ସରୁନି ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ କାର୍ଯ୍ୟ

ଜଟଣୀ,୨୫।୯(ଡି.ଏନ୍‌.ଏ.): ଶିକ୍ଷାର ବିକାଶ ସହିତ ବିଦ୍ୟାଳୟଗୁଡିକର ଭିତ୍ତିଭୂମି ସୁଦୃଢ କରିବା ପାଇଁ ସରକାର ଅନେକ ଯୋଜନା କରୁଛନ୍ତି। ତେବେ ଅନେକ ସମୟରେ ବିଭାଗୀୟ ଅଧିକାରୀ ଅବହେଳା ଓ ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ଏଥିରେ ବ୍ୟତିକ୍ରମ ହୋଇଥାଏ। ଜଟଣୀ ପୌରାଞ୍ଚଳର କୁଦିଆରୀ ଏବଂ ହାଟ ବଜାର ଅଞ୍ଚଳରେ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣରେ ବ୍ୟତିକ୍ରମ ଯୋଗୁ ବହୁ ଛାତ୍ରୀଛାତ୍ର ଶିକ୍ଷା ପାଇବାରୁ ବଞ୍ଚିତ ହେଉଥିବା ସାଧାରଣରେ ଅଭିଯୋଗ ହେଉଛି।
କି, ଦୀର୍ଘବର୍ଷ ଧରି ଉକ୍ତ ଅଞ୍ଚଳରେ ଥିବା ଅଙ୍ଗନୱାଡି କେନ୍ଦ୍ର ଅଧାପନ୍ତରିଆ ଭାବେ ପଡ଼ିରହିଛି। ପୌରାଞ୍ଚଳ ଅନ୍ତର୍ଗତ କୁଦିଆରୀ ଦଶଦୋଳ ମେଳଣ ପଡ଼ିଆ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ନିର୍ମାଣ ହେଉଥିବା ଅଙ୍ଗନଓ୍ବାଡି କେନ୍ଦ୍ରର ନିର୍ମାଣ କାର୍ଯ୍ୟକୁ ୪ବର୍ଷ ବିତିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କାମ ସରିନାହିଁ। ଫଳରେ ୪୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି। ଉକ୍ତ ବିଦ୍ୟାଳୟ ବାରଣ୍ଡାରେ ପିଲାଙ୍କୁ ପାଠ ପଢାଯିବା ନେଇ ସ୍ଥାନୀୟ ଗ୍ରାମବାସୀ ଏବଂ ପୂର୍ବତନ କାଉନସିଲର ଲୁସେନ ରାୟ ଅଭିଯୋଗ କରିଛନ୍ତି। ଅର୍ଦ୍ଧ ନିର୍ମିତ ଅବସ୍ଥାରେ ଥିବା ଏହି ଅଙ୍ଗନଓ୍ବାଡି କେନ୍ଦ୍ର ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଯାହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ୟପଟେ ପୌରାଞ୍ଚଳ ଅଧୀନ ୧୫ ନଂ. ୱାର୍ଡ ହାଟ ବଜାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ନିର୍ମିତ ୧୫(ଏ) ଅଙ୍ଗନୱାଡି କେନ୍ଦ୍ର ମଧ୍ୟ ଦୀର୍ଘବର୍ଷ ଧରି ଅର୍ଦ୍ଧ ନିର୍ମିତ ଅବସ୍ଥାରେ ରହିଛି। ଫଳରେ ପିଲାମାନେ ବାର ଦୁଆରେ ପାଠ ପଢୁଥିବା ସାଧାରଣରେ ଅଭିଯୋଗ ହେଉଛି। ଏନେଇ ଗତ ଅଗଷ୍ଟ ୨୫ରେ ‘୪ ବର୍ଷ ବିତିଲା ସରୁନି ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ କାର୍ଯ୍ୟ’ ଶୀର୍ଷକ ଖବର ଧରିତ୍ରୀରେ ପ୍ରକାଶ ପାଇଥିଲା। ସେତେବେଳେ ଜଟଣୀ ବ୍ଲକ ଉନ୍ନୟନ ଅଧିକାରୀ ସରୋଜ ରାଉତଙ୍କୁ ପଚାରିବାରେ, କରୋନା ପାଇଁ ନିର୍ମାଣରେ ସମସ୍ୟା ଦେଖାଯାଇଥିଲା। ଆସନ୍ତା ୩ୟ ସପ୍ତାହରୁ ଏକ ମାସ ମଧ୍ୟରେ କୁଦିଆରୀ ମେଳଣ ପଡିଆ ଅଙ୍ଗନୱାଡି କେନ୍ଦ୍ର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବ ବୋଲି କହିଥିଲେ। ତେବେ ଧାର୍ଯ୍ୟ ସମୟ ବିତି ଯାଇଥିବାବେଳେ କାର୍ଯ୍ୟ ସରି ନ ଥିବାରୁ ପୂର୍ବତନ କାଉନସିଲର ରାୟ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଜଟଣୀ ବ୍ଲକ ଉନ୍ନୟନ ଅଧିକାରୀ ରାଉତ କହିଛନ୍ତି, ଲଗାଣ ବର୍ଷା ଯୋଗୁ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ। ଦଶହରା ଛୁଟି ପରେ କାର୍ଯ୍ୟ ଆରମ୍ଭ ହୋଇ ଆଗାମୀ ୧ ମାସ ମଧ୍ୟରେ କୁଦିଆରୀ ଏବଂ ୬ ମାସ ମଧ୍ୟରେ ହାଟବଜାର ଅଙ୍ଗନୱାଡି କେନ୍ଦ୍ର ସମ୍ପୂର୍ଣ୍ଣ କରାଯିବ।