ଆତ୍ମହତ୍ୟା ପ୍ରବଣତା ଓ ନିରାକରଣ

ହରିଶଙ୍କର ମିଶ୍ର

ଆମ ରାଜ୍ୟରେ ଗଣମାଧ୍ୟମରେ ନିୟମିତ ଆତ୍ମହତ୍ୟା ସମ୍ପର୍କିତ ଖବର ପ୍ରକାଶ ପାଇବା ଯୋଗୁ ତାହା ସ୍ଥଳବିଶେଷରେ ବିଷମ ସ୍ଥିତି ସୃଷ୍ଟି କରୁଛି। କେଉଁଠି ତଦନ୍ତକୁ ବାଟବଣା କରିବାକୁ ହତ୍ୟାକାରୀମାନେ ଆତ୍ମହତ୍ୟାର ନାଟକ ସୃଷ୍ଟି କରୁଥିବା ବେଳେ କେଉଁଠି ଆତ୍ମହତ୍ୟା ପରେ ପରିବାର ଲୋକେ ହତ୍ୟା ଅଭିଯୋଗ କରୁଛନ୍ତି। ଫଳତଃ ଏହା ଜନସାଧାରଣଙ୍କୁ ସାମୟିକ ଭାବେ ବିଭ୍ରାନ୍ତ କରାଉଛି। ଆତ୍ମହତ୍ୟାକୁ ଦୁର୍ବଳ ମାନସିକତାଜନିତ ଅତ୍ୟଧିକ ଭାବପ୍ରବଣତାର ଦୁ଼ଃଖଦ ପରିଣତି ବୋଲି ମନୋବିଜ୍ଞାନୀ ମାନେ ମତବ୍ୟକ୍ତ କରିଥାନ୍ତି। ଆତ୍ମହତ୍ୟାର ଅବଶ୍ୟ ବିବିଧ କାରଣ ରହିଛି। ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ ଦାରିଦ୍ର୍ୟ, ପାରିବାରିକ ଅଶାନ୍ତି, ଋଣ ପରିଶୋଧ ପାଇଁ ଅକ୍ଷମତା ବା ଅତ୍ୟଧିକ ମାନସିକ ଚାପଜନିତ ଅବସାଦ ମୁଖ୍ୟ କାରଣ ହୋଇଥାଏ। କିଶୋର ବା ଯୁବା ବୟସର ଝିଅ ପୁଅଙ୍କ ମଧ୍ୟରେ ରହିଥିବା ପ୍ରେମ ବା ପ୍ରେମ ବିବାହ ପାଇଁ ପାରିବାରିକ ବିରୋଧାଭାସ ଆସିଲେ ସେ ଦୁଇଜଣ ମିଳିତ ଭାବେ ଆତ୍ମହତ୍ୟା କରୁଥିବାର ଦୃଷ୍ଟାନ୍ତ ରହିଛି। କାରଣ ଯାହା ହେଲେ ବି ଆତ୍ମହତ୍ୟା ମହାପାପ। ମନୁଷ୍ୟ ଜନ୍ମ ଦୁର୍ଲଭ ବୋଲି ଆମ ପୋଥି ପୁରାଣ ସହ ସର୍ବଶ୍ରେଷ୍ଠ ଆଧ୍ୟାତ୍ମିକ ଗ୍ରନ୍ଥ ଭଗବଦ ଗୀତାରେ ସ୍ପଷ୍ଟ ଉଲ୍ଲେଖ ରହିଛି। ଏହି ଗ୍ରନ୍ଥ ମାଧ୍ୟମରେ ଶ୍ରୀକୃଷ୍ଣଙ୍କ ମୁଖ ନିଃସୃତ ବାଣୀରେ କର୍ମକୁ ପ୍ରାଧାନ୍ୟ ଦିଆଯାଇ ଫଳ ପାଇଁ ଈଶ୍ୱରବିଶ୍ୱାସୀ ହେବାକୁ ବାରମ୍ବାର ପରାମର୍ଶ ଦିଆଯାଇଛି। ସେଇ ଗ୍ରନ୍ଥର ଦଶମ ଅଧ୍ୟାୟ ୨୦ ଶ୍ଳୋକରେ ଭଗବାନ ”ଅହମାତ୍ମା ଗୁଡାକେଶ ସର୍ଭୁତାଶୟସ୍ଥିତଃ“ ଅର୍ଥାତ୍‌ ପ୍ରତ୍ୟେକ ଶରୀରରେ ସେ ଆତ୍ମା ରୂପେ ଅବସ୍ଥାନ କରୁଥିବା କହିଛନ୍ତି। ମନୁଷ୍ୟର ସତ୍ୱ, ରଜ ଓ ତମ ଗୁଣ ମଧ୍ୟରୁ ଆତ୍ମହତ୍ୟା ଅର୍ଥାତ୍‌ ଆତ୍ମାର ହତ୍ୟା ହେଉଥିବାରୁ ତାହା ଗୁଣକୁ ପରିପ୍ରକାଶ କରିଥାଏ। ସେମାନଙ୍କର ମୋକ୍ଷ ପରିବର୍ତ୍ତେ ମୃତକ ବହୁ ଲକ୍ଷ ବାର ନୀଚ ଯୋନି ଅର୍ଥାତ୍‌ ବୃକ୍ଷ, ଲତା, ପଶୁ, ପକ୍ଷୀ, କୀଟ, ପତଙ୍ଗ, ସରୀସୃପ, କୃମି, ମାଛ ଭାବେ ଜନ୍ମ ନେଇଥାଏ। ଧର୍ମଶାସ୍ତ୍ରାଦିମାନଙ୍କ ମତରେ ମନୁଷ୍ୟ, ମାତୃଗର୍ଭରୁ ଜନ୍ମବେଳେ ଓ ଶରୀରରୁ ଆତ୍ମା ବା ପ୍ରାଣତ୍ୟାଗ ସମୟରେ ଅକଥନୀୟ କଷ୍ଟ ଭୋଗିଥାଏ। ମାତ୍ର ଜନ୍ମ ସମୟର ଯନ୍ତ୍ରଣା ଶିଶୁର ସ୍ମରଣାତୀତ ଓ ଦେହତ୍ୟାଗ ଯୋଗୁଁ ମୃତ୍ୟୁ ସମୟର ଯନ୍ତ୍ରଣା ଅପ୍ରକାଶ୍ୟ ରହିଯାଏ।
ଆତ୍ମହତ୍ୟା ସାଧାରଣତଃ ବିଷପାନ ବା ଫାଶି ପ୍ରକ୍ରିୟାରେ କରାଯାଏ। ଏଥିରେ ଆତ୍ମାକୁ ଅସ୍ବାଭାବିକ ଭାବେ ଶରୀର ତ୍ୟାଗ ପାଇଁ ବାଧ୍ୟ କରାଯାଉଥିବାରୁ ତାହା ଅତୀବ କଷ୍ଟଦାୟକ ହୋଇଥାଏ। ଯେକୌଣସି କାରଣରୁ ନିଜ ଜୀବନ ପ୍ରତି ବିତୃଷ୍ଣାଭାବ ଆସିପାରେ। ମାତ୍ର ନିଜକୁ ଈଶ୍ୱରଙ୍କ ସୃଷ୍ଟି କିନ୍ତୁ ମୃତ୍ୟୁ ତା’ର ଅଧୀନ ନୁହେଁ ବରଂ ସମସ୍ତ ସମାଧାନ ପାଇଁ ସେହି ସୃଷ୍ଟିକର୍ତ୍ତାଙ୍କ ଉପରେ ଦୃଢ଼ ବିଶ୍ୱାସୀ ହେଲେ ଆତ୍ମହତ୍ୟା ମାନସିକତା ଦୂର ହୋଇଥାଏ। ଆତ୍ମହତ୍ୟା ପାଇଁ ସିଦ୍ଧାନ୍ତ ନେବା ପୂର୍ବରୁ ଈଶ୍ୱରୀୟ ଭାବନା ଓ ଆତ୍ମହତ୍ୟା ପରର ପାରିବାରିକ ଦୁଃସ୍ଥିତି ଚିନ୍ତା କଲେ ଯେ କେହି ଏଥିରୁ ନିବୃତ୍ତ ହୋଇଯିବ। ଆମ ଆଇନ ବ୍ୟବସ୍ଥାରେ ଆତ୍ମହତ୍ୟା ପରେ ତା’ର କାରଣ ପାଇଁ ପୋଲିସ ବିବିଧ ଦିଗକୁ ତଦନ୍ତ ପରିସରଭୁକ୍ତ କରେ। ପରିବାରର ଜଣକୁ ହରାଇଥିବା ଆତ୍ମୀୟସ୍ବଜନ ଦୁଃଖରେ ମ୍ରିୟମାଣ ଥିବାବେଳେ ସ୍ଥଳବିଶେଷରେ ପୋଲିସ ଜୁଲମ ସେମାନଙ୍କ ପାଇଁ ଅସହ୍ୟ ହୋଇଥାଏ। କେତେକ କ୍ଷେତ୍ରରେ ମୃତକ ଯଦି ବିବାହିତା ହୋଇଥାଏ, ତାହା ଯେତେବର୍ଷ ହେଲେ ବି ତା’ ମାତାପିତା ଯୌତୁକଜନିତ ନିର୍ଯାତନା ଅଭିଯୋଗ ଆଣିଥାନ୍ତି। ଆଇନ ବ୍ୟବସ୍ଥାରେ ବିନା ଦୋଷରେ ବୟସ୍କ ଶାଶୁ ଶ୍ୱଶୁର ଓ ଅନ୍ୟମାନେ ଜେଲ ଯାଇଥାନ୍ତି। ସେମାନଙ୍କ ଅସନ୍ତୋଷ ଅଭିଶାପ ଭାବେ ମୃତକଙ୍କ ଆତ୍ମାକୁ ପ୍ରାରବ୍ଧ ଭାବେ ଭୋଗ ହୋଇଥାଏ। କିଛିଦିନ ଧରି ଏକାଧିକ ଛାତ୍ରୀଛାତ୍ରଙ୍କ ଆତ୍ମହତ୍ୟା ଚର୍ଚ୍ଚିତ ବିଷୟ ହୋଇଛି। ଏହା ପରିବାର ପାଇଁ ଅପୂରଣୀୟ କ୍ଷତି ଏବଂ ମାତାପିତାଙ୍କୁ ଦାରୁଣ ଦୁଃଖ ଦେଇଥାଏ। ମାଆ ବାପାମାନେ ଝିଅ ପୁଅଙ୍କ ଉଚ୍ଚଶିକ୍ଷା ପାଇଁ ଅନେକ ଆଶାରେ ବିଦ୍ୟାଳୟ ପରେ ମହାବିଦ୍ୟାଳୟକୁ ପଠାଇଥାନ୍ତି। କାରଣ ଯାହା ଥାଉନା କାହିଁକି ଝିଅ ପୁଅ ଯଦି ଆତ୍ମହତ୍ୟା କରନ୍ତି ସେତେବେଳେ ସେମାନେ ମାଆ ବାପାଙ୍କ ସ୍ବପ୍ନକୁ ମଧ୍ୟ ହତ୍ୟା କରିଥାନ୍ତି। ଶିଶୁ ମାତୃଗର୍ଭରେ ରହିବାଠାରୁ ଜନ୍ମ ବେଳେ ଜନ୍ମଦାତ୍ରୀ ଅକଥନୀୟ କଷ୍ଟ ଭୋଗି ଥାଏ। ଯଦି ଆତ୍ମହତ୍ୟା ବିଫଳ ପ୍ରେମ, ପ୍ରତାରଣା ଯୋଗୁ ହୋଇଥାଏ, ଗଣମାଧ୍ୟମରେ ପ୍ରଚାରିତ ହେବାପରେ ସେଇ ହତଭାଗ୍ୟ ମାଆ ବାପାଙ୍କ ପାଇଁ ତାହା ଅସହ୍ୟ ହୋଇଥାଏ। ସମାଜଠାରୁ ବନ୍ଧୁବାନ୍ଧବଙ୍କ ପ୍ରତ୍ୟକ୍ଷ ବା ପରୋକ୍ଷ ଟିପ୍ପଣୀ ତାଙ୍କ ଜୀବନକୁ ଅଧିକ ଦୁର୍ବିଷହ କରିଥାଏ। ଗତ କିଛି ମାସ ମଧ୍ୟରେ ମାନସିକ ନିର୍ଯାତନା ଯୋଗୁ ଏକାଧିକ ଛାତ୍ରୀଛାତ୍ର ଆତ୍ମହତ୍ୟା କରିଥିବା ଖବର ପ୍ରକାଶ ପାଇଛି; ଯାହାର ଅସହ୍ୟ ଦୁଃଖ, ନିର୍ଯାତନା ବା ଆଚରଣରେ ଅତିଷ୍ଠ ହୋଇ କେହି ଆତ୍ମହତ୍ୟା କଲେ ସେ ଆମ ଦଣ୍ଡବିଧି ସଂହିତା ଅନୁଯାୟୀ ଦୋଷୀ ସାବ୍ୟସ୍ତ ହୋଇଥାଏ। ଆଇନର ଗଳାବାଟରେ ସେ ନିସ୍ତାର ପାଇଲେ ବି ପ୍ରାରବ୍ଧ ଭାବେ ବହୁ ଯନ୍ତ୍ରଣା ପାଇଥାଏ। ପାରସ୍ପରିକ ସ୍ନେହ ଶ୍ରଦ୍ଧା କର୍ତ୍ତବ୍ୟପରାୟଣତା ଆମ ସଂହତିର ମୂଳମନ୍ତ୍ର କିନ୍ତୁ ଆମର ବୌଦ୍ଧିକ ଶିକ୍ଷାର ଅଭାବ ଏବଂ ସମାଜରେ ସଦାଚାରର ଅବକ୍ଷୟ ଯୋଗୁ ଏଭଳି ଦୁଃଖଦ ଘଟଣା ଯେ ଆମ ପାଇଁ ଖବର ଓ ଅନୁଭୂତି ହୋଇ ଚାଲିଥିବ। ଏଥିପାଇଁ ବ୍ୟାପକ ସଚେତନତା ଏବଂ ପାରିବାରିକ ଓ ସାମାଜିକ କର୍ତ୍ତବ୍ୟ ଶିକ୍ଷାର ଆବଶ୍ୟକତା ରହିଛି।
ଗୁଣ୍ଡିଚା ବିହାର, ପୁରୀ
ମୋ: ୭୯୭୮୭୮୫୪୭୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri