ଖୋର୍ଦ୍ଧା,୨୭ା୪(ପ୍ରଭାତ ପାଣିଗ୍ରାହୀ): ହିନ୍ଦୁ ସଂସ୍କୃତିର ଆରାଧ୍ୟା ଗୋମାତାଙ୍କୁ ରାଷ୍ଟ୍ରୀୟ ସ୍ତରରେ ସମ୍ମାନ, ଗୋ’ ହତ୍ୟା ବନ୍ଦ ଦାବିରେ ସୋମବାର ସର୍ବଭାରତୀୟ ସ୍ତରରେ ସାଧୁସନ୍ଥମାନଙ୍କ ଡାକରା ଗୋ’ ସମ୍ମାନ ଅଭିଯାନ ଆୟୋଜନ କରାଯାଇଛି। ଏହି କ୍ରମରେ ଏହି ଅଭିଯାନ, ଖୋର୍ଦ୍ଧା ଶାଖା ପକ୍ଷରୁ ଏକାଧିକ ଗୋ’ ସେବକ ନୂଆ ବସଷ୍ଟାଣ୍ଡଠାରୁ ଗୋମାତାଙ୍କୁ ସାଥିରେ ଧରି ବିଶାଳ ଶୋଭାଯାତ୍ରାରେ ବାହାରି ତହସିଲଦାରଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ହଜାରରୁ ଊଦ୍ଧର୍ବ ଦସ୍ତଖତ ସମ୍ବଳିତ ଦାବିପତ୍ର ତହସିଲଦାରଙ୍କୁ ପ୍ରଦାନ କରିଥିଲେ। ଗୋ’ ମାତାଙ୍କୁ ରାଷ୍ଟ୍ରୀୟ ସମ୍ମାନ, ଗୋହତ୍ୟା ବନ୍ଦ ଆଇନ କଡ଼ାକଡ଼ି କରିବାକୁ ସ୍ଲୋଗାନ ଦେଇଥିଲେ।
ଏହି ଅଭିଯାନ ଖୋର୍ଦ୍ଧା ଆବାହକ ଗୋସେବକ ରାଧାମୋହନ ପ୍ରଧାନଙ୍କ ନେତୃତ୍ୱରେ ବିଶ୍ବମ୍ବର ଦାସ ମହାରାଜ ଯୋଗଦେଇ ଗୋ’ମାତାର ସୁରକ୍ଷା, ସଂରକ୍ଷଣ, ସମ୍ବର୍ଦ୍ଧନା ହିନ୍ଦୁ ସମାଜ ଆଗକୁ ଆସିବାକୁ ଆହ୍ବାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭୁ ପ୍ରସାଦ ମଙ୍ଗରାଜ, ଅଜୟ ମାଝୀ, ଶୁଭଙ୍କର ପାଇକରାୟ, ସତ୍ୟଜିତ ବେହେରା, ଉଦିତ ପ୍ରହରାଜ, ଏସ ଏମ୍ ଦିବ୍ୟ ପ୍ରକାଶ, କୌଶିକ ବରାଳଙ୍କ ସମେତ ଏକାଧିକ ଗୋସେବକ ଯୋଗଦେଇଥିଲେ।