ଆତ୍ମହତ୍ୟା ଏକ ଗମ୍ଭୀର ସମସ୍ୟା

ଡା. ସତ୍ୟକାମ ମହାପାତ୍ର

ସାରା ବିଶ୍ୱରେ ପ୍ରତି ବର୍ଷ ଦଶ ଲକ୍ଷ ଲୋକ ଆତ୍ମହତ୍ୟା କରି ମୃତ୍ୟୁବରଣ କରିଥାନ୍ତି। ଭାରତବର୍ଷରେ ଆତ୍ମହତ୍ୟାର ସ୍ଥିତି ଆହୁରି ଭୟାନକ। ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି)ର ରିପୋର୍ଟ ଅନୁସାରେ ୨୦୨୧ରେ ଭାରତରେ ୧,୬୪,୦୦୦ ଲୋକ ଆତ୍ମହତ୍ୟା କରି ମୃତ୍ୟୁବରଣ କରିଛନ୍ତି। ଏଥିମଧ୍ୟରୁ ଓଡ଼ିଶାରେ ୫୬୫୦ଜଣ ଆତ୍ମହତ୍ୟା କରି ମୃତ୍ୟୁବରଣ କରିଛନ୍ତି। ଆତ୍ମହତ୍ୟାର ଜାତୀୟ ହାର ୧୨ ପ୍ରତିଶତ ଥିବାବେଳେ ଓଡ଼ିଶାରେ ଏହା ୧୨.୩ ପ୍ରତିଶତ। ଅର୍ଥାତ ଓଡ଼ିଶାର ଆତ୍ମହତ୍ୟା ହାର ଜାତୀୟ ହାରଠାରୁ ଅଧିକ। ଯେତେ ସଂଖ୍ୟାର ଲୋକ ଆତ୍ମହତ୍ୟା କରି ମୃତ୍ୟୁବରଣ କରୁଛନ୍ତି ତାହାର କୋଡିଏ ଗୁଣ ଲୋକ ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି। ଅର୍ଥାତ ପ୍ରତି ୪୦ ସେକେଣ୍ଡରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରି ମୃତ୍ୟୁବରଣ କରୁଥିଲା ବେଳେ ପ୍ରତି ୩ ସେକେଣ୍ଡରେ ଜଣେ ବ୍ୟକ୍ତି ଆତ୍ମହତ୍ୟା ଉଦ୍ୟମ କରୁଛି।
ଭାରତରେ ମୋଟ ଆତ୍ମହତ୍ୟା ମଧ୍ୟରୁ ୬୭ ପ୍ରତିଶତ ଲୋକ କେବଳ ଯୁବବର୍ଗର (୧୮ ରୁ ୪୫ ବର୍ଷ)। ୧୫ ରୁ ୨୪ ବର୍ଷ ବୟସ ଭିତରେ ମୃତ୍ୟୁର ସବୁଠାରୁ ପ୍ରମୁଖ କାରଣ ହେଲା ଆତ୍ମହତ୍ୟା। ସାରା ବିଶ୍ୱର ଯୁବତୀ ଓ ଯୁବକମାନଙ୍କ ମଧ୍ୟରୁ ଭାରତୀୟ ଯୁବତୀ ଓ ଯୁବକମାନେ ସର୍ବାଧିକ ସଂଖ୍ୟାରେ ଆତ୍ମହତ୍ୟା କରିଥାନ୍ତି। ୨୦୨୧ରେ ୧୧,୦୦୦ ଅଠର ବର୍ଷରୁ କମ୍‌ ପିଲା ଏବଂ କିଶୋର ଓ କିଶୋରୀମାନେ ଆତ୍ମହତ୍ୟା କରି ମୃତ୍ୟୁବରଣ କରିଛନ୍ତି। ଏହି ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ୨୦୨୦ ଅପେକ୍ଷା ୨୦୨୧ରେ ଆତ୍ମହତ୍ୟା ୭ ପ୍ରତିଶତ ବୃଦ୍ଧି ପାଇଛି। ଭାରତକୁ ଏବେ ବିଶ୍ୱର ଆତ୍ମହତ୍ୟାର ରାଜଧାନୀ ବୋଲି କୁହାଯାଉଛି।
