ସାର୍ଥକ ଜୀବନ

ବିଶାଳ ସୈନ୍ୟବାହିନୀର ଜୟଧ୍ବନିର ପ୍ରଚଣ୍ଡ କୋଳାହଳରେ ନିଦ ଭାଙ୍ଗିଗଲା ପ୍ରଖ୍ୟାତ ଗ୍ରୀକ୍‌ ଦାର୍ଶନିକ ଦାଓଜେନ୍‌ସଙ୍କର। ବିଜୟ ଉଲ୍ଲାସରେ ଆଗକୁ ମାଡ଼ି ଚାଲିଥିବା ବିଶ୍ୱ ବିଜୟୀ ଗ୍ରୀକ୍‌ ସମ୍ରାଟ ଆଲେକ୍‌ଜାଣ୍ଡାରଙ୍କ ସେନାକୁ ଆଡ଼େଇ ସମ୍ରାଟଙ୍କ ସମ୍ମୁଖରେ ଠିଆହୋଇ ହାତରେ ଧରିଥିବା ମୁଦ୍ରାଟିକୁ ବଢ଼େଇ ଦାର୍ଶନିକ ଦାଓଜେନ୍‌ସ କହିଲେ- ସମ୍ରାଟ କିଛିଦିନ ତଳେ କେହି ଜଣେ ଧନିକ ବ୍ୟକ୍ତି ମୋତେ ଭିକାରି ଭାବି ମୋ କୁଡ଼ିଆ ଭିତରକୁ ଫୋପାଡ଼ି ଦେଇଥିଲେ ଏହି ମୁଦ୍ରାଟିକୁ। ସେହିଦିନଠାରୁ ଏହାକୁ ସଂରକ୍ଷିତ ଓ ସୁରକ୍ଷିତ ରଖିଥିଲି କୌଣସି ଏକ ବଡ଼ ଭିକାରିକୁ ଦେବାପାଇଁ। ସୌଭାଗ୍ୟବଶତଃ ଆଜି ବିଶ୍ୱର ସବୁଠାରୁ ବଡ଼ ଭିକାରିକୁ ପାଇଗଲି। ଏହାକୁ ଗ୍ରହଣ କରନ୍ତୁ। କ୍ରୋଧ ଜର୍ଜରିତ ଆଲେକ୍‌ଜାଣ୍ଡାର ନିଜ ପାରିଷଦ ଓ ସୈନ୍ୟବାହିନୀଙ୍କ ଗହଣରେ ଏଭଳି ଧୃଷ୍ଟତା ଦେଖି କଡ଼ା ଶବ୍ଦରେ କହିଲେ- ଜାଣିଛ, ତୁମେ କାହା ସମ୍ମୁଖରେ ଠିଆ ହୋଇଛ ଓ କାହାକୁ କ’ଣ କହୁଛ? ମୁଁ ହେଉଛି ମହା ପରାକ୍ରମୀ ବିଶ୍ବବିଜୟୀ ଆଲେକ୍‌ଜାଣ୍ଡାର ଯାହାଙ୍କ ପାଖରେ ବିଶ୍ବର ସକଳ ଐଶ୍ୱର୍ଯ୍ୟ ଓ ପ୍ରାଚୁର୍ଯ୍ୟ ପଦାନତ। ତୁମର ଏଭଳି ଧୃଷ୍ଟତା ପାଇଁ ଶିରଚ୍ଛେଦ ହିଁ ଏକମାତ୍ର ବିକଳ୍ପ। ଆଲେକ୍‌ଜାଣ୍ଡାରଙ୍କ ଧମକରେ ତିଳେ ହେଁ ବିଚଳିତ ନ ହୋଇ ସହାସ୍ୟ ବଦନରେ ମହାଜ୍ଞାନୀ ଦାଓଜେନ୍‌ସ କହିଲେ- ବିଶ୍ବର ସବୁ ଐଶ୍ୱର୍ଯ୍ୟ ଓ ପ୍ରାଚୁର୍ଯ୍ୟ ଥାଇ ମଧ୍ୟ ଯାହା ପାଖରେ ପାଇବାର ଭୋକ ମେଣ୍ଟି ନାହିଁ,ସେ ସବୁଠାରୁ ବଡ଼ ଭିକାରି ନୁହେଁ ତ ଆଉ କ’ଣ! ଦାର୍ଶନିକଙ୍କ ଏହି ଦର୍ଶନର ମର୍ମ ସେଦିନ ହୁଏତ ବୁଝି ପାରି ନ ଥିଲେ ଆଲେକ୍‌ଜାଣ୍ଡାର। କିନ୍ତୁ ଅକାଳ ବିୟୋଗ ପୂର୍ବରୁ ଜୀବନର ବାସ୍ତବତା ଓ ଧନ ସମ୍ପତ୍ତିର ପ୍ରାସଙ୍ଗିକତା ସମ୍ବନ୍ଧରେ ନିଜ ପାଖାପାଖି ଲୋକଙ୍କୁ ଡାକି କହିଥିଲେ -ମୋ ଶବାଧାରକୁ ସମାଧି ସ୍ଥଳକୁ ନେବାବେଳେ ମୋ ହାତଯୋଡ଼ିକୁ ଦୁଇପଟକୁ ଝୁଲାଇ ଦେଇଥିବ, ଯେମିତି ସମସ୍ତ ବିଶ୍ବବାସୀ ଦେଖିବେ ଯେ ଆଲେକ୍‌ଜାଣ୍ଡାର ଶୂନ୍ୟହସ୍ତରେ ଆସିଥିଲା ଆଉ ମୃତ୍ୟୁ ପରେ ଖାଲିହାତରେ ଫେରିଗଲା। ଏହାକୁ କବିବର ରାଧାନାଥ ଅତି ମାର୍ମିକ ଭାବରେ ଲେଖିଛନ୍ତି- ମଲା ବେଳେ ବିଶ୍ବ ବିଜୟୀ ସ୍କନ୍ଦର କି କହିଥିଲେ ତା’ ହୃଦେ ଠାରେ ଧର, ଯେତେବେଳେ ପିଣ୍ଡୁ ଯିବ ପ୍ରାଣ ଛାଡ଼ି,ନେବ ଯେବେ ମୋତେ କୋକେଇରେ କାଢ଼ି,ଦେଇଥିବ ତହିଁ ମୋ ଶବ ଶୁଆଇ,ବେନି ପାଶେ ବେନି କରକୁ ଝୁଲାଇ। ଯା ଦେଖି ଜାଣିବେ ଜଗତେ ସମସ୍ତେ, ଆସିଥିଲି ଫେରିଗଲି ଶୂନ୍ୟହସ୍ତେ।
ସେଦିନ ଶ୍ରେଣୀରେ ଶିକ୍ଷକ ପ୍ରଶ୍ନକଲେ ପୃଥିବୀର ସର୍ବପ୍ରଥମ ରାଜଚକ୍ରବର୍ତ୍ତୀ କିଏ? ଜଣେ ଉତ୍ତର ଦେଲା- ବିଶ୍ବବିଜୟୀ ଆଲେକ୍‌ଜାଣ୍ଡାର। ଶିକ୍ଷକ କହିଲେ- ନା, ଗୌତମ ବୁଦ୍ଧ। ଛାତ୍ର ପଚାରିଲେ-ଘରଦ୍ୱାର, ଧନସମ୍ପତ୍ତି, ପରିବାର ପରିହାରକରି ତମାମ ଜୀବନ ଭିକ୍ଷୁକ ସାଜିଥିବା ଗୌତମ କିପରି ରାଜଚକ୍ରବର୍ତ୍ତୀ ହୋଇପାରିବେ? ଗୁରୁଜୀ କହିଲେ-ଦେଖ, ଆଲେକ୍‌ଜାଣ୍ଡାର ସାରା ବିଶ୍ବ ଜୟକରି ଆଜି ପୃଥିବୀର କେତେ ଅଂଶର ସମ୍ରାଟ? ହେଲେ ସର୍ବତ୍ୟାଗୀ ଭିକ୍ଷୁକ ଗୌତମଙ୍କ ବାଣୀ ଓ ଦର୍ଶନ ଆଜି ବିଶ୍ୱର କୋଣ ଅନୁକୋଣରେ ଆଦୃତ । ତେବେ କିଏ ରାଜଚକ୍ରବର୍ତ୍ତୀ? ବୁଝିଗଲା ଛାତ୍ରଟି ସାର୍ଥକ ଜୀବନର ପ୍ରକୃତ ରହସ୍ୟ। ତେଣୁ ସରଳ ଜୀବନ, ଉତ୍କୃଷ୍ଟ ଚିନ୍ତନ ହିଁ ମାନବ ଜୀବନର ବାସ୍ତବତା ଓ ବିଶେଷତା। ଅନ୍ୟଠୁ ଛଡ଼େଇ ନିଜ ପାଇଁ ବା ନିଜ ସପ୍ତପୁରୁଷ ପାଇଁ ସମ୍ପଦ ଓ ସମ୍ପତ୍ତି ଠୁଳକରିବା ମଣିଷ ଜୀବନର ସାର୍ଥକତା ନୁହେଁ ବରଂ ଅଳ୍ପରେ ସନ୍ତୁଷ୍ଟ ହୋଇ ଅନ୍ୟ ପାଇଁ କିଛି କରିବା ହିଁ ଜୀବନର ସୁନ୍ଦରତା। ତେଣୁ ଆଚାର୍ଯ୍ୟ ଚାଣକ୍ୟ କହନ୍ତି -ଆବଶ୍ୟକତା ଠାରୁ ଅଧିକ ମିଳୁଥିବା ପ୍ରତ୍ୟେକ ଜିନିଷ ବିଷ । ଏହା କ୍ଷମତା, ସ୍ବାଭିମାନ, ଧନ, କ୍ଷୁଧା, ଲୋଭ,ଆଳସ୍ୟ,ପ୍ରେମ,ଘୃଣା ବା ଅନ୍ୟ କିଛି ବି ହୋଇପାରେ।
ବିଶିଷ୍ଟ ଦାର୍ଶନିକ ପ୍ଳାଟୋ ମଧ୍ୟ ଏକଦା ଯଥାର୍ଥରେ କହିଥିଲେ, ଅଳ୍ପରେ ସନ୍ତୁଷ୍ଟ ରହିବା ହେଉଛି ସର୍ବଶ୍ରେଷ୍ଠ ସମ୍ପତ୍ତି। ସତକଥା କହିବାକୁ ଗଲେ ଏହା କେବଳ ଦାର୍ଶନିକ, ପଣ୍ତିତ ତଥା ଜ୍ଞାନୀ ଗୁଣୀ ମହାପୁରୁଷମାନଙ୍କ ଦର୍ଶନ ବା ଅମରବାଣୀ ନୁହେଁ। ଭାରତୀୟ ସମାଜର ସାଧାରଣ ଗାଁରେ ରହୁଥିବା ଅପାଠୁଆ, ଅଶିକ୍ଷିତ ଗ୍ରାମବାସୀ,ଗିରିକନ୍ଦରବାସୀଙ୍କ ବିଚାର ମଧ୍ୟ ଏଭଳି। ପିଲାବେଳୁ ଜେଜେମା ଜେଜେବାପାମାନଙ୍କ ଭଳି ବୟୋବୃଦ୍ଧମାନଙ୍କଠାରୁ ଶୁଣିଛୁ ସାର୍ଥକ ଜୀବନ କଥା। ସେମାନେ ସଦାବେଳେ ସରଳ ଜୀବନ ପାଇଁ ବିଭିନ୍ନ ଉଦାହରଣ ଦେଇ ବୁଝାଉଥିଲେ। ରାତାରାତି କୋଟିପତି ହୋଇ ଜୀବନର ଅସଲ ରହସ୍ୟ ସମ୍ବନ୍ଧରେ ନ ଜାଣି କେବଳ ଭୌତିକ ଐଶ୍ୱର୍ଯ୍ୟର ଅନ୍ଧାନୁକରଣକୁ ସେମାନେ କେବେ ମଧ୍ୟ ପ୍ରଶ୍ରୟ ଦେଉ ନ ଥିଲେ। ଏପରିକି ନିଜ ଆଶାଠାରୁ ଅଧିକ ଶସ୍ୟ ଉତ୍ପାଦନ ହେଲେ ତୁରନ୍ତ ଧାର୍ମିକସ୍ଥଳ ବା ଦୁଃଖୀରଙ୍କୀଙ୍କୁ ଦାନ କରିଦେଉଥିଲେ। ସେଥିପାଇଁ ସେମାନେ ଆଜି ଭଳି ଭୌତିକ ସୁଖ ପାଉ ନ ଥିଲେ ମଧ୍ୟ ଆନନ୍ଦ ଓ ଆତ୍ମତୃପ୍ତିରେ ରହୁଥିଲେ। ହେଲେ ଆଜି ମଣିଷ କେବଳ ଟଙ୍କା ପଛରେ ଗୋଡ଼େଇ ସ୍ବାସ୍ଥ୍ୟ ରୂପୀ ଅମୂଲ୍ୟ ସମ୍ପଦକୁ ହଜେଇ ଦେଇ ଡାକ୍ତରଙ୍କ ପ୍ରସ୍ତାବିତ ବଟିକା ଖାଇ ଆଜୀବନ ବଞ୍ଚିବାକୁ ଉଚିତ ମଣୁଛି। ଧର୍ମରାଜ ଯୁଧିଷ୍ଠିରଙ୍କୁ ଏକ ଚମତ୍କାର ପ୍ରଶ୍ନ କରିଥିଲେ ଯକ୍ଷ। ଏ ସଂସାରରେ ସବୁଠାରୁ ଆଶ୍ଚର୍ଯ୍ୟ କ’ଣ? ଯଥାର୍ଥ ଉତ୍ତର ଦେଇ ଜ୍ୟେଷ୍ଠ ପାଣ୍ଡବ କରିଥିଲେ- ପ୍ରତିଦିନ ଶହ ଶହ ମଣିଷ ଯମାଳୟ ଯାତ୍ରା କରୁଛନ୍ତି, ତଥାପି ମଣିଷ ଅମର ହୋଇ ଏ ସଂସାରରେ ରାଜ୍‌ କରିବାର ଦିବାସ୍ବପ୍ନ ଦେଖୁଛି। ଏହା ହିଁ ଆଶ୍ଚର୍ଯ୍ୟ ଓ ବିଡ଼ମ୍ବନାର ବିଷୟ। ତେବେ ଜୀବନର ଶ୍ରେଷ୍ଠତ୍ୱ କ’ଣ? ଟଙ୍କାର ପାହାଡ଼ ଉପରେ ଠିଆହୋଇ ଶୂନ୍ୟହସ୍ତରେ ଫେରୁଥିବା ମଣିଷ ନା ଆଣ୍ଠୁ ଯାଏଁ ଦେଶୀ ଲୁଗାଟିଏ ପିନ୍ଧି ଦେଶର ରାଷ୍ଟ୍ରପିତା ଓ ବିଶ୍ବରେ ଅହିଂସାର ପୂଜାରୀ ଭାବରେ କୋଟି କୋଟି ଜନତାଙ୍କ ହୃଦୟରେ ବିରାଜମାନ ଥିବା ଜଣେ ସରଳ ମଣିଷ! ସତ କହିଲେ ଆଜି ମଣିଷ ପାଖରେ ଭରପୂର ସମ୍ପଦ ଅଛି, ମାତ୍ର ଭୋକ ନାହିଁ। ସୁକୋମଳ ଗଦି ଅଛି, ନିଦ ନାହିଁ। ସମ୍ପତ୍ତି ଅଛି, ସମ୍ପର୍କ ନାହିଁ। ମଣିଷ ଏକ ପ୍ରକାର ନିଃସଙ୍ଗ ଓ ନିଃସ୍ବ। ଦୁନିଆରେ କେବଳ ଭାଗ୍ୟବାନ୍‌ ସେହି – ଯାହା ପାଖରେ ‘ଭୋଜନ’ ସହ ‘ଭୋକ’ ଅଛି। ‘ଶଯ୍ୟା’ ସହ ‘ନିଦ୍ରା’ ଅଛି। ଆଉ ‘ଧନ’ ସହ ‘ଧର୍ମ’ ବି ଅଛି। ତେଣୁ ହେ ଜୀବଶ୍ରେଷ୍ଠ ମଣିଷ ଜୀବନର ବାସ୍ତବତାକୁ ଉପଲବ୍ଧିକରି ସାର୍ଥକ ଜୀବନ ଜିଇଁବାର ସଂକଳ୍ପବଦ୍ଧ ହୁଅ।

  • ଡ. ମନୋରଞ୍ଜନ ପ୍ରଧାନ
    ମୋ-୯୪୩୭୯୧୪୮୧୮

Enter your email to get our daily news in your inbox.

All Right Reserved By Dharitri.Com

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

ତଥ୍ୟ ଅସୁରକ୍ଷିତ

ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟକୁ ବାରମ୍ବାର ଅପବ୍ୟବହାର କରାଯାଉଥିବାରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଭିଯୋଗ ହୋଇଆସୁଛି। ବିଶେଷକରି ସାମାଜିକ ଗଣମାଧ୍ୟମର ପ୍ରାବଲ୍ୟତା ବଢ଼ିଥିବାରୁ ତଥ୍ୟକୁ ନେଇ ସର୍ବଦା…

ଏଇ ଭାରତରେ

ଉତ୍ତରାଖଣ୍ଡର ଦୁର୍ଗମ ପାହାଡ଼ିଆ ଅଞ୍ଚଳର ପିଲାମାନେ ସ୍କୁଲ ଯାଉ ନ ଥିବା ଲକ୍ଷ୍ୟ କରିଥିଲେ ଶ୍ରେୟା ରାଓ୍ବତ। ସ୍କୁଲ ବେଶି ଦୂରରେ ଥିବାରୁ, ଜଳବାୟୁ ଜନିତ ବିପର୍ଯ୍ୟୟ…

ପ୍ରଶ୍ନ ଏକ, ଉତ୍ତର ଅନେକ

ରାଜ୍ୟର ରାଜା ପାତ୍ର-ମନ୍ତ୍ରୀମାନଙ୍କ ସହ ରାଜଉଆସ ପରିସରରେ ଥିବା ପୋଖରୀ କୂଳରେ ବସି ରାଜ୍ୟର ହାଲ୍‌ଚାଲ୍‌ ବିଷୟରେ ଆଲୋଚନା କରୁଥାଆନ୍ତି। ସମସ୍ତ ପଦାଧିକାରୀ ନିଜ ନିଜର ପାରିବାପଣିଆର…

ବଜେଟ: ବିକଶିତ ଭାରତ, ଓଡ଼ିଶାର ନକ୍ସା

ସଂସଦରେ ମୋଦି ସରକାରଙ୍କର ଦ୍ୱାଦଶ ବର୍ଷରେ ଦେଶର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଲଗାତର ନବମ ଥର ପାଇଁ ଦେଶର ବଜେଟ ଉପସ୍ଥାପନ କରିଛନ୍ତି। ନୂତନ ସଂସଦ…

ବୋତଲ ବେପାର

ପାଣିର ଉପସ୍ଥିତି ଯୋଗୁ ପୃଥିବୀରେ ଆମେ ତିଷ୍ଠିଛେ। ସେହି ପାଣି ଏବେ ଦ୍ରୁତଗତିରେ ପ୍ରଦୂଷିତ ହେବାରେ ଲାଗିଛି। କୁହାଯାଉଛି, ଭବିଷ୍ୟତରେ ସବୁଠାରୁ ବଡ଼ ସଙ୍କଟ ଭାବେ ଜଳ…

ଏଇ ଭାରତରେ

ପଶ୍ଚିମବଙ୍ଗ ବାଙ୍କୁଡ଼ା ସେନଜୁତି ମାହାତୋ ଓ ଅଭିଷେକ ଚୌଧୁରୀ ସେହି ଅଞ୍ଚଳର ଖଜୁରି ଗୁଡ଼ ଉତ୍ପାଦନ କରି ସେଠାକାର ଏହି ପାରମ୍ପରିକ ଉତ୍ପାଦକୁ ବଞ୍ଚାଇ ରଖିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri