
ବୈଶିଙ୍ଗା,୪।୭(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ବଡଗୁମା ବଜାରଠାରେ ଥିବା ସପନ କୁମାର ସାନ୍ତରାଙ୍କ ଔଷଧ ଦୋକାନରେ ଗତ ସୋମବାର ରାତି ଗୋଟାଏ ସମୟରେ ଅଜ୍ଞାତ ବ୍ୟକ୍ତି ଭଙ୍ଗାରୁଜା କରିଥିଲେ। ଏଥିସହ ଉଲଗ୍ନ ହୋଇ ବାଇକ ଓ ଚେୟାର ଟେବୁଲ ସହ ସାଇନବୋର୍ଡରେ ନିଆଁ ଲଗାଇ ଫେରାର ହୋଇଯାଇଥିଲେ। ସେହି ସମୟରେ ସେ ଗାମୁଛାରେ ମୁହଁ ଢାଙ୍କି ହୋଇଥିଲେ। ସେବେଠାରୁ ଥାନାଧିକାରୀ ବାରିଣୀ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଘଟଣାର ତଦନ୍ତ ଜାରି ରହିଥିଲା। ଶେଷରେ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରାଯାଇ ଅଭିଯୁକ୍ତ ନିକଟରେ ପହଞ୍ଚିବାରେ ସଫଳ ହୋଇଛି ତଦନ୍ତକାରୀ ଟିମ। ଅଭିଯୁକ୍ତ ତଥା ବଡଗୁମା ଗ୍ରାମର ସୁବ୍ରତ ଦଳେଇଙ୍କୁ ଶୁକ୍ରବାର ଅପରାହ୍ନ ସମୟରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ତେବେ ସପନଙ୍କ ପରିବାର ସହିତ ସୁବ୍ରତଙ୍କ ପୂର୍ବରୁ ଭିଷଣ ଝଗଡ଼ା ହୋଇଥିବା ବେଳେ ସେ ପ୍ରତିଶୋଧ ନେବାକୁ ସୁଯୋଗ ଅପେକ୍ଷାରେ ଥିଲେ ବୋଲି ପୋଲିସ ନିକଟରେ ସ୍ବୀକାର କରିଛନ୍ତି। ଏଭଳି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିଲା ଏବଂ ପୋଲିସ ମଧ୍ୟ ଖୁବ ଚାପରେ ଥିଲାବେଳେ ଘଟଣା ଘଟିବାର ଚାରି ଦିନ ମଧ୍ୟରେ ଅଭିଯୁକ୍ତ ଗିରଫ ହେବା ପୋଲିସ ପାଇଁ ବଡ଼ ସଫଳତା ବୋଲି ବିବେଚନା କରାଯାଉଛି।