ଆମ ଦେଶର ଲୋକମାନେ ବିଭିନ୍ନ କାରଣରୁ ଆତ୍ମହତ୍ୟା କରିଥାନ୍ତି। ୨୦୨୧ରେ ଭାରତରେ ଆତ୍ମହତ୍ୟାର ପ୍ରମୁଖ କାରଣ ହେଲା ପାରିବାରିକ ସମସ୍ୟା (କଳହ) (୩୪%), ବିଭିନ୍ନ ରୋଗ(୧୯%) (ମାନସିକ ସମସ୍ୟା, ବିଭିନ୍ନ ଦୁରାରୋଗ୍ୟ), ବିଭିନ୍ନ ନିଶାଦ୍ରବ୍ୟ ସେବନ (୭%), ବୈବାହିକ ସମ୍ପର୍କରେ ଅସ୍ଥିରତା (୫%), ପ୍ରେମଜନିତ ସମସ୍ୟା (୫%), ଆର୍ଥିକ ସଙ୍କଟ(୪%), ବେରୋଜଗାର(୨%), ପରୀକ୍ଷାରେ ଖରାପ ପ୍ରଦର୍ଶନ, ଚାକିରିଜନିତ ସମସ୍ୟା ଓ ଆତ୍ମୀୟ ଲୋକର ହଠାତ ମୃତ୍ୟୁ ଆଦି। ଜୀବନରେ ଘଟୁଥିବା ଏସବୁ କଠିନ ଓ ଅସୁବିଧାଜନକ ଘଟଣାବଳୀ ମାନସିକ ଚାପ ସୃଷ୍ଟି କରିଥାଏ। ଯେଉଁମାନେ ଏହି ମାନସିକ ଚାପର ଠିକ୍‌ ମୁକାବିଲା କରିପାରନ୍ତି ନାହିଁ, ସେମାନେ ମୁଖ୍ୟତଃ ଆତ୍ମହତ୍ୟା ଉଦ୍ୟମ କରିଥାନ୍ତି। କେତେକ ବ୍ୟକ୍ତି ହଠାତ ଭାବପ୍ରବଣତା ଓ ଆବେଗପ୍ରବଣତାର ଶିକାର ହୋଇ ଆତ୍ମହତ୍ୟା କରିଥାନ୍ତି। ଆଧୁନିକ ଭାରତୀୟ ସମାଜରେ ଯୌଥ ପରିବାରର ପରମ୍ପରା ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଲାଣି। ଏହାଛଡ଼ା ଉଭୟ ମାତାପିତା ଚାକିରି କରିବାର ଚଳଣି ବଢ଼ିବାରେ ଲାଗିଲାଣି। ଉଭୟ କାରଣ ଯୋଗୁ କିଶୋର ଓ କିଶୋରୀମାନେ ନିଜ ମନର ଭାବନା ଏବଂ ବେଦନାର ଆଦାନ ପ୍ରଦାନ କରିବା ନିମନ୍ତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଯାହାଫଳରେ ସେମାନଙ୍କ ଉପରେ ମାନସିକ ଚାପ ବଢ଼ିବାରେ ଲାଗୁଛି ଏବଂ ସେମାନେ ଆତ୍ମହତ୍ୟାର ଉଦ୍ୟମ କରୁଛନ୍ତି।
ଯୁବତୀ ଓ ଯୁବକମାନଙ୍କଠାରେ ଆତ୍ମହତ୍ୟା ଅଧିକ ମାତ୍ରାରେ ଦେଖାଯାଉଛି। ଏହାର ମୁଖ୍ୟ କାରଣଗୁଡ଼ିକ ହେଲା ପାଠପଢ଼ାର ଚାପ, ଅଭିଭାବକଙ୍କ ଆଶାନୁଯାୟୀ ପରୀକ୍ଷାରେ ଅଧିକ ନମ୍ବର ରଖିବାର ଚାପ, ପ୍ରେମ ସମ୍ପର୍କରେ ଅସଫଳ ହେବା ଓ ଭଲ ଚାକିରି ନ ପାଇବା ଆଦି। ସେମାନେ ଚାକିରି କ୍ଷେତ୍ରରେ ଅତ୍ୟଧିକ କାର୍ଯ୍ୟଭାରର ସମ୍ମୁଖୀନ ମଧ୍ୟ ହେଉଛନ୍ତି। ଏହିସବୁ ସମସ୍ୟା ସେମାନଙ୍କଠାରେ ମାନସିକ ଦୁଶ୍ଚିନ୍ତା ସୃଷ୍ଟି କରୁଛି। କେତେକ ଯୁବତୀ ଓ ଯୁବକ ଏହି ମାନସିକ ଦୁଶ୍ଚିନ୍ତାର ମୁକାବିଲା ସଫଳତାର ସହିତ କରିପାରୁ ନାହାନ୍ତି ଏବଂ ନିଜ ମନର ଭାବନା ଓ ଆବେଗକୁ ଠିକ୍‌ ଭାବରେ ନିୟନ୍ତ୍ରଣ କରିପାରୁ ନାହାନ୍ତି, ଯାହା ଫଳରେ ସେମାନେ ଆତ୍ମହତ୍ୟା କରୁଛନ୍ତି।
ଗତ ଅଢ଼େଇ ବର୍ଷ ହେବ କରୋନା ମହାମାରୀ ଦ୍ୱାରା ଭାରତବର୍ଷରେ ଲୋକମାନଙ୍କ ମଧ୍ୟରେ ଆତ୍ମହତ୍ୟାପ୍ରବଣତା ଅଧିକ ମାତ୍ରାରେ ବୃଦ୍ଧି ପାଇଛି। ବିଭିନ୍ନ ମାନସିକ ସମସ୍ୟା ଯୋଗୁ ଅନେକ ଲୋକ ଆତ୍ମହତ୍ୟା କରୁଛନ୍ତି। ଏଥିମଧ୍ୟରୁ ପ୍ରମୁଖ ମାନସିକ ସମସ୍ୟାଗୁଡ଼ିକ ହେଲା ଅବସାଦ(ଡିପ୍ରେସନ), ସ୍କିଜୋଫ୍ରେନିଆ, ମାନସିକ ଉଦ୍‌ବେଗ(ଆଙ୍ଗ୍‌ଜାଇଟି) ଓ ବାଇପୋଲାର ରୋଗ ଆଦି। ବିଭିନ୍ନ ପ୍ରକାରର ନିଶା ସେବନ ଯଥା ମଦ୍ୟପାନ, ଗଞ୍ଜେଇ ଓ ନିଦ ଟାବ୍ଲେଟ ଆଦି ଆତ୍ମହତ୍ୟା ପ୍ରବଣତାକୁ ଆହୁରି ବଢ଼ାଇ ଦେଇଥାଏ। ଆତ୍ମହତ୍ୟା କରିବାର ଯଥେଷ୍ଟ ପୂର୍ବରୁ ବ୍ୟକ୍ତି ଏହା ସମ୍ବନ୍ଧରେ ନିଜ ନିକଟତର ଲୋକଙ୍କୁ କିଛି ନା କିଛି ପ୍ରାକ୍‌ ସୂଚନା ଦେଇଥାଏ। ଯେଭଳି କି ବ୍ୟକ୍ତି ଅନ୍ୟମାନଙ୍କ ସହ ମିଳାମିଶା କରେ ନାହିଁ, ଏକୁଟିଆ ରହିବାକୁ ବେଶି ପସନ୍ଦ କରିଥାଏ, ନିଜର ଦୈନନ୍ଦିନ କାମ ଠିକ୍‌ସେ କରେନାହିଁ, ରାତିରେ ଅନିଦ୍ରା ରହେ, ଖାଦ୍ୟ ଖାଇବା କମିଯାଏ, ଅତି ଛୋଟ ଛୋଟ କଥାରେ ଭାବ ବିହ୍ବଳିତ ହୋଇଯାଏ, କାନ୍ଦି ପକାଏ, ପରିବାରର ଲୋକଙ୍କ ସହିତ ଜୀବନ ଓ ମୃତ୍ୟୁ ବିଷୟରେ ଆଲୋଚନା କରେ, ଇଣ୍ଟରନେଟରୁ ଆତ୍ମହତ୍ୟା ବିଷୟରେ ସର୍ଚ୍ଚ କରେ। ଯଦି ପରିବାରର କୌଣସି ଲୋକଠାରେ ଏସବୁ ଲକ୍ଷଣ ଆପଣ ଦେଖନ୍ତି ତେବେ ତୁରନ୍ତ ତାଙ୍କୁ ମାନସିକ ରୋଗ ବିଶେଷଜ୍ଞଙ୍କ ପାଖକୁ ନିଅନ୍ତୁ।
ନିଜ ମନରେ ଆତ୍ମହତ୍ୟାର ଚିନ୍ତା ଆସିଲେ ଆପଣ ନିଜ ମନର କଥା ନିକଟତର ଲୋକଙ୍କୁ ଜଣାନ୍ତୁ। ନିଜର ଅସୁବିଧା ସମ୍ବନ୍ଧରେ ଅନ୍ୟମାନଙ୍କ ସହିତ ବିଚାରବିମର୍ଶ କରନ୍ତୁ। ଏହି ସମୟରେ ଅନ୍ୟମାନଙ୍କର ସାହାଯ୍ୟ ନେବାକୁ କୁଣ୍ଠାବୋଧ କରନ୍ତୁ ନାହିଁ। ଭାବପ୍ରବଣ ହୋଇ ହଠାତ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଏହି ସମୟରେ ଧୈର୍ଯ୍ୟର ସହିତ ସମସ୍ତ କାମ କରନ୍ତୁ। ଯୁବତୀ ଓ ଯୁବକମାନେ ନିଜ ମଧ୍ୟରେ ଆତ୍ମବିଶାସ ଓ ଆତ୍ମସଂଯମତା ବଢ଼ାଇବା ଉଚିତ। ଏହାଛଡ଼ା ସକାରାତ୍ମକ ମନୋଭାବ ନେଇ ସମସ୍ତ କାମ କରିବା ଉଚିତ। ଜୀବନରେ ଦେଖାଦେଉଥିବା ଅସୁବିଧାଗୁଡ଼ିକୁ ସମାଧାନ କରିବାର କୌଶଳ ବି ଶିଖନ୍ତୁ।
ପ୍ରତି ବର୍ଷ ସେପ୍ଟେମ୍ବର ୧୦ରେ ବିଶ୍ୱ ଆତ୍ମହତ୍ୟା ନିରୋଧକ ଦିବସ ପାଳନ କରାଯାଇଥାଏ। ଏହି ଦିବସର ପ୍ରମୁଖ୍ୟ ଲକ୍ଷ୍ୟ ହେଲା ଲୋକଙ୍କ ମଧ୍ୟରେ ଆତ୍ମହତ୍ୟା ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ଓ ଆତ୍ମହତ୍ୟା ସହିତ ଗଭୀର ଭାବେ ଜଡ଼ିତ ମାନସିକ ସମସ୍ୟା ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା। ଯଦି ଆମେ ସମସ୍ତେ ଆତ୍ମହତ୍ୟା ପ୍ରତି ସଚେତନ ରହିବା ତେବେ ଅନେକ ମୂଲ୍ୟବାନ ଜୀବନ ରକ୍ଷା କରାଯାଇପାରିବ।
ସହକାରୀ ପ୍ରଫେସର, ମାନସିକ ରୋଗ ବିଭାଗ, ଏସ୍‌ସିବି ମେଡିକାଲ କଲେଜ, କଟକ
ମୋ- ୮୪୫୬୯୧୫୫୦୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଖରାଦିନ ଆରମ୍ଭରୁ ବେଙ୍ଗାଲୁରୁ ଜଳ ସଙ୍କଟ ଏବେ ଚିନ୍ତାର ବିଷୟ ହୋଇଛି। ପରିସ୍ଥିତି ଏମିତି ଯେ ସେଠାରେ ଲୋକେ ସହର ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଏହି...

ଅଦୃଶ୍ୟ ଶତ୍ରୁ

ମାୟାଧର ନାୟକ   ସତ୍ୟ, ତ୍ରେତୟା, ଦ୍ୱାପର, କଳିକାଳରେ ଯେତେ ଯୁଦ୍ଧ ହୋଇଯାଇଛି- ଶତ୍ରୁକୁ ଜାଣି ହେଉଥିଲା- କିନ୍ତୁ ଏ ମହାକଳିକାଳରେ ଅଜଣା ରୋଗ ଓ...

ଚୋରକୁ ବୁଦ୍ଧି

ଅଲେଖ ଚନ୍ଦ୍ର ମିଶ୍ର   ‘ଚୋରକୁ ବୁଦ୍ଧି ଶିଖେଇବା’ ଆପ୍ତବାଣୀଟି ଯେଉଁ ପୃଷ୍ଠଭୂମି ଉପରେ ଆଧାରିତ ତାହା ଥିଲା ଏକ ବାସ୍ତବଧର୍ମୀ କାହାଣୀ, ଯାହାର ମର୍ମ...

ଅପ୍ରକାଶ୍ୟ ଋଣ ସମସ୍ୟା

ଗତ କିଛି ବର୍ଷ ମଧ୍ୟରେ କୋଭିଡ୍‌-୧୯ ମହାମାରୀଠାରୁ ଆରମ୍ଭକରି ଉନ୍ନତ-ଅର୍ଥ ବ୍ୟବସ୍ଥାର ସୁଧ ହାର ବୃଦ୍ଧି ଭଳି ଘଟଣା ଭିନ୍ନ ସ୍ଥିତି ସୃଷ୍ଟି କରିଛି। ଏଥିରେ...

ଏଇ ଭାରତରେ

ଦେଶ ଗଠନରେ ଯୁବ ପ୍ରଶାସକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅନୁଭବ କରିଛନ୍ତି ୨୦୧୧ ବ୍ୟାଚ୍‌ ଭାରତୀୟ ରାଜସ୍ବ ସେବା(ଆଇଆର୍‌ଏସ୍‌) ଅଧିକାରୀ ରବି କପୁର। ସେ...

ରାମ ରାଜ୍ୟ ସମ୍ଭବ କି

ବୈକୁଣ୍ଠନାଥ ମିଶ୍ର   ଆଜିକାଲି ‘ଜୟ ଶ୍ରୀରାମ’ ଉଚ୍ଚାରଣ କରି ବନ୍ଧୁଙ୍କୁ ପ୍ରଥମ ସାକ୍ଷାତରେ ସମ୍ଭାଷିତ କରିବାର ଅଭିନବ ପରମ୍ପରା ସର୍ବତ୍ର ପରିଦୃଷ୍ଟ। ବନ୍ଧୁଙ୍କୁ ସମ୍ଭାଷଣ...

ମତଦାତାଙ୍କ ବୁଦ୍ଧି ବିମୂଢ଼ତା

ଡ.ଛାୟାକାନ୍ତ ଷଡ଼ଙ୍ଗୀ   ସମ୍ପ୍ରତି ଭାରତ ତଥା ବିଭିନ୍ନ ପ୍ରଦେଶରେ ରାଜନୀତିର ବିଚିତ୍ର ଗତି ଦେଖି ମତଦାତାମାନେ ଉଇଲିଅମ ଜେମ୍‌ସଙ୍କ ଭଳି ସମସ୍ୟାର ସମ୍ମୁଖୀନ ହେଲେଣି।...

ବୁଝିହେଉଛି

ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍‌ କେଜ୍‌ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରି ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri