ୍ଲକ ହିଟ୍‌ ଡୋମ୍‌)ର ସୃଷ୍ଟି, ଯାହା ଏକ ଶକ୍ତିଶାଳୀ, ଉଚ୍ଚ-ଚାପଜନିତ ବାୟୁମଣ୍ଡଳୀୟ ପାଣିପାଗ ପ୍ରଣାଳୀ। ଏହା ଦ୍ୱାରା ଭୂପୃଷ୍ଠର ଉପର ଭାଗରେ ଏକ ଉଚ୍ଚ-ଚାପଯୁକ୍ତ ବାୟୁସ୍ତର ସୃଷ୍ଟି ହୁଏ, ଯାହାକି ଫୁଟୁଥିବା ଉତ୍ତପ୍ତ ପାତ୍ର ଉପରେ ଏକ ଢାଙ୍କୁଣି ସଦୃଶ କାର୍ଯ୍ୟ କରେ। ପରିଣାମରେ ସୂର୍ଯ୍ୟଙ୍କର ପ୍ରଖର ରଶ୍ମି ଭୂପୃଷ୍ଠରେ ପତିତ ହୋଇ ଉତ୍ତାପ ସୃଷ୍ଟି ହେଲେ ଉତ୍ତପ୍ତ ବାୟୁ ଏହି ଢାଙ୍କୁଣି ତଳେ ଚାପିହୋଇ ରହିଯାଏ, ଯାହା ଉପରକୁ ମୁକ୍ତ ହୋଇପାରେ ନାହିଁ। ଏହି ପ୍ରକ୍ରିୟାରେ ଭୂପୃଷ୍ଠ ନିକଟସ୍ଥ ଉତ୍ତାପ କ୍ରମଶଃ ବୃଦ୍ଧି ପାଇଚାଲେ ଏବଂ ପ୍ରବଳ ଗ୍ରୀଷ୍ମ ପ୍ରବାହର ସୃଷ୍ଟି ହୁଏ। ଉତ୍ତପ୍ତ ଜଳୀୟବାଷ୍ପ ଉପରକୁ ଯାଇପାରୁ ନ ଥିବାରୁ ମେଘ ସୃଷ୍ଟିରେ ବ୍ୟାଘାତ ଘଟେ ଏବଂ ଆକାଶ ମେଘମୁକ୍ତ ଥିବାରୁ ପ୍ରଖର ସୂର୍ଯ୍ୟରଶ୍ମି ଭୂପୃଷ୍ଠରେ ପହଞ୍ଚି ତାପମାତ୍ରାରେ ବୃଦ୍ଧି ଘଟାଏ। ଅଧିକନ୍ତୁ, ଶୁଷ୍କ ମୃତ୍ତିକା ଏବଂ ସ୍ବଳ୍ପ ବର୍ଷା ପରିସ୍ଥିତି ବାଷ୍ପୀକରଣ ମାଧ୍ୟମରେ ପ୍ରାକୃତିକ ଶୀତଳତା ସୃଷ୍ଟିକୁ ସୀମିତ କରି ତାପମାତ୍ରାକୁ ଆହୁରି ତୀବ୍ର କରିଛି। ଉତ୍ତର ଆଫ୍ରିକୀୟ ଅଞ୍ଚଳ (ସାହାରା ମରୁଭୂମି)ରୁ ଶୁଷ୍କ, ଉଷ୍ମ ବାୟୁରାଶିର ୟୁରୋପକୁ ପ୍ରବାହ ମଧ୍ୟ ଏଥିରେ ଅବଦାନ ରଖିଛି।
ବୈଜ୍ଞାନିକମାନେ ସୂଚ଼ାଇଛନ୍ତି ଯେ ବିଶ୍ୱତାପନ ପ୍ରକ୍ରିୟା ସମଗ୍ର ୟୁରୋପରେ ଗ୍ରୀଷ୍ମ ଲହରିର ତୀବ୍ରତା ଏବଂ ଅବଧିରେ ବୃଦ୍ଧି ଘଟାଉଛି। ବିଶ୍ୱରେ ସବୁଜଗୃହ ବାଷ୍ପସବୁର ବର୍ଦ୍ଧିତ ନିର୍ଗମନ କ୍ରମଶଃ ବୈଶ୍ୱିକ ହାରାହାରି ତାପମାତ୍ରାରେ ବୃଦ୍ଧି ଘଟାଇ ପୂର୍ବ ଦଶନ୍ଧି ତୁଳନାରେ ଚରମ ପାଣିପାଗ ଘଟଣାସବୁକୁ ଅଧିକ ସକ୍ରିୟ କରିଛି। ୟୁରୋପର ଚାରିଆଡ଼େ ସାମୁଦ୍ରିକ ତାପମାତ୍ରା ମଧ୍ୟ ବସନ୍ତ ଋତୁର ଶେଷ ଭାଗରେ ଅସ୍ବାଭାବିକ ଭାବେ ଅଧିକ ରହିଥିଲା। ଏହି ସମସ୍ତ ଅତ୍ୟଧିକ ଉତ୍ତାପଜନିତ ଘଟଣାଗୁଡ଼ିକର ପ୍ରଭାବରେ ୟୁରୋପ ମହାଦେଶ ପ୍ରଚଣ୍ଡ ଗ୍ରୀଷ୍ମ ଲହରିର ଶିକାର ହେଲା। ଅଷ୍ଟ୍ରିଆ, ବେଲଜିୟମ, ଚେକ୍‌ରିପବ୍ଲିକ, ଡେନମାର୍କ, ଫ୍ରାନ୍ସ, ଜର୍ମାନୀ, ହଙ୍ଗେରୀ, ଇଟାଲୀ, ନେଦରଲାଣ୍ଡ, ପୋଲାଣ୍ଡ, ରୋମାନିଆ, ସ୍ଲୋଭାକିଆ, ସ୍ପେନ ଏବଂ ଇଂଲଣ୍ଡରେ ତାପମାତ୍ରା ସମ୍ବନ୍ଧୀୟ ପୂର୍ବତନ ରେକର୍ଡ ଭଙ୍ଗହେଲା। ଏମାନଙ୍କ ମଧ୍ୟରୁ ଫ୍ରାନ୍ସ, ଆୟର୍ଲାଣ୍ଡ, ବ୍ରିଟେନ, ପର୍ତ୍ତୁଗାଲ ଏବଂ ସ୍ପେନର ଦିବା ତାପମାତ୍ରା ୪୦ଡିଗ୍ରୀ ସେଲସିୟସ ଅତିକ୍ରମ କରିଗଲା, ଏପରିକି ଇଟାଲୀର କାଷ୍ଟେଲ୍ଟରମିନିରେ ତାପମାତ୍ରା ୪୮.୪ ଡିଗ୍ରୀ ସେଲସିୟସ ଛୁଇଁବାର ରେକର୍ଡ ସୃଷ୍ଟି ହେଲା। ତେବେ ଏସବୁ ଶୀତପ୍ରଧାନ ଦେଶର ଅଧିବାସୀମାନେ ଏତେ ଉଚ୍ଚ ତାପମାତ୍ରା ସହିପାରନ୍ତି ନାହିଁି, ଯେଉଁଥିପାଇଁ ଆରମ୍ଭ ହେଲା ଧ୍ୱଂସର ବିଭୀଷିକା।
ଗ୍ରୀଷ୍ମ ଲହରିର ତୀବ୍ରତା ଏତେ ବ୍ୟାପକ ଥିଲା ଯେ ହଜାର ହଜାର ସଂଖ୍ୟାର ଲୋକ ଅବସନ୍ନତା, ଡିହାଇଡ୍ରେଶନ ଏବଂ ଉତ୍ତାପ ଷ୍ଟ୍ରୋକର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ। ବୟସ୍କ ବ୍ୟକ୍ତି, ଛୋଟ ପିଲା, ଶ୍ରମିକ ଏବଂ ପୂର୍ବରୁ ସ୍ବାସ୍ଥ୍ୟ ସମସ୍ୟା ଥିବା ବ୍ୟକ୍ତିମାନେ ବିଶେଷ ଭାବରେ ଆକ୍ରାନ୍ତ ହେଲେ। ରିପୋର୍ଟରୁ ଜଣାପଡ଼ିଛି ଯେ, ଉତ୍ତାପ ସମ୍ବନ୍ଧୀୟ ରୋଗର ବର୍ଦ୍ଧିତ ସଂଖ୍ୟାକୁ ପରିଚ଼ାଳନା କରିବା ପାଇଁ ଅନେକ ରାଷ୍ଟ୍ରର ସ୍ବାସ୍ଥ୍ୟସେବା ବ୍ୟବସ୍ଥା ସଂଘର୍ଷ କରୁଛନ୍ତି। ଜନସ୍ବାସ୍ଥ୍ୟ କର୍ତ୍ତୃପକ୍ଷମାନେ ସତର୍କତା ଜାରିକରି ଲୋକଙ୍କୁ ଗ୍ରୀଷ୍ମ ସମୟରେ ଗୃହ ମଧ୍ୟରେ ରହିବା, ପ୍ରଚୁର ପାଣି ପିଇବା ଏବଂ ଦୁର୍ବଳ ପରିବାର ସଦସ୍ୟ ଓ ପଡ଼ୋଶୀମାନଙ୍କୁ ସୁରକ୍ଷିତ ରଖିବାକୁ ଉତ୍ସାହିତ କଲେ। ଏସବୁ ସତ୍ତ୍ୱେ, ଗବେଷକଙ୍କ ଆକଳନ ଅନୁଯାୟୀ, ୨୦୨୬ ଜୁନ ଓ ଜୁଲାଇରେ ଅନୁଭୂତ ଏହି ଉତ୍ତାପ ଲହରିର ପ୍ରତିଫଳରେ ପ୍ରାୟ ୨୫ ହଜାର ଅତିରିକ୍ତ ମୃତ୍ୟୁ ଘଟିଛି, ଯାହାକି ମହାଦେଶରେ ନିକଟବର୍ତ୍ତୀ ସମୟର ସର୍ବାଧିକ ଭୟଙ୍କର ପାଣିପାଗ ବିପର୍ଯ୍ୟୟ ମଧ୍ୟରେ ଅନ୍ୟତମ ରୂପେ ପରିଗଣିତ। ଅତ୍ୟଧିକ ପ୍ରଭାବିତ ରାଷ୍ଟ୍ର ମଧ୍ୟରେ ଫ୍ରାନ୍ସ (୫,୦୦୦-୫,୨୦୦ ମୃତ୍ୟୁ), ଜର୍ମାନୀ (ପ୍ରାୟ ୪,୫୦୦), ସ୍ପେନ (ପ୍ରାୟ ୩,୧୦୦) ଏବଂ ଇଟାଲୀ (ପ୍ରାୟ ୨,୭୦୦) ଅନ୍ତର୍ଭୁକ୍ତ । ପୀଡ଼ିତଙ୍କ ମଧ୍ୟରେ ୬୫ ବର୍ଷ ଓ ତଦୂର୍ଦ୍ଧ୍ୱ ବୟସର ବ୍ୟକ୍ତିମାନଙ୍କ ସଂଖ୍ୟା ହେଉଛି ସର୍ବାଧିକ। ଅନ୍ୟ ପକ୍ଷରେ, ଜଳଉତ୍ସରେ ବୁଡ଼ିଯିବା ଯୋଗୁ ଫ୍ରାନ୍ସରେ ୧୩୧ ଜଣଙ୍କର ଏବଂ ଜର୍ମାନୀରେ ୧୦୦ରୁ ଅଧିକ ମୃତ୍ୟୁର ସୂଚ଼ନା ମିଳିଛି।
ଉଚ୍ଚ ତାପମାତ୍ରା ଏବଂ ଶୁଷ୍କ ବୃକ୍ଷଲତାର ଉପସ୍ଥିତି ଭୂମଧ୍ୟସାଗରୀୟ ଦେଶଗୁଡ଼ିକରେ ଜଙ୍ଗଲାଗ୍ନିକୁ ବ୍ୟାପକ କରି ବାସଗୃହ, ଚାଷଜମି, ବନ୍ୟପ୍ରାଣୀ ବାସସ୍ଥଳୀ ଏବଂ ହଜାର ହଜାର ହେକ୍ଟର ଜଙ୍ଗଲକୁ ଧ୍ବଂସ କରିଦେଇଛି। ନିଆଁର ଦ୍ରୁତ ବିସ୍ତାର ଏବଂ ନିର୍ଗତ ଘନଧୂଆଁ ବାୟୁର ଗୁଣବତ୍ତାରେ ହ୍ରାସ ଘଟାଇବା ସହ ସ୍ଥାନୀୟ ସମ୍ପ୍ରଦାୟ ନିମନ୍ତେ ଅତିରିକ୍ତ ସ୍ବାସ୍ଥ୍ୟଜନିତ ବିପଦ ସୃଷ୍ଟିର କାରଣ ହୋଇଛି। କୃଷି ଏବଂ ପଶୁପାଳନ ପ୍ରଭାବିତ ହୋଇଛି। କୃଷକମାନେ ଜଳକଷ୍ଟ, ଜଳସେଚନ ଖର୍ଚ୍ଚ ବୃଦ୍ଧି ଏବଂ ଯଥେଷ୍ଟ ଆର୍ଥିକ କ୍ଷୟକ୍ଷତିର ସମ୍ମୁଖୀନ ହୋଇଛନ୍ତି। ଏସବୁର ପ୍ରଭାବରେ ସମଗ୍ର ୟୁରୋପରେ ଖାଦ୍ୟ ସୁରକ୍ଷା ଏବଂ ମୂଲ୍ୟ ବୃଦ୍ଧି ଚିନ୍ତା ବଢାଇଛି। ଲକ୍ଷ ଲକ୍ଷ ପରିବାର ଏୟାର୍‌ କଣ୍ଡିଶନର୍‌ ଏବଂ ଶୀତଳୀକରଣ ଉପରେ ନିର୍ଭର କରୁଥିବାରୁ ବିଦ୍ୟୁତ ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଇ ପାୱାର୍‌ ଗ୍ରୀଡ଼ଗୁଡ଼ିକରେ ଅତ୍ୟଧିକ ଲୋଡ, ବିଦ୍ୟୁତ ଅଭାବ ଏବଂ ବିଭ୍ରାଟ ଅନୁଭୂତ ହୋଇଛି। ଅନେକ ଅଞ୍ଚଳରେ ଜଳ ଯୋଗାଣରେ ବାଧା ଉପୁଜିଛି। ପ୍ରବଳ ଗ୍ରୀଷ୍ମ ପ୍ରଭାବରେ ରାସ୍ତାଘାଟ ନରମ, ରେଳ ଲାଇନଗୁଡ଼ିକ ବଙ୍କାଟଙ୍କା ଏବଂ ପରିବହନ ସେବା ବ୍ୟାହତ ହୋଇଛି। ତାପମାତ୍ରାଜନିତ ମୁକାବିଲା, ପୁନରୁଦ୍ଧାର ଏବଂ ପୁନଃନିର୍ମାଣ ଯୋଜନା କାର୍ଯ୍ୟକାରୀ କରି ଜରୁରିକାଳୀନ ସେବା ପ୍ରଦାନରେ ସରକାରଙ୍କୁ କୋଟି କୋଟି ୟୁରୋ ଖର୍ଚ୍ଚାନ୍ତ ହେବାକୁ ପଡ଼ିଛି। ଅତଏବ ଏହି ଗ୍ରୀଷ୍ମ ପ୍ରବାହ ବିପର୍ଯ୍ୟୟ ବ୍ୟାପକ ଭାବରେ ଜନସ୍ବାସ୍ଥ୍ୟ, କୃଷି, ଭିତ୍ତିଭୂମି, ପରିସଂସ୍ଥା ଏବଂ ଜାତୀୟ ଅର୍ଥନୀତି ଉପରେ ପ୍ରଭାବ ବିସ୍ତାର କରିଛି। ଭବିଷ୍ୟତରେ ଏପରି ଘଟଣାରୁ ଲୋକଙ୍କୁ ଏବଂ ପରିବେଶକୁ ସୁରକ୍ଷିତ ରଖିବା ନିମନ୍ତେ ଦୃଢ଼ ଜଳବାୟୁ ପଦକ୍ଷେପ ଗ୍ରହଣ ଅତ୍ୟନ୍ତ ଜରୁରୀ।
– କାର୍ଯ୍ୟକାରୀ ସଭାପତି,
ଓଡ଼ିଶା ପରିବେଶ ସମିତି, ଭୁବନେଶ୍ୱର
ମୋ: ୯୪୩୭୦୭୬୧୦୦

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମସ୍କୋରେ ବୋମା ବିସ୍ଫୋରଣ; ୩ ମୃତ ୨୧ ଆହତ

ମସ୍କୋ,୨।୮: ଶନିବାର ସାରେ (ଅଗଷ୍ଟ ୧) ରୁଷିଆର ରାଜଧାନୀ ମସ୍କୋର ଏକ ରେଷ୍ଟୁରାଣ୍ଟ ନିକଟରେ ବିସ୍ଫୋରଣରେ ତିନି ଜଣ ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ ୨୧ ଜଣ…

ସାପ କାମୁଡ଼ାରେ ନାବାଳିକାର ମୃତ୍ୟୁ: ଶବ ବ୍ୟବଚ୍ଛେଦ ପାଇଁ ୩୬ ଘଣ୍ଟାର ପ୍ରତୀକ୍ଷା, ୩ଟି ମେଡିକାଲ ବୁଲିଲେ …

ଥୁଆମୂଳ ରାମପୁର, ୨।୮ (ଦୁର୍ଗା କୀର୍ତ୍ତି): ମୃତ୍ୟୁ ପରେ ମଧ୍ୟ ମିଳିଲାନି ସମ୍ମାନ। ଶବ ବ୍ୟବଚ୍ଛେଦ ପାଇଁ ଶୋକସନ୍ତପ୍ତ ପରିବାରକୁ ଦୀର୍ଘ ୩୬ ଘଣ୍ଟା ଧରି ସଂଘର୍ଷ…

୪ରେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ପଦଯାତ୍ରାରେ ଯିବେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨ା୮(ପି.ଟି.): ଖାଣ୍ଟି ପେଟ୍ରୋଲ ଏବଂ ଇ୨୦ (୨୦% ଇଥାନଲ ମିଶ୍ରିତ ପେଟ୍ରୋଲ) ମଧ୍ୟରୁ ଗ୍ରାହକ ଗୋଟିଏକୁ ବାଛିବା ନିମନ୍ତେ ପେଟ୍ରୋଲ ପମ୍ପଗୁଡ଼ିକରେ ସରକାର ବିକଳ୍ପ ବ୍ୟବସ୍ଥା ରଖିବାକୁ…

ସପିଂ ସେଣ୍ଟରରେ ଆଖିବୁଜା ଗୁଳି ଚାଳନା, ୩ ମୃତ

ଓ୍ବାଶିଂଟନ,୨।୮: ଆମେରିକାରେ ଗୁଳିକାଣ୍ଡ ଘଟଣା ବଢ଼ିବାରେ ଲାଗିଛି। ସଦ୍ୟତମ ଘଟଣାଟି ଆଇଡାହୋର ଟ୍ବିନ ଫଲ୍ସ ସହରରେ ଘଟିଛି, ଯେଉଁଠାରେ ଶନିବାର ଅପରାହ୍ନରେ ଜଣେ ଆକ୍ରମଣକାରୀ ଏକ ସପିଂ…

ଏଇ ଭାରତରେ

ବେଙ୍ଗାଲୁରୁର ସୂର୍ଯ୍ୟ ଉତ୍କର୍ଷ ସଡ଼କ ସୁରକ୍ଷା ସମ୍ପର୍କରେ ଲୋକଙ୍କୁ ସଚେତନ କରୁଛନ୍ତି। ପିଲାବେଳେ ରାସ୍ତା ଦୁର୍ଘଟଣାର ଶିକାର ହୋଇ ଅନେକ ଦିନର ଚିକିତ୍ସା ପରେ ସୁସ୍ଥ ହୋଇ…

ଡାହାଣୀ ହୋଇ ଲାଗିବେ

ମୋର ଜଣେ ଆରକ୍ଷୀ ବନ୍ଧୁ ତାଙ୍କ ହ୍ବାଟ୍ସଆପ୍‌ ଷ୍ଟାଟସ୍‌ରେ ନିଶା ନିବାରଣ ପାଇଁ ପୋଲିସ ବିଭାଗ ସହ ହାତ ମିଳାଇ କାମ କରିବା ପାଇଁ ତାଙ୍କର ସାଙ୍ଗସାଥୀ…

୨୦ ବର୍ଷ ପରେ କୋଲକାତା ଫେରିଲେ ତସଲିମା ନାସରିନ; ହେଲେ ପରିସ୍ଥିତି ହେଲା ଅଶାନ୍ତ, କାହିଁକି ଜାଣନ୍ତୁ

କୋଲକାତା,୨।୮: ପ୍ରାୟ ଦୁଇ ଦଶନ୍ଧି ପରେ ତସଲିମା ନାସରିନ ପୁଣି ଥରେ କୋଲକାତାରେ ପହଞ୍ଚିଛନ୍ତି। ସେ ମନ୍ତବ୍ୟ ଦେଇଥିଲେ ଯେ ତାଙ୍କର ପ୍ରତ୍ୟାବର୍ତ୍ତନ ପ୍ରମାଣ କରେ ଯେ…

ସମୟର ସଙ୍କେତ

ମଦର ଅଫ୍‌ ଡେମୋକ୍ରାସି ବା ଗଣତନ୍ତ୍ରର ଜନନୀ ହେଉଛି ଭାରତ। ଏହା ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ ଏକ ଅସ୍ଥାୟୀ ନିର୍ବାଚିତ ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri